ସଞ୍ଜବେଳ- ଗୋଟେ ସ୍ମୃତିର ପାଖୁଡ଼ା

ଯଦି କେବେ ଭେଟ ହୁଏ ନିଶୁନ ସେ ମୁହଁ ସଞ୍ଜ ଅନ୍ଧାରରେ ମୋ ପ୍ରିୟତମ ପିପାସାକୁ କରିବନି ଆବାହନ କିମ୍ବା ଦେବୀ ହେବାର କରିବନି ଅଭିନୟ ଅନେକେ କିଛି ଛଡାଇ ନେଇ ପାରେ ଅଥବା ଭେଟି ଦେଇ ପାରେ ଦିନଟିଏ ଘୋଡ଼ାଇ ହେବାକୁ ଯାଉଥିବା ଏହି କଳାରଙ୍ଗର ଚାଦର   ଏଇ ଯେମିତି ହୁଏତ ପ୍ରେମିକଟିଏ ଲେଖିପାରେ ଏକ ଅବୈଧ ବର୍ଣ୍ଣବୋଧ ଅଥବା ପୁଣି ଏକ ଜରାୟୁ ଧରି ରଖି ପାରେ ପ୍ରେମିକର ତାଜା ରକ୍ତ ତେବେ […]

nihar-ranjan

Jagamohan Maharana
  • Published: Friday, 02 August 2019
  • , Updated: 03 August 2019, 02:52 PM IST

ଯଦି କେବେ ଭେଟ ହୁଏ

ନିଶୁନ ସେ ମୁହଁ ସଞ୍ଜ ଅନ୍ଧାରରେ

ମୋ ପ୍ରିୟତମ ପିପାସାକୁ କରିବନି ଆବାହନ

କିମ୍ବା ଦେବୀ ହେବାର କରିବନି ଅଭିନୟ

ଅନେକେ କିଛି ଛଡାଇ ନେଇ ପାରେ

ଅଥବା ଭେଟି ଦେଇ ପାରେ

ଦିନଟିଏ ଘୋଡ଼ାଇ ହେବାକୁ ଯାଉଥିବା ଏହି

କଳାରଙ୍ଗର ଚାଦର

 

ଏଇ ଯେମିତି

ହୁଏତ ପ୍ରେମିକଟିଏ ଲେଖିପାରେ ଏକ ଅବୈଧ

ବର୍ଣ୍ଣବୋଧ

ଅଥବା ପୁଣି ଏକ ଜରାୟୁ ଧରି ରଖି ପାରେ ପ୍ରେମିକର

ତାଜା ରକ୍ତ

ତେବେ ଉଭୟ ବାଧ୍ୟ ଆପଣେଇବାକୁ ମୁଖାତଳ

ଅନ୍ତର୍ଦାହ

ଯଦି ଗୋଟେ ମାୟାବୀ ରାତିର ଦୀର୍ଘଶ୍ୱାସରେ

ବାରମ୍ବାର ଲୁଚକାଳି ଖେଳେ ମୋର ମୁହଁ

ତେବେ, ଅନେକ ସଞ୍ଜର ଫରୁଆ ଭିତରୁ

ଆବିଷ୍କାର କରିନେବ ମୁକୁଳା ବେଣୀର ଆଢୁଆଳେ

ଶିହିରିତ କରୁଥିବା ସେହି ଶ୍ରେଷ୍ଠତମ ଉତ୍ତେଜିତ ସ୍ପର୍ଶ

ଯଦି କେବେ ଆଞ୍ଜୁଳାଏ ଅନୁରାଗ ପାଇଁ ଝୁରିବସେ

ତୁମ ପ୍ରେମିକାର ମନ

ଓଲଟାଇ ଦେବ ଡାଏରୀର ମଝି ଫର୍ଦ୍ଦ

ଆଉ ସାଉଁଟିନେବ

ସାଇତା ଗୋଲାପର ଫସିଲ୍ ରୁ

ଏବେବି ବାହାରୁଥିବା ଏକ ଆଦିମ ପରିଚିତ ମଣିଷର

ଦେହ ଗନ୍ଧ

 

ଯଦି ସମୟର ଦ୍ୱାହିରେ ତୁମେ ପ୍ରସ୍ତୁତ ହୁଅ ଲଙ୍ଗିବାକୁ

ସଂପର୍କର ସୀମା ସରହଦ

ସେଇ ଅବେଳା ପାଇଁ ମୁଁ ନିଶ୍ଚେ ପ୍ରସ୍ତୁତ କରିବି ଗୋଟେ

ଅଶ୍ୱମେଧ ଯଜ୍ଞ

ମନାସିବାକୁ ମୋ ପାଇଁ ଗୋଟେ ଦ୍ରୋହୀ ପ୍ରେମିକର

ଇତିହାସ

ତେଣୁ ବେଳ ହୁଁ ସାବଧାନ,

ତୁମର ସମର୍ପଣ ମୁଦ୍ରା ପାଇଁ

କେହିଜଣେ କେଉଁକାଳୁ କଣ୍ଠସ୍ଥ କରି ସାରିଛି ସବୁତକ

ସମ୍ମୋହନୀ ମନ୍ତ୍ର

ସୁତରାଂ ଆଉ ଥରେ ଇଶ୍ୱରଙ୍କୁ ଭୁଲରେ ମାଗିବନି

ନିଶୁନ ସେ ମୁହଁ ସଞ୍ଜ ଅନ୍ଧାର।

 -ଇଂ . ନିହାର ରଞ୍ଜନ ପରିଡ଼ା

Related story