ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନେ କାକର ଯୋଗୁ ଅଧିକାଂଶ ଲୋକ ସର୍ଦ୍ଦି, କାଶ ଓ ମୁଣ୍ଡବିନ୍ଧା ଭଳି ଥଣ୍ଡାଜନିତ ରୋଗରେ ପଡ଼ନ୍ତି। ବିଶେଷତଃ ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦିଏ। ସର୍ଦ୍ଦି ପାଇଁ ଔଷଧ ଖାଇଲେ ଏହା ଶୀଘ୍ର ଭଲ ହୋଇଯାଏ। କିନ୍ତୁ କଫ ଓ କାଶ ଏତେ ଶୀଘ୍ର ଭଲ ହୁଏ ନାହିଁ। ଅନେକଙ୍କ ଛାତିରେ କଫ ଜମି ରହେ। ଏହାକୁ ଯଦି ଆପଣ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଭବିଷ୍ୟତରେ ଏହା ଗମ୍ଭୀର ରୂପ ନେଇପାରେ। କଫ ଛାତିରୁ ଯାଇ ଶ୍ୱାସ ନଳୀରେ ଜମି ରହିଲେ, ପ୍ରାଣହାନିର ଆଶଙ୍କା ମଧ୍ୟ ରହିଛି।
କଫର ଘରୋଇ ଉପଚାର: ଛାତିରେ କଫ ଜମୁଥିଲେ, ଉଷୁମ ପାଣିରେ ଲୁଣ ପକାଇ କୁଳୁ କୁଳୁ କରନ୍ତୁ। ଦିନରେ ୩-୪ ଥର ଏପରି କରନ୍ତୁ, ଦେଖିବେ କଫ କିପରି ସମ୍ପୂର୍ଣ୍ଣ ଭଲ ହୋଇଯିବ।
କଫ ପାଇଁ ପାନ ପତ୍ର ମଧ୍ୟ ବେଶ୍ ଉପକାରୀ। ଯଦି ଛାତିରେ କଫ ଜମିଛି, ତେବେ ତିନି ଚାରିଟି ପାନ ପତ୍ରକୁ ଗରମ କରି ଛାତିରେ ଲେପ ଦିଅନ୍ତୁ। ଖୁବ୍ଶୀଘ୍ର କଫ ସମସ୍ୟା ଦୂର ହେବ।
ରସୁଣ ମଧ୍ୟ କଫ ଦୂର ପାଇଁ ଏକ ଭଲ ଉପଚାର। ଏଥିପାଇଁ ଗରମ ପାଣିରେ ୪ରୁ ୫ ପାଖୁଡ଼ା ରସୁଣକୁ ଛେଚି ପକାଇ ସେବନ କରନ୍ତୁ। ଖୁବ୍ କମ୍ ଦିନରେ କଫ ଭଲ ହୋଇଯିବ।
ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଅଦା ଓ ଲବଙ୍ଗ ଫୁଟାଇ ପିଅନ୍ତୁ। ଏହି ମିଶ୍ରଣରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଭାଇରାଲ ଏଜେଣ୍ଟ ରହିଛି। ଏହା ସର୍ଦ୍ଦି, କାଶ ଓ କଫ ଭଲ କରିଥାଏ।
ଗୋଟିଏ ଡାଲଚିନି ଖଣ୍ଡ ସହ କିଛି ଅଦା ଗୁଣ୍ଡ ଓ ଦୁଇଟି ଲବଙ୍ଗ ଉଷୁମ୍ ପାଣିରେ ମିଶାଇ ସକାଳେ ତିନିରୁ ଚାରି ଦିନ ପିଅନ୍ତୁ। ଦେଖିବେ, କଫ କିପରି ଛୁ' ମାରିବ।