କର୍କଟ ବା କ୍ୟାନସର। ଏହି ନାଁ ଶୁଣିବା ମାତ୍ରେ ଛାତିରେ ଛନକା ପଶେ। କାରଣ ବିଶ୍ୱର ମାରାତ୍ମକ ରୋଗ ମଧ୍ୟରୁ କ୍ୟାନ୍ସର ହେଉଛି ଅନ୍ୟତମ। ଭାରତରେ କର୍କଟ ରୋଗ ଓ ଏହାର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। କର୍କଟ ନାଁ ଶୁଣିଲେ ଅନେକ ଡରୁଥିବା ବେଳେ ଅନେକ ନିଜ ରୋଗକୁ ଲୁଚାଇ ରଖନ୍ତି। ପରବର୍ତ୍ତୀ ଅବସ୍ଥାରେ ଏହା ଭୟଙ୍କର ରୂପ ଧାରଣ କରିବା ସହ ଜୀବନ ମଧ୍ୟ ନେଇଥାଏ। ହେଲେ ଠିକଣା ସମୟରେ କର୍କଟ ରୋଗକୁ ଚିହ୍ନଟ କରାଯାଇ ପାରିଲେ, ଏଥିରୁ ଆରୋଗ୍ୟ ମଧ୍ୟ ମିଳିପାରିବ। ଅତୀତରେ ଆପଣ ଅନେକ କର୍କଟ ରୋଗୀ ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ବିତାଉଥିବା ଦେଖିଛନ୍ତି। ତେଣୁ ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ହିଁ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ଆରମ୍ଭ କଲେ ଆମେ କର୍କକଟକୁ ମାତ ଦେଇପାରିବା। ଏଥିସହ ନିଜ ଜୀବନ ଶୈଳୀ ଓ ଖାଦ୍ୟ ଖାଇବା ଅଭ୍ୟାସ ଦ୍ୱାରା ମଧ୍ୟ କର୍କଟ ଠାରୁ ଆମେ ଦୂରେଇ ରହିପାରିବା।
ଅନେକ ସମୟରେ ଲୋକମାନେ କର୍କଟ ରୋଗ ସମ୍ପର୍କରେ ଜାଣି ପାରନ୍ତି ନାହିଁ। ସଚେତନତା ଅଭାବ ଓ ଅବହେଳା ଯୋଗୁ କର୍କଟ ରୋଗ ଠିକ ସମୟରେ ଚିହ୍ନଟ ହୋଇପାରେ ନାହିଁ। ଏହାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନଭେମ୍ବର ୭କୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ।
ଏହି ଅଭିଯାନର ଗୋଟିଏ ଲକ୍ଷ୍ୟ ହେଲା, ଲୋକଙ୍କୁ କର୍କଟ ବିଷୟରେ ସଚେତନ କରିବା। କ୍ୟାନ୍ସରରୁ ଲୋକଙ୍କୁ ଦୂରେଇ ରଖିବା ଓ ସାଧାରଣ ଲୋକଙ୍କ ମଧ୍ୟରେ ସେଚତନା ସୃଷ୍ଟି କରି ଶୀଘ୍ର ରୋଗକୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। ପ୍ରତିବର୍ଷ ନଭେମ୍ବର ୭ରେ ବିଭିନ୍ନ ସଂଗଠନ, ସଂସ୍ଥା ଓ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ କର୍କଟ ରୋଗ ସମ୍ପର୍କରେ ସଚେତନ କରୁଛନ୍ତି। ଏଥିସହ ନ ଡରି ତୁରନ୍ତ ଚିକିତ୍ସା କରାଇଲେ, ଏହା ଆରୋଗ୍ୟସାଧ୍ୟ ହୋଇପାରିବ ବୋଲି ବାର୍ତ୍ତା ଦେବାକୁ କର୍କଟ ସଚେତନା ଦିବସ ପାଳନ କରାଯାଉଛି।
ମାଦକ ଦ୍ରବ୍ୟକୁ ଛାଡ଼ି ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ। ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ପାଇଁ ସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଏହାବାଦ କ୍ୟାନସରକୁ ସଫଳତାର ସହ ମାତ ଦେଇ ସାଧାରଣ ଜୀବନ ବିତାଉଥିବା ଲୋକଙ୍କ ସଂଘର୍ଷ କାହାଣୀ ମଧ୍ୟ ଲୋକଙ୍କ ପାଖରେ ଏହି ଦିନ ପହଞ୍ଚା ଯାଇଥାଏ। କହିବାକୁ ଗଲେ ପ୍ରାଥମିକ ସ୍ତରରେ କର୍କଟ ରୋଗ ଆରୋଗ୍ୟସାଧ୍ୟର ବାର୍ତ୍ତା ଲୋକଙ୍କୁ ଦେବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ।
ଆଜି ହେଉଛି ଜାତୀୟ କର୍କଟ ସଚେତନତା ଦିବସ। ଏହି ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଲୋକଙ୍କୁ କର୍କଟ ରୋଗର ଗମ୍ଭୀର ବିପଦ ବିଷୟରେ ଶିକ୍ଷା ଦେଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ କର୍କଟ ହେଉଛି ବିଶ୍ୱର ଦ୍ୱିତୀୟ ମାରାତ୍ମକ ରୋଗ, ଯେଉଁଥିରେ ଜୀବନ ଯିବାର ଯଥେଷ୍ଟ ଆଶଙ୍କା ରହିଛି। କର୍କଟ ଗୋଟିଏ ପରିବାରକୁ ଛିନଛତ୍ର କରିଦେଇଥାଏ। ରୋଗୀ ତ ଅତ୍ୟନ୍ତ କଷ୍ଟ ପାଏ, ତାହା ସହ ପରିବାର ଲୋକ ସାରା ଜୀବନ ଏହି ସମସ୍ୟାରେ ଘାଣ୍ଟି ହୁଅନ୍ତି।
ବର୍ତ୍ତମାନ ବିଶ୍ୱରେ ଦ୍ୱିତୀୟ ବଡ଼ ଓ ମାରାତ୍ମକ ରୋଗ ଭାବରେ ଉଭା ହୋଇଛି କ୍ୟାନସର। ସାଧାରଣ ଲୋକଠାରୁ ନେଇ ସେଲିବ୍ରିଟି ସମସ୍ତଙ୍କୁ କବଳିତ କରିଛି ଏହି କର୍କଟ ରୋଗ। ପୂର୍ବରୁ ଏ ରୋଗ ସମ୍ପର୍କରେ କେହି ସଚେତନ ନଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ବିଷୟରେ ସଚେତନ ହେଲେ ଏହାର ପ୍ରତିକାର ସମ୍ଭବପର।
ଭାରତରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଦୁଇ ତୃତୀୟାଂଶ ରୋଗୀ ବିଳମ୍ବରେ ଡାକ୍ତରଙ୍କ ପାଖକୁ ଆସୁଛନ୍ତି। ତେଣୁ ସେମାନଙ୍କୁ ସୁସ୍ଥ କରିବା ସମ୍ଭବପର ହେଉନି। ପ୍ରତି ୮ ମିନିଟରେ ଜଣେ ମହିଳାଙ୍କର ଗର୍ଭାଶୟ କ୍ୟାନସରରେ ମୃତ୍ୟୁ ହେଉଛି। କର୍କଟ ରୋଗର ଶୀଘ୍ର ଚିହ୍ନଟ ଓ ପ୍ରତିକାର ପାଇଁ ଭାରତରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଉଛି।
ଏହି ଦିନ ଲୋକମାନଙ୍କୁ ମାଗଣା ସ୍କ୍ରିନିଂ ପାଇଁ ସରକାରୀ ଡାକ୍ତରଖାନା, ସିଜିଏଚଏସ ଓ ବିଭିନ୍ନ କ୍ଲିନିକ୍ ଯିବାକୁ ଉତ୍ସାହିତ କରାଯାଏ। କର୍କଟ ରୋଗକୁ ରୋକିବା ପାଇଁ ଉପାୟ ଓ ପ୍ରାରମ୍ଭିକ ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା ବୁକଲେଟ୍ ବାଣ୍ଟ ଯାଏ। ରୋଗକୁ ହରାଇବାକୁ ମେଡିସିନଠୁ ଅଧିକ କାମ ଦିଏ ମନୋବଳ ଓ ସଚେତନତା। ବିଭିନ୍ନ ଥିମ ଜରିଆରେ ପ୍ରତିବର୍ଷ ଏହାକୁ ପାଳନ କରାଯାଉଛି।
କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଭାରତରେ ବେଶ ଅଧିକ। ଗୋଟିଏ ରିପୋର୍ଟ ଅନୁଯାୟୀ, ୨୦୧୮ରେ ଭାରତରେ ୧.୫ ନିୟୁତ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ତେଣୁ ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା କରାଯାଇ ପାରିଲେ କର୍କଟକୁ ମଧ୍ୟ ଆମେ ମାତ ଦେଇପାରିବା।
କର୍କଟ ରୋଗର ଲକ୍ଷଣ
କର୍କଟ ରୋଗକୁ ମାତ ଦେବାକୁ ହେଲେ ପ୍ରଥମେ ଏହାର ଲକ୍ଷଣ ଗୁଡ଼ିକୁ ଜାଣିବା ଜରୁରୀ। କାରଣ ଲକ୍ଷଣ ଦେଖାଯିବା ମାତ୍ରେ ସ୍କ୍ରିନିଂ କରାଇଲେ ଜୀବନ ବଞ୍ଚିଯିବ। ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ହିଁ କର୍କଟକୁ ହରାଇବାର ଏକମାତ୍ର ଉପାୟ।
- ଶରୀରର ଯେକୌଣସି ଅଙ୍ଗରେ କୌଣସି କାରଣ ନଥାଇ ବାରମ୍ବାର ଯନ୍ତ୍ରଣା ହେବା
- ବିନା କାରଣରେ ହଠାତ୍ ଓଜନ ହ୍ରାସ ପାଇବା
- ସବୁବେଳେ କ୍ଳାନ୍ତ ଅନୁଭବ କରିବା
- ବାରମ୍ବାର ଜ୍ୱର ହେବା
- ଚର୍ମର ରଙ୍ଗ ବଦଳିବା
- ହଠାତ୍ କୌଣସି ଗୋଟିଏ ଅଙ୍ଗ ଫୁଲିବା
- ଶରୀରର କୌଣସି ଅଙ୍ଗରୁ ନିୟମିତ ରକ୍ତସ୍ରାବ ହେବା
- ଚର୍ମ କିମ୍ବା ପାଟିରେ ଘା’ ଶୀଘ୍ର ନ ଶୁଖିବା
ଯଦି ଆପଣ କିମ୍ବା ଆପଣଙ୍କର କୌଣସି ପ୍ରିୟଜନକଙ୍କ ଠାରେ ଏପରି ଲକ୍ଷଣ ଦେଖନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ସେହିପରି ଏହିସବୁ ଲକ୍ଷଣ ଗୁଡ଼ିକର ଅର୍ଥ ନୁହେଁ ଯେ ଆପଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ କର୍କଟ ରୋଗର ଆଶଙ୍କାକୁ ଏଡ଼ାଇବା ପାଇଁ ଡାକ୍ତରଙ୍କୁ ଦେଖା କରିବା ହିଁ ଶ୍ରେୟସ୍କର।
ସ୍କ୍ରିନିଂ ପାଇଁ ଯାଆନ୍ତୁ
ଯଦି ଆପଣଙ୍କ ପରିବାରରେ କେହି କର୍କଟ ରୋଗୀ ଅଛନ୍ତି କିମ୍ବା ଆପଣ ଯଦି ଦୀର୍ଘ ସମୟ ଧରି ତମାଖୁ ବ୍ୟବହାର କରୁଛନ୍ତି, ତେବେ କର୍କଟ ରୋଗ ହେବାର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ ଆପଣଙ୍କ କ୍ଷେତ୍ରରେ ଅଧିକ। ତେଣୁ ଆପଣଙ୍କୁ କେଉଁଭଳି ଚିକିତ୍ସା ଦରକାର ସେ ବିଷୟରେ ଆପଣ ଡାକ୍ତରଙ୍କ ସହ କଥା ହୁଅନ୍ତୁ। ଏହାଦ୍ୱାରା କର୍କଟ ରୋଗ ଆପଣଙ୍କୁ ଗ୍ରାସ କରିବା ପୂର୍ବରୁ ଆପଣ ଏଥିରୁ ମୁକ୍ତି ପାଇପାରିବେ।
ସ୍ତନ କର୍କଟ ପାଇଁ ୪୦ ବର୍ଷରୁ ଅଧିକ ବୟସ୍କ ମହିଳାମାନଙ୍କୁ ପ୍ରତିବର୍ଷ କିମ୍ବା ଗୋଟିଏ ବର୍ଷର ଛାଡ଼ି ଆଉ ଗୋଟିଏ ବର୍ଷରେ ମ୍ୟାମୋଗ୍ରାଫି କରିବାକୁ ପରାମର୍ଶ ଦିଆଯାଏ। ସେହିପରି ଗର୍ଭାଶୟ କର୍କଟର ଚିହ୍ନଟ ପାଇଁ ଗୋଟିଏ Pap Smear ନିୟମିତ କରାଯାଏ। ଏହାଦ୍ୱାରା ଏହା ବ୍ୟାପିବା ପୂର୍ବରୁ ଚିହ୍ନଟ ହୋଇଥାଏ।
ସମସ୍ତ ପ୍ରକାରର କର୍କଟ ରୋଗ ପାଇଁ ସ୍କ୍ରିନିଂ ଟେଷ୍ଟର ବ୍ୟବସ୍ଥା ନାହିଁ। କିନ୍ତୁ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ଦ୍ୱାରା ଯେକୌଣସି ଅସ୍ୱାଭାବିକ ଲକ୍ଷଣ ଯଥାଶୀଘ୍ର ଚିହ୍ନଟ ହୋଇପାରିବ। ଜଣେ ଦନ୍ତ ଚିକିତ୍ସକ ଆପଣଙ୍କ ପାଟି ଓ ଓଠରେ କର୍କଟ ରୋଗକୁ ତା’ର ଲକ୍ଷ୍ୟଣ ଦେଖି ଚିହ୍ନଟ କରିବାରେ ସକ୍ଷମ ହେବେ। ତେଣୁ ନିୟମିତ ତମାଖୁ ଖାଉଥିବା ଲୋକମାନେ ଦନ୍ତ ଚିକିତ୍ସିକଙ୍କୁ ଦେଖା କରିବା ଉଚିତ।
ଟିକାକରଣ
ଟିକାକରଣ ମାଧ୍ୟମରେ କେତେକ କର୍କଟ ରୋଗକୁ ରୋକାଯାଇପାରିବ। ଉଦାହରଣ ସ୍ୱରୂପ ଅଧିକାଂଶ ଗର୍ଭାଶୟ କ୍ୟାନସରକୁ ୧୩ ବର୍ଷ ବୟସରେ ଟିକାକରଣ ମାଧ୍ୟମରେ ରୋକା ଯାଇ ପାରିବ। HPV ଜୀବାଣୁ ସଂସ୍ପର୍ଶରେ ଆସିବାର ସମ୍ଭାବନା ପୂର୍ବରୁ ଟିକାକରଣ ସବୁଠାରୁ ଭଲ ପଦକ୍ଷେପ।
ଯକୃତ କର୍କଟ ଭଳି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକାକରଣ ବ୍ୟବସ୍ଥା ନାହିଁ। କିନ୍ତୁ ହେପାଟାଇଟିସ୍ ଭାଇରସ ଡୋଜ୍ ଯକୃତ କର୍କଟ ସମ୍ଭାବନାକୁ ହ୍ରାସ କରିଥାଏ।
ତମାଖୁ ସେବନରୁ ଦୂରେଇ ରୁହନ୍ତୁ
କର୍କଟ ରୋଗର ସବୁଠାରୁ ପ୍ରମୁଖ କାରଣ ହେଉଛି ତମାଖୁ। ଏହା ଫୁସଫୁସ, ପାଟି ଓ ଗର୍ଭାଶୟ ସମେତ ବିଭିନ୍ନ ପ୍ରକାରର କର୍କଟ ରୋଗରେ ସଂକ୍ରମିତ କରିବାର ଆଶଙ୍କାକୁ ବୃଦ୍ଧି କରିଥାଏ।
ଯଦି ଆପଣ କିମ୍ବା ଆପଣଙ୍କ ପ୍ରିୟଜନକ ଧୂମପାନ କରୁଛନ୍ତି, ତେବେ ଆପଣଙ୍କୁ ଏଥିରୁ ତୁରନ୍ତ ବିରତି ନେବାକୁ ପଡ଼ିବ। ଯଦି ଆପଣ ଚାହିଁଲେ ବି ଛାଡ଼ି ପାରୁ ନାହାନ୍ତି, ତା’ହେଲେ ଜଣେ କାଉନସେଲରଙ୍କ ସହ ଯୋଗାଯୋଗ କରନ୍ତୁ। ସେ ବିଭିନ୍ନ ପରାମର୍ଶ ଦ୍ୱାରା ଆପଣଙ୍କ ଅଭ୍ୟାସକୁ ବଦଳାଇବାରେ ସାହାଯ୍ୟ କରିପାରିବେ।
ଶାରୀରିକ ଭାବେ ଆକ୍ଟିଭ ରୁହନ୍ତୁ
ସୁସ୍ଥ ଜୀବନ ଶୈଳୀ ମୋଟାପଣକୁ ରୋକିପାରେ। ମୋଟାପଣ ମଧ୍ୟ କର୍କଟ ରୋଗର ଅନ୍ୟତମ କାରଣ। ମେଦ ବହୁଳତା ଅନେକ ରୋଗକୁ ଡାକି ଆଣେ। କର୍କଟ ମଧ୍ୟ ମେଦ ବହୁଳତାର କାରଣ ସାଜିପାରେ।
ଶରୀରର ଓଜନକୁ ଆବଶ୍ୟକ ଠାରୁ ଅଧିକ ବଢ଼ାନ୍ତୁ ନାହିଁ। ନିୟମିତ ସୁସ୍ଥ ଖାଦ୍ୟ ଖାଆନ୍ତୁ ଓ ଶାରୀରିକ ପରିଶ୍ରମ କରନ୍ତୁ। ଏହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ଯଥେଷ୍ଟ କମି ଯାଇଥାଏ। ସେହିପରି ଫିଟ ଥିବା ଲୋକ ଯଦି କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ ସେ ବଞ୍ଚିବାର ସମ୍ଭାବନା ଅଧିକ ରହିଥାଏ। କର୍କଟ ସେଭଳି ଲୋକଙ୍କର ବେଶୀ କିଛି କ୍ଷତି କରିପାରେ ନାହିଁ।
ଫିଟ ରହିବା ପାଇଁ ୩୦ ମିନିଟ୍ ଏରୋବିକ୍ ବ୍ୟାୟାମ କରନ୍ତୁ। ଯଦି ପ୍ରତିଦିନ ସମୟ ମିଳୁନି, ତା’ହେଲେ ଅତି କମରେ ସପ୍ତାହକୁ ପାଞ୍ଚ ଦିନ ଆପଣ ବ୍ୟାୟାମ କରିପାରିବେ।
ଉପଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ
କାର୍ବୋହାଇଡ୍ରେଟ୍, ଚିନି, ପ୍ରୋସେସଡ ଫୁଡ ଓ ରେଡ୍ ମିଟ୍ ଭଳି ଖାଦ୍ୟ କର୍କଟ ରୋଗ ହେବାର ଆଶଙ୍କା ବୃଦ୍ଧି କରିଥାଏ। ଏହିପରି ଖାଦ୍ୟ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା କର୍କଟ ବ୍ୟତୀତ ଟାଇପ୍-୨ ମଧୁମେହ ଓ ହୃଦରୋଗ ସମେତ ଅନେକ ରୋଗର କାରଣ ସାଜିଥାଏ। କର୍କଟ ରୋଗର ପ୍ରତିରୋଧ ପାଇଁ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ। ସବୁଜ ପନିପରିବା, ତାଜା ଫଳ ଓ ଅଲିଭ୍ ତେଲ ବ୍ୟବହାର କରନ୍ତୁ। ଅତ୍ୟଧିକ ମଦ୍ୟପାନ ଓ ନାଲି ମାଂସର ଅତ୍ୟଧିକ ବ୍ୟବହାର ଆପଣଙ୍କ କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ। ତେଣୁ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବା କିମ୍ବା ସୀମିତ ବ୍ୟବହାର କରିବା ଭଲ।
କର୍କଟ ରୋଗ ସମ୍ପର୍କରେ ସଚେତନା ସୃଷ୍ଟି କରିବା ହିଁ ସବୁଠାରୁ ଭଲ। ଲୋକଙ୍କୁ ଭୟଭୀତ କିମ୍ବା ଆତଙ୍କିତ ନ କରିବା ହିଁ ସଚେତନତା ଦିବସର ମୂଳ ଲକ୍ଷ୍ୟ। ସବୁ ରୋଗ ଯେମିତି କର୍କଟ ମଧ୍ୟ ସେମିତି ଗୋଟିଏ ରୋଗ। ଠିକଣା ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ କର୍କକଟକୁ ମାତ ଦେଇପାରିବ।