ରମଜାନ୍ ସମୟରେ ଡାଏବେଟିସ୍ ପରିଚାଳନା କିଭଳି କରିବେ?

-ଡ. ସୁନୀଲ କୁମାର କୋଟା, ଏଣ୍ଡ୍ରୋକ୍ରାଇନୋଲଜିଷ୍ଟ୍-   

ଆରମ୍ଭ ହୋଇଯାଇଛି ମୁସଲମାନ ମାନଙ୍କ ପବିତ୍ର ରମଜାନ୍ ମାସ। ଏହି ପବିତ୍ର ମାସରେ ମୁସଲମାନ ମାନେ ଉପବାସ ରଖନ୍ତି। ସାରା ବିଶ୍ୱରେ ପ୍ରାୟ ୫୦ ନିୟୁତ ମୁସଲମାନ ଉପବାସ କରନ୍ତି। ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ ସେମାନେ ଉପବାସ ରଖନ୍ତି। ଖାଇବା ତ ଦୂର କଥା ପାଣି ମଧ୍ୟ ଛୁଅଁନ୍ତି ନାହିଁ। ସୂର୍ଯ୍ୟୋଦୟ ପୂର୍ବରୁ ଅବା ସୂର୍ଯ୍ୟାସ୍ତ ପରେ ଖାଆନ୍ତି। ସମସ୍ତ ସାବାଳକ ମୁସଲମାନ ମାନଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ। ତେବେ ଯେଉଁ ମାନେ ଉପବାସ କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟରେ ହାନୀ ଘଟିବାର ସମ୍ଭାବନା ରହିଛି ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି।

ଉପବାସ ଦ୍ୱାରା ଆମ ଶରୀରରେ କ’ଣ ପରିବର୍ତ୍ତନ ପରିଲକ୍ଷିତ ହୁଏ?

ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପୂରା ୧୨ ଘଣ୍ଟା। ରମଜାନ୍ ମାସ ପାଳୁଥିବା ମୁସଲମାନ ମାନେ ୧୨ ଘଣ୍ଟା ଉପବାସ ରହନ୍ତି। ତେବେ ଆଠ ଘଣ୍ଟାର ଉପବାସ ପରେ ଆମ ଶରୀର ସଂରକ୍ଷିତ ଥିବା ଗ୍ଲୁକଜ ବ୍ୟବହାର କରିବା ଆରମ୍ଭ କରି ଦେଇଥାଏ। ରକ୍ତର ଗ୍ଲୁକଜ ସ୍ତରକୁ ସ୍ୱାଭାବିକ କରିବା ପାଇଁ ଆମ ଶରୀର ସଂରକ୍ଷିତ ଗ୍ଲୁକଜ ବ୍ୟବହାର କରିବା ଆରମ୍ଭ କରିଥାଏ। ଉପବାସର ସମୟ ଆଠ ଘଣ୍ଟାରୁ ଅଧିକ ହେଲେ ଆମ ଶରୀର ଗ୍ଲୁକଜ ବ୍ୟବହାର କରିବା ପରେ ଶକ୍ତି ପାଇଁ ସଂରକ୍ଷିତ ଚର୍ବି ଉପରେ ନିର୍ଭର କରେ। ଅଧିକାଂଶ ଲୋକଙ୍କ ପାଇଁ ଏହା କ୍ଷତିକାରକ ନୁହେଁ। ତେବେ ଡାଏବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ। ବିଶେଷ କରି ଔଷଧ ଅବା ଇନସୁଲିନ୍ ନେଉଥିବା ଡାଏବେଟିସ୍ ରୋଗୀମାନେ ହାଇପୋଗ୍ଲିକେମିଆ (ରକ୍ତରେ ଗ୍ଲୁକଜର ପରିମାଣ ବହୁ ନିମ୍ନକୁ ଚାଲିଯିବା)ରେ ପୀଡ଼ିତ ହେବାର ଆଶଙ୍କା ରହିଥାଏ। ହାଇପୋଗ୍ଲିକେମିଆର ଲକ୍ଷଣ ଗୁଡ଼ିକ ହେଉଛି- ଶରୀର ଥରିବ, ଝାଳ ବୋହିବ, ଆଖିକୁ ଝାପସା ଦେଖାଯିବ, ଓଠ ଝିମଝିମ୍ ଲାଗିବ, ଭୋକ ଲାଗିବ, ବିରକ୍ତ ଅନୁଭବ କରିବେ, ମାନ୍ଦା ଲାଗିବ ଓ ଧମନୀର ବେଗ ଦ୍ରୁତ ହେବ। ଏଥିପାଇଁ ହାଲକାରୁ ମଧ୍ୟମ ଧରଣର କାମ କରିବାକୁ ପରାମର୍ଶ ଦିଆଯାଏ। ତେବେ ଡାଏବେଟିସ୍ ରୋଗୀମାନେ ଯଦି କଠିନ କାମ କରିବେ ତା’ହେଲେ ହାଇପୋଗ୍ଲିକେମିଆର ସ୍ତର ଆହୁରି ବଢ଼ିଯିବାର ଆଶଙ୍କା ରହିଛି। ଚଳିତ ବର୍ଷ ଉପବାସର ସମୟ ଅଧିକ ରହିବ। ତେଣୁ ହାଇପୋଗ୍ଲିକେମିଆ ଓ ଡିହାଇଡ୍ରେସନ (ଶରୀରରୁ ଜଳୀୟ ଅଂଶ ଶୁଖିଯିବା)ର ଆଶଙ୍କା ମଧ୍ୟ ଅଧିକ ରହିବ। ଡିହାଇଡ୍ରେସନର ଲକ୍ଷଣ ଗୁଡ଼ିକ ହେଉଛି- ଶୋଷ ଲାଗିବ, ପରିସ୍ରା କମିଯିବ, ପାଟି, ଓଠ ଓ ଚର୍ମ ଶୁଖିଲା ଲାଗିବ। ଡିହାଇଡ୍ରେସନ୍ ଦ୍ୱାରା ଥ୍ରୋମ୍ୱୋସିସ୍ ଅବା ରକ୍ତବାହୀ ଶିରାପ୍ରଶିରା ଗୁଡ଼ିକରେ ରକ୍ତ ଜମାଟ ବାନ୍ଧି ଯିବାର ଭୟ ବଢ଼ିଯାଏ। ଥ୍ରୋମ୍ୱୋସିସର ଲକ୍ଷଣ ଗୁଡ଼ିକ ହେଉଛି- ଶରୀର ଯେଉଁ ପାର୍ଶ୍ୱ ଏଥିରେ ପ୍ରଭାବିତ ହୋଇଥିବା ସେହି ଅଂଶରେ ଯନ୍ତ୍ରଣା ହେବ, କୁଣ୍ଡେଇ ହେବ ଓ ଲାଲ ପଡ଼ିଯିବ।  ସେହିପରି ରମାଜାନ୍ ମାସରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପରେ ଗରିଷ୍ଠ ଖାଦ୍ୟ ଖାଇଲେ ଶରୀରରେ ଗ୍ଲୁକଜର ସ୍ତର ଅଧିକ ହୋଇଯିବାର ମଧ୍ୟ ଆଶଙ୍କା ଥାଏ। ରକ୍ତରେ ଗ୍ଲୁକଜର ମାତ୍ରା ଅଧିକ ହେଲେ ଶରୀର ଓଜନ ହ୍ରାସ ପାଏ, କ୍ଲାନ୍ତ ଓ ଶୋଷ ଲାଗେ, ବାରମ୍ୱାର ପରିସ୍ରା ଲାଗେ, ମୁଣ୍ଡବିନ୍ଧେ, ଅତ୍ୟଧିକ ଥକା ଲାଗେ ଓ କୌଣସି ଜିନିଷରେ ଧ୍ୟାନ ରହେ ନାହିଁ। ତେଣୁ ରକ୍ତରେ ଗ୍ଲୁକଜର ମାତ୍ରା ଜାଣିବା ପାଇଁ ନିୟମିତ ପରୀକ୍ଷା କରିବା ଜରୁରୀ। ତା’ହେଲେ ଉପବାସ ସମୟରେ ଡାଏବେଟିସ୍ ରୋଗୀମାନେ ସୁରକ୍ଷିତ ରହିପାରିବେ। ରକ୍ତ ପରୀକ୍ଷା ଉପବାସ ଭଙ୍ଗ କରେ ନାହିଁ।

କେଉଁମାନଙ୍କୁ ଉପବାସରୁ ବାଦ ଦିଆଯାଇଛି?

ଶରୀର ଅସୁସ୍ଥ ରହୁଥିବା ଲୋକମାନଙ୍କୁ ରମାଜନରେ ଉପବାସ ରଖିବାରୁ ବାଦ୍ ଦିଆଯାଇଛି। ଡାଏବେଟିସରେ ପୀଡ଼ିତ ଲୋକମାନଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି। ତେବେ ରମଜାନ୍ ମାସରେ ଉପବାସ କରିବା ଓ ନକରିବା ଜଣେ ଡାଏବେଟିସ୍ ରୋଗୀଙ୍କ ନିଜସ୍ୱ ନିଷ୍ପତ୍ତି ଉପରେ ନିର୍ଭର କରେ। ଯଦି ଜଣେ ଡାଏବେଟିସ୍ ରୋଗୀ ଉପବାସ ରଖୁ ଥାଆନ୍ତି ତା’ହେଲେ ତା’ପୂର୍ବରୁ ସେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। କାରଣ କିଛି ଡାଏବେଟିସ୍ ରୋଗୀଙ୍କ ପାଇଁ ଉପବାସ ମାରାତ୍ମକ ହୋଇପାରେ ଅବା ସେମାନଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଓ ପରିସ୍ଥିତିକୁ ରମଜାନ ସମୟରେ ଉପବାସରୁ ବାଦ୍ ଦିଆଯାଇଥାଏ।  ଉଦାହରଣ ସ୍ୱରୂପ-

୧) ଶିଶୁ (୧୨ ବର୍ଷରୁ କମ୍)

୨) ବୃଦ୍ଧବୃଦ୍ଧା

୩) ଅସୁସ୍ଥ ଅବା କୌଣସି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତ

୪) ଯାତ୍ରୀ

୫) ଗର୍ଭବତୀ, ଶିଶୁକୁ କ୍ଷୀର ପିଆଉଥିବା ମା’, ଓ ପ୍ରସୂତି ପରବର୍ତ୍ତୀ ମହିଳାମାନେ

୬) ଉପବାସ ଦ୍ୱାରା ଯେଉଁମାନେ ନିଜକୁ ବିପଦରେ ପକାଇ ପାରନ୍ତି, ଯେପରିକି- ନିୟମିତ ଔଷଧ ଖାଉଥିବା ଅବା ଇନସୁଲିନ୍ ନେଉଥିବା ଡାଏବେଟିସ୍ ରୋଗୀମାନେ। ପୁଣି ଡାଏବେଟିସ୍ ଯୋଗୁ କିଡନୀ, ଆଖି ଅବା ଗୋଡ ଓ ହାତର ଶିରାପ୍ରଶିରା ପ୍ରଭାବିତ ହୋଇଥିବା ରୋଗୀ ଓ ଯେଉଁମାନଙ୍କର ଡାଏବେଟିସ୍ ଉପରେ ଆଦୌ ନିୟନ୍ତ୍ରଣ ନାହିଁ ସେମାନଙ୍କୁ ଉପବାସରୁ ବାଦ ଦିଆଯାଇଛି। ଯେଉଁମାନେ ପୂର୍ବରୁ ହାଇପୋକ୍ଲିକେମିଆରେ ପଡ଼ିଛନ୍ତି ସେମାନଙ୍କୁ ବି ବାଦ ଦିଆଯାଇଛି। ଡାଏବେଟିସ ରୋଗୀମାନେ ରମାଜାନ ମାସ ଆରମ୍ଭ ହେବା ପୂର୍ବରୁ କିଛି ଦିନ ଉପବାସ କରନ୍ତୁ। ଆପଣ ଉପବାସ ରହିପାରୁଛନ୍ତି ନା ନାହିଁ ଓ ରହିଲେ ଆପଣଙ୍କ ଶରୀରରେ କ’ଣ ସମସ୍ୟା ଅନୁଭୁତ ହେଉଛି ତାହା ଜାଣିବା ପାଇଁ ଏପରି କରନ୍ତୁ। ଯଦି ଜଣେ ଅନୁଭବ କରିବେ ଯେ ତାଙ୍କ ଦ୍ୱାରା ଉପବାସ ହୋଇପାରୁନି ତା’ହେଲେ ପବିତ୍ର ରମାଜାନ ମାସରେ ସେ କେବଳ ଦାନଧର୍ମ କରି ଅବା ଗରିବ ଲୋକଙ୍କୁ ଫଳମୂଳ ଦେଇ ଏହାକୁ ପାଳନ କରିପାରିବେ। ଏନେଇ ଆପଣମାନେ ସ୍ଥାନୀୟ ଇମାମଙ୍କ ପରାମର୍ଶ ନେଇ ପାରିବେ। ଯଦି ଜଣେ ଡାଏବେଟିସ୍ ରୋଗୀ ରମଜାନ ମାସରେ ଉପବାସ କରିବାକୁ ନିଷ୍ପତ୍ତି ନିଅନ୍ତି ତା’ହେଲେ ତା’ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସୂର୍ଯ୍ୟୋଦୟ ପୂର୍ବରୁ ଖାଇବା ଜରୁରୀ କି?

ଲମ୍ୱା ସମୟ ଧରି ଉପବାସ ରହିବା ଦ୍ୱାରା ହାଇପୋଗ୍ଲିକେମିଆର ଅଧିକ ଆଂଶକା ରହିଥାଏ। ତେଣୁ ଆପଣ ଚେଷ୍ଟା କରନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ ଏକ ମିଲ୍ ଖାଇବାକୁ। କାରଣ ଉପବାସ ସମୟରେ ଏହା ଆପଣଙ୍କ ଶରୀର ଗ୍ଲୁକଜ ସ୍ତରକୁ ସ୍ୱାଭାବିକ ରଖିବ। କିନ୍ତୁ ମନେ ରଖନ୍ତୁ ମଧ୍ୟରାତ୍ରରୁ ଖାଆନ୍ତୁ ନାହିଁ।

ସୂର୍ଯ୍ୟୋଦୟ ପୂର୍ବରୁ କେଉଁ ପ୍ରକାର ଖାଦ୍ୟ ଖାଇପାରିବେ?

ସୂର୍ଯ୍ୟୋଦୟ ପୂର୍ବରୁ ଆପଣ କାର୍ବୋହାଇଡ୍ରେଡ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। କାରଣ ଏହା ଧୀରେ ଧୀରେ ହଜମ ହେବ ଓ ଆପଣଙ୍କ ଶରୀରକୁ ଧୀରେ ଧୀରେ ଶକ୍ତି ଯୋଗାଇବ। କାର୍ବୋହାଇହ୍ରେଡ୍ ଖାଦ୍ୟ, ଯେପରିକି- ଏକାଧିକ ଶସ୍ୟରୁ ପ୍ରସ୍ତୁତ ପାଉଁରୁଟି, ଓଟ୍ ରୁ ପ୍ରସ୍ତୁତ ଖାଦ୍ୟ, ବାସୁମତି ଚାଉଳର ଭାତ ସହିତ ବିନ୍, ଡାଲି, ପନିପରିବା ଓ ଫଳମୂଳ ଇତ୍ୟାଦି ଖାଇପାରିବେ। ଉପବାସ ସମୟରେ ଆପଣଙ୍କ ଶରୀରର ଗ୍ଲୁକଜ ସ୍ତରକୁ ଅଧିକ ସ୍ଥିର ରଖିପାରୁଥିବା ଅନ୍ୟ ଖାଦ୍ୟ ପଦାର୍ଥ ଗୁଡ଼ିକ ହେଉଛି- ପାଉଁରୁଟି, ରୁଟି, ବାର୍ଲି, ଓଟ୍, ମୁଠାଏ ବାଦାମ ଓ ଖଜୁରୀ କୋଳି, ବସାଦହିରୁ ପ୍ରସ୍ତୁତ ଖାଦ୍ୟ ଏବଂ ସିଝା ପନିପରିବା ଇତ୍ୟାଦି। ବିଭିନ୍ନ ପ୍ରକାର ଓ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଅତ୍ୟଧିକ ମିଠା ଓ ଚର୍ବି ଯୁକ୍ତ ଖାଦ୍ୟ (ପରଟା,ପୁରୀ,ପକୁଡି, ସିଙ୍ଗଡ଼ା) ନଖାଇବାକୁ ଚେଷ୍ଟା କରନ୍ତୁ। ଏକ ସନ୍ତୁଳିତ ମିଲ୍ ଖାଆନ୍ତୁ। ଅତ୍ୟଧିକ ମାତ୍ରାରେ ଖାଆନ୍ତୁ ନାହିଁ। ଆଉ ମନେ ରଖନ୍ତୁ, ପ୍ରଚୁର ପାଣି ପିଇବେ।

ସୂର୍ଯ୍ୟାସ୍ତ ପରେ କ’ଣ ଖାଇବେ?

ରମଜାନ ମାସରେ ଲମ୍ୱା ସମୟ ପର୍ଯ୍ୟନ୍ତ ଉପବାସରେ ରହିବା ଦ୍ୱାରା ଡିହାଇଡ୍ରେସନ୍ ହୋଇପାରେ। ତେଣୁ ସୂର୍ଯ୍ୟାସ୍ତ ପରେ ଉପବାସ ଭାଙ୍ଗିବା ପରେ ମିଠା ମୁକ୍ତ ତରଳ ଜିନିଷ ଖାଆନ୍ତୁ। ଫଳରସ ପିଅନ୍ତୁ। ତା’ସହିତ ପ୍ରଚୁର ପାଣି ପିଅନ୍ତୁ। ଏହା ଦ୍ୱାରା ଡିହାଇଡ୍ରେସନର ଆଶଙ୍କା କମି ଯାଏ। ଅଧିକ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଓଜନକୁ ବଢ଼ାଇ ଦେବ ଓ ତା’ସହିତ ଆପଣ ରକ୍ତରେ ସୁଗାରର ସ୍ତରକୁ ଅସନ୍ତୁଳିତ କରି ଦେବ।

ତାରାଭି ପ୍ରାର୍ଥନା କରିପାରିବେ କି?

ତାରାଭି ହେଉଛି ରମଜାନ ମାସରେ ଏକ ଅତିରିକ୍ତ ପ୍ରାର୍ଥନା ଯାହାକୁ ସୁନ୍ନି ମୁସଲମାନ ମାନେ ରାତିରେ କରନ୍ତି। କିନ୍ତୁ ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ଡାଏବେଟିସ ପୀଡ଼ିତଙ୍କ ପାଇଁ ଏହା ହାନିକାରକ ହୋଇପାରେ। ସେମାନେ ଡିହାଇଡ୍ରେସନର ଶିକାର ହୋଇପାରନ୍ତି ଅବା ସେମାନଙ୍କ ରକ୍ତର ସୁଗାର ସ୍ତର ବହୁତ ତଳୁ ଖସି ଯିବାର ଆଶଙ୍କା ଯଥେଷ୍ଟ ରହିଥାଏ। ତେବେ ଯେଉଁମାନେ ତାରାଭି ପାଳନ କରିବାକୁ ଚାହାଁନ୍ତି, ସେମାନଙ୍କୁ ଦୁଇ ତିନୋଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ। ସେଗୁଡ଼ିକ ହେଉଛି:

  • ସୂର୍ଯ୍ୟୋଦୟ ପୂର୍ବରୁ ତନ୍ତୁ ଜାତୀୟ ଖାଦ୍ୟ ଖାଆନ୍ତୁ ଯାହାକି ଧୀରେ ଧୀରେ ହଜମ ହୁଏ
  • ସୂର୍ଯ୍ୟୋଦୟ ପୂର୍ବରୁ ଖାଇ ସାରିବା ପରେ ପ୍ରଚୁର ପାଣି ପିଅନ୍ତୁ
  • ତାରାଭି ପ୍ରାର୍ଥନା ସ୍ଥଳକୁ ପାଣି ଓ ଗ୍ଲୁକଜର ମିଶ୍ରଣ ନେଇ କି ଯାଆନ୍ତୁ

ଆଉ କିଛି ସୁରକ୍ଷା ଟିପ୍ସ

 – ସର୍ବଦା ଗ୍ଲୁକଜର ଏକ ମିଶ୍ରଣ ପାଖରେ ରଖନ୍ତୁ

 – ଆପଣଙ୍କୁ ଡାଏବେଟିସ୍ ହୋଇଛି ବୋଲି ଏକ ଚିହ୍ନ ସର୍ବଦା ରଖନ୍ତୁ, ଯେପରିକି ମେଡିକାଲ୍ ବ୍ରେସଲେଟ୍

– ଆପଣଙ୍କ ରକ୍ତର ସୁଗାର ସ୍ତର ଜାଣିବା ପାଇଁ ନିୟମିତ ପରୀକ୍ଷା କରନ୍ତୁ

– ଉପବାସ ସମୟରେ ଅସୁସ୍ଥ ଅନୁଭବ କଲେ ରକ୍ତର ଗ୍ଲୁକଜ ସ୍ତର ପରୀକ୍ଷା କରାଇ ନିଅନ୍ତୁ

 – ଯଦି ଆପଣଙ୍କ ରକ୍ତର ସୁଗାର୍ ସ୍ତର ଅଧିକ ବା ବହୁତ କମ୍ ରହୁଛି ତା’ହେଲେ ଚିକିତ୍ସା କରାନ୍ତୁ

 – ଯଦି ଆପଣଙ୍କ ରକ୍ତର ଗ୍ଲୁକଜ ସ୍ତର ୬୦ ଏମଜି/ଡିଏଲକୁ ଖସି ଥାଏ ତା’ହେଲେ ତତକ୍ଷଣାତ ଉପବାସ ଭାଙ୍ଗନ୍ତୁ ଓ ତତକ୍ଷଣାତ୍ ଚିକିତ୍ସା କରାନ୍ତୁ

– ଉପବାସର ପ୍ରଥମ କେଇ ଘଣ୍ଟାରେ ଯଦି ଆପଣଙ୍କ ରକ୍ତର ଗ୍ଲୁକଜ ସ୍ତର ୭୦ ଏମଜି/ଡିଏଲରୁ କମି ଯାଏ ଅବା ଆପଣ ଇନସୁଲିନ୍ ବା ଔଷଧ ନେଉ ଥାଆନ୍ତି ତା’ହେଲେ ଉପବାସ କରନ୍ତୁ ନାହିଁ

– ଯଦି ଆପଣଙ୍କ ରକ୍ତରେ ଗ୍ଲୁକଜର ପରିମାଣ ୩୦୦ ଏମଜି/ଡିଏଲରୁ ଅଧିକ ଅଛି ତା’ହେଲେ ସଙ୍ଗେ ସଙ୍ଗେ ଉପବାସ ଭାଙ୍ଗନ୍ତୁ

 – ଯଦି ଆପଣ ଡିହାଇଡ୍ରେଟ୍ ଅନୁଭବ କରୁଛନ୍ତି ତା’ହେଲେ ଉପବାସ ଭାଙ୍ଗି ପାଣି ପିଅନ୍ତୁ

– ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି ଅବା ଆପଣ ଚେତାଶୂନ୍ୟ ହୋଇଯାଉଛନ୍ତି ତା’ହେଲେ ଉପବାସ ଭାଙ୍ଗି ପାଣି ଅବା ଅନ୍ୟ ତରଳ ପଦାର୍ଥ ପିଅନ୍ତୁ

– ଆପଣ କେବେ ବି ଇନସୁଲିନ୍ ବନ୍ଦ କରିବା ଉଚିତ ନୁହେଁ। ତେବେ ଏହାର ଡୋଜରେ ପରିବର୍ତ୍ତନ ନେଇ ଆପଣ ଡାକ୍ତରଙ୍କ ସହିତ କଥା ହୋଇପାରନ୍ତି

– ଯଦି ଆପଣଙ୍କର ଡାଏବେଟିସ୍ ଅଛି ତା’ହେଲେ ସିଗାରେଟ୍ ଟାଣିବା ଦ୍ୱାରା ହାର୍ଟ ଜନିତ ସମସ୍ୟାର ଆଶଙ୍କା ଅଧିକ ରହିଛି। ରମଜାନ ହେଉଛି ସ୍ୱ-ନିୟନ୍ତ୍ରଣର ସମୟ ତେଣୁ ଏହି ସମୟରେ ସିଗାରେଟ୍ ସେବନ ଛାଡ଼ି ଦିଅନ୍ତୁ