/odisha-reporter/media/post_attachments/uploads/2022/10/hair-straightening.jpg)
hair-straightening
ନୂଆଦିଲ୍ଲୀ: ଯୁବତୀ ଓ ମହିଳାମାନେ ଚୁଟି ଷ୍ଟ୍ରେଟ୍ କରିବା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହେଲାଣି। ଛୋଟରୁ ବଡ, ଚୁଟି ଷ୍ଟ୍ରେଟ୍ କରିବା ସମସ୍ତଙ୍କ ପାଲଟିଗଲାଣି ସଉକ। ଘରେ ଘରେ କିଏ ନା କିଏ ନିଜ ଚୁଟି ସିଧା କରିବା ସହ ନୂଆ ଲୁକ୍ ଦେଉଛନ୍ତି। କହିବାକୁ ଗଲେ, ଷ୍ଟ୍ରେଟ୍ ଚୁଟି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦିଏ। ସେଥିପାଇଁ ତ ଏହା ପଛରେ ଯୁବପୀଢି ପାଗଳ। ଆପଣ ବି ଚୁଟି ଷ୍ଟ୍ରେଟ୍ କରୁଛନ୍ତି କି? ତେବେ ସାବଧାନ। ଏହାଦ୍ୱାରା ଆପଣଙ୍କୁ ହୋଇପାରେ କ୍ୟାନସର।
ପରମାନେଣ୍ଟ ହେୟାର ଷ୍ଟ୍ରେଟନିଙ୍ଗ ଅର୍ଥାତ୍ ସ୍ଥାୟୀ ଭାବରେ ଚୁଟି ସିଧା କରିବା ଆପଣଙ୍କୁ ଷ୍ଟାଇଲିସ ଲାଗିପାରେ ତେବେ ବାରମ୍ବାର ଏହା କରିବା ଦ୍ୱାରା ଚୁଟିକୁ କ୍ଷତି ମଧ୍ୟ ପହଁଚିଥାଏ। ଏପରିକି ଚୁଟି ଷ୍ଟ୍ରେଟ୍ କରିବା ବେଳେ ଯେଉଁ କେମିକାଲ ବ୍ୟବହାର କରାଯାଏ ତାହାଦ୍ୱାରା କ୍ୟାନସର ଆଶଙ୍କା ବଢିଥାଏ। ଏକ ଗବେଷଣାରୁ ଆମେରିକାର ବୈଜ୍ଞାନିକ ଦାବି କରିଛନ୍ତି ଯେ, ଚୁଟି ସିଧା କରିବାକୁ ବ୍ୟବହାର ହେଉଥିବା ରସାୟନ ପଦାର୍ଥ ଗର୍ଭାଶୟ କ୍ୟାନସର ଆଶଙ୍କାକୁ ବଢାଇଦିଏ।
ବିଶ୍ୱରେ ପ୍ରତିବର୍ଷ ୫ ଲକ୍ଷ ମହିଳା ଗର୍ଭାଶୟ କ୍ୟାନସରରେ ପୀଡିତ ହୁଅନ୍ତି। ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୮୫ ପ୍ରତିଶତ ମହିଳାଙ୍କଠାରେ ଗର୍ଭାଶୟ କ୍ୟାନସରର ବିପଦ ରହିଛି। ଭାରତରେ ୩୦ରୁ ୫୯ ବର୍ଷ ବୟସ୍କ ମହିଳାଙ୍କ କ୍ଷେତ୍ରରେ ୩୬ ପ୍ରତିଶତଙ୍କ ଠାରେ ଏହି ବିପଦ ରହିଛି। ଗର୍ଭାଶୟ କ୍ୟାନସର ହେଲେ ମହିଳାଙ୍କ ପେଟରେ ପୀଡା, ପରିଶ୍ରାରେ ପୋଡାଜଳା, ଭୋକ ନଲାଗିବା, ଅନିୟମିତ ଋତୁସ୍ରାବ ଏବଂ ଓଜନ ହ୍ରାସ ପାଇବା ଭଳି ଲକ୍ଷଣ ଦେଖାଦେଇଥାଏ।
ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଆମେରିକାର ୩୩ ହଜାର ମହିଳାଙ୍କ ଉପରେ ୧୦ ବର୍ଷ ଧରି ନଜର ରଖାଯାଇଥିଲା। ଷ୍ଟଡିରେ ୩୫ରୁ ୭୪ ବର୍ଷିୟ ମହିଳାଙ୍କୁ ସାମିଲ କରାଯାଇଥିଲା।
ଗବେଷଣାରୁ ଜଣାପଡିଥିଲା ଯେ, ବର୍ଷକୁ ୪ ଥରରୁ ଅଧିକ ଚୁଟି ଷ୍ଟ୍ରେଟ୍ କରୁଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ କ୍ୟାନସରର ହାର ୪.୦୫ପ୍ରତିଶତ। ଅନ୍ୟ ମହିଳାଙ୍କ କ୍ଷେତ୍ରରେ ଏହା ୧.୬୪ପ୍ରତିଶତ। ଗବେଷଣା ଅନୁସାରେ, ହେୟାର ଷ୍ଟ୍ରେଟନିଙ୍ଗ କ୍ରିମରେ ଥିବା କେମିକାଲ ମସ୍ତିଷ୍କ ମାଧ୍ୟମରେ ରକ୍ତରେ ମିଶି ଗର୍ଭାଶୟକୁ ଯାଇଥାଏ। ଯାହା ପରବର୍ତ୍ତୀ ସମୟରେ ଗର୍ଭାଶୟ କ୍ୟାନସର କରାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
