ବର୍ଷା ଋତୁ ଆସିଲେ ଆମେ ଖୁସି ହୋଇଯାଉ। କାରଣ ଗ୍ରୀଷ୍ମଋତୁର ଅସହ୍ୟ ଗୁଳିଗୁଳିରୁ ତ୍ରାହି ପାଇଯାଉ। କିନ୍ତୁ ବର୍ଷାଋତୁ ତା’ସାଙ୍ଗରେ କିଛି ରୋଗ ମଧ୍ୟ ଧରି ଆସିଥାଏ। ଏହି ଋତୁରେ ବାୟୂମଣ୍ଡଳର ଆଦ୍ରତା ବଢିଯିବା ହେତୁ ତଥା ଆଖପାଖର ଅପରିଷ୍କାର ପରିବେଶ ଓ ଅସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ଯୋଗୁଁ ଆମ ‘ଆଖି’ରେ କେତେକ ସମସ୍ୟା ଦେଖା ଯାଇଥାଏ। ତେବେ ଆଖିର ସଠିକ୍ ଯତ୍ନ ନେବା ସହିତ ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ସମସ୍ୟାଗୁଡିକୁ ପ୍ରତିରୋଧ କରି ହେବ।
ବର୍ଷା ଋତୁରେ ହେଉଥିବା ସାଧାରଣ ଆଖି ରୋଗ ଗୁଡିକ କ’ଣ ?
- ବର୍ଷା ଋତୁରେ ହେଉଥିବା ସାଧାରଣ ଆଖି ରୋଗଗୁଡିକ ହେଉଛି କଂଜୁକ୍ଟିଭିଟିଜ୍(ଆଖି ପତା ଫୁଲା),ଷ୍ଟାଏ (ଆଖି ପତାରେ ବ୍ରଣ),ଶୁଷ୍କ ଆଖି ଓ କୋରେନିଆଲ ଅଲସର(ଆଖି ସ୍ୱଚ୍ଛପଟଳରେ ଘା)।
କଂଜୁକ୍ଟିଭିଟିଜ୍ ବା ଆଖି ପତା ଫୁଲା ଓ ଏହାର କାରଣ
କଂଜୁକ୍ଟିଭିଟିଜ୍ ବା ଆଖି ପତା ଫୁଲା ତିନି ପ୍ରକାରର ହୋଇଥାଏ। ଏଗୁଡ଼ିକ ହେଉଛି ଇନଫେକଟିଭ୍ କଂଜୁକ୍ଟିଭିଟିଜ୍ ବା ସଂକ୍ରମଣ ଜନିତ ଆଖିପତା ଫୁଲା, ଆଲର୍ଜିକ କଂଜୁକ୍ଟିଭିଟିଜ୍ ଓ କେମିକାଲା କଂଜୁକ୍ଟିଭିଟିଜ୍। ସଂକ୍ରମଣ ଜନିତ ଆଖିଫୁଲାର ବାହକ ହେଉଛନ୍ତି ବୀଜାଣୁ ଓ ଭୂତାଣୁ। ବିଶେଷ କରି ଆଡେନୋ ନାମକ ଏକ ଭୂତାଣୁ ଦ୍ୱାରା ଏହା ଅଧିକ ବ୍ୟାପୀ ଥାଏ। ବୀଜାଣୁ ଅପେକ୍ଷା ଭୂତାଣୁ ଜନିତ ଆଖିପତା ଫୁଲା ଅଧିକ ହୋଇଥାଏ।
ଭାଇରାଲ କଂଜୁକ୍ଟିଭିଟିଜର ଲକ୍ଷଣ
- ଆଖି ଲାଲ ପଡିବା,କୁଣ୍ଡେଇ ହେବା, ଖେଞ୍ଚି ହେବା, ଆଖିରୁ ପାଣି ବୋହିବା
କ’ଣ ସତର୍କତା ଅବଲମ୍ବନ କରିବେ?
- ଅପରିଷ୍କାର ହାତରେ ଆଖିକୁ ଛୁଅନ୍ତୁ ନାହିଁ
- ସଂକ୍ରମିତ ବ୍ୟକ୍ତିଙ୍କ ଗାମୁଛା, ତକିଆ ଅବା ଅନ୍ୟ କୌଣସି ବ୍ୟକ୍ତିଗତ ଜିନିଷ ବ୍ୟବହାର କରନ୍ତୁ ନାହିଁ
- କଂଜୁକ୍ଟିଭିଟିଜର ଶିକାର ହୋଇଥିଲେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ
ଆଲର୍ଜିକ କଂଜୁକ୍ଟିଭିଟିଜ୍ କାରଣ ଓ ଏହାର ଲକ୍ଷଣ:
- ବାୟୁ ମଣ୍ଡଳରେ ଥିବା ଧୂଳି, ଧୂଆଁ ଓ ପରାଗ ପ୍ରତି ଅସହିଷ୍ଣୁ ଥିବା ଲୋକଙ୍କଠାରେ ଆଲର୍ଜିକ୍ କଂଜୁକ୍ଟିଭିଟିଜ୍ ଦେଖାଯାଏ। ଆଖି କୁଣ୍ଡେଇ ହେବା,ଲାଲ ପଡିବା ଓ ଜଳିବା ହେଉଛି ଏହାର ଲକ୍ଷଣ।
କେମିକାଲ କଂଜୁକ୍ଟିଭିଟିଜ୍ ଓ ଏହାର ପରିଚାଳନା
- ଆଖି କୌଣସି କେମିକାଲ ବା ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିଲେ କେମିକାଲ କଂଜୁକ୍ଟିଭିଟିଜର ଶିକାର ହୋଇଥାଏ। ଏହା ଦ୍ୱାରା ଆଖି ଲାଲ ପଡିଯାଏ, ଆଖି ଖେଞ୍ଚି ହୁଏ, ପାଣି ବାହାରେ ଓ ଝାପସା ଦେଖାଯାଏ। ଏପରି ହେଲେ ଆଖିକୁ ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଯଦି ଆଖି ଖେଞ୍ଚି ହେବା ଜାରି ରହେ ଅବା ଝାପସା ଦେଖାଯାଏ ତା’ହେଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
କଂଜୁକ୍ଟିଭିଟିଜରେ ପୀଡିତ ବ୍ୟକ୍ତି କ’ଣ କରିବେ ଓ କ’ଣ ନ କରିବେ
- ଯଦି କୌଣସି ବ୍ୟକ୍ତିଙ୍କ ଆଖି ଲାଲ ପଡିଯାଇଥାଏ, ତା’ହେଲେ ସେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ
- ପରୀକ୍ଷା କଲା ପରେ ଡାକ୍ତର ଆଖି ଲାଲ ହେବାର କାରଣ ଜାଣିପାରିବେ ଓ ସେହି ଅନୁସାରେ ଔଷଧ ଖାଇବାକୁ ପରାମର୍ଶ ଦେଇ ପାରିବେ
- ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ। ଗୋଲାପ ଜଳ, ଛେପ ଅବା ମା’କ୍ଷୀର ଆଖିରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ଆଖିରେ ଜଟିଳ ସମସ୍ୟା ଦେଖାଯିବ
ଷ୍ଟାଏ କ’ଣ? ଏହାର ଲକ୍ଷଣ ଓ ପରିଚାଳନା
- ଷ୍ଟାଏ ହେଉଛି ଆଖିପତାରେ ଏକ ପ୍ରକାର ବ୍ୟାକ୍ଟେରିଆ ବା ବୀଜାଣୁ ସଂକ୍ରମଣ। ଏହାଦ୍ୱାରା ଆଖିପତାରେ ଏକ ବ୍ରଣ ସଦୃଶ ଫୁଲା ଦେଖାଯାଏ। ଏହା ଯନ୍ତ୍ରଣାଦାୟକ ହୋଇଥାଏ। ସାଧାରଣତଃ ଯେଉଁମାନେ ଅଧିକ ସମୟ ଆଖି କୁଣ୍ଡେଇ ଥାଆନ୍ତି ସେମାନଙ୍କଠାରେ ଏହା ଅଧିକ ଦେଖାଯାଏ। ତେଣୁ ଅପରିଷ୍କାର ହାତରେ ଆଖି କୁଣ୍ଡେଇବାରୁ ନିବୃତ ରହିବା ଉଚିତ। ଯେଉଁମାନଙ୍କର ବକ୍ର ଦୋଷ ରହିଛି କିନ୍ତୁ ସେମାନେ ଚଷମା ବ୍ୟବହାର କରୁନାହାନ୍ତି ଏବଂ ଡାଏବେଟିସ ରୋଗରେ ଆକ୍ରାନ୍ତ ସେମାନଙ୍କଠାରେ ବାରମ୍ବାର ଷ୍ଟାଏ ହୋଇଥାଏ। ଯଦି ଜଣେ ବାରମ୍ବାର ଷ୍ଟାଏରେ ଆକ୍ରାନ୍ତ ହେଉଥାଏ ତା’ ହେଲେ ସେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।
ଶୁଷ୍କ ଆଖି
- ଶୁଷ୍କ ଆଖି ହେଉଛି ଏକ ସ୍ଥିତି ଯେତେବେଳେ ଆଖି ଆଉ ଲୁହ ତିଆରି କରିପାରେ ନାହିଁ। ବର୍ଷା ଦିନେ ପବନର କ୍ଷିପ୍ରତା ଯୋଗୁଁ ଆଖି ଶୁଷ୍କ ହୋଇଥାଏ।
ଲକ୍ଷଣ ଓ ପରିଚାଳନା
- ଆଖି ଜଳିବା, ଆଖିରେ ଥକାପଣ ଅନୁଭବ ହେବା ଓ ଲାଲ ପଡିଯିବା। କୃତ୍ରିମ ଲୁହ ହେଉଛି ଏହାର ପ୍ରଥମ ଥେରାପି
- ଆଖିକୁ ପୂରା ଘୋଡାଇ ରଖୁଥିବା ଭଳି ଚଷମା ପିନ୍ଧନ୍ତୁ। ଏହା ଦ୍ୱାରା ଲୁହର ବାଷ୍ପୀକରଣ ଧୀମା ହୋଇଯିବ
- ଶୁଷ୍କ ବାତାବରଣକୁ ଏଡେଇ ଯାଆନ୍ତୁ
- ବାରମ୍ବାର ଆଖିକୁ ତଳଉପର କରନ୍ତୁ
- ଅତି କଷ୍ଟ ହେଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ
କୋରେନିଆଲ ଅଲସର(ସ୍ୱଚ୍ଛପଟଳରେ ଘା’)
- ବର୍ଷା ଋତୁ ସହିତ ଏହି ଆଖି ରୋଗର ସିଧାସଳଖ ସଂମ୍ପୃକ୍ତି ନଥିଲେ ମଧ୍ୟ ପରୋକ୍ଷରେ ସମ୍ପର୍କ ରହିଛି। ସାଧାରଣତଃ ଏହି ରୋଗ ଅଧିକାଂଶ ଭାବେ ଚାଷୀମାନଙ୍କଠାରେ ଦେଖାଯାଇଥାଏ। ଗଛରେ ଶାଖା,ପତ୍ର,ବାଡି ଓ ଅନ୍ୟନ୍ୟ ଜିନିଷ ଦ୍ୱାରା ସ୍ୱଚ୍ଛ ପଟ୍ଟଳରେ ଆଘାତ ଲାଗିଥାଏ। ବ୍ୟାକ୍ଟେରିଆ ବା ଫଙ୍ଗସ୍ ସଂକ୍ରମଣରୁ ବି ଏହା ହୋଇଥାଇପାରେ।
ଲକ୍ଷଣ
- ଆଖି ଜଳିବା, ଲାଲ ପଡିବା,ଆଲୁଅ ପଡିଲେ କଷ୍ଟ ଅନୁଭବ ହେବ, ଦୃଷ୍ଟି ଶକ୍ତି ହେବ ହ୍ରାସ ପାଇବ,ଆଖିର କଳା ଅଂଶରେ ଧଳାଧଳା ଦାଗ ଦେଖାଯିବ।
ଏହା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ଚାଲିଯିବାର ଯଥେଷ୍ଟ ସମ୍ଭାବନା ଥାଏ। ଏପରି ସ୍ଥିତିରେ ତତକ୍ଷଣାତ୍ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।