ନିରିମାଖି ଝିଅଟିଏ

ମଣିଷ ଜନ୍ମଟା କ’ଣ ତା’ର ପୂର୍ବ ଜନ୍ମର ଫଳ? ଭଗବାନ କାହାକୁ ଧନୀ ଘରେ ଜନ୍ମ ଦିଅନ୍ତି ତ କାହାକୁ ଦରିଦ୍ର ଘରେ ଜନ୍ମ ଦେଇଥା’ନ୍ତି। ତେବେ ଦରିଦ୍ର ବା ଗରିବ ଘରେ ଜନ୍ମ ହେବଟା କ’ଣ ଅଭିଶାପ ? କାହିଁକି ଏ ଅବିଚାର ? କିଏ ସୁନା ଥାଳିଆରେ ଖାଉଚି ତ କାହାକୁ ଭଙ୍ଗା ଖପରାରେ ଗଣ୍ଡେ ମିଳୁନି । କିଏ ରାଜମହଲର ରୂପାର ଚାନ୍ଦୁଆ ତଳେ ଗଜଦନ୍ତ ପଲଙ୍କରେ ଆରାମ କରେ ତ ଆଉ କିଏ ରାସ୍ତା କଡ଼ ଗଛ ମୂଳକୁ ଭରସା କରି ରହିଥାଏ । କିଏ ଚିକିମିକିଆ ପୋଷାକ ପିନ୍ଧି ଆଖି ଝଲସାଉ ଥାଏ ତ କିଏ ଫୁଙ୍ଗୁଳା ଦେହରେ ଇଜ୍ଜତ ବଂଚେଇବାକୁ ଖଣ୍ଡେ ଛିଣ୍ଡା କପଡ଼ା ପରିଧାନ କରିବାକୁ ପାଏନି । ଏହା ହେଉଛି ଦାରିଦ୍ର‌୍ୟର ଗୋଟେ ଗୋଟେ ନମୂନା । ଜଣେ ଗରିବ ଲୋକକୁ କାହିଁକି ଏ ସମାଜ ହୀନ ଚକ୍ଷୁରେ ଦେଖୁଛି । ଦାରିଦ୍ର‌୍ୟ ଭିତରେ ଶଢ଼ି ଶଢ଼ି ବୁଢ଼ୀ ମାଆଟା ଆଖି ବୁଜିଦେଲା । ଭିକ୍ଷାବତ୍ତି କରିବାକୁ ଯାଇ ବୁଢ଼ା ବାପାଟା ଗାଡ଼ି ଧକ୍କାରେ ଆରପାରିକୁ ଚାଲିଗଲା । ଭାଇ-ଭଉଣୀ ଦୁଇଟା ଭୋକ ଉପାସରେ ବାର ଦୁଆର ହେଉଥିଲେ । ଆହା ପଦେ କହିବାକୁ କେହି ନାହାନ୍ତି । ଯଦି ଏ ସମାଜ ସେମାନଙ୍କ କର୍ମ ଫଳ ବୋଲି କହିବ ତେବେ କାହାର କର୍ମ ଫଳ ଏଇ ପିଲା ଦୁଇଟା ଭୋଗୁଛନ୍ତି । ବାପା, ନା ମା’, ନା ଏଇ ପିଲା ଦୁଇଜଣଙ୍କର କର୍ମ ଫଳ । ଶେଷରେ ଛୋଟ ଭାଇଟା ମଧ୍ୟ ଧୋକା ଦେଇଦେଲା ।

ଧନୀ ଶ୍ରେଣୀର ଲୋକମାନେ ନିଜର ଶୌକ ପାଇଁ ଘରେ କୁକୁର ପୋଷିଥା’ନ୍ତି । ତାକୁ ସାଙ୍ଗରେ ଖୁଆନ୍ତି, ଶେଯରେ ଶୁଆନ୍ତି, ବରାବର ଡାକ୍ତରୀ ପରୀକ୍ଷା କରାନ୍ତି, ଚିକେନ୍‌, ମଟନ ଖାଇବାକୁ ଦିଅନ୍ତି । କିନ୍ତୁ କୌଣସି ଅନାଥ ପିଲା ଯଦି ମୁନ୍ଦାଏ ଥଣ୍ଡା ପାଣି ପିଇବାକୁ ମାଗେ ତା’ ଉପରକୁ ଗରମ ପାଣି ଫୋପଡ଼ାଯାଏ । ସମାଜରେ ପ୍ରମୁଖ ବ୍ୟକ୍ତି ଭାବେ ନାଁ ବୋଲାଉଥିବା ଲୋକଙ୍କର ଏ ସମାଜ ପ୍ରତି କ’ଣ ଏଇ କର୍ତ୍ତବ୍ୟ । ସେ ନେଇ ଅନେକ ପ୍ରଶ୍ନ…….

ଏକ ନିପଟ ତଳିଆ ଗାଁରେ ବାପା, ମା’, ପୁଅଟାଏ, ଝିଅଟାଏ ମିଶି ୪ ଜଣ ବାସ କରୁଥିଲେ। ଛୋଟ ଛୋଟ ପିଲା ଦୁଇଟି । ବାପା, ମାଆ ଦୁହେଁ ରୋଗଗ୍ରସ୍ତ । ତଥାପି ବାପାଟି କିଛି କାମ ଧନ୍ଦା କରି ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରେ । ନିଜ ପାଇଁ କିମ୍ବା ସ୍ତ୍ରୀ ପାଇଁ ଔଷଧ ଟୋପାଏ ଆଣିପାରେନି । ଏମିତି ବହୁ ଦୁଃଖ କଷ୍ଟରେ ଚଳିବା ପରେ ସହରକୁ ଚାଲି ଆସିଲେ ଅଧିକ କିଛି କାମ କରି ରୋଜଗାର କରିବାକୁ । ରାସ୍ତା କଡ଼ରେ ଜରି ପାଲଟିଏ ଟାଣି ତାରି ଭିତରେ ଚାରିଜଣଯାକ ରହୁଥିଲେ । ଛୋଟ ପୁଅଟିକୁ ଧରି ବାପା ଖାଦ୍ୟ ଅନ୍ୱେଷଣରେ ବାହାରିଲେ । ଦୁହେଁ ଭୋକରେ ଆଉଟୁ ପାଉଟୁ ହେଲେଣି । ଦୁହେଁ ଯାଇ ଏକ ଅଳିଆ ଗଦା ପାଖରେ ପହଂଚିଲେ । ସେଇ ସମୟରେ ଜଣେ ଭଦ୍ର ମହିଳା ପଲିଥିନରେ କିଛି ଆବର୍ଜନା ଆଣି ସେଠାରେ ପକାଇ ଚାଲିଗଲେ । ଲୋକଟି ସେଇ ଜରିରେ କ’ଣ ଅଛି ବୋଲି ଭାବି ଦେଖେତ ସେଥିରେ ୪ଟି ରୁଟି ଆଉ କିଛି ତରକାରୀ ଅଛି । ତରକାରୀ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ହେଲେ ଲୋକଟି ଆନନ୍ଦରେ ତାହାକୁ ନେଇ ଆସିଲା । ବାପା-ପୁଅ ଦୁହେଁ ବସି ଅତି ଆନନ୍ଦରେ ଖାଇଲେ । ପୁଅଟିକୁ ଭାରି ଶୋଷ ହେଲା । ଏହା ସହ କାଶି କାଶି ନୟାନ୍ତ ହେଇଯାଉଥାଏ । ବାପା ପାଣି ଟୋପାଏ ଆଣିବାକୁ ଏ ଦୁଆର ସେ ଦୁଆର ହେଲା । ପାଣି ଟୋପାଏ ପାଇଁ ସବୁ ଦୁଆରୁ ନିରାଶ ହୋଇ ଫେରିବା ପରେ ଆଉ ଏକ ଦୁଆରେ ଯାଇ ପହଂଚିଲେ । ସେହି ଘରୁ ଜଣେ ଭଦ୍ର ମହିଳା କିଛି ପାଣି ଏକ ପାତ୍ରରେ ନେଇକି ଆସିଲେ । ଲୋକଟି ଦେଖି ଖୁସି ହୋଇଗଲା ।

ହେଲେ ଭଦ୍ର ମହିଳା ଜଣକ ସେଇ ପାଣିକୁ ଲୋକଟି ଉପରକୁ ରାଗରେ ଫୋପାଡ଼ି ଦେଲେ । ଲୋକଟି ଛଟପଟ ହେଇଯାଉଥାଏ । ଛିଣ୍ଡା ଗାମୁଛାରେ ଦେହ ମୁହଁକୁ ପୋଛି ପକାଉଥାଏ । ହାତକୁ, ଗୋଡ଼କୁ ଫୁଙ୍କି ପକାଉଥାଏ । କାରଣ ସେ ପାଣି ଥଣ୍ଡା ନଥିଲା, ଥିଲା ଗରମ । ଫୁଟନ୍ତା ଗରମ ଜଳର ଜ୍ୱାଳା ସହି ପାରୁନଥାଏ । ଜୀବନ ବିକଳରେ ସେଠାରୁ ଦୌଡ଼ି ଆସିଲା । ତେବେ ଇଏ କ’ଣ ମଣିଷ ପଣିଆ ? ଯଦି ଜଣକୁ ମୁନ୍ଦାଏ ଥଣ୍ଡା ଜଳ ଦେଇପାରୁନ, ତେବେ ତା’ ଉପରକୁ ଗରମ ପାଣି ଫୋପାଡ଼ିବାକୁ ଅଧିକାର ଦେଲା କିଏ ? ଯଦି କାହାର ଉପକାର କରିନପାରୁଛ ତେବେ କାହାର ଅପକାର ଚିନ୍ତା କର ନାହିଁ ।

ଲୋକଟି ଆତ୍ମା ବିକଳରେ ଦୌଡ଼ି ଦୌଡ଼ି ଯାଉଥିଲା । ହେଲେ ଭାଗ୍ୟର ବିଡ଼ମ୍ବନା । ଦୁଃଖ ମଣିଷକୁ ଯେତେବେଳେ ଗ୍ରାସ କରେ ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବକୁ ସାଙ୍ଗରେ ନେଇକି ଆସେ । ଠିକ୍ ସେତିକିବେଳେ ବିପରୀତ ଦିଗରୁ ଏକ ଗାଡ଼ି ଆସୁଥିଲା । ଲୋକଟି ସହ ଜୋର୍‌ରେ ଧକ୍କା ହେଲା । ପରିବାରର ଆଖି ସାମ୍‌ନାରେ ଲୋକଟି ଆରପାରିକୁ ଚାଲିଗଲା । ସିଏ ଚାଲିଗଲା, ଏ ଦୁଃଖର ସଂସାରରୁ ତରିଗଲା । ହେଲେ ଲୁହଭରା ତିନୋଟି ଜୀଅନ୍ତା ଶବକୁ ଛାଡ଼ି ଚାଲିଗଲା । ବର୍ତମାନ ଘରେ ତିନି ଜଣଙ୍କ ମଧ୍ୟରୁ ମା’ଟି ରୋଗୀଣା, ପୁଅଟି ୫-୬ ବର୍ଷର ଛୋଟ ପିଲାଟିଏ । ୧୨-୧୩ ବର୍ଷର ଝିଅଟି ଉପରେ ପରିବାରର ବୋଝ ଲଦି ହେଇଗଲା ।

ୟାରି ଭିତରେ ୩ ଜଣ ଯାକର ଉପବାସରେ ୪-୫ ଦିନ ବିତିଗଲାଣି । ସେପଟେ ମା’ଟି ବିଛଣାରୁ ଉଠୁନି । ଏପଟେ ଛୋଟ ଭାଇଟି ଭୋକରେ ଆଉଟୁ ପାଉଟୁ ହୋଇ ନିରିହ ମୁହଁରେ ଭଉଣୀକୁ ଚାହିଁ ରହିଛି । ସତେକି ମୋତେ ଖାଇବାକୁ ଗଣ୍ଡାଏ ଦିଏ ବୋଲି କହୁଛି । ଝିଅଟିର ଆଖିରୁ ଧାର ଧାର ଅଶ୍ରୁ ନିଗିଡ଼ି ପଡ଼ୁଥାଏ । ଦୁଃଖର ଯନ୍ତ୍ରଣାକୁ ଅନ୍ତରରେ ଚାପି ରଖି ଆଖିରୁ ଲୁହ ପୋଛି ବାହାରକୁ ଆସିଲା । କିଛି କାମ ଧନ୍ଦା ପାଇଁ ବାହାରିଲା । ସେଦିନ ଏକ ଜଳଖିଆ ଦୋକାନରେ ପ୍ଲେଟ୍ ସଫା କରି କିଛି ବଳକା ଜିନିଷ ଓ କିଛି ପଇସା ଆଣିଲା । ସେଇ ପଇସାରେ ମା’ ପାଇଁ ଔଷଧ ଆଣି କୁଡ଼ିଆରେ ପହଂଚିଲା । ଯାହା ହେଉ ସେଦିନ ବିତିଗଲା । ଏମିତି କିଛି ଦିନ ହୋଟେଲ, ଜଳଖିଆ ଦୋକାନରେ କାମ କରି ଚଳିଯାଆନ୍ତି । ହେଲେ ଏପଟେ ମା’ର ଆବସ୍ଥା ଦିନକୁ ଦିନ ସଙ୍ଗୀନ ଆଡ଼କୁ ଗତି କଲାଣି । ମା’କୁ ଔଷଧ ଟିକିଏ ଦେଇପାରୁନି କି କାହା ପାଇଁ ଖଣ୍ଡେ ଲୁଗା କିଣିପାରୁନି । ମାଗି ଯାଚି ଲୁଗା ଖଣ୍ଡେ ଆଣି ପିନ୍ଧୁଛନ୍ତି । ତା’ ପରେ ଝିଅଟି ଜଣେ ବିଶିଷ୍ଟ ବିତ୍ତଶାଳୀ ବ୍ୟକ୍ତିଙ୍କ ଘରେ ଚାକରାଣୀଭାବେ କାମ କଲା । ଘରର ସମସ୍ତ କାମ କରେ । ଫେରିଲା ବେଳେ କିଛି ବଳକା ଖାଦ୍ୟ ନେଇ ଘରକୁ ଫେରେ । ସେଥିରେ ତିନି ଜଣ ବଂଚନ୍ତି ।

ଏକଦା ସେହି ବିତ୍ତଶାଳୀଙ୍କ ଘରେ କୌଣସି ଏକ ପାର୍ଟି(ଭୋଜି)ର ଆୟୋଜନ ହୋଇଥିଲା । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଧନୀ ମାନି ଲୋକମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ । ନାନାଦି ପ୍ରକାର ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ସେହି ଦିନ ଏହି ଝିଅଟି ଉପରେ ବହୁତ କାମର ଚାପ ପଡ଼ିଯାଇଥିଲା । ତଥାପି ମାଲିକ, ମାଲିକାଣିଙ୍କ ହୁକୁମ୍ ଆଉ ଭୟରେ ସବୁ କାମ କଲା । ଭୋଜିରେ ବିଭିନ୍ନ ପ୍ରକାର ଆଇଟମ୍‌ର ବାସ୍ନା ଆଘ୍ରାଣ କରୁଥାଏ । ପ୍ଲେଟ୍ ଉଠାଇଲାବେଳେ ସବୁ ଦେଖୁଥାଏ, ହେଲେ ଏ ପର୍ଯ୍ୟନ୍ତ ସ୍ୱାଦ ମଧ୍ୟ ଜାଣିପାରିଲାନି । ଭାବିଲା ଶେଷରେ କିଛି ଖାଦ୍ୟ ଘରକୁ ନେଇକି ଯିବ । ମା’, ଭାଇ ଓ ସେ ଖାଇବେ । ସମସ୍ତ ଅତିଥି ଖାଇସାରି ଯିଏ ଯାହା ଘରକୁ ଚାଲିଗଲେ । ଆଉ ଅଳ୍ପ କିଛି ଖାଦ୍ୟ ବଳକା ଥିଲା । ଭାରି ଆନନ୍ଦରେ ଭାବିଲା କିଛି ଖାଇ ଆଉ କିଛି ଘରକୁ ନେବ ବୋଲି ।

ହେଲେ ମାଲିକାଣି ଆସି କୁକୁରଟା ଖାଇ ନାହିଁ ବୋଲି ବ୍ୟସ୍ତ ବିବ୍ରତ ହୋଇ ବଳକା ଖାଦ୍ୟ କିଛି ଫ୍ରିଜ୍‌ରେ ରଖିଦେଇ ଆଉ ସବୁ କୁକୁରକୁ ଖାଇବାକୁ ଦେବା ପାଇଁ ଝିଅଟିକୁ ନିର୍ଦ୍ଦେଶ ଦେଇଦେଲେ । ହେଲେ ପିଲାଟା କାମ କରି କରି ନୟାନ୍ତ ହେଲାଣି କିନ୍ତୁ କିଛି ଖାଇଚି କି ନାହିଁ ସେଥିପ୍ରତି ଦୃଷ୍ଟି ନାହିଁ । ପିଲାଟି ଯୋଉ ଖୁସିରେ ଖାଇବା ପାଇଁ ଯାଉଥିଲା ଏଥର ତା’ ମନ ମଉଳିଗଲା । କିଛି କହିବା ପାଇଁ ତା’ର ସାହସ ନାହିଁ । ସେଠାରେ ସବୁ କାମ ଧନ୍ଦା କରି ଘରକୁ ଫେରିଲା । ଘରେ ଆସି ଦେଖେତ ମା’ର ଅବସ୍ଥା ଶୋଚନୀୟ । ମା’ କାଶି କାଶି ନୟାନ୍ତ ହୋଇଗଲାଣି । ଘରେ ଛୋଟ ଭାଇଟା ଅବା କ’ଣ କରିପାରିବ । ଏପଟେ ନଖାଇ ନପିଇ ଭୋକ ତାକୁ ପରିହାସ କଲାଣିା ସେପଟେ ମା’ର ଏଇ ଅବସ୍ଥା । ଭାବିଲା ଔଷଧ ଟିକିଏ ମା’କୁ ଖୁଆଇ ଦେବ । ଦେଖେତ ସେଥିରେ ଔଷଧ ନାହିଁ । ଶେଷରେ କାଶି କାଶି ମାଆ ଆରପାରିକୁ ଚାଲିଗଲା । ପୁଣି ଦୁଃଖ ପରେ ଦୁଃଖ ଘୋଟିଗଲା । ବୋଝ ଉପରେ ପଥରଟାଏ ପୁଣି ଲଦି ହୋଇଗଲା ।

ବର୍ତମାନ ଭାଇ-ଭଉଣୀ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ରହିଥାନ୍ତି । ଭାଈଟିର ବିକଳାଙ୍ଗ ଚେହେରା, ମାଆର ମୃତ ଦେହ ଦେଖି ଭାଙ୍ଗି ପଡ଼ୁଥାଏ । ତଥାପି ଛାତିକୁ ପଥର କରି ମା’ର ଶବକୁ ସତ୍କାର କରିଦେଲା । ତା’ ପାଇଁ ଆଉ ଗୋଟେ ଯୁଦ୍ଧ ଆରମ୍ଭ ହୋଇଗଲା । ଏଇ ଜୀବନ ଯୁଦ୍ଧରେ ସିଏ ଜିତିବ କି ହାରିବ କଳନା କରିପାରୁ ନଥାଏ । ସତରେ ସେ କ’ଣ ଜିତିବ ନା’ ହାରିଯିବ ! ଏମିତି ଅନେକ ପ୍ରଶ୍ନ ତା’ ମନରେ ଉଙ୍କି ମାରୁଥାଏ । ଏମିତି ବିତିଗଲା କିଛି ଦିନ କିଛି ରାତି । ସତରେ କ’ଣ ଜୀବନରେ ଦୁଃଖଟା କେବେ ଅପସରି ଯାଏନି ? ହଁ ! ସତକଥା । ଜୀବନର ଦୁଃଖଟା କେବେ ବି ଅପସରି ଯାଏନି । ତାହା ଯିବା ପରିବର୍ତେ ତାର ପସରା ମେଲିଦିଏ । ନହେଲେ ନିରିହ ଭାଇ-ଭଉଣୀ ଦୁଇଟା କାହିଁକି ଦୁଃଖର ଜଳଭରା ନଦୀରେ ଉବୁଟୁବୁ ହେଉଥାନ୍ତେ । କପାଳ ଲିଖନ କେ କରିବ ଆନ । ବର୍ତ୍ତମାନ ନିରାଶ୍ରୟ, ଲୁହ ବୋହୁଥିଲେ ମଧ୍ୟ ପୋଛି ଦେବାକୁ କେହି ନାହାନ୍ତି । ନିଗିଡ଼ା ଲୁହକୁ ପୋଛି ପୋଛି ଆଉ ଲୁହ ବୋହୁନି । ଆଖିରେ ବନ୍ଧ ପଡ଼ିଗଲାଣି । ଦୁଃଖ ଦୁଃଖ ଦୁଃଖ । ପୁଣି ଏକ ଦୁଃଖ ଆସି ପହଂଚିଗଲା । ଛୋଟ ଭାଇଟା ରୋଗ ଶଯ୍ୟାରେ ପଡ଼ିଗଲା । ଭୀଷଣ ଜ୍ୱରରେ କମ୍ପୁଥାଏ । ଦିନକୁ ଦିନ ତା’ ଅବସ୍ଥା ସଙ୍ଗୀନ ଆଡ଼କୁ ଗତି କରୁଥାଏ । ଦେହ ହାତ କ୍ଷିଣ ହେବାରେ ଲାଗିଲା । ଭଉଣୀ ପାଖରେ ସେତିକ ଅର୍ଥ ନାହିଁ ବିକଳାଙ୍ଗ, ରୋଗା ଗ୍ରସ୍ତ ଭାଇଟାକୁ ଡାକ୍ତରଖାନା ନେବାକୁ କି ଔଷଧ ଟିକିଏ ଆଣିବାକୁ । ଶେଷରେ ଛୋଟ ଭାଇଟା ମଧ୍ୟ ଭଉଣୀର ହାତ ଛାଡ଼ି ଆରପାରିକୁ ଚାଲିଗଲା । ଝିଅଟି ବର୍ତମାନ ଏକା, ନିଃସ୍ୱ, ଅସହାୟ ହୋଇଗଲା ।

ଜୀବନର ଚଲାପଥରେ ଚାଲୁ ଚାଲୁ ଏକା ହୋଇଗଲା । ଥକି ପଡ଼ିଲା । ଏକ ଅପନ୍ତରା ଗାଁରୁ ଅଜଣା ସହରକୁ ଆସି ଅସହାୟ ଭାବେ କିପରି ଦିନ କାଟିବ ଗୁମୁରି ହେଉଥାଏ। ଛିଣ୍ଡା କତରା ଉପରେ ଗୋଡ଼ ଦୁଇଟାକୁ ଲମ୍ବାଇ ପୋତା ହୋଇଥିବା ବାଉଁଶକୁ ଆଉଜି ବସି ଉପରକୁ ଚାହିଁ ଆକାଶର ତାରାଗୁଡ଼ିକୁ ଏକ ଲୟରେ ଦେଖୁଚି । ଆଉ ସେହି ତାରାମାନଙ୍କ ମଧ୍ୟରେ ତା’ ବାପା, ମା’, ଛୋଟ ଭାଇଙ୍କୁ ଖୋଜୁଛି । ଦେଖିଲେ ପଚାରିବ ମୁଁ ତୁମର କ’ଣ ଦୋଷ କରିଥିଲି ? କାହିଁକି ମୋତେ ଏଇ ଦଣ୍ଡ ଦେଲ ? ଏଇ ଅଜଣା ସହରରେ ମୁଁ କିପରି ନିଜକୁ ବଂଚେଇବି ? ଉତ୍ତର ମାଗିବ କାହାକୁ ? କ’ଣ ତା’ର ଦାରିଦ୍ର‌୍ୟ ତାକୁ ଉତ୍ତର ଦେଇପାରିବ ? ସେମିତି ଘନ ଅନ୍ଧକାର ମଧ୍ୟରେ ଜୁଳୁଜୁଳିଆ ପୋକର ଆଲୋକକୁ ନିରେଖି ଚାହିଁ ରହିଛି ଏକ ଅପନ୍ତରା ଗାଁର “ନିରିମାଖି ଝିଅଟି”……….

ରାଜକିଶୋର ଡାକୁଆ
ଜଗନ୍ନାଥ ପ୍ରସାଦ, ସିକ୍ରିଡ଼ା, ନୂଆଗାଁ, ନୟାଗଡ଼
ମୋ-୭୨୦୫୭୫୫୮୯୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।