ଏଠି ବେଳ ବୁଡ଼ିଲେ ଇନ୍ଦ୍ରିୟ ପାଲଟନ୍ତି ବାରଙ୍ଗନା
ବୟସ ସବୁ ମହାବଳ ବାଘ
ମୃଗ ପରି ଧାଆନ୍ତି ବୃଦ୍ଧମାନେ
ବେଗ କମିଲେ ବି ରୁହନ୍ତି ବଗ ପରି ଧ୍ୟାନ ମଗ୍ନ
ଏଠି ଯୌବନର ଗର୍ଜନକୁ ତୁନି କରିବାକୁ ଗଦ ରଖିଥାଏ ରମା ରୂପଜୀବୀ
ଏଠି କଳା କସ୍ତୁରୀ ଶୁଙ୍ଘିବା ପାଇଁ ମାଡପିଟ ନିର୍ଲଜ ଆଉ ଇଜ୍ଜତଦାର
ଯନ୍ତ୍ରଣାରେ ଲୋମ ସବୁ ଟାଙ୍କୁରି ଉଠେ
ଲହୁଲୁହାଣ ହେଲେ ବେଶ୍ ଲାଭ ହୁଏ
ଏଠି ବାକି କମ୍, ଆଦାୟ ଅଧିକା
ଏ ହେଉଛି ସେହି କୁହୁକ କୋଠା....
ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ଅନୁମାନ କରି ଅନ୍ଧ ବି ଶୁଷ୍କ ଶରୀରକୁ ଓଦା କରେ..
ଏଠି ପ୍ରଣୟ ନାହିଁ, ନାହିଁ ପ୍ରଳାପ କି ପ୍ରଳୟ
ଏଠି ଦେହ ଦରିଦ୍ରଙ୍କ ମେଳା
ନାହିଁ ଚିନ୍ତା, କ୍ରୋଧ, ହିଂସାର ଭୟ
ଏଠି ଶୋଇ ପଡିଲେ ଶାନ୍ତି, ସ୍ୱପ୍ନ କରନ୍ତିନି ଅସ୍ତବ୍ୟସ୍ତ
ଏଠି ଅତୃପ୍ତି, ଅସ୍ଥିରତାକୁ ବଶ କରନ୍ତି ମାଳମାଳ ମୋହମାୟୀ
ଏଠି ମଉଁନ ମୁହାଁ ମଣିଷ ସବୁ ମାଂସ ମାନସାଙ୍କ ମୁଖସ୍ତ କରନ୍ତି,
ଏଠି ଦୀପ ଜଳେ ଆଉ ଲିଭେ
ପବନରେ ନୁହେଁ
ଉତ୍ତପ୍ତ ନିଃଶ୍ୱାସର ଝାସରେ
ଏଠି ଦୁଃଖ କମ୍ ସୁଖ ଅଧିକା
ଏ ହେଉଛି ସେହି କୁହୁକ କୋଠା...
ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ବଧିର ଅଧିର ହୋଇଯିବ ଶୁଣି ଚିତ୍କାର..
ଏଠି ଯୋଗୀ, ଭୋଗୀ, ରୋଗୀ
ସମସ୍ତେ ମୋକ୍ଷ ଖୋଜନ୍ତି..
ଚତୁର ଚିତ୍ ମାରେ
ଲୋଭୀ ସର୍ବସ୍ୱ ଦାନ କରେ
ଜିତେନ୍ଦ୍ରିୟର ଜିତାପଟ ହୁଏନା
ଇଚ୍ଛା ଜିତେ, ବେଉସା ବଢେ..
ଏଠି କାମନା ବାସନାର ଦାହ ହୁଏ
ରାଗ, ଋଷା, ମାନ ଅଭିମାନ ସମାଧି ସ୍ଥଳ
କୂଟ, କପଟହୀନ କୁହୁକ କୋଠା..
ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ମଣିଷ ଖୋଜନ୍ତି,
ଆକାଶ ନୁହେଁ ପାତାଳ..
ସ୍ୱର୍ଗ ନୁହେଁ ଶାନ୍ତି !!!
.....................................
ରାକେଶ କୁମାର ମହାପାତ୍ର
ନୟାଗଡ଼
୯୫୮୩୪୫୯୮୬୮
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।