santosh
ମାଟିର ମଲାଟ ତଳେ
ଲୁଚେଇଛି କେତେ ଯାତନା
ହୁଁ ହୁଁ ହେଇ ଜଳୁଛି
ଅନବରତ କେତେ ନିଆଁ
ପିଜୁଳି ଗଛରେ କେତେ ସ୍ମୃତିକୁ
କଣ୍ଟାରେ ବାଡେ଼ଇଛି ଗୋଟି ଗୋଟି କରି॥
ଲଣ୍ଠନ ଆଲୁଅରେ କେତେ ଥର ପଢ଼ିଛି
ଖେଣ୍ଟି ବୁଢ଼ୀର ଅଛପା କୋହକୁ
ଜେଜେ ମା', ଜେଜେ ମା' ରେବତୀର
ହୃଦଥରା ଡାକକୁ,
ବୋଧ ହୁଏ ସଭିଏଁ
ଲୋ ରେବୀ, ଲୋ ଚୁଲି, ଲୋ ନିଆଁ ଶୁଣିଥିବେ
କିନ୍ତୁ ସେ ସିରସ୍ତାର ଘରଟା ଶୁଣିଥିବ ଆଉ କିଛି ॥
ଗାଁରେ ସକାଳ ଆସିବା ପୂର୍ବରୁ
ପାଟଦେଇ ଶୋଇ ଯାଇଥିବ
ମଶାଣିର କେଉଁ ଏକ
କଳା ତୁଳସୀ ଗଛକୁ ଜୋରରେ ଧରି
ନ ଖାଇ, ନ ପିଇ
ଲୁହ ଆଉ ଯନ୍ତ୍ରଣାର ଶକ୍ତିକୁ
ହାତରେ ଏକାଠି କରି ॥
ଛବିରାଣୀ ଖୋଜୁଥିବ
ଏହିଭଳି କିଛି ଚରିତ୍ରକୁ
ସଙ୍ଘ ଗଢ଼ିବ,
ଇତିଶ୍ରୀ ବେବିନା ସସ୍ମିତା ନିର୍ଭୟା
ଆକାଶରେ ରହି,
ସେମାନେ ଲଢ଼ିବେ
ଜଳେଇ ଦେବେ ହିଂସ୍ର କଳା ମୁଣ୍ଡିଆ
ମଣିଷର ସାମ୍ରାଜ୍ୟକୁ ହୁଁ ହୁଁ କରି
ପୁଣି ଜିତିବେ,
ଆରମ୍ଭ କରିବେ ନୂଆ ଦୁନିଆଁ ॥
ଖାଲି କୁନି କୁନି ଶିଶୁ
ଯୋଉଠି ଶିଖିବେ
ହୃଦୟର ଭାଷା
ଗାଁ ସହ ସହରକୁ ଯୋଡ଼ିବେ
ସ୍ନେହ ବାଣ୍ଟିବେ
ଆଉ ରେବତୀ ହସି ହସି
କହିବ, ଦେଖ !
ମୋ ଜେଜେ ମା'
ମତେ ସ୍କୁଲ ଆଣିଛି,
ପାଟଦେଇ ଉପରେ ଥାଇ ହସିବ
ଯେମିତି ତା ' ପିଲା
ତା' ବାପାର ପରିଚୟ ପାଇଛି
ଆଉ ଅନ୍ୟ ମାନେ ଦୋଷୀକୁ କ୍ଷମା କରିଦେଇଛନ୍ତି
ମାଟିର ମଲାଟ ତଳେ ସବୁ ଲେଖି ଦେଇ॥
..................................
ସନ୍ତୋଷ କୁମାର ସାହୁ
ଯାଜପୁର
୭୯୭୮୨୧୧୧୬୦
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/santosh.jpg)