ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): କଦଳୀର ମଞ୍ଜା ଶରୀର ପାଇଁ ଖୁବ୍ ଉପକାରୀ। ତେବେ ଏହି ମଞ୍ଜାରୁ ଘରେ କିପରି ପ୍ରସ୍ତୁତ କରିବେ କଟ୍ଲେଟ୍, ଆଜି ତାହା ଆମେ ଆପଣଙ୍କୁ କହିବୁ।
ଆବଶ୍ୟକ ସାମଗ୍ରୀ: କଦଳୀ ମଞ୍ଜା, ଆଳୁ, ପିଆଜ, ରସୁଣ କଟା, ଅଦା କଟା, କଞ୍ଚାଲଙ୍କା କଟା, କଟା ଧନିଆ ପତ୍ର, ଅଟା, ଗରମ ମସଲା ଗୁଣ୍ଡ, ରିଫାଇନ୍ ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାକୁ ଚୁନା ଚୁନା କରି କାଟନ୍ତୁ। ଏହାକୁ ପାଣିରେ ଚକଟି ଭଲ ଭାବେ ଧୋଇ ସେଥିରେ ଅଳ୍ପ ଲୁଣ ପକାଇ ରଖନ୍ତୁ। ଏବେ କଟା ମଞ୍ଜାକୁ ପ୍ରେସର୍ କୁକର୍ରେ ସିଝାଇ ରଖନ୍ତୁ। ଆଳୁକୁ ସିଝାଇବା ପରେ ଏହାକୁ ଚକଟି ଦିଅନ୍ତୁ। ଏବେ ପିଆଜକୁ ସରୁ ସରୁ କାଟନ୍ତୁ। ବର୍ତ୍ତମାନ କଡ଼େଇରେ ଅଳ୍ପ ତେଲ ଦେଇ ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ। ଏବେ ଏଥିରେ ପୂର୍ବରୁ ସିଝାଇ ରଖିଥିବା ମଞ୍ଜାକୁ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ। ଗୋଟିଏ ପ୍ଲେଟ୍ରେ ଏହି ମଞ୍ଜାକୁ କାଢ଼ନ୍ତୁ। ସେଥିରେ ସିଝା ଆଳୁ, କଟା ଧନିଆପତ୍ର, ଗରମ ମସଲା ଗୁଣ୍ଡ, ଅଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ମିଶ୍ରଣକୁ କଟଲେଟ୍ ଆକାରରେ ଗଢ଼ି ରଖନ୍ତୁ। ବର୍ତ୍ତମାନ ତାୱା ଗରମ କରି ସେଥିରେ କଟଲେଟ୍ସବୁକୁ ଅଳ୍ପ ତେଲ ଦେଇ ଦୁଇ କଡ଼ ଲାଲ ହେବା ଯାଏ ଭାଜନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ କଦଳୀ ମଞ୍ଜା କଟଲେଟ୍। ଏହାକୁ ଚଟଣି କିମ୍ବା ସସ୍ ସହିତ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।