ଚାରିଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ରାମଦିନ୍ ଟିକିଏ ସୁସ୍ଥ ଅନୁଭବ କରୁଛି। ଗାଁ ଛାଡ଼ି ସହର ଅଭିମୁଖେ ଚାଲି ଆସିଛି ରାମଦିନ୍ ସ୍ତ୍ରୀ ଫୁଲମତି ଓ ପାଞ୍ଚ ବର୍ଷର ପୁଅକୁ ନେଇ। ରହୁଛି ରାଜଧାନୀ ଉପକଣ୍ଠ ଏକ କେଳା ବସ୍ତିର ଶେଷ ମୁଣ୍ଡରେ ଥିବା ସ୍କୁଲ ପିଣ୍ଡାରେ।
ଦିନରେ ମୁଣ୍ଡ ପୋତା ଖେଳ, ବାବୁଭାୟାଙ୍କ ହାଣ୍ଡିଶାଳର ବାସିପଖାଳ, ଫିମ୍ପିମରା ତରକାରୀ, କାହାରି କାହାରି ଖୁଦ ଚାଉଳ ଓ ଖୁବ୍ ବେଶୀ ହେଲେ ଟଙ୍କାଏ, ଦୁଇଟଙ୍କା କରି କିଛି ପଇସା ମିଳିଯାଏ ଦେଖଣାହାରୀଙ୍କ ଠାରୁ। ସେଇଥିରେ ଦିନଯାକର ଭୋକ ମେଣ୍ଟେଇ ସଞ୍ଜ ନଇଁଲେ ଫେରିଯାଏ କେଳାବସ୍ତିର ସେଇ ସ୍କୁଲ ବାରଣ୍ଡାକୁ।
ଦିନଯାକର କମାଣିରେ ରାମଦିନ୍, ଫୁଲମତି ତା’ପୁଅ ବାଣ୍ଟିକୁଣ୍ଟି ଖାଆନ୍ତି। ଶୋଇବାକୁ ଗଲାବେଳେ ରାମଦିନ୍ ଅମଳି ମେଣ୍ଟେଇବା ପାଇଁ ବିଡ଼ିରେ ନିଆଁ ଧରେଇ ମୁହଁ ଉପରକୁ କରି ଧୁମ୍ ଟାଣେ ଓ ଧୂଆଁ ଛାଡ଼େ। ଦୁଇହାତ ଉପରକୁ ଟେକି ଭିଡ଼ିମୋଡ଼ି ହୋଇ ଅଳସଭାଙ୍ଗି ଶୋଇବାକୁ ଉପକ୍ରମ କରେ। କେବେକେବେ ଫୁଲମତିର ଅନିଚ୍ଛା ସତ୍ତ୍ୱେ ପୁଅକୁ ଆଡ଼େଇଦେଇ ତା’ ସାଙ୍ଗରେ ସୋହାଗ କରେ। ଗୋଟିଏ ଗୋଟିଏ ଯାଗାରେ ଖୁବ୍ ବେଶୀ ହେଲେ ଚାରିପାଞ୍ଚଦିନ ଡେରା ପକାଏ। ତା’ପରେ ପୁଣି ସେ ଯାଗା ଛାଡ଼େ। ରାମଦିନ୍ ଏକଥା ଜାଣେ ଯେ, ଆଜିକାଲି ଆଉ ତା’ଖେଳର ଆଦର ନାହିଁ। ତଥାପି ତା ବା’ଠାରୁ ପିଲାଦିନୁ ଶିଖିଥିବା ଏଇ ଖେଳକୁ ନେଇ ମନେ ମନେ ବେଶ୍ ଖୁସି ହୁଏ ସେ।
ଚାରିଦିନ ଜ୍ୱରରେ ପୀଡିତ ହେବା ପରେ ରାମଦିନ୍ ସ୍ତ୍ରୀ ଫୁଲମତି ଓ ପୁଅକୁ ଧରି ରୋଜଗାର ଆଶାରେ ସହର ଭିତରକୁ ଚାଲିଆସିଲା। ବାଟରେ ଯାଗା ଯାଗାରେ ଘୋଡ଼ା ନାଚଖେଳ ସହ ମୁଣ୍ଡପୋତା ଖେଳ ଦେଖେଇଲା। କିଛି ଆୟ ମଧ୍ୟ ହେଲା। ଦୁନିଆ ବିଷୟରେ ଭଲଭାବେ ଜାଣି ନ ଥିବା ରାମଦିନ୍ ଭାବେ ଏଇଟା ବୋଧେ ସବୁଠୁ ଭଲଖେଳ। କେହି କେହି ଦେଖଣାହାରୀ ରାମଦିନ୍ର ମାଟିଧୂଳି ବୋଳା ଛିଣ୍ଡା କତରାଲୁଗା ମ୍ଲେଚ୍ଛ ଚେହେରାକୁ ଦେଖି କହନ୍ତି ଯୁଗ ଆସି କୋଉଠି ହେଲାଣି। ଇଏ ଗୋଟେ ମୁଣ୍ଡ ପୋତି ଭିକ ମାଗୁଛି। କୋଉଠୁ ଆସିଛନ୍ତି ଏ ଅଛବ ମଣିଷ ଗୁଡ଼ା କେଜାଣି। ସହରର ବାତାବରଣକୁ କଳୁଷିତ କରୁଛନ୍ତି। ଆଉ କେହି କେହି ଆହାଃ ଚୁ.....ଚୁ କହି ଟଙ୍କାଏ ଦି ଟଙ୍କା ଫୋପାଡ଼ି ଦେଇ ଯେଝା ବାଟରେ ଚାଲିଯାଆନ୍ତି।
ଗାତ ଭିତରେ ରାମଦିନ୍ର ମୁଣ୍ଡ ମାଟି ଘୋଡ଼ା ହୋଇ ଥିଲେ ମଧ୍ୟ ସେ ସବୁ କଥା ଶୁଣିପାରେ। ମାତ୍ର ପ୍ରତିବାଦ କରିବାର ଯୁ ତା'ର ନାହିଁ।
ଖେଳ ଦେଖେଇଲା ବେଳେ ଫୁଲମତି ଢ଼ୋଲକି ବଜାଏ, କିଛି ବୁଝି ନ ଥିବା ତା ପୁଅ ଷ୍ଟିଲ୍ ଥାଳିରେ ଗୋଟାଏ ବାଡ଼ିକୁ ଧରି ଡାଉଁ ଡାଉଁ କରି ପିଟେ। ଆଉ ମଝିରେ ମଝିରେ ଥାଳିକୁ ଧରି ଖେଳ ଚାରିପଟେ ଠିଆ ହୋଇଥିବା ଦେଖଣାହାରୀଙ୍କ ଠାରୁ ପଇସା ମାଗି ଆଣି ତା’ ମା’କୁ ବଢ଼େଇ ଦିଏ। ବଟମ ଛିଣ୍ଡିଯାଇଥିବା ପେଣ୍ଟର ହୁକକୁ ମୋଡ଼ି ଦେଇ ଅଣ୍ଟାରେ ଖୋସିଦିଏ।
ରାମଦିନ୍ ମନେ ମନେ ଭାବେ ଯୁଗ ବଦଳିଗଲାଣି ବୋଲି ବାବୁମାନେ କହୁଛନ୍ତି। କାଇଁ ତା’ର ତ କିଛି ବଦଳିଲାନି? ସେଦିନ ରାମଦିନ୍ ଭାବିଥିଲା ଏବେ ବୋଧେ ସରକାର ସେମାନଙ୍କ ପାଇଁ କିଛି କରିବ ଯେଉଁଦିନ ତା' ପାଖରେ ପହଞ୍ଚିଥିଲା ତା’ ଗାଁ ସରପଞ୍ଚ। ତା' ହାତରେ ଶହେ ଟଙ୍କା ଗେଞ୍ଜିଦେଇ କହିଥିଲା ଏଇଟା ତୋ ସ୍ତ୍ରୀର ଶାଢ଼ୀ। ନେ କାଲି ଇସ୍କୁଲକୁ ଯାଇ ଭୋଟ ଦେବୁ।
ଏକାବେଳେ ଶହେଟଙ୍କା ହାତରେ ଧରି ରାମଦିନ୍ର ଆଖି ଖୋସି ହେଇଗଲା। କହିଲା - ବାବୁ ମତେ କ'ଣ କରିବାକୁ ହବ। ସରପଞ୍ଚ ରାମଦିନ୍ର ସ୍ତ୍ରୀ ଆଡ଼େ ଗୋଟେ ରସିକପୂର୍ଣ୍ଣ ଠାଣିରେ ଅନେଇ କହିଲା କାଲିପରା ଭୋଟ। ତୁ ଆଉ ତୋ ସ୍ତ୍ରୀ ଭୋଟ ଦେବାକୁ ଯିବ। ଆମେ ସେଠାକୁ ଯାଇ କ'ଣ କରିବୁ ବାବୁ ପଚାରିଲା ରାମଦିନ୍। ଚଢ଼ାଗଳାରେ ସରପଞ୍ଚ କହିଲା - ହ୍ୟାପ, ମୂର୍ଖଙ୍କୁ ବୁଝେଇ ହବନି। ତୁ ତୋ ସ୍ତ୍ରୀ ସେଠାରେ ପହଞ୍ଚ। ମୁଁ - ସବୁ ବୁଝିଦେବି। ହଁ ମନେରଖ! ତୋ ସ୍ତ୍ରୀକୁ ଏ ନୂଆ ଶାଢ଼ୀଟା ପିନ୍ଧେଇ ନେଇ ଯିବୁ।
ସକାଳୁ ସକାଳୁ ରାମଦିନ୍ ଓ ତା’ସ୍ତ୍ରୀ ଭୋଟ ଦେବାକୁ ବାହାରି ପଡିଲେ। ସରପଞ୍ଚ ଦେଇଥିବା ଶାଢ଼ୀକୁ ଫୁଲମତି ପିନ୍ଧି ନିଜ ଚେହେରାକୁ ଆଗରୁ ପଛରୁ ପରଖି ନେଲା। ଫୁଲମତିକୁ ନୂଆ ଶାଢ଼ୀରେ ଦେଖି ରାମଦିନ କହିଲା ତୁ ଆଜି ଖୁବ୍ ସୁନ୍ଦର ଦୁଶୁଚୁ। ମୁଁ କ'ଣ ତତେ ଏତେ ଦାମୀ ଶାଢ଼ୀ ଦେଇପାରିଥାନ୍ତି? ସବୁ ସରପଞ୍ଚବାବୁଙ୍କ ଦୟା। ହଉ, ଏଥର ଚାଲ୍ ଯିବା କହି ପାଦ ବଢ଼େଇଲା ରାମଦିନ୍ ଭୋଟ କେନ୍ଦ୍ର ଆଡ଼େ ଆଉ ଫୁଲ ମତି ତା' ପଛେ ପଛେ।
ଭୋଟ କେନ୍ଦ୍ର ପାଖରେ ପହଞ୍ଚିଲା ରାମଦିନ୍ ଓ ତାର ସ୍ତ୍ରୀ, ଏମାନଙ୍କୁ ଦେଖି ସରପଞ୍ଚ ବାବୁଙ୍କ ଖୁସି କହିଲେ ନସରେ। ରାମଦିନ୍ ପାଖକୁ ଝପଟି ଆସିଲେ ସରପଞ୍ଚ ବାବୁ। କହିଲେ - ତୁ ତ ଜାତିରେ କେଳା ଲୋକ, ନିଶାପାଣି ତୋର ଅଭ୍ୟାସ। ନେ ଟିକେ ନେ। ତୁ ଏ ମାଲ ପାଇବୁ କୋଉଠୁ। ବିଦେଶୀ ମାଲ୍ ନା ଶୁଣି ରାମଦିନ୍ ପାଟିରୁ ଲାଳ ଗଡ଼ିଲା। ହଁ ... ନାଁ... ହେଇ ହେଇ ଦି ଗ୍ଲାସ୍ ଟେକି ଦେଲା ରାମଦିନ୍, ମାଲେଇ କଚ୍ଛାମରା ଅଣ୍ଟାରେ ଦୁଇହାତ ବାଡ଼େଇ ଆରମ୍ଭ କଲା ଘୋଡ଼ାନାଚ ଖେଳ। ଆଉ ନିଶାରେ ଖନେଇ ଖନେଇ କହିଲା ‘ଫୁଲମତି ତୁ ମୋ ଭୋଟଟା ଦେଇଦବୁ’। ତା ପରେ ଗଛ କାଟିଲା ଭଳି ଭୂଇଁରେ କଚାଡ଼ି ହେଇ ପଡ଼ିଲା। ନିଶା ଖସିଲା ବେଳକୁ ସେ ଥିଲା ନିଜ ଗାଁ ଚାଳିଆ ଘରେ।
ପାଖରେ ସ୍ତ୍ରୀ ଫୁଲମତି। ତା’ର କାନ୍ଦ କାନ୍ଦ ଚେହେରାରୁ କିଛି ଗୋଟେ ଅଘଟଣ ଘଟିଛି ବୋଲି ଆଉ ବୁଝିବାକୁ ବାକି ନ ଥିଲା ରମଦିନ୍ର। ଫୁଲମତିର ହାବଭାବ ଦେଖି ସେ ସବୁ ବୁଝିପାରିଲା। ଥରିଉଠିଲା ତା’ର ଦେହ। ବିଛଣାରୁ ଉଠିପଡ଼ି ସ୍ଖଳିଆ କାନ୍ଥରେ ଟଙ୍ଗା ହୋଇଥିବା ନାଉ ଧୁଡୁକିକୁ କାନ୍ଧରେ ଗଳେଇ ଖୁବ୍ ଯୋରରେ ବଜାଇଲା। ରାତି ପାହିବା ଆଗରୁ ସ୍ୱାମୀ, ସ୍ତ୍ରୀ ଦୁହେଁ ସବୁଦିନ ପାଇଁ ଗାଁ ଛାଡ଼ି ଚାଲିଆସିଲେ। ସେଦିନଠାରୁ ରାମଦିନ୍ ଧୁଡ଼ୁକି ନାଚ ବଦଳରେ ଦେଖାଉଛି ଘୋଡ଼ାନାଚ ଆଉ ତା' ସାଙ୍ଗକୁ ମୁଣ୍ଡପୋତା ଖେଳ।
ସଞ୍ଜ ହେବାକୁ ଘଡ଼ିଏ ବେଳଥାଏ। ଗୋଟାଏ କଲୋନୀ ପାଖରେ ଅଟକିଲା ରାମଦିନ୍। କଲୋନୀ ଶେଷରେ ଗୋଟାଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ରାତି ରହଣି ପାଇଁ ସେଇ ବାରଣ୍ଡାକୁ ନିରାପଦ ଆଶ୍ରୟ ସ୍ଥଳଭାବି ନେଲା। ସଞ୍ଜ ହେବା ପୂର୍ବରୁ ଏଇଠି ଖଣ୍ଡେ ଖେଳ ଦେଖେଇବାକୁ ନିଷ୍ପତ୍ତି ନେଲା ରାମଦିନ୍। ସହରର କଂକ୍ରିଟ୍ ଜଙ୍ଗଲରେ ମୁଣ୍ଡପୋତା ଖେଳ ପାଇଁ ଯାଗା କାହିଁ?
ତଥାପି କଲୋନି ମଝିରେ ଯାଇଥିବା କଂକ୍ରିଟ୍ ରାସ୍ତା କଡରେ ପରିସ୍କାର ଯାଗା ଦେଖି ଆରମ୍ଭ କଲା ଖେଳ। ସ୍ତ୍ରୀ ଫୁଲମତିକୁ ଢୋଲ ପିଟିବାକୁ ନିର୍ଦ୍ଦେଶ ଦେଲା। ପାଞ୍ଚବର୍ଷର ପୁଅ କାଲୁ ଆରମ୍ଭ କରିଦେଲା ମା ସଂଗେ ତାଳ ଦେଇ ଥାଳି ପିଟା। ରାସ୍ତାକଡ଼ରେ ଗାତ ଖୋଳିବା ଆରମ୍ଭ କଲା ରାମଦିନ୍। ଗାତରୁ ବାହାରିଥିବା ଦୁଇମୁଠା ମାଟିକୁ ଦେହରେ ମାଖି ତା କୋଥଳି ଭିତରୁ ବାହାର କଲା ଚୁମୁକି ଲଗା ନାଲି କପଡ଼ା ଗୁଡ଼ା ହୋଇଥିବା ଗୋଟିଏ ବଙ୍କା କାଠ ଖଣ୍ଡ। ରାମଦିନ୍ର ଭାଷାରେ ସେ ହେଉଛି ତାର ଘୋଡ଼ା। କାଠଖଣ୍ଡର ସାମ୍ନାଟି ଘୋଡ଼ାର ମୁହଁପରି ସଜା ହୋଇ ତୁଣ୍ଡି ଲାଗିଥାଏ। ଆଉ ପଛରେ କେରାଏ ଲାଂଜ। ଯାହାକି ଅଡ଼ିଆ ଚୁଟିରେ ତିଆରି ସମ୍ଭବତଃ।
କାଠ ଘୋଡ଼ାଟିକୁ ରାମଦିନ୍ ଦୁଇ ଜଙ୍ଘ ସନ୍ଧିରେ ପୂରାଇ ବାଁ ହାତରେ ଆଗକୁ ବାହାରିଥିବା ତା’ ବେକକୁ ଧରି ପିଚାରେ ହାତ ବାଡ଼େଇ ଆରମ୍ଭ କଲା ବାହା ପାରେ ... ବାହା ପାରେ। ତୁଇ ମୋର ତଟୁ ଘୋଡ଼ା। ମୋର ମେଲଟ୍ରି ଘୋଡ଼ା, ବାବୁମାନଙ୍କ ଦାଣ୍ଡରେ ଦୌଡ଼ିବୁ ଧୂଳି ଉଡ଼େଇ। ଖଣ୍ଡେ ଖେଳ ଦେଖେଇବୁ। ଆଉ କୁଦା ମାରି ମାରି କହୁଥାଏ - ବାବୁମାନେ, ମା’ମାନେ ଘୋଡ଼ାକୁ ଗଣ୍ଡେ ଖାଇବାକୁ ଦେବେ, ଖେଳଦେଖିବେ।
ବାସି ପଖାଳ, ସଜ ପଖାଳ ମାଡ଼ି ମୁଡ଼ି କୁନ୍ଦି କାନ୍ଦି କରିଦେବେ। ଅତ୍ୟାଧୁନିକ ସହର ବାସିନ୍ଦାଙ୍କ କଲୋନୀରେ କେଳାର ଏପରି ଖେଳ ଦେଖିବା ପାଇଁ ଅଟକି ଗଲେ କିଛି ସ୍କୁଲ ଫେରନ୍ତା ପିଲା ଓ ସେମାନଙ୍କୁ ଆଣିବା ପାଇଁ ଯାଇଥିବା ଗାର୍ଡ଼ିଆନ ମାନେ। ଗୁଡ଼ାଏ ଲୋକ ଏକାଠି ହେବା ଦେଖି ରାମଦିନ୍ର ଛାତି କୁଣ୍ଢେ ମୋଟ ହେଇଗଲା। ଏଥର ଘୋଡ଼ା ଦୌଡ଼ପରେ ଆରମ୍ଭ ହେଲା ବିଭିନ୍ନ ପ୍ରକାର ଆସନ। ଯୋଗ ବିଦ୍ୟାରେ ପଦ୍ମାସନ, ମତ୍ସାସନ, ଶୀର୍ଷାସନ ଇତ୍ୟାଦି। ପିଲାମାନଙ୍କୁ ହସାଇବା ପାଇଁ ମଝିରେ ମଝିରେ ରାମଦିନ୍ ନାକରେ ଶୁଖିଲା ଆମ୍ୱ ଟାକୁଆ, ଆଖିରେ କାଚନଥିବା ଚଷମା ଓ ମୁଣ୍ଡରେ ଜମ୍ୱୁରା କାଗଜ ଜରିରେ ତିଆରି ଟୋପି ଲଗାଇ ବିକୃତ ଅଙ୍ଗ ଭଙ୍ଗୀରେ ସେମାନଙ୍କ ମୁହଁ ଆଗରେ ମୁହଁ ହଲାଇ ନାଚୁଥାଏ। ପିଲାମାନେ ହସି ଉଠୁଥାନ୍ତି।
ଏହାପରେ ଆରମ୍ଭ ହେଲା ଅସଲ ମୁଣ୍ଡପୋତା ଖେଳ। ନିଜେ ଖୋଳିଥିବା ଗାତରେ ମୁଣ୍ଡ ପୂରାଇ ଆକାଶ ଆଡ଼େ ମୁହଁକରି ଚିତ୍ହୋଇ ଶୋଇପଡ଼ିଲା ରାମଦିନ୍। ଆଉ ଦୁଇ ହାତରେ ଘୋଡ଼େଇ ଚାଲିଲା ମାଟି। ମୁହଁକୁ ମାଟିରେ ଘୋଡ଼େଇ ସାରିବା ପରେ ଦୁଇ ହାତକୁ ଯୋଡ଼ି ଦର୍ଶକଙ୍କୁ ନମସ୍କାର କରିବା ସହ ନିଜର ଖାଙ୍କଡ଼ା ପେଟକୁ ଦେଖାଉଥାଏ। ଖେଳ ଶେଷ କରି ରାମଦିନ୍ ପେଡ଼ି ପୁଟୁଳି ବାନ୍ଧିଲା ବେଳକୁ ସନ୍ଧ୍ୟା ଆଗତ ପ୍ରାୟ। ଡାକ୍ତରଖାନା ବାରଣ୍ଡାରେ ରାତ୍ରୀ ଯାପନ ପାଇଁ ପସରା ମେଲିଲା ରାମଦିନ୍।
ଥକ୍କା ମାରି ବସିଥାଏ। ହଠାତ୍ ଜଣେ ଲୋକ ପହଞ୍ଚିଲେ ତା ପାଖରେ। ଆଶ୍ରୟ ନେଇଥିବା ଘରର ମାଲିକ ଭାବି ରାମଦିନ୍ ଜୁହାର ବାବୁ ବୋଲି କହିଲା। ଡରିଯାଇଥିଲା ରାମଦିନ୍, କାଳେ ବାବୁ ଜଣକ ତାକୁ ଏଠାରୁ ବାହାରି ଯିବାକୁ କହିବେ ସେଇ ଭୟରେ। ଲୋକ ଜଣକ ଏଥର କହିବା ଆରମ୍ଭ କଲା। ମୋର ତୁମ ସାହାଯ୍ୟ ଦରକାର ପ୍ରତିବଦଳରେ ମିଳିବ ପେଟପୁରା ଖାଦ୍ୟ। ମୋର କାମ କଣ ପଚାରିଲା ରାମଦିନ୍। କଲୋନୀ ମଝିରେ ମୁଁ ତୁମର ଘୋଡ଼ା ନାଚ ଦେଖି ସେତେବେଳଠୁ ଭାବୁଛି ତୁମେ ଏ କାମ କରିପାରିବ।
ବେଶୀ କିଛି ପରିଶ୍ରମ କାମ ନୁହେଁ। କଲୋନୀ ଶେଷ ମୁଣ୍ଡରେ ଥିବା ବଡ଼ବାବୁଙ୍କ ପୁଅ ଜନ୍ମଦିନ ଭୋଜିରେ କଣ୍ଢେଇ ଖୋଳ ପିନ୍ଧି ଠିଆ ହେବ। ଭୋଜି ସରିଗଲେ ତୁମେ ପେଟପୂରା ଖାଇବା ସହ ଘରକୁ ମଧ୍ୟ ଆଣିପାରିବ। ଭଦ୍ର ଲୋକଙ୍କ କଥାରେ ରାଜି ହେଲା ରାମ୍ଦିନ୍। ତା’ ପାଇଁ ଏ ଗୋଟେ ନୂଆ ଅନୁଭବ।
ରାମଦିନ୍ ଆଉ ସେ ଲୋକ କଥାବାର୍ତ୍ତା ଶୁଣି ଥକ୍କା ମରା ହୋଇ ବସିଥିବା ପୁଅ କାଲୁ ଉଠିପଡ଼ି କହିଲା ମୁଁ ବି ଯିବି ଭୋଜି ଖାଇବାକୁ। କାଲୁର ଆଗ୍ରହ ଦେଖି ରାମଦିନ୍ କହିଲା ଠିକ୍ ଅଛି। ମୁଁ ସେଠି ଥିବି। ତୁ ଗଲେ ମୁଁ ତୋ ଖାଇବା କଥା ବୁଝି ଦେବି। ଭଦ୍ର ଲୋକଙ୍କ ସହ ଚାଲିଲା ରାମଦିନ୍, ଗୋଟାଏ ସୁନ୍ଦର ପୁରୁଷ କେଣ୍ଢେଇ ଭିତରେ ପଶିଲା ରାମଦିନ୍। ଆଉ ତାକୁ କୁହାଗଲା ଏଠାକୁ ଆସୁଥିବା ସବୁ ଲୋକମାନଙ୍କୁ ନମସ୍କାର ହେବାକୁ। ଏକ ଅଜବ ଅନୁଭବରେ ଶୀହରି ଉଠୁଥାଏ ରାମଦିନ୍। ଚାରିଆଡ଼େ ରଙ୍ଗ ବେରଙ୍ଗର ଆଲୁଅ ସାଙ୍ଗକୁ ରାଜକୀୟ ଠାଣିରେ ସାଜସଜ୍ଜା।
କେତେ ବଡ଼ ବଡ଼ ନାମୀଦାମୀ ଗାଡ଼ିରୁ ବାବୁ ବାବୁଆଣୀମାନେ ଓହ୍ଲାଇ ଗେଟ୍ ଭିତର ଦେଇ ଯିବାବେଳେ ନିଦ୍ଦେର୍ଶ ମୁତାବକ ରାମଦିନ୍ ଦୁଇ ହାତ ଯୋଡ଼ି ନମସ୍କାର କରୁଥାଏ। ଘରମାଲିକ ଗେଟ୍ ସାମନାରେ ଠିଆ ହୋଇ ଅତିଥିମାନଙ୍କୁ ପାଛୋଟି ଆଣୁଥାନ୍ତି। ମହ ମହ ଅତର ବାସ୍ନାରେ ଫାଟି ପଡୁଥାଏ ରାମଦିନ୍ର ନାକ। କେଣ୍ଢେଇ ଖୋଳ ଭିତରୁ ଜୁଳୁଜୁଳୁ କରି ଦେଖୁଥାଏ ସେ। ତା’ପୁଅ କାଲୁ ବୟସର ପିଲାଟିଏ ନୂଆ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଗୋଟାଏ ରଜା ଆସନ ପରିକା ଚୌକିରେ ବସିଥାଏ। ଭୋଜିକୁ ଆସିଥିବା ବାବୁ, ବାବୁଆଣିମାନେ କ’ଣ ସବୁ ବଢ଼ାଇ ଦେଉଥାନ୍ତି ପିଲାଟି ହାତକୁ। ରାମଦିନ୍ର ଆଖି ଆଗରେ ନାଚି ଯାଉଥାଏ ତା’ ପୁଅ କାଲୁର ମୁହଁ। ସେମାନଙ୍କ ଭାଗ୍ୟରେ ଏସବୁ କାହିଁ?
ହଠାତ୍ ଘରମାଲିକ ଗେଟ୍ ସାମ୍ନାରେ ଆବିସ୍କାର କଲେ ଗୋଟେ ଛୋଟ ପିଲାକୁ। ମଇଳା ପୋଷାକ ସାଙ୍ଗକୁ ଅଯତ୍ନ ବର୍ଦ୍ଧିତ କେଶରାଶି। ରାମଦିନ୍ ତା ପୁଅକୁ ଦେଖିଲା। ଆଲୁଅ, ଦାମିଗାଡ଼ି, ଲୋକବାକ ଗହଳି ଚହଳିରେ ଚାରିଆଡ଼କୁ ଚାହିଁ ବାପାକୁ ଖୋଜୁଥାଏ ଆଖି ବୁଲେଇ। କିଛି ବୁଝିବା ଆଗରୁ ତଳେ କଚାଡ଼ି ହୋଇ ପଡ଼ିଲା କାଲୁ। ତା’ପରେ ଆରମ୍ଭ ହେଇଗଲା ମାଡ଼। ଭୋଜି ଖାଇବା ଆଶା ମଉଳିଗଲା କାଲୁର। କାନ୍ଦି କାନ୍ଦି ଫୁଲମତି ପାଖକୁ ଫେରିଆସିଲା କାଲୁ। ଫୁଲମତି ବୁଝାଇଲା କାଲୁକୁ। ତୁ ତୁନି ହୋଇଯା, ଶୋଇପଡ଼, ତୋ ବା’ ନିଶ୍ଚୟ ତୋ ପାଇଁ ଖାଇବାକୁ ଆଣିବ।
ବିଚାରା ରମଦିନ୍। ତା’ ଆଖି ସାମ୍ନାରେ ଘର ମାଲିକ କାଲୁକୁ ପିଟୁଥିବା ବେଳେ ସେ କେବଳ ନିରବ ଦ୍ରଷ୍ଟା ସାଜିଥିଲା। ପ୍ରତିବାଦ କରିପାରି ନ ଥିଲା। ପିତୃତ୍ୱ ତା'ର ବିଳପି ଉଠିଲା। ଆଖିତାର ଭିଜିଗଲା। କଣ୍ଢେଇ ଖୋଳ ଭିତରେ ଥାଇ ନିଜର ଲୁହ ଆଉ କୋହକୁ ଚାପିରଖିଲା ରାମଦିନ୍। ଧୀରେ ଧୀରେ ରାତିର ବୟସ ବଢ଼ିବାକୁ ଲାଗନ୍ତେ ଗହଳି ଚହଳି କମିଗଲା। କେହି ଜଣେ ରାମଦିନ୍କୁ ନିଦ୍ଦେର୍ଶ ଦେଲେ। ତୋ କାମ ସରିଲା। ଖାଇବୁ ଆ। ଦୀର୍ଘ ଚାରିଘଣ୍ଟା ହେବ ମଣିଷରୁ କେଣ୍ଢେଇ ମଣିଷ ପାଲଟିଥିବା ରାମଦିନ୍ ଝାଳରେ ଗୋଟାପଣେ ଗାଧୋଇ ପଡ଼ିଥିଲା। ଲଥ୍ କରି ଗୋଟାଏ କଡ଼କୁ ବସିପଡ଼ିଲା ରାମଦିନ୍।
ଗାମୁଛାରେ ପୋଛି ପାଛି ହୋଇ ସାଷ୍ଟମ୍ ହେଲା। ତା’ପରେ ଜଣେ ବାବୁ ଆଠ/ଦଶଟି ପଲିଥିନ୍ ଜରିରେ ବିଭିନ୍ନ ରକମର ଖାଦ୍ୟ ଆଣି ରାମଦିନ୍ ହାତକୁ ବଢ଼େଇ ଦେଲେ। ଏଥର ଖା, ନହେଲେ ନେଇକି ଯାଆ। ପୁଅ କାଲୁର କାନ୍ଦ କାନ୍ଦ କରୁଣ ମୁହଁଟି ନାଚିଉଠିଲା ରାମଦିନ୍ ଆଖି ଆଗରେ। ଖାଦ୍ୟ ଜରିତକ ଧରି ଅନ୍ଧାର ଆଡ଼େଇ ଡାକ୍ତରଖାନା ବାରଣ୍ଡାରେ ପହଞ୍ଚିଲା। ବାରଣ୍ଡାକୁ ଲୁଗା କାନିରେ ଝାଡ଼ିଦେଇ ମହମବତୀ ଲଗେଇଲା ଫୁଲମତି। ପୁଅକୁ ନିଦରୁ ଉଠେଇ କହିଲା ଉଠ୍ ତୋ ବା ତୋ ପାଇଁ କେତେକଥା ଆଣିଚି ଖାଇବା ପାଇଁ। ବା ନାଁ ଶୁଣି ଧଡ଼ପଡ଼ ହୋଇ ଉଠି ପଡ଼ିଲା କାଲୁ।
ନିଦ ମଳମଳ ଆଖିରେ ବା ମୁହଁକୁ ଅନେଇ ଯୋର୍ରେ କାନ୍ଦିବାକୁ ଲାଗିଲା। ପୁଅକୁ କୋଳରେ ଧରି ତୁନି କରାଇବା ସହ ଜରିରେ ଥିବା ଭୋଜିଭାତକୁ ଖୋଲି ଥୋଇଦେଲା। ଏଥର କାଲୁର ଆନନ୍ଦ କହିଲେ ନସରେ। ରାମଦିନ୍ର ଭୋକ ବତୁରା ଆଖିରୁ ଖସି ପଡ଼ୁଥିଲା ବୁନ୍ଦା ବୁନ୍ଦା ଲୁହ। ଆଉ ସେ ଭାବୁଥିଲା ଆଜିର ସମାଜରେ ସେମାନଙ୍କର ଦାମ୍ କେତେ ଆଉ ଇଜ୍ଜତ୍ କେତେ।
ଥାନୁଆଳ, ହରିଦାସପୁର
ଯାଜପୁର, ମୋ-୯୪୩୮୪୧୬୨୩୫