ସୌନ୍ଦର୍ଯ୍ୟର ରାଣୀ ‘କୋଇଲି ଘୋଘର’

କୋଇଲିର କୁହୁକୁହୁ ସ୍ୱର ଓ ଜଳ ପ୍ରପାତର ଘୋଘୋ ଗୁରୁ ଗମ୍ଭୀର ଶବ୍ଦ ଯୋଗୁ ଏହାର ନାମ କୋଇଲି ଘୋଘର ହୋଇଥିବା ଏ ଅଞ୍ଚଳର ଲୋକମାନେ ମତ ଦିଅନ୍ତି।

  • ଡକ୍ଟର ସୁଶୀଳ କୁମାର ବାଗ୍‌

ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଝାରସୁଗୁଡ଼ା ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ସେଥିମଧ୍ୟରୁ କୋଇଲି ଘୋଘର ଜଳପ୍ରପାତ ଅନ୍ୟତମ। ଏଠାକାର ଘଞ୍ଚ ଅରଣ୍ୟ, ସବୁଜ ବୃକ୍ଷଲତା ତଥା ପାହାଡ଼ର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ସର୍ବଦା ମୁଗ୍ଧ କରିଆସିଛି। ବିଶେଷ କରି ନଭେମ୍ବର, ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ମାସରେ ପ୍ରତିଦିନ ବହୁ ପର୍ଯ୍ୟଟକ, ସ୍କୁଲ୍‌-କଲେଜ୍‌ ଛାତ୍ରଛାତ୍ରୀ ପିକ୍‌ନିକ୍‌ କରିବା ପାଇଁ ଏଠାକୁ ଆସିଥା’ନ୍ତି। ଏଠାରେ ପାହାଡ଼ ଭିତରୁ ଝରିଆସୁଥିବା ନଦୀର କୁଳୁକୁଳୁ ନାଦ ସହିତ ଶୈବ ପୀଠ ମହେଶ୍ୱରନାଥ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ପ୍ରାକୃତିକ ସୁଷମାର ଅପୂର୍ବ ଭଣ୍ଡାରରେ ମଣ୍ଡିତ କୋଇଲି ଘୋଘର ଆଜି ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ପିକ୍‌ନିକ୍‌ ସ୍ଥଳୀ ଭାବେ ସାରା ଓଡ଼ିଶାରେ ସୁପ୍ରସିଦ୍ଧ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ କୁଶମେଲ୍‌ବାହାଲ୍‌ ଗାଁ ନିକଟରେ ଅବସ୍ଥିତ କୋଇଲି ଘୋଘର ଜଳପ୍ରପାତ। ସୁନ୍ଦରଗଡ଼ ଜିଲ୍ଲାର ହିମଗିରି ଅଞ୍ଚଳରେ ଅବସ୍ଥିତ ଐତିହାସିକ ଗଡ଼ସୂତା ପର୍ବତ ବକ୍ଷରୁ ସୃଷ୍ଟି ହୋଇ ବୋହି ଆସିଛି ଚିରସ୍ରୋତା ନଦୀଟିଏ। ଏହି ନଦୀର ନାମ ଅହିରାଜ। କେତେ ବାଧାବିଘ୍ନ, ଅଙ୍କାବଙ୍କା ରାସ୍ତା ଦେଇ ପାହାଡ଼, ପର୍ବତ ଓ ଜଙ୍ଗଲ ପାରି ହୋଇ ‘ଛୁଇଁ ଖଞ୍ଜ’ ଜଙ୍ଗଲ ଦେଇ ଅହିରାଜ ନଦୀ କୋଇଲି ଘୋଘରରେ ପାହାଡ଼ ଉପରୁ ଜୋର୍‌ରେ କଚାଡ଼ି ହୋଇ ପଡ଼ୁଛି। ଆଉ ଏଠାରେ ସୃଷ୍ଟି ଜଳାଶୟର ଶୀତଳ ଜଳରେ ପର୍ଯ୍ୟଟକମାନେ ଗାଧୋଇ ପିକ୍‌ନିକ୍‌ର ମଜା ନିଅନ୍ତି। ଏହାର ପାଣି ସ୍ୱଚ୍ଛ ଓ ନିର୍ମଳ। ଗଣ୍ଡର ଜଳରେ ଅଛନ୍ତି ଛୋଟ ବଡ଼ ପ୍ରଜାତିର କଡ଼ୋ ମାଛ, ଯାହା ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ। ପାଣି ଭିତରକୁ ଖାଦ୍ୟ ପଦାର୍ଥ ଫୋପାଡ଼ିଲେ ସେଗୁଡ଼ିକୁ ଖାଇବା ପାଇଁ ମାଛମାନେ ପାଣି ଉପରକୁ ଆସିଥା’ନ୍ତି। ସୂର୍ଯ୍ୟଙ୍କ ସୁନେଲୀ କିରଣ ଜଳ ପ୍ରପାତ ଉପରେ ପଡ଼ି ପ୍ରତିଫଳିତ ହୁଏ ଇନ୍ଦ୍ରଧନୁର ସପ୍ତରଂଗ। ଏସବୁ ଦୃଶ୍ୟ ଦର୍ଶକମାନଙ୍କ ପାଇଁ ଏକାନ୍ତ ହୃଦୟସ୍ପର୍ଶୀ। ନିକଟସ୍ଥ ଜଙ୍ଗଲରୁ କୁମ୍ଭାଟିଆ, ବଣି, କଜ୍ଜଳପାତି, ଶୁଆ ଓ କୋଇଲି ଆଦି ପକ୍ଷୀମାନଙ୍କର କୂଜନରେ କୋଇଲି ଘୋଘରର ପରିବେଶ ଶିହରଣ ସୃଷ୍ଟି କରେ। କୋଇଲିର କୁହୁକୁହୁ ସ୍ୱର ଓ ଜଳ ପ୍ରପାତର ଘୋଘୋ ଗୁରୁ ଗମ୍ଭୀର ଶବ୍ଦ ଯୋଗୁ ଏହାର ନାମ କୋଇଲି ଘୋଘର ହୋଇଥିବା ଏ ଅଞ୍ଚଳର ଲୋକମାନେ ମତ ଦିଅନ୍ତି। ପାହାଡ଼ର ଘଞ୍ଚ ଅରଣ୍ୟ ଭେଦ କରି ଅହିରାଜ ନଦୀ ମିଳିତ ହୋଇଛି ମହାନଦୀରେ।

ଭକ୍ତଙ୍କ ଆକର୍ଷଣ ବାବା ମହେଶ୍ୱରନାଥ

ଭକ୍ତ ଚାହେଁ ସର୍ବଦା ଭଗବାନଙ୍କ ପାଖରେ ନିଜକୁ ସମର୍ପି ଦେବାକୁ। ତେଣୁ ଭକ୍ତ ଯେଉଁଠାକୁ ଗଲେ ଖୋଜେ ଏକ ମନ୍ଦିର। କୋଇଲି ଘୋଘରରେ ଅଛି ମହେଶ୍ୱରନାଥଙ୍କ ମନ୍ଦିର। ନଦୀର କୂଳକୁ ଲାଗି ପାହାଡ଼ରେ ରହିଛି ଏହି ମନ୍ଦିରଟି। ଝାରସୁଗୁଡ଼ା ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ମହେଶ୍ୱରନାଥ ଅନ୍ୟତମ। ପାଣି ଭିତରେ ବୁଡ଼ି ରହିଛି ଶିବ ଲିଙ୍ଗ। ଏହା ବାହାରକୁ ଦେଖାଯାଏ ନାହିଁ। ଭକ୍ତ ମାନେ ପାଣି ଭିତରକୁ ହାତ ପଶାଇ ଏହାକୁ ଛୁଇଁବାକୁ ଚେଷ୍ଟା କରନ୍ତି। ଏହି ଶିବ ଲିଙ୍ଗକୁ ଛୁଇଁ ପାରିଲେ ପୁଣ୍ୟ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେଣୁ ପର୍ଯ୍ୟଟକମାନଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଉଛି ମହେଶ୍ୱରନାଥ ମନ୍ଦିର। ପ୍ରାୟ ୩୦୦ ବର୍ଷ ପୂର୍ବେ ଏଠାରେ ଚଟାଣକୁ ପୂଜା କରାଯାଉଥିବା ଜନଶ୍ରୁତିରୁ ଜଣାପଡ଼େ। ଏ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ଏଠାରେ ନିର୍ମିତ ହୋଇଛି ବାବା ମହେଶ୍ୱରନାଥଙ୍କ ସଦୃଶ୍ୟ ମନ୍ଦିର। ଶ୍ରାବଣ ମାସ ସୋମବାର ଦିନ ଗୁଡ଼ିକରେ ଏଠାରେ ଶିବ ଭକ୍ତଙ୍କ ଭିଡ଼ ଲାଗି ରହେ। ବାବା ମହେଶ୍ୱର ନାଥ ମନ୍ଦିରରେ ପ୍ରତିବର୍ଷ ଶିବରାତ୍ରି ମହାସମାରୋହରେ ପାଳିତ ହୁଏ। ଏ ଅବସରରେ ବିରାଟ ମେଳା ବସେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଏପରି କି ପଡ଼ୋଶୀ ରାଜ୍ୟରୁ ବହୁ ଭକ୍ତ ଆସି କୋଇଲି ଘୋଘରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ମହେଶ୍ୱରନାଥଙ୍କ ଦର୍ଶନ କରି ପା’ନ୍ତି ଅପାର ଆନନ୍ଦ ଓ ଶାନ୍ତି। ସୋହନ ସ୍ୱାମୀ ନାମକ ଜଣେ  ସିଦ୍ଧ ସାଧକ ପ୍ରାୟ ୧୫୦ ବର୍ଷ ତଳେ ଏଠାର ଅବସ୍ଥାନ କରୁଥିଲେ। ‘ଆତ୍ମଗୀତା’ ନାମକ ଏକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ସୋହନ ସ୍ୱାମୀ। ତାଙ୍କର ପୋଥିପତ୍ରକୁ ଏବେ ବି ପୂଜା କରାଯାଉଛି। ବର୍ତ୍ତମାନ ଏଠାରେ ଥିବା ଶାନ୍ତି କୁଟୀର ଆଶ୍ରମରେ ମଧ୍ୟ ସ୍ୱାମୀ ମୋହନ ବାବାଙ୍କ ଭକ୍ତ ବାବାମାନେ ରହୁଛନ୍ତି।

କେମିତି ଯିବେ

ଝାରସୁଗୁଡ଼ା ସହରଠାରୁ ୫୭ କିଲୋମିଟର ଦୂରରେ ଅବସ୍ଥିତ କୋଇଲି ଘୋଘର ଜଳପ୍ରପାତ। ଏଠାକୁ ଯିବାକୁ ହେଲେ ରାଜଧାନୀ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ସଡ଼କ ଓ ରେଳପଥର ବ୍ୟବସ୍ଥା ରହିଛି। ସଡ଼କ ପଥରେ ଆସିବା ପାଇଁ ଇଚ୍ଛୁକ ପର୍ଯ୍ୟଟକମାନଙ୍କୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସରକାରୀ ବସ୍‌ରେ ସିଧାସଳଖ ଝାରସୁଗୁଡ଼ାକୁ ଆସିବାକୁ ପଡ଼ିବ। ସେହିପରି ରେଳପଥରେ ଆସିବାକୁ ହେଲେ ଭୁବନେଶ୍ୱରର ରେଲୱେ ଷ୍ଟେସନ୍‌ରୁ ପୁରୀ ହାୱଡ଼ା ତପସ୍ୱିନୀ ଏକ୍ସପ୍ରେସ୍, ସାପ୍ତାହିକ ପୁରୀ-ଯୋଧପୁର ଏକ୍ସପ୍ରେସ୍‌ (ସପ୍ତାହରେ  ଥରେ), ପୁରୀ ହରିଦ୍ୱାର ଉତ୍କଳ ଏକ୍ସପ୍ରେସ୍‌ ଓ ପୁରୀ ରାଉରକେଲା ପାସେଞ୍ଜର ଟ୍ରେନ୍‌ରେ ଯାତ୍ରୀମାନେ ଆସିପାରିବେ। କିନ୍ତୁ ଝାରସୁଗୁଡ଼ାରୁ କୋଇଲି ଘୋଘରକୁ କୌଣସି ସ୍ୱତନ୍ତ୍ର ବସ୍‌ ବା ଗାଡ଼ି ଯାଏ ନାହିଁ। ତେଣୁ ପର୍ଯ୍ୟଟକମାନେ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରି କୋଇଲି ଘୋଘର ଯାଇପାରିବେ।

(ଏହି ଲେଖାଟିକୁ ଡକ୍ଟର ସୁଶୀଳ କୁମାର ବାଗ୍‌ଙ୍କ ଅନୁମତି କ୍ରମେ ତାଙ୍କ ସଂପାଦିତ ପୁସ୍ତକ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ରୁ ଅଣାଯାଇଛି।)