ମାଧବୀ ଗୁରୁମା ପିଲାଟିକୁ ପୂରା ଭୁଲି ଯାଇଥିଲେ। ସେତେବେଳେ ତା’ ପାଖରେ ମନେ ରଖିଲା ପରି ସେମିତି କିଛି ବିଶେଷ ଗୁଣ ମଧ୍ୟ ନଥିଲା। କିନ୍ତୁ ପିଲାଟି ଏବେ ବଡ ହୋଇ ସାରିଥିଲା। ବୋଧେ ସାବାଳକ।
ବସ୍ ଭିତରେ ଭିଡ ଥିଲା। ମାଧବୀ ଗୁରୁମା ସିଟ୍ ଖଣ୍ଡେ ଖୋଜିବାକୁ ଚାହୁଁଥିଲେ। ଲେଡିଜ୍ ସିଟ୍ ସବୁ ମଧ୍ୟ ପୂରଣ ହୋଇ ସାରିଥିଲା। ଅଗତ୍ୟା ଯୋଉ ପିଲାଟି ତାଙ୍କୁ ହଠାତ ନିଜ ସିଟ୍ଟି ଛାଡି ସେଥିରେ ବସିବାକୁ ଅନୁରୋଧ କଲା, ଇଏ ହେଉଛି ସେଇ ପିଲାଟି, ଯାହାକୁ ଗୁରୁମା ଚିହ୍ନିପାରୁ ନଥିଲେ।
"ନମସ୍କାର ଗୁରୁମା। ଆପଣ ଏଇ ସିଟ୍ରେ ବସନ୍ତୁ।' ପିଲାଟି କହିଲା ଓ ସିଟ୍ ଛାଡି ଉଠି ଆସିଲା।
ସିଟ୍ରେ ବସିବାକୁ ସେ ମନା କରିବା ସତ୍ୱେ ପିଲାଟି ତାଙ୍କୁ ବାଧ୍ୟ କଲା ଓ ତାଙ୍କ କଡରେ ବିନମ୍ରତାର ସହ ଠିଆହୋଇ ରହିଲା। ଗୁରୁମା ତଥାପି ପିଲାଟିକୁ ଚିହ୍ନି ପାରୁନଥିଲେ। କ'ଣ ୟା ନାଁ ? ହୃଷିକେଶ କି ? କୋଉ ବ୍ୟାଚ୍ ?
ରଘୁପୁର ମାଇନର ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମାଧବୀ ଗୁରୁମା। କୋଡିଏ ବର୍ଷ ଧରି ସେଇ ଗୋଟିଏ ସ୍କୁଲରେ ଶିକ୍ଷକତା କରି, ସାରା ଅଂଚଳରେ ଜଣାଶୁଣା। ଏ ଅଂଚଳରେ ତାଙ୍କର କେତେକେତେ ଛାତ୍ରଛାତ୍ରୀ।
ବସ୍ରେ ଭିଡ ବଢୁଥିଲା ଓ କମୁଥିଲା। ଲୋକ ଆସୁଥିଲେ ଓ ଯାଉଥିଲେ। ଝରକା ବାହାରକୁ ଅନେଇ ଅନେଇ ଓ "ପିଲାଟି କିଏ' ବୋଲି ମନେ ପକେଇ ପକେଇ ଗୁରୁମା ଢୋଳେଇ ପଡୁଥିଲେ। ତଥାପି ପିଲାଟି ସେମିତି ଦଣ୍ଡାୟମାନ ଥିଲା ଗୁରୁମାଙ୍କ କଡରେ ଓ କାଳେ ସିଏ ଢୋଳେଇ ଢୋଳେଇ ଆଘାତପ୍ରାପ୍ତ ହେବେ ସେଥିପାଇଁ ନଜର ରଖିଥିଲା ବାଟ ସାରା। ମଝିରେ ମଝିରେ ସିଟ୍ ଫାଙ୍କା ହେଉଥିଲା। କିନ୍ତୁ ପିଲାଟି ବସୁ ନଥିଲା।
ପିଲାଟିର ବୟସ କେତେ ହେବ ? ଏଇ କୋଡିଏ କି ଏକୋଇଶି। ମୁଣ୍ଡରେ ଜକଜକ ଜଡାତେଲ। ରଙ୍ଗ ସାବନା। ମୁହଁଟି ଶାନ୍ତ। ଆଚରଣ ସରଳ। ଲାଗୁଥିଲା ଗୋଟେ ଯୁଗର ଅନୁଶାସନ ଭିତରେ ସେ ଜୀବନ କାଟିଛି। ପୃଥିବୀର କୌଣସି ଘଟଣା ତାକୁ ଆଶ୍ଚର୍ଯ୍ୟ କିମ୍ୱା ଦୁଃଖିତ କରିପାରିବ ନାହିଁ।
ପୂର୍ବ ନିର୍ଦ୍ଧାରିତ ଗୋଟିଏ ପରେ ଗୋଟିଏ ଛକରେ ରହି ରହି ଶେଷରେ ବସ୍ ପହଞ୍ଚିଲା ଶେଷ ଷ୍ଟପେଜ୍ରେ। ଦୀର୍ଘ ସମୟ ଧରି ନିଦ୍ରା ଯାଇଥିବା ଗୁରୁମା ସଚେତନ ହୋଇ ଉଠି ପଡିଥିଲେ। ବସ୍ କୋଉ ଜାଗାରେ ପହଞ୍ଚିଲା, ସେ ସଂପର୍କରେ ଜାଣିବାକୁ ଚାହିଁ ସେ ଝରକା ବାଟେ ବାହାରକୁ ଅନେଇ ବ୍ୟସ୍ତ ହେଉଥିଲେ। ତଥାପି ପିଲାଟି ସେମିତି ତାଙ୍କ କଡରେ ଠିଆ ହୋଇଥିଲା ସହାସ୍ୟ ବଦନରେ।
"ଆପଣ ବ୍ୟସ୍ତ ହୁଅନ୍ତୁନି। ଆପଣଙ୍କ ଜାଗା ଆସିଲା। ଏଇଠି ତ ବସ୍ ରହିବ। ଆସନ୍ତୁ।'
ପିଲାଟି ତଥାପି ତାଙ୍କ କଡରେ ଦଣ୍ଡାୟମାନ ଥିବା ଦେଖି ଗୁରୁମା ବ୍ୟସ୍ତ ଓ ଆଶ୍ଚର୍ଯ୍ୟ ହେଲେ। ପିଲାଟି ତାଙ୍କ ବ୍ୟାଗ୍ ଉଠେଇ ଧରିଥିଲା। ଉତ୍ତର ବୟସରେ ପହଞ୍ଚିଥିବା ଗୁରୁମା ଧୀରେ ଧୀରେ ନିଜ ସିଟ୍ ଛାଡୁଥିଲେ। ପିଲାଟି ତାଙ୍କୁ ବସ୍ରୁ ତଳକୁ ଓହ୍ଲେଇବାରେ ସାହାଯ୍ୟ କଲା ଓ ତାଙ୍କ ବ୍ୟାଗ୍ ହାତରେ ଧରି ତାଙ୍କ ସହ ସହ ଚାଲିଲା।
ମାଧବୀ ଗୁରୁମା ପିଲାଟିକୁ ଆଉ ଚିହ୍ନିବାକୁ ଚେଷ୍ଟା କରୁନଥିଲେ। ହେଇଥିବ ତାଙ୍କର କୋଉ ଛାତ୍ରଟିଏ। ପିଲାଟି ଖୁବ୍ ସଂସ୍କାରୀ ଲାଗୁଛି। ଆହାଃ ! କେତେ ଭଲ ହୋଇନଥିବ ତା’ ପରିବାର। ଆଜିକାଲି କିଏ କାହାକୁ ଏମିତି ସାହାଯ୍ୟ କରୁଛି ?
ଏଇ କିଛି ଦୂରରେ ତାଙ୍କ ବସା। ଏକା ରହିବାକୁ ପଡୁଛି। ଜୀବନ ସାରା କେତେ କେତେ ପିଲାଙ୍କୁ ମଣିଷ କରିଛନ୍ତି। ହେଲେ ତାଙ୍କ ପେଟରୁ ବାହାରିଥିବା ପୁଅଟିକୁ ସେ ତିଆରି କରିପାରିଲେ ନାହିଁ। ସଂସ୍କାର ଟିକେ ଦେଇପାରିଲେ ନାହିଁ। ମାଆକୁ କେମିତି ଭଲ ପାଇବାକୁ ପଡେ ବତେଇ ପାରିଲେ ନାହିଁ। ବାଟ ଚାଲୁ ଚାଲୁ ସେ ଭାବୁଥିଲେ ନିଜ କଥା। ନିଜର ପରିବାର କଥା। ନିଜ ପୁଅ କଥା। ସେମାନଙ୍କ ଘୃଣା କଥା।
"ମତେ ଆପଣ ଚିହ୍ନି ପାରୁ ନାହାଁନ୍ତି ନା ଗୁରୁମା ? ମୁଁ ଜାଣିଚି।'
ମାଧବୀ ଗୁରୁମା ଟିକେ ଅପ୍ରସ୍ତୁତ ହୋଇଗଲେ। ସତରେ ବି ସେ ପିଲାଟିକୁ ଏ ଯାଏଁ ଚିହ୍ନିପାରିଲେ ନାହିଁ। ବାଟ ଚାଲୁ ଚାଲୁ ଟିକେ ଅଟକି ଗଲେ। ଚଷମାର ମୋଟା କାଚ ଭିତରୁ ଚାହିଁଲେ ପିଲାଟିକୁ। ତା’ ମୁଣ୍ଡରେ ହାତ ବୁଲେଇଲେ ଓ କହିଲେ- "ତୁ ହୁର୍ଷି ତ ? ରାମ ପ୍ରଧାନ ପୁଅ ?'
ପିଲାଟି ହସିଲା ଧୀର୍ କରି।
"ନା ନା ମୁଁ ରାଧେଶ୍ୟାମ। ଆପଣ ମତେ ଚିହ୍ନି ପାରିବେନି।'
ମାଧବୀ ଗୁରୁମା ଆଶ୍ଚର୍ଯ୍ୟ ହେଲେ।
"କାହିଁକି ? ତୁ ମୋ ଛାତ୍ର ତ ? ମୋ ପାଖରେ ପାଠ ପଢୁଥିଲୁ ତ ?'
"ହଁ ଛାତ୍ର ତ ଥିଲି। କିନ୍ତୁ ପଛ ବେଞ୍ଚରେ ବସୁଥିଲି।'
"ତ କ'ଣ ହେଲା ସେଇଠୁ।'
"ମୁଁ ସବୁବେଳେ ଢୋଳୋଉଥିଲି। ପାଠ ଆସୁ ନଥିଲା।'
ମାଧବୀ ଗୁରୁମା ପୁଣି ଥରେ ପିଲାଟିକୁ ଚାହିଁଲେ କରୁଣ ଦୃଷ୍ଟିରେ।
"ତତେ ତ ମୁଁ ବହୁତ ବାଡୋଉଥିବି ?'
"ହଁ। ବହୁତ। ମତେ କିଛି ଆସେନି ନା। ସେଥିପାଇଁ।'
ମାଧବୀ ଗୁରୁମା ପୁଣିଥରେ ରହିଗଲେ ଓ ପିଲାଟିକୁ ନିରୀକ୍ଷଣ କଲେ ଆଉଥରେ। ଆହାଃ ! ପିଲାଟି ଏବେ ତ ଏତେ ସରଳ ଦିଶୁଛି, ସେତେବେଳେ ଆହୁରି କେତେ ନଥିବ। କାହିଁକି ସେ ବାଡୋଉଥିଲେ ତାକୁ ?
"ତେବେ ତୁ ତ ମୋ ଉପରେ ରାଗୁଥିବୁ ନିଶ୍ଚୟ। ତଥାପି ମତେ ଆଜି ଏତେ ସାହାଯ୍ୟ କରୁଛୁ !'
"ନା ନା ରାଗିବି କେମିତି ? ମାଆ ମନା କରୁଥିଲେ।'
"ଓହୋ ! କ'ଣ କହୁଥିଲେ ?'
"କହୁଥିଲେ, ଗୁରୁମାନେ ରାଗିଲେ ଭଲ। ତାଙ୍କ ରାଗ ଆଶୀର୍ବାଦ ହୋଇ ପିଲାକୁ ବଡ ମଣିଷ କରେ। ସେଥିପାଇଁ ଯୋଉଦିନ ଆପଣ ରାଗୁ ନଥିଲେ ମତେ ଭଲ ଲାଗୁନଥିଲା। ମାଆଙ୍କୁ ବି ମତେ ମିଛ କହିବାକୁ ପଡୁଥିଲା।'
ପିଲାଟିର କଥା ଶୁଣି, ମାଧବୀ ଗୁରୁମାଙ୍କ ଆଖି ଛଳଛଳ ହୋଇଗଲା। ସେ ଚଷମା ଖୋଲି ଲୁଗା କାନିରେ ଆଖିରୁ ଲୁହ ପୋଛିଲେ। ପିଲାଟିର ମୁଣ୍ଡରେ ହାତ ବୁଲେଇ ଆଣି ତାକୁ ଛାତି ଉପରକୁ ଆଉଜେଇ ଆଣିଲେ।
କେତେ ସଂସ୍କାରୀ ସତେ ! ପିଲାଟିକୁ ସେ ଘରେ ବସାଇଲେ। ପାଣି ଗିଲାସେ ଦେଲେ। ତାଙ୍କ ନାତିଟି ଏଇ ବୟସର ହେବଣି। ପୁଅବୋହୂ ପାଖରେ ଥିଲେ ଆଜି ନାତିଟିକୁ ସେ ଏଇମିତି ଶ୍ରଦ୍ଧା କରୁଥାନ୍ତେ। ଖୁବ୍ ସମୟ ପାଇଁ ତାଙ୍କ ଭିତରୁ ଭାବପ୍ରବଣତା ଯାଉନଥିଲା। ସେ ଛଳଛଳ ହୋଇ ପଡୁଥିଲେ।
"ତୋ ଘର କୋଉଠିରେ ପୁଅ ? ଏଇ ପାଖରେ କୋଉଠି ?'
"ନା ନା ଆମ ଘର ମୁଁ ଛାଡିକି ଆସିଲି। ଏବେ ଲେଉଟାଣି ବସ୍ରେ ଫେରିବି।'
"ତେବେ ତୁ ତୋ ଷ୍ଟପେଜ୍ରେ ଓହ୍ଲେଇ ପଡିଲୁନି ? କି ଅଜବ ପିଲାଟେ !'
"ନା ନା ଆପଣ ବସ୍ରେ ବିଶ୍ରାମ ନେଉଥିଲେ। ମାଆ କହିଥିଲେ, ଗୁରୁମାନେ ବିଶ୍ରାମ ନେଲାବେଳେ ତାଙ୍କୁ ଜଗି ରହି ତାଙ୍କ ସେବା କରିବ। କାଳେ କିଛି ଅସୁବିଧା ହେବ ସେଥିପାଇଁ ମୁଁ ଆପଣଙ୍କ ସହ ପଳେଇ ଆସିବାକୁ ଠିକ୍ ମନେକଲି।'
ମାଧବୀ ଗୁରୁମା ଆଶ୍ଚର୍ଯ୍ୟ ଚକିତ ଭାବେ ସଜଳ ଆଖିରେ ପିଲାଟିର ମୁଣ୍ଡ ଆଉଁଷି ପକେଇଲେ। ଦିନେ ଏଇ ପିଲାଟି କ୍ଲାସ୍ରେ ଢୋଳୋଉଥିଲା ବୋଲି ସେ ତାକୁ କେତେ ବାଡେଇଥିଲେ। କିନ୍ତୁ ଆଜି ବସ୍ରେ ସେ ଶୋଇଥିଲେ ବୋଲି ଜଗି ଜଗି ତା ନିଜ ଗାଁ ଛାଡି ଚାଲି ଆସିଛି ତାଙ୍କ ସହ। କେତେ ସଂସ୍କାର ଦେଇଛି ତା ମାଆ ତାକୁ !
"ତୋ ମାଆ ତତେ ଭଲ ସଂସ୍କାର ଦେଇଛି। ମାଆଙ୍କୁ ଥରେ ସାଙ୍ଗରେ ଧରି ଏଠିକି ବୁଲେଇ ଆଣେ। ତାଙ୍କ ପରି ଜଣେ ସଂସ୍କାରୀ ମାଆଙ୍କୁ ମୁଁ ଭେଟିବାକୁ ଚାହୁଁଛି।' ପିଲାଟି ପାଇଁ ଲେମ୍ୱୁ ସରବତ ଗିଲାସେ ତିଆରି କରୁକରୁ ମାଧବୀ ଗୁରୁମା କହିଲେ।
ତାଙ୍କ କଥା ଶୁଣି ପିଲାଟିର ମୁହଁ ଦିଶିଲା ଏକ ମେଘ ଭର୍ତ୍ତି ଆକାଶ ପରି।
ଆଖିରୁ ଲୁହ ପୋଛି ସେ କହିଲା- "ମୁଁ ଆପଣଙ୍କ ସେବାଯତ୍ନ କରିବା ଦେଖି, ସ୍ୱର୍ଗରେ ରହି ମୋ ମାଆ ସତରେ ଖୁବ୍ ଖୁସି ହେଉଥିବେ ଗୁରୁମା। ତାଙ୍କ ହସ ହସ ସନ୍ତୁଷ୍ଟ ମୁହଁଟିକୁ ମୁଁ ସହଜରେ ଅନୁମାନ କରିପାରୁଛି। ମୁଁ ସ୍କୁଲରେ ପଢୁଥିବା ବେଳେ ହିଁ ମାଆ ଇହଧାମ ତ୍ୟାଗ କରିଥିଲେ।'
ମାଧବୀ ଗୁରୁମାଙ୍କ ହାତରୁ ସରବତ ଗ୍ଲାସଟା ଖସି ପଡିଲା। ପିଲାଟିକୁ ଛାତିରେ ଜାକି ଧରି ସେ କଇଁ କଇଁ ହୋଇ କାନ୍ଦି ଉଠିଲେ।
ପ୍ଲଟ୍ ନଂ-୫୨୫/୧୨୬୦୩
ସମେଇଗାଡିଆ
ଭୁବନେଶ୍ୱର
ଫୋନ୍- ୯୮୬୧୪୧୫୩୭୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।