Advertisment

ବୁଲି ଯାଆନ୍ତୁ କୋଣାର୍କରେ ଥିବା ଏହି ତନ୍ତ୍ର ପୀଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ କେବେ ନା କେବେ କୋଣାର୍କ ବୁଲି ଯାଇଥିବେ। ଏହାର ସୌନ୍ଦର୍ଯ୍ୟ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ତେବେ ଆପଣ କୋଣାର୍କ ଗଲେ ସୂର୍ଯ୍ୟମନ୍ଦିର, ପାଖରେ ଥିବା ରାମଚଣ୍ଡୀ ଆଉ ଚନ୍ଦ୍ରଭାଗା ସମୁଦ୍ରକୂଳ ଯାଇଥିବେ। କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେହି ସ୍ଥାନକୁ ଗଲେ ଆପଣ କ’ଣ ଦେଖିବେ ଆଉ କ’ଣ ସବୁ […]

author-image
Rosalin Rath
ବୁଲି ଯାଆନ୍ତୁ କୋଣାର୍କରେ ଥିବା ଏହି ତନ୍ତ୍ର ପୀଠ

1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ କେବେ ନା କେବେ କୋଣାର୍କ ବୁଲି ଯାଇଥିବେ। ଏହାର ସୌନ୍ଦର୍ଯ୍ୟ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ତେବେ ଆପଣ କୋଣାର୍କ ଗଲେ ସୂର୍ଯ୍ୟମନ୍ଦିର, ପାଖରେ ଥିବା ରାମଚଣ୍ଡୀ ଆଉ ଚନ୍ଦ୍ରଭାଗା ସମୁଦ୍ରକୂଳ ଯାଇଥିବେ। କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ସେହି ସ୍ଥାନକୁ ଗଲେ ଆପଣ କ’ଣ ଦେଖିବେ ଆଉ କ’ଣ ସବୁ ବିଷେଶତ୍ୱ ରହିଛି।

Advertisment

ବିଶ୍ୱପ୍ରସିନ୍ଧ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ଦିଗରେ ଶହ ଶହ ବର୍ଷ ତଳର ପ୍ରାଚୀନ ଅନନ୍ତ ଅବଧୂତ ମଠ ଅବସ୍ଥିତ। ବହୁତ କମ୍‌ ଲୋକ ସେହି ପ୍ରାଚୀନ ମଠ ସମ୍ପର୍କରେ ଜାଣିଛନ୍ତି। ସେଥିପାଇଁ ସେଠାରେ ଲୋକଙ୍କର ଏତେ ଗହଳି ମଧ୍ୟ ଦେଖାଯାଏନାହିଁ। କିମ୍ବଦନ୍ତି ଅନୁସାରେ, ଭଗବାନ ଶିବ ସେଠାରେ ଅଗ୍ନି କୁଣ୍ଡ ସ୍ଥାପନ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିଥିଲେ। ଦ୍ୱାପର ଯୁଗରେ କୃଷ୍ଣଙ୍କର ପୁଅ ସାମ୍ବ ସେହି ସ୍ଥାନରେ ସୂର୍ଯ୍ୟଙ୍କ ଉପାସନା କରି ରୋଗ ମୁକ୍ତ ହୋଇଥିଲେ।

publive-image

ମାଦଳା ପାଞ୍ଜିରେ ମଧ୍ୟ ଅବଧୂତ ମଠର ବର୍ଣ୍ଣନା ରହିଛି। ସେହି ସ୍ଥାନ ଏକ ତନ୍ତ୍ର ପୀଠ ଭାବେ ମଧ୍ୟ ଜଣାଶୁଣା। ସେଠାରେ ତାନ୍ତ୍ରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥାଏ।

Advertisment

ଆପଣ ସେହି ମଠକୁ ଗଲେ ସୂର୍ଯ୍ୟ ନାରାୟଣଙ୍କ ଏକ ସୁନ୍ଦର ମୂର୍ତ୍ତି ଦେଖିବାକୁ ପାଇବେ। ସେଠାରେ ଓଁକାର ରୂପୀ ନିରାକାର ବ୍ରହ୍ମାଙ୍କର ମୂର୍ତ୍ତି ମଧ୍ୟ ଆପଣ ଦେଖିବାକୁ ପାଇବେ। ମଠ ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଜ୍ୱଳନ୍ତ ଅବସ୍ଥାରେ ତ୍ରୀକୋଣିୟ ଅଗ୍ନିକୁଣ୍ଡ ରହିଛି।

ଏହାକୁ ବାଦ୍‌ ଦେଲେ ଆପଣ ସେଠାରେ ଅନେକ ପ୍ରାଚିନ ମୂର୍ତ୍ତୀ ଦେଖିବାକୁ ପାଇବେ। ତାହା ଏକ ତନ୍ତ୍ର ପୀଠ ହୋଇଥିବାକୁ ସେଠାରେ ଅନେକ ତନ୍ତ୍ର ପୋଥି ସାଇତା ହୋଇରହିଛି। ଇତିହାସ ଅନୁସାରେ, ଅନେକ ସେହି ମଠକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତେଣୁ ଏଥିରୁ ଉଦ୍ଧାର ପାଇବା ପାଇଁ ସେଠାକାର ତତ୍‌କାଳୀନ ମଠାଧିସ ନରସିଂହ ଅବଧୂତ ଘୁଷୁରି ମାଂସ ସହ ତୁଳସୀ ପତ୍ର ପ୍ରସାଦ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବକୁଳ ଅମାବାସ୍ୟା ତିଥିରେ ସେଠାରେ ଘୁଷୁରୀ ମାଂସ ତରକାରୀ ଏବଂ ତୁଳସୀ ପତ୍ର ଲାଗି କରାଯାଏ।

publive-image

ଅନନ୍ତ ଅବଧୂତ ମଠ ପ୍ରତିଷ୍ଠା ହେବା ଦିନଠାରୁ ଦାୟିତ୍ୱରେ ଥିବା ମଠାଧିଷମାନଙ୍କର ସମାଧି ମଧ୍ୟ ଆପଣ ଦେଖିବାକୁ ପାଇବେ। ଏହା କେବଳ ଇତିହାସ ଦୃଷ୍ଟିରୁ ନୁହେଁ ପରମ୍ପରା ଦୃଷ୍ଟିରୁ ମଧ୍ୟ ସେହି ମଠର ବହୁତ ଗୁରୁତ୍ୱ ରହିଛି।

ଆପଣ ଏହି ମଠକୁ ଯିବାକୁ ଚାହିଁଲେ ରାଜଧାନୀ ଭୁବନେଶ୍ୱରରୁ ବସ୍‌, ଟ୍ରେନ୍‌, ଟ୍ୟାକ୍ସି କିମ୍ବା ନିଜ ଗାଡ଼ିରେ ମଧ୍ୟ ଯାଇପାରିବେ। ଭୁବନେଶ୍ୱରରୁ ଏହା ୬୫ କି.ମି.। ସେହି ସ୍ଥାନକୁ ଆପଣ ବର୍ଷର ଯେ କୌଣସି ସ୍ଥାନରେ ଯାଇ ବୁଲି ଆସି ପାରିବେ।