ଆକ୍ୱାରିୟମ୍

ଆକ୍ୱାରିୟମ୍, ଛୋଟ କାଚ ଘରେ ପାଣି ଭିତରେ ସୁନେଲି, ରୂପେଲି ଓ କଳା ଧଳା ରଙ୍ଗର ଛୋଟ ଛୋଟ ମାଛ। ଗୋଲଡେନ୍‌ ଫିସ୍‌, ବ୍ଲାକ୍‌ ଫିସ୍‌, ସାର୍କ ଆହୁରି କେତେ କ’ଣ! ଦେଖିବାକୁ ସତରେ ସୁନ୍ଦର। ତା’ ସହିତ ପ୍ଲାଷ୍ଟିକ୍‌ର ଛୋଟ ଗଛ, ଦୁବ ଘାସ, ନାଳି ନେଳି ଗୋଡ଼ି ପଥର ଓ ପ୍ଲାଷ୍ଟିକ୍‌ର କୁମ୍ଭୀର, ବେଙ୍ଗ ଇତ୍ୟାଦି। ସତେ ଯେମିତି ସମୁଦ୍ର ତଳର ଦୃଶ୍ୟ ପରି ଭ୍ରମ ସୃଷ୍ଟି କରେ। ଥରେ ଆକ୍ୱାରିୟମ୍‌ ପାଖରେ ବସିଗଲେ ଘଡ଼ିଏ ଉଠିବାକୁ ମନ ବଳେ ନାହିଁ।

ଘର ମାଲିକଙ୍କର ଯେତେବେଳେ ଆକ୍ୱାରିୟମ୍‌ କିଣା ହେଲା, ମୋ ପୁଅ ଦିନରାତି ତାରି ପାଖରେ ବସି ରହିଲା। ଆକ୍ୱାରିୟମ୍‌ରେ ପାଣି ଭିତରେ ଖେଳୁଥିବା ମାଛକୁ ଦେଖି ଭାରି ଖୁସି ହେଲା। ତା’ ସହିତ ଛୋଟ ଛୋଟ ପ୍ଲାଷ୍ଟିକ୍‌ ଗଛ, ଗୋଡ଼ି ପଥର, ପାଟିରେ ଭୁଡ଼ୁ ଭୁଡ଼ୁ ପାଣି ଛାଡୁ଼ଥିବା ପ୍ଲାଷ୍ଟିକ୍‌ ବେଙ୍ଗକୁ ଦେଖି ସେ ଭିନ୍ନ ଏକ ଦୁନିଆରେ ଘୁରି ବୁଲୁଥିଲା। ସକାଳ ହେଲେ ଉଠି ଚାଲିଯାଏ ଆକ୍ୱାରିୟମ୍‌ ପାଖକୁ। ସେଇଠି ବସି ଚାହିଁଥାଏ ମାଛମାନଙ୍କୁ। ଖାଇବା, ପିଇବା, ଶୋଇବା ବ୍ୟତୀତ ଅନ୍ୟ ସମସ୍ତ ସମୟ ତା’ର ଆକ୍ୱାରିୟମ୍‌ ପାଖରେ କଟୁଥିଲା। ଜଣେ ତିନି ବର୍ଷର ପିଲା ପକ୍ଷରେ ଏପରି ଏକ ମନୋହର ଦୃଶ୍ୟ ଦେଖିବାର ଲୋଭ ସେ ସମ୍ୱରଣ କରିପାରୁନଥିଲା।

ମୁଁ ଭାବୁଥିଲି, ଲୁବୁ ଆକ୍ୱାରିୟମ୍‌ ପାଖରେ ବସି କ’ଣ ଭାବୁଥିବ! ଏମିତି ମାଛ ପରି ସେ ପହଁରି ପାରନ୍ତା କି? ଚଞ୍ଚଳ, କନ୍‌ କନ୍‌ ହୋଇ ମାଛଙ୍କ ପରି ନିରୀହ ସରଳ ଭାବରେ ଦୁଇ ଆଖି ଡୋଳା ବୁଲାଇ ଅତଳ ଜଳରାଶି ମଧ୍ୟରେ ଏମିତି ମନ ଖୋଲି ପହଁରୁଥାନ୍ତା। ତା’ ଟିକି ଦୁନିଆରେ ହୁଏତ ଏହି କଥା ଚିନ୍ତା କରୁଥିବ।

ପିଲା ବେଳର କଥା ମନେ ପଡୁଥିଲା। ମୁଁ ମଧ୍ୟ ମାଛକୁ ନେଇ ଅନିସନ୍ଧିତ୍ସୁ ଥିଲି। ଆମ ଗାଡ଼ିଆରୁ ଧରା ହୋଇଥିବା ଗୋଟେ କଉ ମାଛକୁ ବଡ଼ କାଚ ଜାର୍‌ ଭଳି ବୋତଲରେ ପାଣିରେ ରଖିଥିଲି। ଖାଇବାକୁ ମୁଢ଼ି ଦେଉଥିଲି। ୨୦/୨୫ ଦିନ ରଖିବା ପରେ ପୁଣି ଗାଡ଼ିଆରେ ଛାଡ଼ି ଦେଇଥିଲି। ମୁଁ ମାଛ ଖାଇବାକୁ ଭଲ ପାଏ ବୋଲି ଜେଜେ ମୋ ପାଇଁ ଦୁଇ/ତିନି ଦିନରେ ଥରେ ଗାଡ଼ିଆରୁ ୧୦/୧୨ଟି କଉ ମାଛ ଧରି ମାଟି ହାଣ୍ଡିରେ ରଖୁଥିଲେ। ଦିନକୁ ଦୁଇଟି କରି ମୋ ପାଇଁ ତାହା ରନ୍ଧା ହଉଥିଲା। ଆମର ସେତେବେଳେ ତିନିଟି ଗାଡ଼ିଆ ଥିଲା। ଘର ପଛ ପଟ ବାଡ଼ିରେ ଗୋଟେ, ବିଲରେ ଗୋଟେ ଓ ଆଉ ଗୋଟେ ଗାଆଁ ଭିତରେ। ସେଥିରେ ଜାତିଜାତିକା ମାଛ ଥିଲେ। ଶେଉଳ, ଗଡ଼ିଶା, ସିଙ୍ଗି, ତୋରି ଓ କଉ ଭଳି ନାନା ପ୍ରକାରର ମାଛ। ଆମ ଗାଡ଼ିଆର ମାଛ ଖୁବ୍‌ ସ୍ୱାଦିଷ୍ଟ ଥିଲା। ବର୍ଷକୁ ଥରେ ଆମର ତିନିଟି ପୋଖରୀରୁ ମାଛ ଧରା ହେଉଥିଲା। ଆମର ଖାଇବା ପାଇଁ ରଖି ପାଖ ପଡ଼ିଶାକୁ ବାଣ୍ଟି ଦିଆଯାଉଥିଲା। ଅଧିକ ମାଛ ହୋଇଥିଲେ ଆବଶ୍ୟକ ସ୍ଥଳେ ବିକ୍ରି କରାଯାଉଥିଲା। ଗାଁ ଗାଡ଼ିଆର ତଟକା ମଧୁର ମାଛ ଓ ଆଜିକାଲି ସହରରେ ମିଳୁଥିବା ବରଫ ଦିଆ ମାଛ ଖାଇବା ବେଳେ ଗାଁ କଥା ମନେପଡେ଼।

ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ଶୁଭିଲା,

‘ଦୂରରେ ରହି ଦେଖ, ପାଖକୁ ଯାଆନା, ସବୁ ବେଳେ କଣ ଆସି ଦେଖୁଛୁ’… ଏହା ଅଷ୍ଟମ ଶ୍ରେଣୀରେ ପଢୁଥିବା ଘରମାଲିକଙ୍କ ପୁଅର ସ୍ୱର ଥିଲା। ମୁଁ ଭାବୁଥିଲି ଲୁବୁ କଣ ଆକ୍ୱାରିୟମ୍‌ର କାଚ ଫାଚକୁ ବାଡେ଼ଇ ଦେଲା କି! ତରତର ହୋଇ ଘରମାଲିକଙ୍କ ଡ୍ରଇଂରୁମ୍‌କୁ ଦୌଡ଼ିଗଲି। ନାଁ ସେମିତି କିଛି ହୋଇ ନଥିଲା। ଲୁବୁ ଆକ୍ୱାରିୟମ୍‌ ଠାରୁ ଯଥେଷ୍ଟ ଦୂରତା ଅବଲମ୍ୱନ କରି ଚୁପ୍‌ ଚାପ୍‌ ତାଙ୍କ ଡ୍ରଇଂ ରୁମ୍ ଚଟାଣରେ ବସି ରହିଥିଲା। ସେଇ ମୁହୂର୍ତ୍ତରେ ଲୁବୁକୁ ଦେଖି ମୋତେ ଭାରି ଅସହାୟ ମନେ ହେଲା।

-ବାପା ମୁଁ କୋଉଥିରେ ଲାଗିନି, ମୋତେ ଦେଖି କହିଲା। ମୁଁ କହିଲା, ଚାଲ୍ ଘରକୁ। ତା’ ହାତ ଧରି ମୁଁ ନେଇଆସିଲି।

ଲୁବୁର  ଏପରି ଆକ୍ୱାରିୟମ୍‌ ପାଖରେ ସବୁ ବେଳେ ବସି ରହିବା ଘରମାଲିକଙ୍କ ପୁଅ ପକ୍ଷରେ ଅସହ୍ୟ ହେଉଥିଲା। ନୂଆ ନୂଆ ଆକ୍ୱାରିୟମ୍‌ଟି ତାଙ୍କ ଘରକୁ ଆସିଥିବାରୁ ସେ ଚାହୁଁଥିଲା, ତା’କୁ ଦେଖିବାର ଅଧିକାର ଏକାନ୍ତ ଭାବେ ତାର। ଅନ୍ୟ କେହି ଏଥିରେ ଭାଗ ନବସାଉ। ତେଣୁ ବିରକ୍ତ ହୋଇ ସେ ନାନା ଆକଟ ଓ ବାରଣ କରୁଥିଲା। ମାତ୍ର ସବୁ ପ୍ରକାର ବାରଣ ପିଲା ମନର କୌତୁହଳ ଆଗରେ ହାର ମାନୁଥିଲା।

ସବୁଦିନ ପରି ସେଦିନ ମଧ୍ୟ ସକାଳ ହୋଇଥିଲା। ଦାନ୍ତ ଘଷିବା ପୂର୍ବରୁ ସେ ଚାଲି ଯାଇଥିଲା ଆକ୍ୱାରିୟମ୍‌ ପାଖକୁ। ହଠାତ ତା’ର କାନ୍ଦ ଶୁଭିଲା। କାନ୍ଦ ଶୁଣି ମା’ ତରତର ହୋଇ ଚାଲିଯାଇଥିଲେ କ’ଣ ହେଲା ବୁଝିବାକୁ। ତାକୁ ଧରି ମୋ ପାଖକୁ ଆସିଲେ। ପୁଅ କାନ୍ଦୁଥାଏ। ଆଖିରୁ ଧାର ଧାର ଲୁହ ବୋହୁଥାଏ। ମୁଁ ପଚାରିଲି,

-କଣ ହେଲା,

-ଆକାଶ ଭାଇ ମାରିଲା।

-କାହିଁକ?

– ଆକାଶ ଭାଇ କହିଲା, ସବୁବେଳେ କଣ ଆସି ଆକ୍ୱାରିୟମ୍ ଦେଖୁଛୁ, ଘରକୁ ଯାଆ।

ମୁଁ ନ ଆସିବାରୁ ମୋ ହାତକୁ ଧରି ଝିଙ୍କି ବାହାର କରିଦେଲା। ପୁଅର କାନ୍ଦ ଆଗରେ ମୋ ସ୍ତ୍ରୀ ଅସହାୟ ଆଖିରେ ମୋତେ ଚାହିଁ ରୋଷେଇ ଘରକୁ ଚାଲିଗଲା। ମୁଁ ବୁଝି ପାରୁଥିଲି କଳ୍ପନା ମନର କଥା। କ’ଣ ମୋତେ କହିବାକୁ ଚାହୁଁଛି, ଜଣେ ଜୁନିୟର ଆସିଷ୍ଟାଣ୍ଟର ଚାକିରି ଭିତରେ ତେଲଲୁଣର ସଂସାର ଚଳାଇ ପିଲାମାନଙ୍କ ଅଳି ଅର୍ଦ୍ଦଳି ପୂରଣ କରିବା କେତେ କଷ୍ଟକର ଲୁହ ଛଳଛଳ ଦୁଇ ଆଖି ତାର ମୋତେ ବୁଝାଇ ଦେଉଥିଲା।

ପୁଅକୁ କୋଳକୁ ଆଣି ମୁଁ କହିଲି, ଆମର ଗୋଟେ ଆକ୍ୱାରିୟମ୍ ଆଣିବା। ସେ ଖୁସି ହୋଇଗଲା, ମୁହଁରେ ତା’ର ହସ ଫୁଟିଲା, ବଡ଼ ବଡ଼ ଆଖି କରି କହିଲା,

-ବାପା ସତରେ, କୋଉ ଦିନ?

-ଆର ମାସରେ…., ତୁ କିନ୍ତୁ ମୋ କଥା ମାନିବୁ।  ଆମର ଆକ୍ୱାରିମୟମ୍ ଆସିବା ଯାଏ ତୁ ତାଙ୍କ ଘରକୁ ଯିବୁନି।

ସେ କହିଲା, ହଉ।

ରାତିରେ ଶୋଇବା ବେଳେ କଳ୍ପନା କହିଲେ, ପୁଅକୁ ତ କଥା ଦେଇଦଲ, ଆକ୍ୱାରିୟମ୍ ପାଇଁ ପଇସା କୋଉଠୁ ଆଣିବ। ମୁଁ କହିଲା, କୋଉଠୁ ନା କୋଉଠୁ ଯୋଗାଡ଼ ହୋଇଯିବ। ଦେଖ ଧାର କରଜ କରିବନି, ଆଗରୁ ବହୁତ ଧାର ଅଛି। ସେଗୁଡ଼ା ଏ ପର୍ଯ୍ୟନ୍ତ ଶୁଝିନି। କିନ୍ତୁ ଆକ୍ୱାରିୟମ୍ ନଆସିଲେ ତା’ ମନ ବହୁତ କଷ୍ଟ ହେବ। ତମ କଥା ମାନି ସେ ଆଜି ଦିନ ସାରା ତାଙ୍କ ଘରକୁ ଯାଇନି।

ମୁଁ କହିଲି, ମୋ ପୁଅର ମନକୁ ମୁଁ ଭାଙ୍ଗିବାକୁ ଦେବିନି। ପଇସା କଥା ଚିନ୍ତା କରନି। ଆର ମାସରେ ବୋନସ୍ ମିଳିବାର ଅଛି। ଦେଖିବା,ତମେ ଶୋଇପଡ଼। ସେତିକି ବେଳେ ଲୁବୁ ନିଦ ବାଉଳାରେ ଉଠି ପଡ଼ି ପଚାରିଲା, ବାପା ମାଛମାନେ ରାତିରେ ଶୁଅନ୍ତି? ହଁ ଶୁଅନ୍ତି, ତୁ ଶୋଇପଡ଼। ସେ ଯେମିତି ନିଦରୁ ଭୁସ୍‌ କିନା ଉଠି ପଡ଼ିଥିଲା, ସେମିତି ପୁଣି ଶୋଇ ପଡ଼ିଲା। ମୁଁ ଭାବୁଥିଲି, ଲୁବୁ ପୁରା ଆକ୍ୱାରିୟମ୍ ମାୟାରେ ପଡ଼ିଯାଇଛି। ଆଜି ଦିନ ସାରା ଘରମାଲିକଙ୍କ ଡ୍ରଇଂ ରୁମ୍‌କୁ ଯାଇ ନଥିଲେ ବି ତା’ ମନ ଭିତରେ ଯେମିତି ଆକ୍ୱାରିୟମ୍ ବସା ବାନ୍ଧି ରହିଯାଇଛି।

ରାତି ପାହି ସକାଳ ହୋଇ ଯାଇଥିଲା। ପୁଅ ମୋର ତା’ ଖେଳନା ଗାଡ଼ଟି ଧରି ଖେଳୁଥିଲା। ଆଉ ବଡ଼ ପାଟିରେ ଶୁଣାଇ ଶୁଣାଇ କହୁଥିଲା, ଆମର ଆକ୍ୱାରିୟମ୍ ଆସିବ, ଆମର…। ମୁଁ ଅଫିସ୍‌ ଚାଲି ଯାଇଥିଲି।

ସନ୍ଧ୍ୟା ବେଳକୁ ଘରକୁ ଫେରିଲା ପରେ ମୋତେ ପଚାରିଲା, ବାପା କୋଉ ଦିନ ଆଣିବ? ମୁଁ ଆଣିବି, ତୁ ବ୍ୟସ୍ତ ନା। ଆକାଶ ଭାଇ ମୋତେ କହିଲା, ତମର ଆସିବନି, ତୋ ବାପା ତତେ ମିଛରେ କହିଛନ୍ତି।

-ବାପା ସତରେ ଆସିବ?

ମୁଁ ପୁଅ ଆଖିକୁ ଚାହିଁଲି, ସେ ମୋ ଠାରୁ ତା’ ପ୍ରଶ୍ନର ଉତ୍ତର ଚାହୁଁଥିଲା। ତା’ର ଆତ୍ମ ବିଶ୍ୱାସ ଚାହୁଁଥିଲା, ତା’ ମନର ପ୍ରତ୍ୟୟ ଚାହୁଁଥିଲା। ମୁଁ କହିଲି, ନିଶ୍ଚୟ ଆସିବ।  ଆଉ ସାତ ଦିନ ପରେ ମୋର ଦରମା ମିଳିବ। ମୁଁ ତୋ ପାଇଁ ଆକ୍ୱାରିୟମ୍ ଆଣିବି। ସେ ହସି ଦେଲା, ତା’ର ଖେଳନା ଗାଡ଼ିଟିକୁ ଧରି ପୁଣି ଖେଳିବାକୁ ଚାଲିଗଲା।

ପୁଅ ଖେଳିବାକୁ ଚାଲିଗଲା ପରେ କଳ୍ପନା ଆସିଲେ, କହିଲେ ଗାଆଁରୁ ଭାଇ ଆସିଥିଲେ, କୁନିର ବାହାଘର ଠିକ୍ ହୋଇଗଲା। ଯେମିତି ଆମକୁ ପଚାଶ ହଜାର ଟଙ୍କା ଯୋଗାଡ଼ କରି ଦବାକୁ କହିଯାଇଛନ୍ତି।

-ରହିଲେନି, ଚାଲିଗଲେ ମୋତେ ଦେଖା ନକରି।

ଭାଇ କହୁଥିଲେ, ସେୟାଡେ଼ ବହୁତ କାମ, କମଳ ଆସିଲେ ତାକୁ କହିଦେବ, ମୁଁ ଯାଉଛି। ଭାଇ ଗାଁରୁ ଆଣିଥିବା ସଜନା ଶାଗ, ବନ୍ତଳ କଦଳୀ ଓ ନଡ଼ିଆ ଗଣ୍ଡାକ ରୋଷେଇ ଘର ଦୁଆର ମୁହଁରେ ଥୁଆ ହୋଇଥିଲା। ସେଇଠି ଅଜାଡ଼ି ଦେଇ ଭାଇ ଥଳିଆଟା ନେଇଯାଇଛନ୍ତି।

ମୁଁ ଭାଇଙ୍କର କଳ୍ପିତ ରୂପକୁ ଦେଖି ପାରୁଥିଲି। ଥଳିଆକୁ କାଖରେ ଜାକି ବସ୍‌ରେ ଠିଆ ହୋଇ ଗାଁରେ ପହଞ୍ଚିଥିବେ।  ବସ୍‌ରେ ଠେଲାପେଲା, ଧକ୍କାପଞ୍ଜାରେ ବି କାଖରୁ ସେ ଥଳିଆଟା କାଢ଼ି ନଥିବେ।

ରାତିରେ ଖାଇଲା ବେଳେ କଳ୍ପନା ବନ୍ତଳ କଦଳୀ ଭାଜି ଦେଇଥିଲେ। ପୁଅ ବି ମୋ ପାଖରେ ଖାଉଥିଲା, କହିଲା, ବାପା, ବଡ଼ବାପା ମୋ ପାଇଁ ଚକୋଲେଟ୍‌ ଆଣିଥିଲେ। ମୁଁ କହିଲି, କୁନି ନାନୀର ବାହାଘର, ଆମେ ଆର ମାସରେ ଗାଁକୁ ଯିବା।

ପୁଅ ଖୁସି ହୋଇଗଲା। କହିଲା, ବାହାଘରରେ ବହୁତ ମଜା ହେବ।

ମୁଁ ଭାବୁଥିଲି, ଏ ବର୍ଷା ଦିନେ ବାହାଘରଟା କେମିତି ଭଲରେ ହୋଇଯାଉ। ଗାଁରେ ତ ଆଜିକାଲିକା ସହର ଭଳି ଆଉ ମଣ୍ଡପ ନାହିଁ। ବାହାଘର ଦିନ ବର୍ଷା ହେଲେ ଭାଇ ବହୁତ ହଇରାଣ ହେବେ। କାଦୁଅ ପଚପଚ ଗାଁରେ ଭୋଜିଭାତ ଆୟୋଜନରେ ପାଣି ପଶିଯିବାଟା ହିଁ ସାର ହେବ! ବର୍ଷା ନ ହେଉ, ଭାଇ କେମିତି ଭଲରେ ଭଲରେ ବାହାଘର କାମଟା ତୁଲେଇ ଦିଅନ୍ତୁ।

ଲୁବୁର ଖାଇବା ସରି ଯାଇଥିଲା। କଳ୍ପନା ତା ହାତ ଧୋଇବା ଲାଗି ନେଇଗଲେ।

ବୋଧେ ଆଉ ଲୁବୁ ପାଇଁ ଆକ୍ୱାରିୟମ୍‌ କିଣି ହେବନି। ବାହାଘର ଖର୍ଚ୍ଚ ପାଇଁ ଅଫିସ୍‌ରୁ ଲୋନ୍‌ ନେବାକୁ ହେବ। ଦୁଇ ତିନି ଦିନ ପରେ ଭାଇ ଗାଁରୁ ଫୋନ୍ କଲେ, ପୁଅ ବାଲାଙ୍କ ଡିମାଣ୍ଡ୍‌ କିଛି ନାହିଁ। ସେନା ବାହିନୀରେ ଚାକିରି କରୁଥିବା ପୁଅ କହିଛି, ଆର୍ଯ୍ୟ ସମାଜରେ ବାହା ହେବ। ଗୋଟିଏ ବି ପଇସା ଯୌତୁକ ନେବନି। ମୁଁ ଭାବୁଥିଲି, ଯଦି ଆଜିର ସମାଜରେ ଏମିତି ସବୁ ପୁଅ ପଣ କରନ୍ତେ, ତେବେ ଝିଅ ବାପାମାନଙ୍କ ମୁଣ୍ଡରୁ ବଡ଼ ବୋଝ ଓହ୍ଲାଇଯାଆନ୍ତା।

ବର୍ଷାଦିନ ସରିଯାଇଥିଲା। କୁନିର ବାହାଗର ବି ସରିଯାଇଥିଲା। ଆକାଶରେ ଶରତର ଚାନ୍ଦ ଉଇଁଥିଲା। ଦଶହରା ଆସୁଛି ବୋଲି ହସି ହସି କହୁଥିଲା ନଈପଠାର କାଶତଣ୍ଡୀ।

ଦଶହରା ବୋନସ୍‌ରେ ଆକ୍ୱାରିୟମ୍ ଆସିଲା। ଲୁବୁ ଖାଲି ଖୁସିରେ ନାଚୁଥିଲା। ଗୋଲ୍ଡ ଫିସ୍‌, ସାର୍କ…ମାଛମାନଙ୍କ ନାଁ ମନେ ରଖୁଥିଲା। ସକାଳେ ସନ୍ଧ୍ୟାରେ ଦୁଇ ଥର ମାଛଙ୍କୁ ଖାଇବାକୁ ଦେବା ତାର ନିୟମିତ କାମ ହୋଇଯାଇଥିଲା।

କିନ୍ତୁ ଏପଟର ଚିତ୍ର ଥିଲା ଭିନ୍ନ। ଆମର ଆକ୍ୱାରିୟମ୍ ଆସିବାଟାକୁ ସହ୍ୟ କରି ପାରିନଥିଲେ ଘରମାଲିକ। ଫଳ ସ୍ୱରୂପ ଚାରି ଦିନ ପରେ ଆସି କହିଲେ, ଆସନ୍ତା ମାସରୁ ଘରଭଡ଼ା ବଢ଼ିବ। ଅଢ଼େଇ ହଜାର ଟଙ୍କା ବଦଳରେ ଏଥର ଦବାକୁ ପଡ଼ିବ ଚାରି ହଜାର ପାଞ୍ଚଶ ଟଙ୍କା।  ଏମିତି ଘର ଭଡ଼ା ବଢ଼ିବା ମୋ ଚେତନାର ବାହାରେ ଥିଲା। ଅଢ଼େଇ ହଜାର ବଦଳରେ ସିଧାସଳଖ ଚାରି ହଜାର ପାଞ୍ଚଶ ଟଙ୍କା। ମୁଁ ଚିନ୍ତା କରୁଥିଲି, ମୋତେ ଘର ଛାଡ଼ିବାକୁ ପଡ଼ିବ। ଯେମିତି ହେଲେ ଆର ମାସର ପହିଲା ପୂର୍ବରୁ। ପୁଅ ଆକ୍ୱାରିୟମ୍ ପାଖରେ ବସି ରହିଥିଲା। ମାଛଗୁଡ଼ିକ ପହଁରୁଥିଲା ଏପଟ ସେପଟ ହୋଇ। ଗୋଲଡେନ୍‌ ଫିସ୍‌ ସହିତ ଖେଳୁଥିଲା ସାର୍କ। ପୁଅ ହସୁଥିଲା।

ଘର ଛାଡ଼ିବା ଦିନ ପାଖେଇ ଆସିଲା। ଜିନିଷପତ୍ର ବନ୍ଧାବନ୍ଧି ହୋଇ ସାରିଥିଲା। ଟ୍ରକ୍ ଆସି ଘର ଦ୍ୱାର ମୁହଁରେ ଠିଆ ହୋଇଥିଲା।  ଟ୍ରକ୍‌ରେ ଜିନିଷ ସବୁ ଲଦା ସରିଥିଲା। ଏଥର ଆମ ଯିବା ପାଳି। କଳ୍ପନା ଗଲେ ଘରମାଲିକଙ୍କ ସ୍ତ୍ରୀଙ୍କୁ ଶେଷ ଥର ପାଇଁ କହିବାକୁ। ଘରମାଲିକଙ୍କ ବୁଢ଼ୀ ମାଆଙ୍କ ବ୍ୟତୀତ ଆଉ କେହି ଆସି ନଥିଲେ ଗେଟ୍‌ ପାଖକୁ। ଆମେ ଚାଲି ଆସିଲୁ ନୂଆ ଘରକୁ। ସେ ଘର ସହିତ ଦୀର୍ଘ ଦୁଇ ବର୍ଷର ମମତା ଛିନ୍ନ କରି।

ଆଜି ମାର୍କେଟରେ ଘରମାଲିକଙ୍କ ଚିହ୍ନାଜଣା ଅଟୋବାଲା ସୁଶାନ୍ତ ଦେଖା ହୋଇଗଲା। ତା’ ଅଟୋରେ ଗୋଟେ ପିଲା ଆକ୍ୱାରିୟମ୍‌ଟେ ଧରି ବସିଥିଲା। ମୁଁ ପଚାରିଲି, ସୁଶାନ୍ତ କ’ଣ ତମେ ଗୋଟେ ଆକ୍ୱାରିୟମ୍‌ କିଣିଲ କି?

ସେ କହିଲା ନାଁ, ଗୋବିନ୍ଦ ବାବୁ ଏଇଟା ମୋତେ ଦେଇଦେଲେ। ମୁଁ ଆକାଶରୁ ଖସି ପଡ଼ିଲା ଭଳି ଦୋହଲିଗଲି। ମୁଁ କହିଲି, ଗୋବିନ୍ଦ ବାବୁ, ତମକୁ ଦେଇଦେଲେ ମାନେ କଣ ବିକ୍ରି କରିଦେଲେ?

– ନା ପୂରା ଫ୍ରି’ରେ। ମୁଁ ଆଉ ଥରେ ସୁଶାନ୍ତର କଥାକୁ ପରଖି ନେବା ପାଇଁ ପଚାରିଲି, ଗୋବିନ୍ଦ ବାବୁ ତମକୁ ଆକ୍ୱାରିୟମ୍‌ଟା ଫ୍ରି’ରେ ଦେଇଦେଲେ। ସୁଶାନ୍ତ କହିଲା, ହଁ ଏ ଆକ୍ୱାରିୟମ୍‌କୁ ସେ ଅଶୁଭ ବୋଲି ଭାବୁଥିଲେ। ଆପଣ ଘର ଛାଡ଼ିବା ପରେ ନୂଆ ହୋଇ ରହିଥିବା ଭଡ଼ାଟିଆଙ୍କ ପୁଅ ସହିତ ତାଙ୍କ ଝିଅ ପଳେଇଲା। ତା’ ପର ଠାରୁ ସେ ଖାଲି ଗର ଗର ହୁଅନ୍ତି। ଆଜି ମୋତେ ଫୋନ୍ କରି ଘରକୁ ଡ଼ାକି କହିଲେ, ତୁ ଏ ଆକ୍ୱାରିୟମକୁ ନେଇ ଯା’। ଆମ ଆକାଶଟା ପାଠ ପଢ଼ୁନି, ଖାଲି ଆକ୍ୱାରିୟମ୍ ପାଖରେ ବସି ମାଛ ଦେଖୁଛି। ତୁ ନେଇଯା’, ପଇସା ଦବକୁ ପଡ଼ିବନି। ସେମିତି ନେଇଯା, ଆଜି ଏବେ ନେଇଯା।

ମୁଁ ଘରକୁ ଫେରିଲି। ପୁଅ ମୋର ଆକ୍ୱାରିୟମ୍ ପାଖରେ ବସି ଗୋଲ୍ଡ ଫିସ୍‌କୁ ସେ ଦେଇଥିବା ଡାକନାମ ‘ଝୁମୁରି’ରେ ଡାକୁଥିଲା। କଳ୍ପନା ତାଙ୍କର ନିତିଦିନିଆ ଘରକାମରେ ବ୍ୟସ୍ତ ଥିଲେ। ମୁଁ କହିଲି,

-କଳ୍ପନା ଶୁଣୁଛ, ଗୋବିନ୍ଦ ବାବୁ ତାଙ୍କ ଆକ୍ୱାରିୟମ୍‌କୁ ସୁଶାନ୍ତକୁ ଦେଇଦେଲେ।

କଳ୍ପନା କହିଲେ, କୋଉ ସୁଶାନ୍ତ, କଣ ବିକ୍ରି କରିଦେଲେ, ମୁଁ କହିଲି, ଅଟୋବାଲା ସୁଶାନ୍ତ, ବିକ୍ରି ନୁହେଁ, ଫ୍ରି’ରେ ଦେଇଦେଲେ।

କଳ୍ପନା କହିଲେ, ଦେଇଦେଲେ!

ବଡ଼ବଜାର(କୋର୍ଟ ଛକ), ଜଗତସିଂହପୁର, ଫୋନ୍:୯୯୩୭୮୪୪୧୪୮