କବି ସରୋଜିନୀ ଶଙ୍ଖୁଆଙ୍କର ଏକ ପ୍ରେମ କବିତା

ପ୍ରେମାଂଶ

ବୟସ ତାଙ୍କର ଖୁବ୍ କମ୍। ସଦ୍ୟ ଯୌବନରେ ପାଦ ଦେଇଥିବା ଏହି କଲେଜ୍ ପଢ଼ୁଆ ଝିଅଟି ମନୋରମ କବିତା ଲେଖିବାରେ କିନ୍ତୁ ଭାରି ସଜତ୍ନ। ପ୍ରେମ, ଅଭିମାନ ଓ ବିରହପଣର ଛଳଛଳ ବେଦନାକୁ ସୁନ୍ଦର ଭାବରେ ସଜେଇଛନ୍ତି ତାଙ୍କର ଏହି କବିତା ‘ପ୍ରେମାଂଶ’ରେ।

ମୋ ଛାତିର ଶେଷତମ ଲୁହକୁ ତମ ଛାତିରେ
ଢାଳିଦେଇ ମତେ ନିଶ୍ୱ ହେବାକୁ ଦିଅ
ମୋ ଅସ୍ତିତ୍ୱର ଓଜନକୁ ମୋ ହୃଦୟରୁ
କାଢ଼ିନେଇ ଲୁଚେଇଦିଅ
ତମ ରକ୍ତରେ, ଲୁହରେ, ସ୍ମୃତିରେ…

ମୋ ଆଖିର ପୁରୁଣା ସ୍ୱପ୍ନସବୁକୁ
ବରଫ କରି ବୁଡ଼େଇ ଦିଅ
ତମ ମଦ ଗ୍ଲାସରେ
ମୁଁ ଜାଳିଦେଉଛି ନୂଆ ସ୍ୱପ୍ନ ରହିବାର ଘର
ତମ ଶେଷ ଚୁମ୍ବନର ଉଷ୍ମତାରେ…

ତମେ ଜାଣିଛ ଏବେ ମୋର
ନିଃସ୍ୱ ହେଇଯିବାରେ ଅଛି ମୋକ୍ଷ
ଅସ୍ତିତ୍ୱ ହରେଇ ଦେବାରେ ଅଛି ଅନ୍ତହୀନ ଶାନ୍ତି
ସ୍ୱପ୍ନହୀନ ହେବାରେ ଅଛି ଚରମ ଶୀତଳତା
ତମ ପାଖେ ସବୁକିଛି ଶେଷ କରିବାରେ
ଅଛି ନିର୍ବାଣ ପ୍ରାପ୍ତି…

ପ୍ଲିଜ୍… ଥରଟିଏ ତ ଆସ…
ମୋ ଆଖିରେ ଖଞ୍ଜି ଦିଅ
ପ୍ରତାରଣାର ପରଦା
ଯାହାକୁ ଚିପୁଡ଼ି ଦେଲେ ଝରିପାରିବ
କେବଳ ଛଳନାର ଲୁହ

ଆସ…
ତମ ଶେଷ ଆଶ୍ଲେଷରେ ଚୁନା କରିଦିଅ
ମୋ ଅଭିମାନର ଉଚ୍ଚ ପାଚେରୀ
ଏଥର ବହିଯାଉ ଅହଂକାରର ନଈ
ତମେ ଜାଣ ତମ ପରେ
ଏ ଛାତିରେ ଝରୁଥିବା ଲୁହ ଓ ଅଭିମାନ
ଆଉ କାହା ପାଇଁ ନାହିଁ…

-ଟୁକୁଣା, ବଡ଼ରମ୍ପାସ, ହାଟଡିହି, କେଉଁଝର