Advertisment

ଲକ୍‌ଡାଉନ୍: ଘରେ କିପରି ବିତାଇବେ ସମୟ...

ଭୁବେନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ କରୋନା ନିଜ କାୟା ବିସ୍ତାର କରି ଚାଲିଛି। ୩ ଲକ୍ଷରୁ ଅଧିକ ଲୋକ ବିଶ୍ୱ ମହାମାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇସାରିଥିବା ବେଳେ ଭାରତରେ ଏହି ସଂଖ୍ୟା ୫୦୦ ଛୁଇଁବାକୁ ବସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ମାରାତ୍ମକ ଭୂତାଣୁର ନିରାକରଣ ସହ ବିନାଶର ବାଟ ଏଯାଏଁ ମିଳିପାରି ନାହିଁ। ଏଭଳି ସ୍ଥିତିରେ କେବଳ ସାମାଜିକ ଦୂରତ୍ୱ, ପରିମଳ ଓ ସ୍ୱଚ୍ଛତା ଏବଂ ସତର୍କତା ଦ୍ୱାରା ହିଁ […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍: ଘରେ କିପରି ବିତାଇବେ ସମୟ...

LOCK DOWN

Advertisment

ଭୁବେନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ କରୋନା ନିଜ କାୟା ବିସ୍ତାର କରି ଚାଲିଛି। ୩ ଲକ୍ଷରୁ ଅଧିକ ଲୋକ ବିଶ୍ୱ ମହାମାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇସାରିଥିବା ବେଳେ ଭାରତରେ ଏହି ସଂଖ୍ୟା ୫୦୦ ଛୁଇଁବାକୁ ବସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ମାରାତ୍ମକ ଭୂତାଣୁର ନିରାକରଣ ସହ ବିନାଶର ବାଟ ଏଯାଏଁ ମିଳିପାରି ନାହିଁ। ଏଭଳି ସ୍ଥିତିରେ କେବଳ ସାମାଜିକ ଦୂରତ୍ୱ, ପରିମଳ ଓ ସ୍ୱଚ୍ଛତା ଏବଂ ସତର୍କତା ଦ୍ୱାରା ହିଁ ଏହି ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ। ଏଣୁ ପ୍ରାୟ ପୂରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି କ୍ରମରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ମଧ୍ୟ ଲକ୍ ଡାଉନ୍ କରାଯାଇଛି। ଏହାର ଅର୍ଥ ଅତି ଆବଶ୍ୟକ ନ ହେଲେ ଆପଣମାନେ ଘରୁ ବାହାରିବେ ନାହିଁ। କେବଳ ଜରୁରୀ ପରିସ୍ଥିତିରେ ଘରୁ ବାହାରିବେ।

Advertisment

ଆମେ ଯେଉଁ ବ୍ୟସ୍ତ ବହୁଳ ଜୀବନଶୈଳୀର ଅଭ୍ୟସ୍ତ ହୋଇଯାଇଛେ, କେବଳ ସେହି କାରଣରୁ ଲକ୍ ଡାଉନ୍ ବେଳେ ଘରେ ବସି ରହିବା ବିଷୟଟି ଆମକୁ ଦଣ୍ଡ ଭଳି ଲାଗିପାରେ। ଆମ ଚଞ୍ଚଳ ଓ ଅସ୍ଥିର ମନ ଆମକୁ ଅଶାନ୍ତ କରିପାରେ। ମାନସିକ ଚାପ ବଢ଼ାଇଦେଇପାରେ। କିନ୍ତୁ ବିଶ୍ୱ ମହାମାରୀ ଭଳି ଏକ ସାମୂହିକ ସମସ୍ୟାର ମୁକାବିଲା ଲାଗି ଆମ ସମସ୍ତଙ୍କୁ ସାମାଜିକ ବିଚ୍ଛିନ୍ନତାକୁ ପରିବାରର ସମୟ ବୋଲି ଭାବି ନେବାକୁ ହେବ। ଆଉ ସରକାରଙ୍କୁ ଏହି କାର‌୍ୟ୍ୟରେ ସହଯୋଗ କରିବାକୁ ହେବ।

ମଣିଷ ଯେହେତୁ ସାମାଜିକ ପ୍ରାଣୀ, ସାମାଜିକ ଦୂରତ୍ୱ ଆମର ଚିନ୍ତା ବଢ଼ାଇଦେଇପାରେ। ହେଲେ ଆମକୁ ଚିନ୍ତନ କରିବାର ଆବଶ୍ୟକତା ରହିଛି। ଲକ୍ ଡାଉନ୍ ସମୟରେ କିଭଳି ସମୟ ଅତିବାହିତ କରି ନିଜ ଜୀବନର ସ୍ମୃତି ସବୁକୁ ସାଉଁଟି ପାରିବେ ସେନେଇ ଆମେ ଆପଣଙ୍କୁ କିଛି ଟିପ୍ସ ଦେଉଛୁ...

Advertisment

ପୁରୁଣା ଆଲବମ୍ ଦେଖନ୍ତୁ: ଗୁଗଲ ଗ୍ୟାଲେରୀ ଆସିବା ପରଠାରୁ ହୁଏତ ଆପଣ କେବେ ଆଲବମ୍ ଓଲଟାଇ ଦେଖିଥିବେ। ଲକ୍ ଡାଉନ୍ ସମୟରେ ଘରେ ରହି ପୁରୁଣା ଆଲବମ୍ ଦେଖନ୍ତୁ। ଅତୀତର ସ୍ମୃତି ସାଉଁଟନ୍ତୁ। ଅନେକ ଭୁଲିଯାଇଥିବା କାହାଣୀ ଆପଣଙ୍କ ମନେ ପଡ଼ିଯିବ। ପାରୁଛନ୍ତି ଯଦି ଘରର ବୟସ୍କଙ୍କଠାରୁ ମଧ୍ୟ ଅଭୁଲା ଦିନର କାହାଣୀ ଶୁଣନ୍ତୁ ଓ ସେଥିରେ ଭାଗ ନିଅନ୍ତୁ।

ଗୀତ ଶୁଣନ୍ତୁ, ବହି ପଢ଼ନ୍ତୁ: ଅନଲାଇନ୍ ମ୍ୟୁଜିକ୍ ଆପ୍ ଆସିବା ପରଠାରୁ ଆପଣ ନିଜ ମ୍ୟୁଜିକ୍ ଲାଇବ୍ରେରୀ ଖୋଲିଛନ୍ତି କି ? ସମୟ ପାଇ ନ ଥିଲେ ନା। ଏବେ ସେହି ସମୟ ଆସିଛି। ନିଜର, ନିଜ ପରିବାର ସଦସ୍ୟଙ୍କ ମନପସନ୍ଦର ଗୀତ ସବୁକୁ ସଂଗ୍ରହ କରି ମ୍ୟୁଜିକ୍ ଲାଇବ୍ରେରୀ ପ୍ରସ୍ତୁତ କରିବାକୁ ଯଥେଷ୍ଟ ସମୟ ମିଳିବ। ଏହାକୁ ନିଜ ମୁଡ୍ ହିସାବରେ ଆପଣ ଶୁଣିପାରିବେ। ସେହିପରି ହାତରେ କଫି ବା ଚା’ କପେ ଧରି ନିଜ ମନପସନ୍ଦର ପୁସ୍ତକ ପଢ଼ିବାକୁ ମଧ୍ୟ ଆପଣ ବେଶ୍ ସମୟ ପାଇବେ।

ମର୍ଣ୍ଣିଂ ଓ୍ୱାକ୍ ଓ ଯୋଗାଭ୍ୟାସ: ଏହା କରିବାକୁ ଅନେକ ଲୋକ ଅନେକ ପ୍ରକାର ବାହାନା କରିଥାନ୍ତି। ଘର କାମରୁ ଗୃହୀଣୀଙ୍କୁ କେବେ ଫୁରସତ ମିଳେ ନାହିଁ କି ଅଫିସ୍ କର୍ମଚାରୀଙ୍କୁ କାମରୁ ସମୟ ହେଉ ନ ଥାଏ। କିନ୍ତୁ ଏବେ ସମୟ ହିଁ ସମୟ। ଆପଣମାନେ ଏକାଠି ହୋଇ ନିଜର ଘର ପାଖରେ କିମ୍ବା ଛାତ ଉପରେ ମର୍ଣ୍ଣିଂ ଓ୍ୱାକ୍ କରିପାରିବେ ବା ଯୋଗାଭ୍ୟାସ ମଧ୍ୟ କରିପାରିବେ।

ଆତ୍ମୀୟଙ୍କୁ ଫୋନ କରନ୍ତୁ: ବ୍ୟସ୍ତ ବହୁଳ ଜୀବନଶୈଳୀରେ ଆପଣ କେତେ ଥର ନିଜ ପିଲାବେଳର ପ୍ରିୟ ବନ୍ଧୁଙ୍କୁ କଲ୍ କରିଛନ୍ତି? ସମୟ ପାଇ ନ ଥିଲେ ନା। ଏବେ ସେହି ସମୟ ଆସିଛି। ଜଣ, ଜଣଙ୍କୁ ମନେ ପକାଇ ସବୁ ଆତ୍ମୀୟଙ୍କୁ ଫୋନ୍ କରି କଥା ହୁଅନ୍ତୁ। ସୁଖ, ଦୁଃଖ ବୁଝନ୍ତୁ। ପରାମର୍ଶ ଦିଅନ୍ତୁ ଓ ନିଅନ୍ତୁ। ଦେଖିବେ ଆପଣା ଛାଏ ଆପଣଙ୍କ ଓଠ ହସି ଉଠିବ ଆଉ ସମୟ କିପରି କଟିଯିବ ଜାଣିପାରିବେନି।

ସନ୍ତୁଳିତ ଆହାର ଖାଆନ୍ତୁ: ଲକ୍ ଡାଉନ୍ ସମୟରେ ଆପଣ ପୂରା ସମୟ ଘରେ ରହିବେ। ଏଣୁ ଚଟପଟି ଖାଇବାକୁ ଇଚ୍ଛା ହୋଇପାରେ। କିନ୍ତୁ ଆପଣଙ୍କୁ ଏହି ଇଚ୍ଛାକୁ ନଜରଅନ୍ଦାଜ କରିବାକୁ ହେବ। ସନ୍ତୁଳିତ ଆହାର ତାଲିକା ପ୍ରସ୍ତୁତ କରନ୍ତୁ। ନିଜେ ଓ ନିଜ ପରିବାରକୁ ସୁଆଦିଆ କିନ୍ତୁ ସନ୍ତୁଳିତ ଆହାର ଖାଇବାକୁ ଦିଅନ୍ତୁ। ହେଲେ ସପରିବାର ଏକାଠି ଖାଇବାକୁ ହୁଏତ ଅନେକ ବର୍ଷ ପରେ ସମୟ ମିଳିଛି। ଏହାକୁ ହାତଛଡ଼ା କରିବେ ନାହିଁ।

ଡି.ଆଇ.ଓ୍ୱାଇ କରନ୍ତୁ: କନଫ୍ୟୁଜ୍ ହେଲେ କି? ଏହାର ଅର୍ଥ ‘ଡୁ ଇଟ୍ ଇୟୋରସେଲ୍ଫ’ ମାନେ ନିଜେ ନିଜେ ପ୍ରସ୍ତୁତ କରନ୍ତୁ। ଘରେ ବ୍ୟବହାର ହେଉ ନ ଥିବା ଅନେକ ଜିନିଷ ଅଣଦେଖା ହୋଇ ପଡ଼ିଥାଏ। ସେ ସବୁକୁ ନେଇ ଆପଣ ଡି.ଆଇ.ଓ୍ୱାଇ ସାମଗ୍ରୀ ପ୍ରସ୍ତୁତ କରିପାରିବେ। ଏହି ସବୁ ସାମଗ୍ରୀ ବିନା ଖର୍ଚ୍ଚରେ ଆପଣଙ୍କ କାମରେ ମଧ୍ୟ ଆସିଯିବ। ଆପଣ ଆବର୍ଜନାରୁ ବ୍ୟବହାରପୋଯୋଗୀ ଜିିନିଷ ମଧ୍ୟ ତିଆରି କରିପାରିବେ। ଏନେଇ ଆପଣ ୟୁ-ଟ୍ୟୁବର ସହାୟତା ନିିଅନ୍ତୁ।

ପାରମ୍ପରିକ ଝୋଟି, ଚିତା ଶିଖନ୍ତୁ: ମହିଳା ହୁଅନ୍ତୁ ବା ପୁରୁଷ। ଯଦି ଆପଣଙ୍କ ଏଥିପ୍ରତି ରୁଚି ରହିଛି ତେବେ ଘରେ ସମୟ ଅତିବାହିତ କରିବାକୁ ଏହି ଦିନଗୁଡ଼ିକରେ ଓଡ଼ିଶାର ପାରମ୍ପରିକ ଝୋଟି, ଚିତା ସବୁ ଶିଖିପାରିବେ। ଘରେ ଯଦି ଗୁରୁଜନ ଅଛନ୍ତି, ସେମାନେ ଏ ଦିଗରେ ଆପଣଙ୍କୁ ସାହାଯ୍ୟ କରିପାରିବେ। ନିଜ ପରମ୍ପରାକୁ ଜାଣିବା ଓ ତାହା ସହ ଯୋଡ଼ିହେବାକୁ ଏବେ ଆପଣ ଯଥେଷ୍ଟ ସମୟ ପାଇବେ।

ଗଳ୍ପ, କାହାଣୀ, କବିତା ଲେଖନ୍ତୁ: ଆପଣଙ୍କ ମଧ୍ୟରୁ ଏଭଳି ଅନେକେ ଅଛନ୍ତି, ଯେଉଁମାନେ କେବେ ନା କେବେ କହିଥିବେ "ମୁଁ ଲେଖାଲେଖି କରେ ଯେ, ଖାଲି ସମୟ ମିଳୁନି ବୋଲି ଆଜିକାଲି ବନ୍ଦ କରିଦେଇଛି।" ପ୍ରକୃତରେ ଆମ ସମସ୍ତଙ୍କ ଭିତରେ ଛୋଟିଆ କବିଟିଏ ବା ଲେଖକ ଟିଏ ଲୁଚି ରହିଛି। ଖାଲି ପ୍ରେରଣା ଆଉ ସମୟର ଆବଶ୍ୟକତା ରହିଛି। ତେବେ ଏହି ଲକ୍ ଡାଉନ୍ ଆପଣଙ୍କ ପାଇଁ ଏହି ଦୁଇଟି ଅଭାବ ପୂରଣ କରିଦେଇପାରେ। ସମୟକୁ ସଦୁପୋଯୋଗ କରି ଲାଗିପଡ଼ନ୍ତୁ। କିଏ ଜାଣେ! ଆଗାମୀ ଦିନରେ ଆପଣ ବି ଜଣେ ସୁନାମଧନ୍ୟ ଲେଖିକା ବା ଲେଖକଟିଏ ହୋଇଯାଇପାରନ୍ତି।

ଗୋଲ ଟେବୁଲ ବୈଠକ କରନ୍ତୁ: ଆଜିକାଲିର ଏହି ପ୍ରତିଯୋଗିତାର ଯୁଗ ଆପଣଙ୍କୁ ପରିବାର ସହ ଏକାଠି ବସିବାକୁ କେବେ ସମୟ ଦେଇଥିଲା? ସ୍କୁଲ, କଲେଜ, ଅଫିସରୁ ଘରକୁ ଫେରିବା ପରେ ମଧ୍ୟ ସେଠାରୁ ପୁଳେ କାମ ନେଇ ଆମେ ଘରେ ବସି ତାହା କରିଥାଉ। ଏବେ ସମୟ ମିଳିଛି। ସମସ୍ତେ ଘରେ ବସି ଗୋଲ ଟେବୁଲ ବୈଠକ କରନ୍ତୁ ନ ହେଲେ ଏହାକୁ ଖଟ୍ଟି ମଧ୍ୟ କହିପାରିବେ। ବାପା, ମାଆ ଓ ପିଲାମାନଙ୍କ ସମ୍ପର୍କରେ ଏହାଦ୍ୱାରା ନିବିଡ଼ତା ଆସିବ। ତେବେ ଏଥିରେ ବୃଦ୍ଧ ବୃଦ୍ଧାଙ୍କୁ ସାମିଲ କରିବାକୁ ଭୁଲିବେ ନାହିଁ।

ଲକ୍ ଡାଉନ୍ ସମୟକୁ ଚିନ୍ତାରେ ନୁହେଁ ପ୍ରେମରେ ଅତିବାହିତ କରନ୍ତୁ। ଦେଖିବେ ଆଗାମୀ ଦିନରେ ଏହି ଦିିନଗୁଡ଼ିକରେ ଗଢ଼ି ଉଠିଥିବା ମୁହୂର୍ତ୍ତ ସବୁ ଗୋଟିଏ ଗୋଟିଏ ସ୍ମୃତି ହୋଇ ଚିରଦିନ ପାଇଁ  ଆପଣଙ୍କ ହୃଦୟରେ ସାଇତି ହୋଇ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe