ହାତରେ ଖଣ୍ଡେ କାଗଜ ଧରି ଠିକଣାଟା ପଚାରି ପଚାରି କାର୍ତ୍ତିକ ପହଞ୍ଚିଲା ଗୋଟିଏ ଘର ସାମ୍ନାରେ। କଲିଂବେଲ ବଜାଇବାକୁ ହାତ ବଢ଼େଇଛି କି ନାଇଁ ଭିତରୁ ଜଣେ ସ୍ତ୍ରୀଲୋକଙ୍କ ସ୍ୱର ଶୁଭିଲା, ଭିତରକୁ ଆସ। ବାହାରେ କାହିଁକି ଏମିତି ଛିଡ଼ା ହୋଇଛ ବାବା। ଜାଲି କବାଟକୁ ଠେଲି ଭିତରକୁ ଗଲା କାର୍ତ୍ତିକ। ତା’ ସାମ୍ନାରେ ଜଣେ ବୃଦ୍ଧା। ହସ ହସ ମୁହଁ। କାର୍ତ୍ତିକ ହାତ ଯୋଡ଼ିବା କ୍ଷଣି କହିଲେ, ତୁମେ ବସ। ସେଇ ନୀଳ ଚୌକିରେ ବସ ବାବା। ଇଏ ଗଲା ପରଠାରୁ ସେ ଚୌକିଟା ଖାଲି ପଡ଼ିଛି। କାର୍ତ୍ତିକ ଟିକିଏ ଶଙ୍କିଗଲା। ଏମିତି ଅଜଣା ଲୋକ ହଠାତ୍ ଏତେ ଆତ୍ମୀୟତା ଦେଖାଇବାର କାରଣ ଖୋଜି ପାରିଲାନି। କିଛି ମନ୍ଦ ଉଦ୍ଦେଶ୍ୟ ନାଇଁ ତ !
ଘରେ କେବଳ ସେ ମହିଳା ଜଣକ ଅଛନ୍ତି। ଆଉ କେହି ତା’ର ଦୃଷ୍ଟିଗୋଚର ହେଉନାହାନ୍ତି। ତରତର ହୋଇ କେମିତି ସେ ପ୍ୟାକେଟଟା ଦେଇ ଚାଲିଯା’ନ୍ତା କି ! କିନ୍ତୁ ବୃଦ୍ଧା ଜଣକ ତା’କୁ ବସାଇ ଦେଇ କୁଆଡେ଼ ଚାଲିଗଲେ। ସେଇ ନୀଳ ଚୌକିଟା ଉପରେ ବସି ଆଖି ବୁଲାଇ ଆଣିଲା କାର୍ତ୍ତିକ। ଏକ ସାଧାରଣ ଘର, ମଧ୍ୟବିତ୍ତ ଶ୍ରେଣୀର ପରିବାର ବୋଲି ଅନୁମାନ କରିସାରିଥିଲା। କାନ୍ଥରେ କିଛି ସୁନ୍ଦର ଚିତ୍ର। ଖୁବ୍ ଜୀବନ୍ତ ଲାଗୁଥିଲେ ସେ ଚିତ୍ର ସବୁ; ସତେ ଯେମିତି କିଏ ଖୁବ୍ ମନ ଦେଇ ଆଙ୍କିଛି ସେସବୁକୁ ଜୀବନ୍ୟାସ ଦେବା ଉଦ୍ଦେଶ୍ୟରେ। ଘରର ଗୋଟିଏ କୋଣରେ ଏକ ବଡ଼ ଫୁଲଦାନୀ ଓ ସେଥିରେ ପ୍ଲାଷ୍ଟିକ୍ ଫୁଲ-ବିଭିନ୍ନ ରଙ୍ଗର। ଛୋଟ ଏକ ଟେବୁଲ ଉପରେ ଏକ ଟେବୁଲ ଲ୍ୟାମ୍ପ ଓ ଥାକ ଥାକ ସାଇତା ବହିସବୁ। ଘରଟା ଖୁବ୍ ସଫା ସୁତୁରା ଥିଲା। ଏ ବୃଦ୍ଧା ଏ ବୟସରେ ଏତେ କାମ କରିପାରୁଥିବେ ? ଟିକିଏ ଆଶ୍ଚର୍ଯ୍ୟ ହେଲା କାର୍ତ୍ତିକ। କିନ୍ତୁ ଏ ପ୍ୟାକେଟରେ କ ଥିବା ସାର୍ଟିଫିକେଟ୍ ସବୁରେ ଜୟଶ୍ରୀ ସ୍ୱାମୀନାଥନ୍ ଲେଖାହୋଇଛି। ତେବେ ସେ କିଏ ? ମହିଳା ଜଣକ ଆସିଲେ ସେ ପଚାରନ୍ତା।
କିଛି ସମୟ ପରେ ବୃଦ୍ଧା ଜଣକ ହାତରେ ଗୋଟିଏ କୋଲଡ଼ବୁର କଫି ଗ୍ଲାସ ଧରି ଆସିଲେ। କାର୍ତ୍ତିକ ଯିବାପାଇଁ ଉଦ୍ୟତ ହେଉଥିଲା। ମାତ୍ର ମହିଳା ଜଣକ ସେତକ ପିଇଦେଇ ଯିବାକୁ କହିଲେ। କୋଲଡ଼ କଫି ଏମିତିରେ ବି ତା’ର ଖୁବ୍ ପ୍ରିୟ। କିନ୍ତୁ ଏ ବୃଦ୍ଧା ଜଣକ କେମିତି ଜାଣିଲେ ? କାର୍ତ୍ତିକ ପ୍ୟାକେଟଟା ତାଙ୍କ ହାତକୁ ବଢ଼େଇ ଦେଇ କହିଲା ଏଥିରେ ଥିବା ସାର୍ଟିଫିକେଟ ଉପରେ ଯେଉଁ ନାଁ ଲେଖାହୋଇଛି ? ବୃଦ୍ଧା ଜଣକ କହିଲେ, ହଁ, ହଁ ସେ ମୋ ନାତୁଣୀ। ମୋ ଜୟା। ତୁମର ମଙ୍ଗଳ ହେଉ ବାବା।
ଏସବୁ ଖୋଜି ଖୋଜି କେତେ ହଇରାଣ ହେଲାଣି ମୋ ଜୟା। କାର୍ତ୍ତିକ ସୌଜନ୍ୟତା ଦୃଷ୍ଟିରୁ କହିଲା - ହଇରାଣ କିଛି ନୁହେଁ। ଭୁଲ୍ରେ ଏସବୁ ଆମ ଘର ଠିକଣାରେ ଆସିଥିଲା ତ ମୋ ଆମ୍ମା ଏସବୁ ଫେରାଇ ଦେବାକୁ ପଠେଇଥିଲେ। ପ୍ରକୃତରେ ମୁଁ ଜାଣିଶୁଣି ପ୍ୟାକେଟଟାେ ଖୋଲିନି। ମୋ ପାଖକୁ ଆସିଛି ଭାବି ଖୋଲିଦେଲି। ଭାଗ୍ୟବଶତଃ ଭିତରେ ଆପଣଙ୍କର ଠିକଣା ଥିଲା। ତେଣୁ ଦେବାକୁ ଚାଲିଆସିଲି। ବୃଦ୍ଧା ଜଣକ କାର୍ତ୍ତିକର ମୁଣ୍ଡକୁ ଆଉଁସିଦେଲେ। ମୋତେ ଆମାମ୍ମା କହିବ ବାବା। ମୁଁ ବି ତ ତୁମର ଆଈ ଭଳିଆ। ଏତେ ଆତ୍ମୀୟତା କାର୍ତ୍ତିକକୁ ଏକ ଅପ୍ରୀତିକର ପରିସ୍ଥିତିରେ ପକାଇ ଦେଇଥିଲା। ହାତ ଯୋଡ଼ି ସେଠାରୁ ବିଦା ନେବାକୁ ଉଠିଲା। ପଛରୁ ବୃଦ୍ଧା ଜଣକ ଡାକ ଦେଲେ - ତୁମ ଫୋନ୍ ନମ୍ୱରଟା ଦେଇ ଥାଅ ବାବା। ମୋ ଜୟା ଆସିଲେ ତୁମକୁ ଧନ୍ୟବାଦ ଦେବାପାଇଁ ଅନ୍ତତଃ କଲଟିଏ ତ କରିପାରିବ। ଦ୍ୱିଧା ସତ୍ତ୍ୱେ କାର୍ତ୍ତିକ ନିଜ ନମ୍ୱରଟା ଆମାମ୍ମା ହାତକୁ ବଢ଼ାଇଦେଲା।
ସନ୍ଧ୍ୟାବେଳେ କାର୍ତ୍ତିକକୁ ଗୋଟିଏ ଫୋନ୍ ଆସିଲା। ଓଃ, ସକାଳେ ଯେଉଁ ଝିଅର ପ୍ୟାକେଟଟାଆା ସେ ଫେରାଇବାକୁ ଯାଇଥିଲା। କିଛି ସାଧାରଣ କଥାବାର୍ତ୍ତା। ଜାଣିବାକୁ ପାଇଲା ଝିଅଟି ବିଶ୍ୱବିଦ୍ୟାଳୟରେ ଲାଇବ୍ରେରୀଆନ୍ । ଭଲ କଥା। କାର୍ତ୍ତିକ ପଢ଼ିବାକୁ ଭଲ ପାଏ। ତେବେ ଏ ଝିଅ ମାଧ୍ୟମରେ କିଛି ଭଲ ବହି ପଢ଼ିବାକୁ ପାଇଯିବ। ଖାଇଲା ବେଳେ ତା’ ଅନ୍ୟମନସ୍କତାକୁ ଠଉରେଇ ତା’ ଆମ୍ମା ପଚାରିଲେ କ’ଣ ହୋଇଛି?
ସକାଳେ ଯେଉଁ ଝିଅକୁ ପ୍ୟାକେଟଟା ଫେରାଇବା ପାଇଁ ଯାଇଥିଲି, ସେ ଫୋନ୍ କରିଥିଲା। ଖୁବ୍ ଚିହ୍ନା ଚିହ୍ନା ଲାଗୁଥିଲା ତା’ ସ୍ୱର, ଯେମିତି ପୂର୍ବରୁ ଅନେକଥର ମୁଁ ଶୁଣିଛି ତା’ କଣ୍ଠସ୍ୱର। ସେଦିନ ତା’ ଆମାମ୍ମାର ବ୍ୟବହାର, ତାଙ୍କ ମୁହଁକୁ ଦେଖି ଲାଗିଲା, ମୁଁ ସ୍ୱପ୍ନରେ ଏସବୁ ଦେଖିଛି। କାର୍ତ୍ତିକ ମୁହଁରେ ଭ୍ରୁକୁଞ୍ଚନ ଦେଖି ତା’ ଆମ୍ମା କହିଲେ, ଏମିତି ହୁଏ। ବେଳେବେଳେ ସେମିତି ଲାଗେ। ତୁ ଜମାରୁ ବ୍ୟସ୍ତ ହୁଅନି ପୁଅ। ଖାଇଦେ। କେବେ ସମୟଦେଖି ଯିବା ତାଙ୍କ ଘରପଟେ, କାଳେ ଆମର କୋଉ ଦୂର ସଂପର୍କୀୟ ହୋଇଥିବେ ! କାର୍ତ୍ତିକ ହଁ କହି ନିଜ ଖାଇବା ସାରିଲା। ପରଦିନ ହିଁ ଦେଖା ହୋଇଗଲା ଆମାମ୍ମା ଓ ଜୟଶ୍ରୀ ସହ। ଯଦିଓ ଜୟଶ୍ରୀକୁ କାର୍ତ୍ତିକ ସିଧାସଳଖ ଦେଖିନଥିଲା। ତଥାପି ସେଇ ପ୍ୟାକେଟର। ପ ପାସପୋର୍ଟ ଫଟୋକୁ ଦେଖି ଜାଣିପାରିଲା। ତା’ ଆମାମ୍ମା ସହ ସପିଙ୍ଗ ମଲକୁ ସେ ଯାଇଥିଲେ ଓ ସେଇଠି ଏଲିଭେଟରକୁ ଦେଖି ଆମମ୍ମାଙ୍କ ଡର ହିଁ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଜୟା ପାଖରେ ଛିଡ଼ା ହୋଇ ସାହାସ ଦେଉଥିଲା, ତଥାପି ଆମାମ୍ମା ନାରାଜ୍। ସେ ଚଢ଼ି ପାରିବେନି ବୋଲି ଏକା ଜିଦି। କାର୍ତ୍ତିକ ପାଖକୁ ଗଲାରୁ ସେମାନଙ୍କୁ ଦେଖି ଆମାମ୍ମା ଖୁବ୍ ଆନନ୍ଦିତ ଜଣାପଡ଼ୁଥିଲେ।
କାର୍ତ୍ତି, ତୁମେ ଏଇଠି !
ଯଦିଓ କାର୍ତ୍ତିକକୁ ତା’ ନିଜ ନାଁର ଏମିତି ଅପଭ୍ରଂଷ ଆଦୌ ଭଲ ଲାଗିଲାନି, ତଥାପି ତା’ ଭିତରେ ପୁଞ୍ଜୀଭୂତ ଭଦ୍ରତା ଓ ଆମମ୍ମାଙ୍କ ମୁହଁରେ ବାତ୍ସଲ୍ୟତାର ଭାବ ତାକୁ ଟାଣିଧରିଲା। ସେ ଟିକିଏ ହସି ଦେଇ ତାଙ୍କୁ ନମସ୍କାର କଲା। ଆମାମ୍ମା, କାର୍ତ୍ତିକ ସହ ଜୟାର ପରିଚୟ କରାଇଦେଲେ। କାର୍ତ୍ତିକର ଆମ୍ମା ମଧ୍ୟ ସେମାନଙ୍କ ସହ ଦେଖାକରି ଖୁସି ଜଣାପଡ଼ୁଥିଲେ।
ବାଟ ସାରା ପୁଣି ଘରକୁ ଫେରି ମଧ୍ୟ ଆମ୍ମା ଜୟା ବିଷୟରେ ହିଁ କହି ଚାଲିଥିଲେ। କିନ୍ତୁ କାର୍ତ୍ତିକର କିଛି ଭାବପ୍ରବଣତା ଅନୁମାନ କରିପାରିଲେନି ସେ। ସତେ ଯେମିତି ଅନେକ କଳ୍ପନା କାର୍ତ୍ତିକର ମୁଣ୍ଡଭିତରେ ଆଘାତ ଦେଇଚାଲିଛି। ଆମ୍ମାକୁ ପଚାରିଲା - ଆଗରୁ ଏମାନଙ୍କ ସହ କିଛି ପାରିବାରିକ ସଂପର୍କ ଅଛି କି ? ଆମ୍ମା କଥାକୁ ଆଡେ଼ଇ ଦେଲେ - ତୁ ଚିହ୍ନପାରିଲୁନି ତ ମୁଁ କେମିତି ଜାଣିବି। ତାହା ବି ସତ। କାର୍ତ୍ତିକର କିଛି ମନେ ପଡ଼ୁନଥିଲା।
ପ୍ରତିଦିନ ଅଫିସ ଗଲାବେଳେ ବସ୍ ଷ୍ଟପ୍ରେ ଦେଖେ ଜୟାକୁ; କିନ୍ତୁ କେବେ ବି ଗାଡ଼ି ଅଟକାଇ ପଚାରିନି ଯେ ଛାଡ଼ି ଦେବ କି ବିଶ୍ୱବିଦ୍ୟାଳୟରେ। ଦୁହେଁ ଦୁହିଁଙ୍କ ବାଟରେ ଚାଲିଯାଆନ୍ତି। ଦିନେ କେମିତି ସାହସ ବାନ୍ଧି କାର୍ତ୍ତିକ ପଚାରିଲା, ଘରକୁ ଯିବା ପାଇଁ ଅପେକ୍ଷା କରିଛ କି ? ଚାଲ, ଛାଡ଼ିଦେବି। ଜୟା ସୌଜନ୍ୟତା ଦୃଷ୍ଟିରୁ ମନାକଲା। ଏ ବାହାନାରେ ଆମାମ୍ମା ସହ ଦେଖାହୋଇଯିବ ବୋଲି କାର୍ତ୍ତିକ ଏକ ପ୍ରକାରେ ଜିଦ୍ ଧରି ବସିଲା। ତେବେ ଜୟାକୁ ହଁ କହିବାକୁ ପଡ଼ିଲା। ଗାଡ଼ି ଭିତରେ ବସିବା କ୍ଷଣି ଏକ ମଗ୍ନତାରେ ବହୁ ସମୟ ବୁଡ଼ି ରହିଲା ଜୟା। କେଉଁ ବିଷୟରେ ତା’ର ପାଠପଢ଼ା, ଆଗକୁ କ’ଣ କରିବାକୁ ଇଚ୍ଛା...
ଏମିତି ପ୍ରଶ୍ନରେ ପହଞ୍ଚିଗଲା ଜୟାର ଘର। ଦୁଆର ମୁହଁରେ ଆମାମ୍ମା। ଗଛ ସବୁରେ ପାଣି ଦେଉଥିଲେ। ଦୁହିଁଙ୍କୁ ଦେଖିଲା କ୍ଷଣି ଏକ ହସର ଧାର ତାଙ୍କ ଅଧରେ କାର୍ତ୍ତିକକୁ ଆହୁରି ଆପଣାର କରିଦେଉଥିଲା। ଆମାମ୍ମା ପୁଣି ଅନୁରୋଧ କଲେ, ସେଇ ନୀଳ ଚୌକିରେ ବସିବା ପାଇଁ, ଜୟା ଚାଲିଗଲା ନିଜ କୋଠରୀକୁ। ଯେଉଁ ବାସ୍ନା ତାକୁ ଆନମନା କରେ, ପାଖରେ ବାନ୍ଧିରଖିବାର ଶକ୍ତି ରଖେ, ସେ ମହକ ଛୁଟି ଆସୁଛି କାର୍ତ୍ତିକ ପାଖରୁ। ତା’ ପ୍ରତୀକ୍ଷାର ଧୈର୍ଯ୍ୟ ଏତେ ବେଶୀ ନ ଥିଲା। ଖଟ ଉପରେ ମୁହଁ ମାଡ଼ କାନ୍ଦିଲା।
ଆମାମ୍ମା ସହ କିଛି କଥାବାର୍ତ୍ତା କରି ଫେରିଗଲା କାର୍ତ୍ତିକ। ସେଇ ବୁଢ଼ୀ ମଣିଷ ସ୍ନେହ, ମମତା ଦେଇ, ଆକଟ କରି ବଢ଼ାଇଛି ନିଜ ନାତୁଣୀକୁ। ଠିକ୍ ବୁଝି ପାରିଲା ଜୟାର ମନସ୍ଥିତିକୁ।
- ଏମିତି କାନ୍ଦିଲେ କ’ଣ ହେବ ?
- ଆମାମ୍ମା, ମୁଁ ଆଉ ପାରୁନି। କାର୍ତ୍ତିକ ଏମିତି ଅପରିଚିତଙ୍କ ପରି ମୋ ସାମ୍ନାରେ ସବୁଦିନେ ଆସୁଛନ୍ତି। କେମିତି ସହ୍ୟ କରିବି?
- ଏକ ରୁଦ୍ଧିଲା କଣ୍ଠ ସହ ଆମାମ୍ମା ତା’ ପାଖରେ ବସିଗଲେ। କହିଲୁ, କେତେ ଜଣକୁ ଏମିତି ସୁଯୋଗ ମିଳେ ?
- ସୁଯୋଗ ? ଏ କ’ଣ ତମକୁ ସୁଯୋଗ ଭଳି ଲାଗୁଛି ? ମୋ ପାଇଁ ଏକ ଦୁଃସ୍ୱପ୍ନ।
- ହଁ। କିନ୍ତୁ କହତ, ଗୋଟିଏ ମଣିଷକୁ ପୁଣିଥରେ ପ୍ରେମ କରିବାର ସୁଯୋଗ କ’ଣ ସମସ୍ତଙ୍କୁ ମିଳେ ? ସେଇ ପ୍ରେମକୁ ସେଇ ଗୋଟିଏ ଜୀବନରେ ଦୁଇଥର ଭୋଗିବାର ସୁଖ କାହାକୁ ମିଳେ ?
- ଏକ ଚକିତ ଚାହାଣିରେ ଜୟା ଅନାଇଲା। ଆମାମ୍ମା, ମତେ କ’ଣ ପୁଣି ସବୁର ପୁନରାବୃତ୍ତି କରିବାକୁ ହେବ ?
- ତୁ କ’ଣ ଭୁଲିଗଲୁ ? ଡାକ୍ତର କ’ଣ କହିଥିଲେ ? କାର୍ତ୍ତିକର ଆଂଶିକ ସ୍ମୃତିଶକ୍ତି ହଜିଛି। କେବଳ ତୋତେ, ସେଇ ତୁମ ପ୍ରେମ କେମିତି ହେଲା ତାହା ଦୋହରାଇବାକୁ ହେବ। ତା’ ଜୀବନରେ ପୁଣି ଥରେ ଏକ ନୂଆ ଅଧ୍ୟାୟ ହୋଇ ଉନ୍ମୁକ୍ତ ହେବାକୁ ପଡ଼ିବ। ଯଦି ସେ କୋମାରେ ବର୍ଷ ବର୍ଷ ଧରି ରହିଥାନ୍ତା... ତେବେ ତୁ କ’ଣ କରିଥାନ୍ତୁ ଅବା ସେଇ ମର୍ମନ୍ତୁଦ ଦୁର୍ଘଟଣାରେ ଯଦି ସେ ପ୍ରାଣ ହାରିଦେଇଥାନ୍ତା... ସେତେବେଳେ କ’ଣ କରିଥାନ୍ତୁ ?
- ଆଖିରୁ ଲୁହ ପୋଛି ଜୟା ଦୃଢ଼ୋକ୍ତି ସହ କହିଲା - ହଁ ଆମାମ୍ମା, ତୁମେ ଠିକ୍ କହିଛ। ପୁଣି ଥରେ ପ୍ରେମ କରିବାକୁ ଈଶ୍ୱର ଆମକୁ ଦ୍ୱିତୀୟ ସୁଯୋଗ ଦେଇଛନ୍ତି। ସେଇ ପ୍ରେମରେ ଆଉଥରେ ଜୀବନ ବଞ୍ଚିବାର ରାହା ଦେଖାଇଛନ୍ତି।
........................
ଲିପସା ପଟେଲ
ଇରିଗେସନ କଲୋନୀ
ଭବାନୀପାଟଣା
ମୋ : ୯୪୩୯୪୦୦୩୪୮