ଭଲ ପାଇଲେ ଭୁଲି ହୁଏନା…

ବିଗ୍ରହ “ମୁଁ ତୁମକୁ କେବେ ବି ଭୁଲି ପାରିବିନି। ତୁମେ ମୋର ପ୍ରଥମ ସ୍ପର୍ଶ , ପ୍ରଥମ ସଂପର୍କ ଏବଂ ମୋ ଜୀବନର ପ୍ରଥମ ଓ ଶେଷ ପ୍ରତିଶୃତି ଓ ପ୍ରତୀକ୍ଷା।ମୋର ବୟସର ଉପବନରେ ତମେ ମୋର ମୃଦୁ ମଳୟ । ”

ସେଦିନ ବୀଣା ଏମତି ସବୁ କଥା ଲେଖିଥିଲା ଚିଠିରେ। ମୁଁ ମହା ଆନନ୍ଦରେ ହୃଦୟରେ ସାଇତି ଥିଲି ତାର ଏହି ପ୍ରୀତି ବୋଳା କଥାକୁ।

ବୀଣା ଥିଲା , ମୋର ପାଖ ଗାଁର ଝିଅ। ମୁଁ ସେତେବେଳେ କଲେଜରେ ଯୁକ୍ତ ୨ରେ ପଢୁଥିଲି। ଆଉ ବୀଣା ପଢୁଥିଲା ଦଶମରେ। ବୀଣାର ଗାଁକୁ ମୁଁ ନିତି ସକାଳେ ସନ୍ଧ୍ୟାରେ ଟ୍ୟୁସନ କରିବାକୁ ଯାଉଥିଲି। ନିତି ସେହି ଗାଁକୁ ଟ୍ୟୁସନ କରିଯିବା ଭିତରେ ବୀଣାର ଗାଁର ଲୋକଙ୍କ ସହ ମୋର ଖୁବ୍‌ ଆତ୍ମୀୟତା ଆସିଯାଇଥିଲା। ସେହି ଗାଁର ପିଲାମାନେ ମୋତେ ସାର୍ ସାର୍ କହି ବହୁତ ସମ୍ମାନ ଦେଉଥିଲେ।ବୀଣାର ଜଣେ ସଂମ୍ପର୍କୀୟ ଭାଇ ମୋର ବନ୍ଧୁତା ହୋଇଯାଇଥିଲା।ଫଳରେ ତାଙ୍କ ଘରକୁ ଯିବା ବେଳେ ବୀଣା ସହ ଦେଖାହୁଏ।

ବୀଣା ସହ ଦେଖା ହୁଏ , ହେଲେ କେବେ କଥା ହୁଏନି। ବୀଣା ବି ସେମିତି। ଦେଖି ନଦେଖିଲା ଭଳି ହସି ଦେଇ ପଳାଏ। ଏମିତି ଭାବେ ଦିନ ମାସ , ବର୍ଷ ବିତିଗଲା। ବୀଣାର ଘର ଲୋକେ ମୋତେ ଖୁବ୍ ଭଲ ପାଉଥିଲେ। ବୀଣାର ବୋଉ ମୋତେ ତାଙ୍କ ଘରକୁ ଡାକନ୍ତି , ଯେତେବେଳେ ଦେଖନ୍ତି। ଏମିତି ଭାବେ ଧିରେ ଧିରେ ଆଗ ଅପେକ୍ଷା ମୁଁ ଅଧିକ , ବୀଣାର ଘରକୁ ଗଲି।

ମୁଁ ବିଭିନ୍ନ ସାପ୍ତାହିକ ପତ୍ରିକା କିଣି ପଢ଼ାପଢ଼ି କରେ। ବୀଣା ନିଜେ କେବେ ମୋତେ ନମାଗି ପିଲାଙ୍କ ହାତରେ ମୋଠାରୁ ସାହିତ୍ୟ ପତ୍ରିକା ସବୁ ନେଇ ପଢ଼ୁଥିଲା। ମୁଁ ତା ଆଗ୍ରହ ଦେଖି ପଢ଼ି ସାରି ବୀଣାକୁ ଦେଉଥିଲି।

ଦିନେ ହଠାତ୍ ଜାଣିବାକୁ ପାଇଲି ବୀଣା ମନେ ମନେ ମୋତେ ଭଲ ପାଉଛି। ତଥାପି ମୋର ବିଶ୍ୱାସ ହେଲାନି। କାହିଁକି ବୀଣାକୁ ସେମିତି ନଜରରେ କେବେ ବି ଦେଖିନଥିଲି। ହେଲେ କଥାରେ ଅଛି ଗୋଟେ ଜିନିଷ ବିଷୟରେ ମନରେ ପ୍ରଶ୍ନ ଉଙ୍କି ମାରିଲେ , ତାର ଉତ୍ତର ଜାଣିବାକୁ ଇଚ୍ଛା ଜାଗ୍ରତ ହୋଇଯାଏ। ମୋ ସାଥିରେ ସେୟା ହିଁ ହେଲା।

ପୂର୍ବ ଅପେକ୍ଷା ଏକ ଅନୁସନ୍ଧିତ୍ସୁ ମନ ନେଇ ବୀଣା ଘରକୁ ଗଲି। ବୀଣାକୁ ଏବେ ଆଗ ଅପେକ୍ଷା ଅଧିକ ଦେଖିବାକୁ ଲାଗିଲି। ତାର ଚାଲିଚଳନ, କଥାବାର୍ତ୍ତାକୁ ପରଖିଲି। ଆଉ ଯାହା ଅନୁଭବ କଲି। ତାହା ଥିଲା ବୀଣାର ନିରବ ପ୍ରେମ। ବୀଣା ମୋତେ ମନେ ମନେ ବହୁଦିନରୁ ଭଲ ପାଉଛି।

ଆଖି ଆଖିରେ ମିଶିଲା ଏବେ। ଦୁହେଁ ଦୁହିଁକୁ ଲାଜ କରିବା ଆରମ୍ଭ କଲୁ। କଥାବାର୍ତ୍ତା ଇସାରା ଇସାରାରେ ଚାଲିଲା। ଗୋଟେ ନିର୍ଲିପ୍ତ ପ୍ରେମ ଆରମ୍ଭ ହୋଇଯାଇଥିଲା ଦୁହିଁଙ୍କ ଭିତରେ।

ସେଦିନ ଟ୍ୟୁସନ ସାରି ଯିବାକୁ ବାହାରି ଥାଏ । ଜଣେ ଛୋଟ ପିଲାଟେ ଆସି ବୀଣା ଦିଦି ଏଇଟା ଦେଇଛି କହି ମୋ ହାତକୁ ବଢାଇ ଦେଲା ଚାରି ଚଉତା ଭଙ୍ଗା କାଗଜ ଖଣ୍ଡେ। ହଠାତ୍ କିଛି ବୁଝି ପାରିନଥିଲି। ବୀଣା ଏଇଟା କ’ଣ ଦେଇଛି। ଦେହରେ ୧୦୮ ଜ୍ୱର ଆସିଗଲା। ମନରେ ଅନେକ ପ୍ରଶ୍ନ। ବୀଣାର ଘର ଲୋକ ତା ବ୍ୟବହାରକୁ ନେଇ , କି ତାଙ୍କ ଘରକୁ ଯିବା ନେଇ କିଛି କହିଲେ କି ? ବୀଣା କିଛି ଖରାପ ଭାବିଲାକି ? ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହୋଇଗଲି।

ସବୁ ପ୍ରଶ୍ନର କୁହେଳିକା ଭିଡରେ ଚିଠି ଖୋଲିଲି। ବିଶ୍ୱାସ କରିପାରିଲିନି। ମୋ ଜୀବନର ପ୍ରଥମ ପ୍ରେମ ଚିଠି ପାଇଛି । ତାକୁ ଅନେକ ଦିନରୁ ମନେମନେ ଭଲ ପାଉଥିବା ବୀଣା ଦେଇଛି। ନିମିଷକରେ ସ୍ୱପ୍ନ ରାଇଜରେ ହଜି ଗଲି। ଯାହା ଆଶା ଥିଲା , ତା ଆଜି ବାସ୍ତବିକ ପାଲଟିଛି।

ଚିଠିରେ ବୀଣା ତା ମନର ସବୁ କଥା ଖୋଲି କହିଥିଲା। ଲେଖିଥିଲା …କହିବ କହିବ ବୋଲି କହିବାକୁ ସାହସ କରିପାରୁନଥଲା। କାଳେ ମୁଁ ଖରାପ ଭାବିବି। ତାଙ୍କ ଘରକୁ ଆଉ ଯିବିନି। ହେଲେ ସେ ଆଉ ରହିପାରିନଥିଲା। ଯେତେବେଳେ ତାଙ୍କ ଘର ଲୋକ ଏବେ ସନ୍ଦେହ କରିବାକୁ ବସିଲେନି। ବୀଣା ତେଣୁ ଚିଠି ଲେଖି କହିଥିଲା, ଏଥର ଘରକୁ ତାଙ୍କର ବେଶି ନଆସିବାକୁ। ନୁହେଁ ତ ତାଙ୍କ ପ୍ରେମ ଆଉ ଆଗକୁ ବଢିପାରିବନି।

ସେଦିନ ବାଣାର ଚିଠି ପଢ଼ି ଏକ ଅଜଣା ରାଇଜରେ ହଜିଗଲି। କେତେବେଳେ ସନ୍ଧ୍ୟା ହୋଇ ରାତି ହେଲା ଜାଣିପାରିଲିନିା ରାତିରେ ନିଦ ହେଲାନି। ସେହି ଗୋଟେ ପୃଷ୍ଠାର ଲେଖା ଚିଠିଟିକୁ କେତେ ଯେ ପଢ଼ିଛି ତାର ହିସାବ ନାହିଁ। ରାତି ସାରା ବସି ଲେଖିଲି, ମୋ ଜୀବନର ପ୍ରଥମ ପ୍ରେମ ଚିଠି। ବୀଣା ଚିଠିର ପ୍ରତି ଉତ୍ତରେ କ’ଣ ଲେଖିବି , କ’ଣ ତାକୁ ସମ୍ବୋଧନ କରବି। ନାଁ ଧରି ନା ପ୍ରିୟତମା କହି ଲେଖିବି। ଲେଖୁଲେଖୁ ଲେଖିଦେଲି ପୋଥି। ୧୦ ପୃଷ୍ଠାର ଚିଠି। କେମିତି ଯେ ଏତେ ସବୁ ଲେଖିଲି, ଜାଣି ପାରଲିନି।

ଚିଠି ପାଇ ପୁଣି ଏକ ଚିଠି ଦେଲା ବୀଣା। ଖୁବ୍ ଗଭୀର ହେଲା ଚିଠିର ଭାଷା, ଭାବ। ଆରମ୍ଭ ହେଲା ଚିଠି ପ୍ରେମ। ଏମିତି କିଛି ଦିନ ଚିଠିରେ ଚାଲିଲା ପ୍ରେମ। ଆଉ ତାପରେ ଆରମ୍ଭ ହୋଇଗଲା ଫୋନରେ କଥାବାର୍ତ୍ତା। କେତେ ଏମିତି ଚିଠି ଦିଆନିଆ, ଫୋନରେ କଥାବାର୍ତ୍ତା ଚାଲିବ , ବେଳେ ବେଳେ ପରସ୍ପରକୁ ଭେଟ ହେଲୁ। ସେ ମନ୍ଦିର ଯିବ ବାହାନାରେ ମତେ ଦେଖା କରେ। କଲେଜ ଗଲା ବେଳେ ବାଟରେ ମଧ୍ୟ ମୋତେ ଅପେକ୍ଷା କରେ।

ଏମିତି ଭାବେ କିଛିଦିନ ବିତିଗଲା। ପ୍ରେମର ମଞ୍ଜିଟି ଏବେ ଅଙ୍କୁରୋଦମ ହୋଇ ବଢିବାକୁ ଲାଗିଲା। ପ୍ରତିକ୍ଷଣେ ଦୁହେଁ ଦୁହିଁଙ୍କୁ ଖୋଜିଲୁ। ଆମ ସଂପର୍କ ବିଷୟରେ ସମସ୍ତେ ଜାଣିଗଲେ। କିନ୍ତୁ ଆମର ଏ ପ୍ରେମରେ ସମସ୍ତେ ଖୁସି ଥିଲେ। ଆମ ଯୋଡିକୁ ତାରିଫ କରୁଥିଲେ ଆମ ଦୁଇ ଜଣଙ୍କ ସାଙ୍ଗସାଥି ଆଉ ଚିହ୍ନା ପରିଚିତ ଲୋକ।

ମୁଁ ଏହାରି ଭିତରେ ନିଜର ଚାକିରି ପାଇଁ ମଧ୍ୟ ବ୍ୟସ୍ତ ଥାଏ। ବିଭିନ୍ନ ପରୀକ୍ଷା ଦେଉଥାଏ। ବୀଣା ସବୁଥିରେ ମତେ ସାହାସ ଓ ପ୍ରେରଣା ଦେଉଥାଏ। ଦିନ ଯେତିକି ଗଡ଼ି ଚାଲିଥିଲା ବୀଣା ଓ ମୋ ଭିତରେ ସଂପର୍କଟା ସେତିକି ଦୃଢ ହେବାକୁ ଲାଗୁଥିଲା। ସୁଖ ଦୁଃଖ ସବୁଥିରେ ବୀଣା ମୋ ସହ ଥିଲା। ମୋ ପାଇଁ ମନ୍ଦିରରେ ନିତି ଦୀପ ଜାଳିଥିଲା। ଏମିତି ଭାବେ ଆମ ଭିତରେ ୫ବର୍ଷ ବିତିଗଲା। ମତେ ଯେମିତି ଲାଗିଲା ମୋଠାରୁ ସେ ମୋତେ ବେଶୀ ଭଲ ପାଉଛି।

ମୋ ପ୍ରତି ତାର ଅଶେଷ ପ୍ରୀତି ଓ ଶ୍ରଦ୍ଧାକୁ ସାକାର କରିବା ପାଇଁ ମୁଁ ମଧ୍ୟ ପ୍ରତିକ୍ଷଣେ ଚେଷ୍ଟିତ ହେଲି। ତାକୁ ନେଇ ଜୀବନକୁ ଖୁସିରେ ବିତେଇ ବୋଲି ପଣକରିନେଲି।

ହେଲେ ହଠାତ୍ କେମିତି ସବୁ ଓଲଟପାଲଟ ହୋଇଗଲା। ଆମ ସଂପର୍କରେ କାହାର ନଜର ଲାଗିଗଲା। ମୋତେ ଅନୁଭବ ହେଲା ମୋଠାରୁ ବୀଣା ଦୂରେଇବାକୁ ଲାଗୁଛି। ଆଉ ମୋ ଅନୁମାନ ପ୍ରାୟ ସତ ହେଲା। ତାକୁ ଭୁଲିଯିବା ପାଇଁ ମୋତେ କହିଲା।

“କାହିଁକି ତୁ ମତେ ଏମିତି କହୁଛୁ ? କ’ଣ ହୋଇଛି । ମୁଁ କ’ଣ ଭୁଲ୍ କଲି କି ?” ବୀଣାକୁ ପଚାରିଲି କିଛି ବି ଉତ୍ତର ଦେଲାନି। ଯାହାକୁ ମୁଁ ମୋ ଦିନ ମନ ସବୁ ଦେଇଦେଇଛି , ତାର ଏପରି ନିରବତାରେ କିପରି ବା ସ୍ଥିର ରହିପାରନ୍ତି । ପାଗଳ ପ୍ରାୟ ହୋଇଗଲି ….

ହେଲେ ସେ ଥିଲା ନିରୁତ୍ତର। ଅନେକ ଚେଷ୍ଟା କଲି ତା ସହ ଭେଟହେବାକୁ ,ସେ ଚାହିଁଲାନି। ଚିଠି ଦେଲି ପଢ଼ିଲାନି। ଫୋନ୍ ବି ରିସିଭ୍ କଲାନି। ସତରେ ଏ କେମିତି ଦଣ୍ଡ, କେଉଁ ପ୍ରକାର ଯନ୍ତ୍ରଣା। ଯିଏ ଅନୁଭବ କରିଥିବ ସେ ହିଁ ଏ ପ୍ରେମ ବିରହ ଦହନକୁ ଜାଣିପାରିବ ।

ରେଡିଓରୁ ଶୁଣାଯାଉଛି ସୁଭାଷ ଦାଶଙ୍କ ଗୀତ,.. “ରଙ୍ଗ ଯେବେ ଫିକା ପଡ଼ିବ / ରୂପ ଯେବେ ଝାଉଁଳି ଯିବ/ସେଦିନ ବି ତତେ ଭଲ ପାଉଥିବି…ତୋ କଥା ମନେପଡିବ… ”।

ସତରେ ସେ ଗାଉଲି ଝିଅର ଗାଉଁଲି ପ୍ରେମ , ଆଜି ବହୁଦିନପରେ ବି ମନକୁ ଆନ୍ଦୋଳିତ କରେ। ସ୍ୱପ୍ନରେ ଭିଜାଏ। ମନକୁ ବେପଥୁ କରାଏ ।

ଜାଣେନି ତା ସହ କେବେ ଦେଖାହେବ। ଯେବେ ଦେଖାହୁଏ , ନିଶ୍ଚୟ ପଚାରିବି ତାକୁ ମୋ ଜୀବନର ପ୍ରଥମ ଓ ଶେଷ ପ୍ରଶ୍ନ। “କ୍ଷଣିକ ପାଇଁ ଆପଣେଇ ଏମିତି ହୃଦୟରୁ କାଢି ଫିଙ୍ଗି ଦେଇ କ’ଣ ଠିକ୍ କଲୁ ବୀଣା ..। ତୁ ପା ଦିନେ ମୋତେ ତୋ ମନର ମଣିଷ କରିଥିଲୁ। ଗାଁ ମନ୍ଦିରରେ ମୋ ପାଇଁ ସିନ୍ଦୁର ନାଇଥିଲୁ। ଏମିତି ନିଷ୍ପତ୍ତି ନେବା ଆଗରୁ ମତେ ତ ଥରେ କହି ପାରିଥାନ୍ତୁ। ମୁଁ କ’ଣ ତୋ ଖୁସି ପାଇଁ ପଥର ହୋଇଯାଇଥାନ୍ତି। ବରଂ ତୋ ଇଚ୍ଛାକୁ ହସି ହସି ସ୍ୱୀକାର କରିଥାନ୍ତି । ”

ବିଗ୍ରହ ,ତାର ବିସ୍ତୃତ ପ୍ରେମକୁ ମୋ ଆଗରେ ବର୍ଣ୍ଣନା କରିଚାଲିଥିଲା। ତା ଆଖି ଲୁହରେ ଭିଜୁଥିଲା , ଆଉ ମୋ ଆଖି ବି । ମୁଁ ପୂଜା ସଂଖ୍ୟା ପାଇଁ ପ୍ରେମ ଗପଟିଏ ଲେଖିବାର ପ୍ଲଟ୍ ଟିଏ ପାଇଯାଇଥିବାର ଖୁସିରେ ଯେତିକି ଆନନ୍ଦିତ ହେଉଥିଲି, ତାଠାରୁ ବେଶୀ ଦୁଃଖିତ ହେଉଥିଲି ବିଗ୍ରହ ନିଷ୍କପଟ ଭଲ ପାଇବାକୁ ଦେଖି। ଶେଷରେ ତାକୁ ବନ୍ଧୁତ୍ୱ ସୂତ୍ରରେ ଆଶ୍ୱାସନା ଦେଇ କହିଲି, ବନ୍ଧୁ ଭଲ ପାଇଲେ ଭୁଲି ହୁଏନା। ଯେଉଁ ପ୍ରେମରେ ସ୍ୱାର୍ଥ ନଥାଏ , ତା ଶାଶ୍ୱତ। ସେ ଅଭାଗିନୀ , ଯାହାକି ତୋ ପ୍ରେମକୁ ବୁଝି ବି ଅବୁଝା ପାଲଟିଗଲା।

ଏତିକି କହି ମୁଁ ବିଗ୍ରହକୁ ଲକ୍ଷ୍ୟ କରୁଥିଲି, ଆଉ ମନେମନେ ଭାବୁଥିଲି ନିରୁତା ପ୍ରେମ କରୁଥିବା ଏଇ ମଣିଷ ସତରେ ମହାନ। ଯାହାର ହୃଦୟରେ କିଛି ବି ପ୍ରତ୍ୟାଶା ନାହିଁ , ଅହଙ୍କାର ନାହିଁ। ମୁଁ ବିଗ୍ରହଙ୍କ ଠାରୁ ବିଦାୟ ନେଇ ଫେରୁଥିଲି। ଆଉ ତାଙ୍କୁ କହିବାକୁ ଭୁଲିଯାଇଥିଲି ଯେ , ତୁମର ସେହି ଅଭାଗିନୀ ପ୍ରେମିକା , ମନର ମାନସୀ , ଯିଏ ତୁମ ପରି ଜଣେ ହୀରାକୁ ନିଜର କରିପାରିଲାନି , ସେ ଆଜି ମୋର ସ୍ତ୍ରୀ।
……………………………………

ପ୍ରଦେଶ ପ୍ରତ୍ୟୁଷ
କୁରୁମଟାଙ୍ଗର 
ଢ଼େଙ୍କାନାଳ