Advertisment

Odisha Tourism-A glimpse to the Tourist destination in Rourkela:ରାଉରକେଲାର ଦର୍ଶନୀୟ ସ୍ଥାନ

ଲିପିକା ପ୍ରଧାନ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଇସ୍ପାତ ନଗରୀ ରାଉରକେଲା। ରାଉରକେଲାରେ ରହିଛି ଷ୍ଟିଲ୍‌ ଫ୍ଲାଣ୍ଟ୍, ଅନେକ ଶିକ୍ଷାନୁଷ୍ଠାନ ଓ ଦେବାଳୟ। ପୁଣି ସହରରେ ରହିଛି କେତୋଟି ଛୋଟ ବଡ଼ ପାର୍କ। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଆଜି ଏହି ସହରରେ ବେଶ୍‌ ପରିଚିତ। ରାଉରକେଲାକୁ ଇସ୍ପାତ ନଗରୀ ବା ଷ୍ଟିଲ ସିଟି କୁହାଯାଏ। ଏଠାରେ ଇସ୍ପାତ କାରଖାନା ଗଢ଼ି ଉଠିଥିବାରୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଆସି ଏହି ସହରରେ ବସବାସ କରୁଛନ୍ତି। ତେଣୁ […]

author-image
Puspanjali Panda
ଅଦ୍ୟତନ ହୋଇଛି
Odisha Tourism-A glimpse to the Tourist destination in Rourkela:ରାଉରକେଲାର ଦର୍ଶନୀୟ ସ୍ଥାନ

h1

  •   ଲିପିକା ପ୍ରଧାନ

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଇସ୍ପାତ ନଗରୀ ରାଉରକେଲା। ରାଉରକେଲାରେ ରହିଛି ଷ୍ଟିଲ୍‌ ଫ୍ଲାଣ୍ଟ୍, ଅନେକ ଶିକ୍ଷାନୁଷ୍ଠାନ ଓ ଦେବାଳୟ। ପୁଣି ସହରରେ ରହିଛି କେତୋଟି ଛୋଟ ବଡ଼ ପାର୍କ। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଆଜି ଏହି ସହରରେ ବେଶ୍‌ ପରିଚିତ। ରାଉରକେଲାକୁ ଇସ୍ପାତ ନଗରୀ ବା ଷ୍ଟିଲ ସିଟି କୁହାଯାଏ। ଏଠାରେ ଇସ୍ପାତ କାରଖାନା ଗଢ଼ି ଉଠିଥିବାରୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଆସି ଏହି ସହରରେ ବସବାସ କରୁଛନ୍ତି। ତେଣୁ ରାଉରକେଲାକୁ ମିନି ଇଣ୍ଡିଆ ମଧ୍ୟ କୁହାଯାଏ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ରାଉରକେଲାରେ ସ୍ଥାନ ସ୍ୱତନ୍ତ୍ର। ରାଉରକେଲା ସହର ସମେତ ଏହାର ଆଖପାଖରେ ବହୁ ପର୍ଯ୍ୟଟନ ପୀଠ ରହିଛି। ତେଣୁ ପ୍ରତିଦିନ ଏହି ସହରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦର୍ଶନ ପାଇଁ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ।

Advertisment

ହନୁମାନ ବାଟିକା : ରାଉରକେଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହନୁମାନ ବାଟିକା। ଏଠାରେ ଥିବା ୭୫ ଫୁଟ୍‌ ଉଚ୍ଚର ହନୁମାନ ମୂର୍ତ୍ତି ଅନନ୍ୟ ଆକର୍ଷଣ। ଏହା ହେଉଛି ଏସିଆର ସବୁଠାରୁ ବଡ଼ ହନୁମାନ ମୂର୍ତ୍ତି। ଯାହାକୁ ଦେଖିବାକୁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି ଷ୍ଟିଲ୍‌ ସିଟି ରାଉରକେଲାକୁ। ହନୁମାନ ବାଟିକାରେ ଥିବା ଏହି ବିରଳ ହନୁମାନକୁ ମୂର୍ତ୍ତିକୁ ଲକ୍ଷ୍ମଣ ସ୍ୱାମୀ ନିର୍ମାଣ କରିଥିଲେ। ହନୁମାନ ବାଟିକାର ବିରଳ ହନୁମାନ ମୂର୍ତ୍ତିକୁ ୧୯୯୪ ମସିହା ଫେବୃଆରୀ ୨୪ ତାରିଖରେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ହନୁମାନ ବାଟିକାର ମନୋରମ ଶୋଭା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ହନୁମାନ ବାଟିକା ପରିସରରେ ଆହୁରି ଅନେକ ଦେବଦେବୀ ପୂଜା ପାଆନ୍ତି। ଦେବୀ ମହାଲକ୍ଷ୍ମୀ, ଜଗନ୍ନାଥ, ରାଧାକୃଷ୍ଣ, ଭଗବାନ ସୋମନାଥ, ମା’ ସନ୍ତୋଷୀ ଆଦି ଦେବଦେବୀ ନିତ୍ୟ ପୂଜା ପାଉଛନ୍ତି ହନୁମାନ ବାଟିକା ପରିସରରେ। ଦେବଦେବୀଙ୍କ ଦର୍ଶନ ସହିତ ଏହି ପରିବେଶରେ ଶୋଭା ଭକ୍ତ ଓ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରେ।

publive-image

ଇନ୍ଦିରା ଗାନ୍ଧୀ ପାର୍କ :ରାଉରକେଲାର ସହରର ମଧ୍ୟ ଭାଗରେ ଅବସ୍ଥିତ ସୌନ୍ଦର୍ଯ୍ୟମୟୀ ଇନ୍ଦିରା ଗାନ୍ଧୀ ପାର୍କ। ଅବସର ବିନୋଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ ହେଉଛି ଏହି ପାର୍କ। ସହରବାସୀ ତଥା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମନୋହରଣ କରିଥାଏ ଇନ୍ଦିରା ଗାନ୍ଧୀ ପାର୍କ। ବିଭିନ୍ନ କିସମର ଗଛ, ବହୁ ପ୍ରକାର ଫୁଲ, ଘାସଲତାରେ ପରିପୂର୍ଣ୍ଣ ଏହି ପାର୍କ। ରଙ୍ଗବେରଙ୍ଗ ଫୁଲ ଉପରେ ପ୍ରଜାପତି ବସିଥିବା ଦୃଶ୍ୟ ଅତ୍ୟନ୍ତ ଆରର୍ଷଣୀୟ। ପାର୍କ ଭିତରକୁ ପ୍ରବେଶ କଲେ ଲାଗେ ସତେ ଯେମିକି ପ୍ରକୃତିରାଣୀ ନିଜର ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇ ଓହ୍ଲେଇଛି ଇନ୍ଦିରା ଗାନ୍ଧୀ ପାର୍କକୁ। କୃତ୍ରିମ ହେଲେ ହେଁ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ପୁଣି ଉଜ୍ଜ୍ୱଳ ଆଲୋକମାଳାରେ ସୁସଜ୍ଜିତ ଏହି ପାର୍କ।

Advertisment

publive-image

ପ୍ରତିଦିନ ସନ୍ଧ୍ୟା ସମୟରେ ଏହି ପାର୍କରେ ପ୍ରବଳ ଭିଡ଼ ହୁଏ। ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଇନ୍ଦିରାଗାନ୍ଧୀ ପାର୍କ ଭିତରେ ମ୍ୟୁଜିକ୍‌ ଫାଉଣ୍ଟେଟ୍‌ର ବ୍ୟବସ୍ଥା କରାଯାଇଛି। ଏହାର ଭରପୂର ମଜା ଉଠାନ୍ତି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ। ସେହିପରି ଛୋଟଛୋଟ ପିଲାମାନଙ୍କ ପାଇଁ ପାର୍କ ଭିତରେ ଦୋଳି, ଟ୍ରୟ ଟ୍ରେନ୍ ମଧ୍ୟ ରହିଛି। ତେଣୁ ଛୋଟଛୋଟ ପୁଅଝିଅ ପାର୍କରେ ପାଦଦେବା ମାତ୍ରେ ଆନନ୍ଦରେ ନାଚି ଉଠନ୍ତି। କେବଳ ଉଦ୍ୟାନର ପ୍ରାକୃତିକ ଶୋଭା ନୁହେଁ, ଏଠାରେ ରହିଛି ଏକ ଚିଡ଼ିଆଖାନା। ଏହି ଚିଡ଼ିଆଖାନାରେ ବାଘ, ଭାଲୁ, ହରିଣ,କୁଟୁରା, ସମ୍ୱର, ମୟୂର ଆଦି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ରହିଛନ୍ତି। ପ୍ରତିଦିନ ପାର୍କ ଆସୁଥିବା ଶହଶହ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଖୋରାକ୍ ଯୋଗାଇଥାଏ ଏହି ଚିଡ଼ିଆଖାନାଟି। ରାଉରକେଲାର ଇନ୍ଦିରା ଗାନ୍ଧୀ ପାର୍କର ଉଦ୍ୟାନ ହେଉ କି ଚିଡ଼ିଆଖାନା ଦର୍ଶକମାନଙ୍କ ମନକୁ ବେଶ୍‌ ଆକର୍ଷିତ କରିଥାଏ।

ନେହେରୁ ପାର୍କ:ଇନ୍ଦିରା ଗାନ୍ଧୀ ପାର୍କ ଭଳି ରାଉରକେଲାରେ ରହିଛି ଆଉ ଏକ ସୁନ୍ଦର ପାର୍କ। ଏହି ପାର୍କ ନାଁ ହେଉଛି ନେହେରୁ ପାର୍କ। ନେହେରୁ ପାର୍କରେ ନାନା ପ୍ରକାର ଫୁଲ ଓ ଗଛ ରହିଛି। ନିଜର କର୍ମକ୍ଲାନ୍ତ ଜୀବନକୁ ଟିକିଏ ହାଲୁକା କରିବା ପାଇଁ ଏହି ପାର୍କକୁ ସହରର ବିଭିନ୍ନ ବର୍ଗର ଲୋକେ ଆସିଥାନ୍ତି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇଛି। ବୋଟିଂର ଭରପୂର ମଜା ନେଇଥାନ୍ତି ଦର୍ଶକମାନେ। ଶୀତ ଋତୁରେ ପିକ୍‌ନିକ୍‌ ପାଇଁ ଏଠାରେ ଭିଡ଼ ଜମେ।

publive-image

ମା’ ବୈଷ୍ଣୋଦେବୀ :ପାହାଡ଼ ଉପରେ ଅବସ୍ଥିତ ମା’ ବୈଷ୍ଣୋଦେବୀ ମନ୍ଦିର। ଅତ୍ୟନ୍ତ ସୁନ୍ଦର ପରିବେଶ ଭିତରେ ପୂଜା ପାଉଛନ୍ତି ମା’ ବୈଷ୍ଣୋଦେବୀ। ୨୦୦୩ ମସିହାରେ ନିର୍ମିତ ହୋଇଛି ମା’ ବୈଷ୍ଣୋଦେବୀଙ୍କ ଏହି ସୁଦୃଶ୍ୟ ମନ୍ଦିର। ବୈଷ୍ଣୋଦେବୀଙ୍କ ସହିତ ଏହି ମନ୍ଦିରରେ ମା’ ସରସ୍ୱତୀ, ମା’ କାଳୀ, ମା’ ଲକ୍ଷ୍ମୀ ପୂଜା ପାଉଛନ୍ତି। ମନ୍ଦିର ପରିସରରେ ଥିବା ମା’ ଦୁର୍ଗାଙ୍କ ମନ୍ଦିର ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର। ପ୍ରତିଦିନ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ପୂଜା ପାଇଁ ପ୍ରବଳ ଭିଡ଼ ଲାଗି ରୁହେ। ଦୁର୍ଗା ପୂଜା ସମୟରେ ମନ୍ଦିରରେ ଧୁମ୍‌ଧାମ୍‌ରେ ନବରାତ୍ର ପୂଜାର ଆୟୋଜନ ହୋଇଥାଏ।

publive-image

ଜଗନ୍ନାଥ ମନ୍ଦିର : ରାଉରକେଲାର ସେକ୍ଟର -୩ରେ ରହିଛି ଜଗନ୍ନାଥ ମନ୍ଦିର। ବାଇଶି ପାହାଚ ବିଶିଷ୍ଟ ଏହି ମନ୍ଦିରରେ ଜଗନ୍ନାଥ ଭକ୍ତମାନଙ୍କୁ ଟାଣି ଆଣେ।୧୯୭୫ ମସିହାରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା। ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଠାକୁର ଅତି ଭକ୍ତି ଓ ଶ୍ରଦ୍ଧାର ସହ ପୂଜା ପାଉଛନ୍ତି। ଏଠାରେ ବହୁ ଆଡ଼ମ୍ୱର ସହକାରେ ରଥଯାତ୍ରା ପାଳିତ ହୁଏ।

publive-image

ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ଆଖପାଖରେ ରହିଛି ଆହୁରି ଅନେକ ଦର୍ଶନୀୟ ସ୍ଥାନ। ରାଉରକେଲାର ମା’ ଭଗବତୀ ମନ୍ଦିର, ବେଦବ୍ୟାସ, ବୀରମିତ୍ରପୁର ରାଣୀସତୀ ମନ୍ଦିର ପ୍ରମୁଖ ମନ୍ଦିର ରହିଛି। ଦେବଦେବୀଙ୍କ ପ୍ରତି ଭକ୍ତ ମନର ଭକ୍ତି ଭାବନା ଏହିସବୁ ଆଧ୍ୟାତ୍ମିକ ପୀଠଗୁଡ଼ିକୁ ଟାଣି ଆଣେ। ରାଉରକେଲାକୁ ବୁଲିବାକୁ ଆସୁଥିବା ବାହାର ପର୍ଯ୍ୟଟକମାନଙ୍କ ପାଇଁ ରହିବା, ଖାଇବା ପାଇଁ ସହରରେ ବହୁ ହୋଟେଲ, ସରକାରୀ ଗେଷ୍ଟ ହାଉସ୍‌ ରହିଛି। ପର୍ଯ୍ୟଟକମାନେ ରାଉରକେଲାରେ ରହି ସହର ତଥା ସହର ଆଖପାଖରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ବୁଲି ଦେଖିପାରିବେ।

(ବିଦ୍ର- ଏହି ଲେଖାଟିକୁ ଡକ୍ଟର ସୁଶୀଲ କୁମାର ବାଗ୍‌ଙ୍କ ଅନୁମତି କ୍ରମେ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ ପୁସ୍ତକରୁ ଅଣାଯାଇଛି।)

Odisha Tourism