- ଡ଼କ୍ଟର ପ୍ରଦୀପ କୁମାର ରାୟ
ସାଂପ୍ରତିକ ନଗର ଜୀବନର ଯାବତୀୟ ଜଞ୍ଜାଳ ଭିତରୁ ମୁକୁଳି ଯଦି ଶାନ୍ତ ଶୀତଳ ମମତାମୟୀ ପ୍ରକୃତି ପାଖରେ କିଛି ସମୟ ଅତିବାହିତ କରିବାକୁ ଚାହୁଁଥା’ନ୍ତି, ତା’ହେଲେ ଅପେକ୍ଷା କରି ରହିଛି, ପାହାଡ଼, ଝରଣା, ଜଙ୍ଗଲ ଏବଂ ଚଢ଼େଇମାନଙ୍କ କିଚିରିମିଚିରି ଶଦ୍ଦରେ ପରିପୂର୍ଣ୍ଣ ଏକ ଇଲାକା, ଯାହା କ୍ଷଣିକ ମଧ୍ୟରେ ସମସ୍ତ ସଂକୀର୍ଣ୍ଣତାରୁ ମୁକୁଲାଇ ଆପଣଙ୍କୁ ଏକ ଦିବ୍ୟ ଅନୁଭବ ପାଖରେ ପହଞ୍ଚାଇ ଦେବ।
ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ତଥାପି ଅଜ୍ଞାତ ବହୁଳ ଭାବରେ ପ୍ରଚାରିତ ଅନେକ ପର୍ଯ୍ୟଟନସ୍ଥଳୀମାନଙ୍କ ଅପେକ୍ଷା ବହୁ ଗୁଣରେ ନମନୀୟ, କମନୀୟ ଶୋଭା ସମ୍ପଦରେ ପରିପୂର୍ଣ୍ଣ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ସବଡିଭିଜନରେ ଅବସ୍ଥିତ ‘ଗୁଦ୍ଗୁଦା ଜଳପ୍ରପାତ’। ଏକଦା ‘ଅଖୋଜ ବାମଣ୍ଡା’ ଭାବରେ ପରିଚିତ ପ୍ରାଚୀନ ବାମଣ୍ଡା ରାଜ୍ୟର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଞ୍ଚଳ ତଥାପି ମଣିଷର ସର୍ବଗ୍ରାସୀ କ୍ଷୁଧାର ଶିକାର ହୋଇନାହିଁ। ଅଧିକାଂଶ ପର୍ଯ୍ୟଟନସ୍ଥଳୀମାନଙ୍କରେ ନାଗରିକ ଅନୁପ୍ରବେଶ ଫଳରେ ସ୍ୱକୀୟ ପ୍ରାକୃତିକ ଶୋଭାର ମାଧୁର୍ଯ୍ୟ ହରାଇ ବସିଥିବାବେଳେ, ‘ଗୁଦ୍ଗୁଦା’ ତଥାପି ତାର ସ୍ୱକୀୟ ଶୋଭାର ମାଧୁର୍ଯ୍ୟ ହରାଇନାହିଁ। ଗୁଦ୍ଗୁଦାଠାରେ ପହଞ୍ଚିବା ପରେ ଯେତେ ଯେତେ ଦୂରକୁ ଦୃଷ୍ଟି ପ୍ରସାରିତ ହେଉଥାଏ, ସେତେ ସେତେ ଦୂର କେବଳ ବୃକ୍ଷଲତାରେ ଭରପୂର ଇଲାକା ହିଁ ଦୃଷ୍ଟିଗୋଚର ହେଉଥାଏ। ଗୁଦ୍ଗୁଦାଠାରେ ଜଙ୍ଗଲ ଏତେ ଘଞ୍ଚ ଯେ, ଗଛ ଗୁଡ଼ିକର ଶାଖା ପ୍ରଶାଖା ଲତାପତ୍ର ଅତିକ୍ରମ କିରଣ ସୂର୍ଯ୍ୟ କିରଣ ଭୂମି ସ୍ପର୍ଶ କରିପାରେ ନାହିଁ। ସୁଉଚ୍ଚ ପର୍ବତ ଶ୍ରେଣୀ, ପଥର ଉପରେ କଚାଡ଼ି ହୋଇପଡୁଥିବା ସପ୍ତଧାରା ପାହାଡ଼ୀ ଝରଣାର ଘୋ’ ଘୋ’ ଶଦ୍ଦ, ବିଚ୍ଛୁରିତ ରୂପେଲି ଜଳକଣାର ଛିଟା, ଚାରିପାଖରେ ଘନ ଅରଣ୍ୟ ଏବଂ ଗଛପତ୍ରର ଗହଳି ଭିତରେ ସାମାନ୍ୟ ପରିମାଣ ପରିଦୃଶ୍ୟମାନ ଆକାଶର ଭାସମାନ ମେଘ ଖଣ୍ଡ ନିହାତି ବେରସିକ ମଣିଷକୁ ମଧ୍ୟ କ୍ଷଣିକ ପାଇଁ ଭାବୁକ କରିଦିଏ।
ଗୁଦ୍ଗୁଦାଠାରେ ବଣଭୋଜିର ସ୍ୱାଦ ନିଆରା। ନୂଆବର୍ଷ, ବଡ଼ ଦିନ ଏବଂ ବିଶେଷତଃ ଶୀତ ଋତୁରେ ବହୁ ଦୂରଦୂରାନ୍ତରୁ ଦଳ ଦଳ ପର୍ଯ୍ୟଟକ ଏଠାକୁ ଆସିଥା’ନ୍ତି। ଆକର୍ଷଣୀୟ କିମ୍ୱଦନ୍ତୀ ପରି ସୁନ୍ଦର ପ୍ରାକୃତିକ ପରିବେଶପୂର୍ଣ୍ଣ ପାହାଡ଼, ଗଛଲତାର ସବୁଜିମା, ଝରଣାର ଅବିଶ୍ରାନ୍ତ କଲ୍ଲୋଳର ଆକର୍ଷଣ ପର୍ଯ୍ୟଟକମାନଙ୍କ ମନକୁ ଏଭଳି ବାନ୍ଧି ରଖେ ଯେ ଏଠାରୁ ଫେରି ଆସିବା ପରେ ମଧ୍ୟ ପ୍ରକୃତିର ଏହି ଅଭୁଲା ଦୃଶ୍ୟରାଜି ମନ ଭିତରେ ତଥାପି ଜିଇଁ ରହିଥାଏ।
ଗୁଦ୍ଗୁଦାର ସବୁଜିମାଭରା ଶୀତଳ ବନଭୂମି, ସନ୍ୟାସୀର ନିରବତା, ବଣଫୁଲର ବାସ୍ନା, ଅଚିହ୍ନା ପକ୍ଷୀମାନଙ୍କର କୂଜନ, ପାହାଡ଼, ଝରଣାର ଗୁଦ୍ଗୁଦ ନାଦ ପ୍ରଭୃତି, କଂକ୍ରିଟର ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇପଡୁଥିବା ମଣିଷମାନଙ୍କୁ ଯେ କେବଳ କ୍ଷଣିକ ଆନନ୍ଦ ଦେବ, ତାହା ନୁହେଁ, ଏଠାକାର ପ୍ରକୃତି ପ୍ରଦାନ କରିବ ଚିରନ୍ତନ ପ୍ରେମର ଶୀତଳତା। ସେ ବୁଝିପାରିବ ସ୍ରଷ୍ଟା ଓ ସୃଷ୍ଟିର ମହତ୍ତ୍ୱ।
(ସୌଜନ୍ୟ: ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା; ସଂପାଦନା: ଡକ୍ଟର ସୁଶୀଳ କୁମାର ବାଗ୍)