ସେହି ଝଡ଼, ଆଜି ପୁଣି ମୃଦୁ ମଳୟ

ବହୁଦିନ ପରେ ଆଦ୍ୟା ସହ ଭେଟ ହେଲା । ସେ ମୋତେ ହିଁ ଦେଖା କରିବାର ଅଭିପ୍ରାୟରେ ବୋଧେ ଆସିଥିଲା । ମୁଁ ଘରେ ଥିଲି । ସକାଳ ୧୦ ଟା ହେବ । ସେଦିନ ରବିବାର । ମୋ ଅଫିସ୍‌ ବି ନଥିଲା । ନିତ୍ୟକର୍ମ ସାରି ଖବରକାଗଜ ପଢୁଥିଲି। ଘରର କଲିଂ ବେଲ୍‌ ଶୁଣି କବାଟ ଖୋଲିଲି । ଯାହା ଦେଖିଲି ବିଶ୍ୱାସ କରିପାରିଲିନି। ଆଦ୍ୟା ମୋ ସାମ୍ନାରେ। ହଠାତ୍ ୧୨ ବର୍ଷ ପରେ […]

p444

p444

Puspanjali Panda
  • Published: Sunday, 10 November 2019
  • Updated: 10 November 2019, 03:53 PM IST

Sports

Latest News

ବହୁଦିନ ପରେ ଆଦ୍ୟା ସହ ଭେଟ ହେଲା । ସେ ମୋତେ ହିଁ ଦେଖା କରିବାର ଅଭିପ୍ରାୟରେ ବୋଧେ ଆସିଥିଲା । ମୁଁ ଘରେ ଥିଲି । ସକାଳ ୧୦ ଟା ହେବ । ସେଦିନ ରବିବାର । ମୋ ଅଫିସ୍‌ ବି ନଥିଲା । ନିତ୍ୟକର୍ମ ସାରି ଖବରକାଗଜ ପଢୁଥିଲି।

ଘରର କଲିଂ ବେଲ୍‌ ଶୁଣି କବାଟ ଖୋଲିଲି । ଯାହା ଦେଖିଲି ବିଶ୍ୱାସ କରିପାରିଲିନି। ଆଦ୍ୟା ମୋ ସାମ୍ନାରେ। ହଠାତ୍ ୧୨ ବର୍ଷ ପରେ ଭେଟ । ସେ ବି ମତେ ଦେଖି କ’ଣ କହିବ କିଛି ଭାବିପାରିଲାନି । ସେ କେମିତି ପଚାରି ପଚାରି ମୋ ଠିକଣା ପାଇଲା , ମୁଁ ସେକଥା ଭାବି ଆଶ୍ଚର୍ଯ୍ୟ ହେଉଥିଲି ।

ସେଦିନର ସେହି ଆଦ୍ୟା, ଏବେବି ସେଭଳି ଲାଗୁଥିଲା । ବୟସ ଯେମିତି ତାକୁ ଛୁଇଁପାରିନି । ସେମିତି ୧୮ ବର୍ଷରେ ରହିଯାଇଛି । ଗୋରା ତକ୍ ତକ୍ ଦେହରେ ନୀଳ ରଙ୍ଗର ଶାଢି ଖୁବ୍ ମାନୁଛି ତାକୁ । କହିଲା , ମୋତେ ଘରକୁ ଡାକିବନି । ମୁଁ କହିଲି ହଁ । ଆସେ । ସେଦିନର ସେହି ଆଦ୍ୟା ଯେମିତି ଲାଗୁଥିଲା ବଦଳିନି । ସେଭଳି ମଜାଳିଆ କଥା । ଆଉ ହସ ହସରେ ମନ ମୋହିଥିବା ମୁହଁଟିକୁ ତା’ର ଦେଖିଲେ ମନରୁ ସବୁ ରାଗ ଅଭିମାନ ଦୂରେଇ ଯାଏ ।

ଘର ଭିତରକୁ ଆସିଲା ଆଦ୍ୟା । ମୋ ଡ୍ରଇଂ ରୁମ୍‌ରେ ସୋଫା ଉପରେ ବସିଲା । ମୁଁ ବି ମନେ ମନେ ଭାବୁଥାଏ କଥା କୋଉଠୁ ଆରମ୍ଭ କରିବି ।

ମୁଁ କିଛି କହିବା ପୂର୍ବରୁ କହିଲା, ମୋ ଉପରେ ରାଗିଛ । ଭାବିଥିଲ ଭୁଲି ଯାଇଥିବି । ତୁମକୁ କିଏ ଭୁଲିବ ଯେ । ଏମିତି ସବୁ ତାର ଚିରାଚରିତ ଢଙ୍ଗରେ କହିଚାଲିଥାଏ । କହିଲା , ତମେ ସବୁ ଅତୀତର ସ୍ମୃତିକୁ ନେଇ ଭଲ ଏବେ ଲେଖା ଲେଖି କରୁଛ । ଗଳ୍ପ,କବିତା ସବୁ ପଢ଼େ ତୁମର ।

ମୁଁ ଆଦ୍ୟାଠୁ କଥା ଛଡେଇ ନେଇ ପଚାରିଲି , ଖାଲି ପଢ଼...। ମୋ ପାଟିରୁ କଥା ଛଡେଇ ନେଇ ସେ କହିଲା , ନିଜକୁ ଖୋଜେ ତା ଭିତରୁ । ନିଜକୁ ଆବିଷ୍କାର କରେ ନୂଆ ରୂପରେ ।

ଆଦ୍ୟା ଏମିତି ଗପି ଚାଲିଥିଲା ମୁଁ କ’ଣ କହିବି କିଛି ଭାବିପାରୁନଥିଲି । ୧୨ ବର୍ଷ ପରେ ହଠାତ୍ ଭେଟ , ଆଉ ସେମିତି କଥା ବାର୍ତ୍ତା ଯେମିତି ସେ ୧୨ ବର୍ଷ ପୂର୍ବେ କହୁଥିଲା । ଯେମିତି ମୁଁ ଭାବିଲି ସମୟ ବଦଳିଯାଇଛି । ସେ ବଦଳିନି । ମୋତେ କହିଲା - ଭାବୁଛ ମୁଁ କେମିତି ତୁମକୁ ଦେଖାକରିବାକୁ ଆସିଲି । ଆସିବାକୁ ବାଧ୍ୟ ହେଲି । ସେଦିନ ମୁଁ ତୁମକୁ ପଚାରିଥିଲି ମୁଁ ତୁମଠାରୁ କେତେ ଦୂରରେ । ତମେ ଉତ୍ତରରେ କହିଥିଲ , ନିଃଶ୍ୱାସ ମୋ ଠାରୁ ଯେତିକି ଦୂର , ମୁଁ ତୁମ ଠାରୁ ସେତିକି ଦୂର। ସେଦିନ ମୁଁ ବୁଝି ପାରିନଥିଲି । ହେଲେ ଆଜି ବୁଝିପାରିଛି । ଆଉ ତାର ପ୍ରାୟଶ୍ଚିତ ପାଇଁ ଧାଇଁ ଆସିଛି ।
ହଠାତ୍ କାନ୍ଦି ପକାଇଲା ଆଦ୍ୟା । ସେଦିନ ତୁମ ହାତ ଛାଡି ଦେଇ ମୁଁ କେଉଁ ଭୁଲ୍ କରିଛି , ତା ଆଜି ଭୋଗୁଛି । ମୁଁ ପଚାରିଲି କ’ଣ ହୋଇଛି ଆଦ୍ୟା । ସେ କହିଲା , ଆଉ କହି ଲାଭ କଣ । ତୁମ ଦୁନିଆ ମୋ ଦୁନିଆ ଏବେ ବହୁତ ଅଲଗା । ଜାଣିଛ ଆଦିତ୍ୟ ମୁଁ ସେଦିନ ବିବାହ କରିବା ବଦଳରେ ଘର ଛାଡି ପଳାଇଥିଲି । ଆଉ ଘରକୁ ଫେରିନଥିଲି । ତୁମକୁ ସେଦିନ ମନା କରି ମୁଁ ଦୁଃଖ ଦେଇଥିଲି । ପଛରେ ମୁଁ ଅନୁତପ୍ତ ହେଲି । ତୁମ ସରଳ ମନରେ ମୁଁ ଦୁଃଖ ଦେବାଟା ଠିକ୍ ହେଲାନି ଅନୁଭବ କଲି । ଆଉ ତୁମ ପାଖକୁ ଫେରିବାକୁ ସାହାସ କରିପାରିଲିନି।

ଆଦ୍ୟାକୁ ଦେଖିଲା ପରେ ମୁଁ ବର୍ତ୍ତମାନ ଓ ଅତୀତ ଭିତରେ ଗୋଟେ ଅଜଣା ଯୁଦ୍ଧକୁ ଲକ୍ଷ୍ୟ କରୁଥିଲି । ମୋର ଅତୀତ ପୃଷ୍ଠା ଓଲଟାଇଲି । ଏଇ ଆଦ୍ୟା ଥିଲା ଦିନେ ମୋର ପିଲା ଦିନର ସାଥି । ଆମ ଘର ଗାଁ ମୁଣ୍ଡରେ , ତାଙ୍କର ତଳ ସାହିରେ । ଏକା ସାଥିରେ ଅଙ୍ଗନବାଡ଼ି ଯାଇଛୁ , ଖଡି ଛୁଇଁଛୁ । ତାପରେ ସ୍କୁଲ୍ କଲେଜ ସବୁ ଏକାଠି। ସ୍କୁଲରେ ବୋହୂ ଚୋରୀ ଖେଳ ଆମ ଦୁହିଁଙ୍କର ଖୁବ୍ ପ୍ରିୟ ଥିଲା । ସବୁ ବେଳେ ସେ ମୋର ବୋହୂ ସାଜିବାକୁ ଅଳି କରୁଥିଲା । ମୁଁ ବରକୋଳି ଖାଇବାକୁ ଭଲପାଏ ବୋଲି ସେ ନିତି ତାଙ୍କ ବାଡିରୁ ବର କୋଳି ମୋ ପାଇଁ ଆଣୁଥିଲା । ମୋ ଦେହ ଖରାପ ହେଲେ ମୁଁ ସ୍କୁଲ୍ ବନ୍ଦ କଲେ ସେ ବି ଘରେ ରହିଯାଉଥିଲା । ଆଉ ଏଥିପାଇଁ ସେ ଘର ଲୋକଙ୍କ ଠାରୁ କମ୍ ଗାଳି ଖାଇନି ।

ଆମ ଭିତରର ବନ୍ଧୁତା ଧିରେ ଧିରେ ଭଲ ପାଇବା ଆଡକୁ ଗତି କରିଥିଲା । ଯେତେବେଳେ ଆମେ ଦୁହେଁ ହାଇସ୍କୁଲ ଡେଇଁ କଲେଜ ଗଲୁ, ଆମ ଭିତରେ ନୂଆ ରୂପ ନେଲା ପ୍ରେମ । ପରସ୍ପରକୁ ଏବେ ଭିନ୍ନ ରୂପରେ ଚିହ୍ନିଲୁ । ବନ୍ଧୁତା ବଦଳି ଗଲା ପ୍ରେମରେ , ଯେବେବେଳେ ଭାବିଲୁ ଆମେ କେହି କାହାକୁ ଛାଡି ବୋଧେ ରହିପାରିବୁନି । ବାସ୍ ଆରମ୍ଭ ହୋଇଗଲା ପ୍ରେମ ।

ମନରେ ନୂଆ ସ୍ୱପ୍ନ ତିଆରି କଲୁ । ଦିନ ବିତି ଚାଲିଲା । ପ୍ଲସ୍ ୩ ଫାଇନାଲ୍ ପରୀକ୍ଷା ପାଖେଇ ଆସୁଥିଲା । ଆମ ବିଷୟରେ ଆଦ୍ୟାର ଘର ଲୋକେ ଜାଣିଗଲେ , ଆମ ଭିତରର ବନ୍ଧୁତା ପ୍ରେମ ପାଲଟି ଯାଇଛି । ସେତେବେଳେ ବିରୋଧ କଲେ । ଆଦ୍ୟାକୁ ଗାଳି ଦେଲେ । ଆଦ୍ୟା ଆଉ ପରୀକ୍ଷା ଦେଲାନି ।

ଶେଷ ଥର ପାଇଁ ଆଦ୍ୟା ମତେ ଗାଁର ଶିବ ମନ୍ଦିର ପାଖରେ ଭେଟି ଶୁଣାଇଦେଲା ତା ଜୀବନର ଶେଷ ନିଷ୍ପତ୍ତି । ମତେ ଭୁଲି ଯାଅ ଆଦିତ୍ୟ । ବାସ୍ ତାପରେ ...ଏ ଆକାଶଟା ଯେମିତି ମୋ ଉପରେ ଛିଣ୍ଡି ପଡିଲା ଭଳି ଲାଗୁଥିଲା ସେଦିନ..... ।

ମୁଁ ଅତୀତର ସେହି ଅପାଶୋରା ସ୍ମୃତି ଭିତରେ ହଜି ଯାଇଥିଲି । ଆଦ୍ୟାର ଡାକରେ ପ୍ରକୃସ୍ଥିତ ହେଲି । କହିଲି, ହେଲେ ଏତେ ବର୍ଷ ପରେ ... । ଭାବିଥିଲି ଜୀବନକୁ ସେମିତ ଏକାଏକା କଟେଇ ଦେବି । ହେଲେ ପାରିଲିନି । ମତେ ଲାଗିଲା ତମେ ମୋତେ ଖୋଜୁଛ । ମୁଁ ବାଧ୍ୟ ହେଲି ଆସିବାକୁ । ଏବେ ଭାବୁଛି ଭୁଲ କରିଛି । ପୁଣି ତୁମ ଦୁନିଆରେ ନିଆଁ ଲଗେଇବାକୁ ଚାହେଁନି ।

ଆଦ୍ୟା ଆଖିରେ ଲୁହର ଧାରା । ଛୋଟ ପିଲାଙ୍କ ଭଳି ହାତରେ ଲୁହ ପୋଛି ପଚାରିଲା ଆଦିତ୍ୟ ତୁମର ଘରଣୀ ? ଆଦ୍ୟା ଏତିକି କହି ରହିଗଲା । ମୁଁ ଅନୁଭବ କରୁଥିଲି ତା ହୃଦୟ ଯେମିତି ଦୁଃଖରେ ଭରିଯାଇଛି । ମୁଁ କହିଲି । ତୁମଠୁ ମୁଁ ଯେମିତି ଦୂର , ଘରଠୁ ଘରଣୀ ସେତିକି ଦୂର । ସେ ହସିଲା । ବୋଧେ ସବୁ ବୁଝିପାରିଥିଲା , ମୁଁ ଏକା ରହିଛି । ଖୁସିରେ ମୋତେ କୋଳେଇ ନେଲା । କହିଲା ଆଦି, ଆଇ ଲଭ୍ ୟୁ । ମୁଁ କେବେବି ତୁମକୁ ଆଉ ଛାଡିଯିବି ନାହିଁ ।

ମୁଁ ଭାବୁଥିଲି ,କ’ଣ କହିବି ଆଦ୍ୟାକୁ । ଦିନେ ମୃଦୁ ମଳୟ ହୋଇ ଆସିଥିଲା , ଝଡ ହୋଇଚାଲିଗଲା । ଆଉ ଆଜି ସେହି ଝଡ , ପୁଣି ମୃଦୁ ମଳୟ ....।

ପ୍ରଦେଶ ପ୍ରତ୍ୟୁଷ   

କୁରୁମଟାଙ୍ଗର
ମହୁଲପଡ଼ା
ଢେଙ୍କାନାଳ
ଫୋନ୍‌ : 9853609205

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos