ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପିଲାମାନଙ୍କୁ ସ୍କୁଲ୍ ପାଇଁ କ’ଣ ଟିଫିନ୍ ଦିଆଯିବ? ପ୍ରତ୍ୟେକ ମା’ଙ୍କର ଏକ ବଡ଼ ଚିନ୍ତା। ଏମିତି କିଛି ଆଇଟମ୍ କରନ୍ତୁ ଯାହାକୁ ଘରେ ଅନ୍ୟ କେହି ଅଫିସ୍ ମଧ୍ୟ ନେଇ ଯାଇପାରିବେ। ସାଧାରଣତଃ ପିଲାମାନେ ଆଳୁ ଖାଇବାକୁ ପସନ୍ଦ କରିଥାନ୍ତି ଏବଂ ପୁରି ମଧ୍ୟ। ତେଣୁ ଆଳୁ-ପୁରୀ ତିଆରି କରନ୍ତୁ। ଏହା କରିବାକୁ କମ୍ ସମୟ ଲାଗିବା ସହ ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିବେ। ତେଣୁ ପିଲାମାନଙ୍କ ଟିଫିନ୍ ନେବା ପାଇଁ ଏହା ଏକ ସହଜ ଆଇଟମ୍। ଏହାକୁ କିପରି ତିଆରି କରିବେ ପଢ଼ନ୍ତୁ।
ଆବଶ୍ୟକୀୟ ସାମଗ୍ରୀ
ଅଟା, ସୁଜି, ଲୁଣ, ଗୋଲମରିଚ ଗୁଣ୍ଡ, ଜୁଆଣି ଦାନା, ହଳଦୀ ଗୁଣ୍ଡ, ସିଝା ଆଳୁ, ପାଣି, ଧଣିଆ ପତ୍ର ଏବଂ ତେଲ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ସୂଜି, ଲୁଣ, ଗୋଲମରିଚ ଗୁଣ୍ଡ, ଜୁଆଣି ଦାନା, ହଳଦୀ ଗୁଣ୍ଡ ପକାନ୍ତୁ। ତା ପରେ ସେଥିରେ ପୂର୍ବରୁ ସିଝା ହୋଇଥିବା ଆଳୁକୁ ଗୁଣ୍ଡ କରି ପକାନ୍ତୁ। ଏହି ସବୁ ସାମଗ୍ରୀକୁ ବିନା ପାଣିରେ ପ୍ରଥମେ ଭଲରେ ଗୋଳାଇ ଦିଅନ୍ତୁ। ତା ପରେ ସେଥିରେ ଧଣିଆ ପତ୍ର ଏବଂ ପାଣି ପକାଇ ଅଟା ଚକଟିଲା ପରି ଏହାକୁ ଚକଟି ଦିଅନ୍ତୁ। ଧ୍ୟାନରେ ରଖି ଚକଟିବେ କାରଣ ଆଳୁ ପଡ଼ିଥିବାରୁ କମ୍ ପାଣି ଆବଶ୍ୟକ ହୋଇପାରେ।
ଅଟା ପୂରା ଚକଟା ହୋଇଗଲା ପରେ ସେଥିରେ ଅଳ୍ପ ତେଲ ପକାଇ ପୁଣି ଥରେ ଚକଟି ଦିଅନ୍ତୁ। ତାପରେ ସେହି ଅଟା ଚକଟାକୁ କିଛି ସମୟ ଘୋଡ଼ଇ ରଖି ଦିଅନ୍ତୁ।
କିଛି ସମୟ ପରେ ଚକଟା ଅଟାକୁ ପୁରୀ କରିବା ପାଇଁ ଛୋଟ ଛୋଟ ଗୋଲ୍ କରିଦିଅନ୍ତୁ। ତା ପରେ ତାକୁ ପୁରୀ ଭଳି ବେଲନ୍ତୁ।
ଏହା ପରେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତା ପରେ ବେଲା ହୋଇଥିବା ପୁରୀକୁ ଛାଣନ୍ତୁ। ବାସ୍ । ପ୍ରସ୍ତୁତ ହାଇଗଲା ଆପଣଙ୍କର ଆଳୁ ପୁରୀ।
ଏହାକୁ ପିଲାମାନଙ୍କର ଟିଫିନ୍ରେ ଦେବା ସହ ଅଫିସ୍ ମଧ୍ୟ ନେଇ ଯାଇ ପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।