Advertisment

ଖାଲି ପରିବା ନୁହେଁ, ହୁ ହୁ ହୋଇ ବଢୁଛି ଚାଉଳ ଓ ଡାଲି ଦର

ଗତ ତିନିମାସ ଭିତରେ ଚାଉଳ କ୍ୱିଣ୍ଟାଲ ପିଛା ଦର ବଢ଼ିଲାଣି ୭୦୦ରୁ ୮୦୦ ଟଙ୍କା। ଅର୍ଥାତ୍ ଯେଉଁ ଚାଉଳ କିଲୋ ପିଛା ୨୫ ଟଙ୍କାରେ ମିଳୁଥିଲା, ତା ଏବେ ୩୨ରୁ ୩୫ଟଙ୍କା ପହଞ୍ଚିଲାଣି। ଆଖି ପିଛୁଳାକେ ରେଟ୍ ୧୫ରୁ ୨୦ ପ୍ରତିଶତ ବଢି ଯାଇଛି।

Dal

Dal

Advertisment

ସାଧାରଣ ଖାଉଟିଙ୍କ ପକେଟକୁ ସାଂଘାତିକ ଭାବେ ମାଡ଼ କଲାଣି ବେଲଗାମ ଦର ବୃଦ୍ଧି। ପନିପରିବାଠୁ ଧରି ଆତ୍ୟବଶ୍ୟକ ଖାଦ୍ୟ ସାମଗ୍ରୀ, ଯେମିତିକି ଚାଉଳ, ଡାଲି ଓ ମସଲା ସାମଗ୍ରୀ ସବୁ କିଛି ଏବେ ମଧ୍ୟବିତ୍ତ ଓ ଗରିବଙ୍କ ବଜେଟ୍ ଭିତରେ ନଥିବା ଭଳି ଲାଗୁଛି। ଏଥିପାଇଁ ସରକାରଙ୍କ ଦୂରଦୃଷ୍ଟିର ଅଭାବକୁ ବ୍ୟବସାୟୀ ମହାସଂଘ ଦାୟୀ କରିଛି।

Advertisment

ଗତ ତିନିମାସ ଭିତରେ ଚାଉଳ କ୍ୱିଣ୍ଟାଲ ପିଛା ଦର ବଢ଼ିଲାଣି ୭୦୦ରୁ ୮୦୦ ଟଙ୍କା। ଅର୍ଥାତ୍ ଯେଉଁ ଚାଉଳ କିଲୋ ପିଛା ୨୫ ଟଙ୍କାରେ ମିଳୁଥିଲା, ତା ଏବେ ୩୨ରୁ ୩୫ଟଙ୍କା ପହଞ୍ଚିଲାଣି। ଆଖି ପିଛୁଳାକେ ରେଟ୍ ୧୫ରୁ ୨୦ ପ୍ରତିଶତ ବଢି ଯାଇଛି। ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍ କଲାଣି। ମୁଗ, ବୁଟ ଓ ବିରି ଡାଲି ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି। ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ମସଲାର ମୁଖ୍ୟ ଆଇଟମ୍‌ ଜିରା, ଗୋଲମରିଚ, ଗୁଜୁରାତି ଦର ମଧ୍ୟ ଏବେ ଅମୂଲ ମୂଲ। ଦୁଇ ମାସ ତଳେ କିଲୋ ଅଢ଼େଇ ଶହରୁ ୩ଶହ ଟଙ୍କାରେ ମିଳୁଥିବା ଜିରା ଏବେ ଛୁଇଁଲାଣି ୭ ଶହ। ସେମିତି ଅଦା ୩୦୦ ଟଙ୍କାରୁ ତଳକୁ ଖସୁନି ତ ରସୁଣ କିଲୋ ୨୦୦ ଉପରେ। ସେହିପରି ଗହମ ଜାତ ସାମଗ୍ରୀ ଅଟା, ସୁଜି, ମଇଦା ରେଟ୍ ଉପର ମୁହାଁ ହେବାରେ ଲାଗିଛି। ଏକଦା ଚାଉଳର ବଳକା ରାଜ୍ୟ ଭାବେ ଗଣାଯାଉଥିବା ଓଡ଼ିଶାରେ ଏଭଳି ସ୍ଥିତିକୁ ନେଇ ସାଧାରଣ ଖାଉଟୀଙ୍କଠୁ ବ୍ୟବସାୟୀ ଯାଏଁ ସମସ୍ତେ ଚିନ୍ତାରେ।

ସୂଚନା ଅନୁସାରେ ଗତ ଦୁଇ ହଜାର ମସିହାରେ ଓଡ଼ିଶାରେ ୪୬.୧୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଥିଲା। ୨୦୨୨ ସୁଦ୍ଧା ଏହା ଅଢେଇ ଗୁଣ ବଢ଼ି ୧୧୫ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ତଥାପି ଦର ନିୟନ୍ତ୍ରଣ ବାହାରକୁ ଯିବା ନେଇ ସିଧା ସରକାରଙ୍କ ଯୋଗାଣ ନୀତିକୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ। ସେପଟେ କଟକ ଚାମ୍ବର ଅଫ୍‌ କମର୍ସ କହିଛି, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ବେଲଗାମ ଦର ବୃଦ୍ଧିର ମୁଖ୍ୟ କାରଣ ବଡ଼ ବଡ଼ ମଲ୍‌ ଓ ଷ୍ଟୋର। ଉତ୍ପାଦନ ଆରମ୍ଭରୁ ସେମାନେ ସାମଗ୍ରୀ କିଣି ମହଜୁଦ୍ କରି ରଖୁଥିବାରୁ ବଜାରରେ ଅଭାବ ପଡୁଛି। ଯାହାଦ୍ୱାରା ସେମାନେ ବେଶ ଲାଭବାନ ହେଉଥିବା ବେଳେ ଗରିବ ଓ ମଧ୍ୟବିତ୍ତ ଲୋକେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି।

Advertisment

ସେପଟେ କଞ୍ଚା ପରିବା ବଜାରରେ ଯଦିଓ ରେଟ୍‌ ସାମାନ୍ୟ ତଳମୁହାଁ ହୋଇଛି। ହେଲେ ଟମାଟୋ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ବାଇଗଣ, କଲରା, ପୋଟଳ, ଜହ୍ନି ଓ ଝୁଡ଼ଙ୍ଗ, କାହାରି କିଲୋ ୫୦ ତଳକୁ ନାହିଁ। କଞ୍ଚାଲଙ୍କା ସେମିତି ୨୦୦ ଉପରେ ବିକ୍ରି ହେଉଥିବା ବେଳେ ବିନସ ଦେଢ଼ ଶହ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱର ୧ ନମ୍ବର ହାଟ ହେଉ କି କଟକ ଛତ୍ରବଜାର ପରିବା ମଣ୍ଡି, ସେଠି କିଣା ରେଟ୍‌ ଉଚ୍ଚା ଥିବାରୁ ବାଧ୍ୟ ହୋଇ ଅଧିକ ଦରରେ ପନିପରିବା ବିକୁଥିବା କହିଛନ୍ତି ଖୁଚୁରା ବ୍ୟବସାୟୀ। ତେବେ ନୂଆ ଫସଲ ଆସିଗଲେ କଞ୍ଚା ପରିବା ଦର ସ୍ୱାଭାବିକ ସ୍ଥିତିକୁ ଆସିଯିବ ବୋଲି କହିଛନ୍ତି ହୋଲସେଲ୍ ବେପାରୀ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe