ଏକା ଏକା ତୁମ ବିନା

ଏ ଜୀବନଟା ଟିକେ ଅଟକି ଯା’ନ୍ତାନି, ବହୁତ୍ ଥକି ପଡ଼ିଲା ପରି ଲାଗୁଛି। ପୁଣି କିଛି ସମୟ ପଛକୁ ଫେରି ଯା’ନ୍ତାନି ଏ ଜୀବନ। କିଛି ସମୟ ପଛକୁ ଫେରିଗଲେ ମୁଁ ହୁଏତ ଆଉ ଥରେ କିଛି ନୂଆ କରି ଆରମ୍ଭ କରି ପାରନ୍ତି। କିଛି ଅସଜଡା ସମ୍ପର୍କକୁ ଆଉ ଥରେ ସଜେଇ ଦିଅନ୍ତି। ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡ ପରି ଜଳି ଜଳି ଚମକି ପଡୁଛି ମୁଁ ଆଉ ମୋ ଚତୁରପାର୍ଶ୍ଵ କିନ୍ତୁ ଏ ସଳିତା […]

Abhiman

Puspanjali Panda
  • Published: Wednesday, 10 June 2020
  • , Updated: 10 June 2020, 02:32 PM IST

ଜୀବନଟା ଟିକେ ଅଟକି ଯା'ନ୍ତାନି, ବହୁତ୍ ଥକି ପଡ଼ିଲା ପରି ଲାଗୁଛି। ପୁଣି କିଛି ସମୟ ପଛକୁ ଫେରି ଯା'ନ୍ତାନି ଏ ଜୀବନ। କିଛି ସମୟ ପଛକୁ ଫେରିଗଲେ ମୁଁ ହୁଏତ ଆଉ ଥରେ କିଛି ନୂଆ କରି ଆରମ୍ଭ କରି ପାରନ୍ତି। କିଛି ଅସଜଡା ସମ୍ପର୍କକୁ ଆଉ ଥରେ ସଜେଇ ଦିଅନ୍ତି। ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡ ପରି ଜଳି ଜଳି ଚମକି ପଡୁଛି ମୁଁ ଆଉ ମୋ ଚତୁରପାର୍ଶ୍ଵ କିନ୍ତୁ ଏ ସଳିତା ଯେ ଜ୍ଵଳନ ଯନ୍ତ୍ରଣାରେ କେବଳ ଛଟପଟ ହେଉଛି, ସେ କଥା କେବଳ ଏ ସଳିତା ହିଁ ଜାଣିଛି। ବୟସର ଅପରାହ୍ନରେ ନିଜେ ଲଗାଇଥିବା ରାସ୍ତା ପାଖ ଆମ୍ବ ଗଛ ମୂଳେ ଏକା ଏକା ବସି ଗାଁ ରାସ୍ତାରେ ଖେଳୁଥିବା କିଛି ଛୋଟ ପିଲାଙ୍କୁ ଦେଖି ଏମିତି କିଛି ଅନାବନା ଭାବନା ଭିତରେ ହଜି ଯାଇଥିଲେ ଆକାଶ ବାବୁ। ଆମ୍ବ ଗଛଟି ସିନା ଅଫଳନ୍ତି କିନ୍ତୁ ଏଇ ବାଟେ ଯାଉଥିବା ହଜାର ହଜାର ବାଟୋଇ ତ ତାଙ୍କ ଥକା ମେଣ୍ଟାଇ ଯାଆନ୍ତି। ଶହ ଶହ ଚଢ଼େଇ ଏ ଗଛ ଡାଳରେ ନିଜ ବସା ବାନ୍ଧନ୍ତି। ଏମିତି ଭାବୁ ଭାବୁ ନିଜ ଭାବନାରେ ହଜି ଯାଇଥିଲେ ଆକାଶବାବୁ। ହଠାତ୍ କେହି ଜଣେ ପିଲା ଡାକ ଛାଡ଼ି କହିଲା "ସାର୍ ବଲ୍‌ଟା ଦିଅନ୍ତୁ, ଆପଣଙ୍କ ଗୋଡ଼ ପାଖେ ପଡ଼ିଛି"। ପିଲାଟିର ଡାକ ଶୁଣି ଚମକି ପଡ଼ିଲେ ଆକାଶବାବୁ। ଭାବନା ରାଜ୍ୟରୁ ନିଜର ବାସ୍ତବତାକୁ ଫେରି ଆସିଲେ। ବଲ୍‌ଟିକୁ ଉଠେଇ ସେ ପିଲା ମାନଙ୍କ ଆଡ଼କୁ ଫିଙ୍ଗି ଦେଲେ।

ବାପାମା’ ଦୁହେଁ ଚାଲିଗଲା ପରଠୁଁ ଜୀବନଟା ସତେ ଯେମିତି ଏକ ମରୁଭୂମିର ମୃଗ ପରି ହେଇଯାଇଛି। ନା ଅଛି ତୃଷ୍ଣା ନା ଅଛି ଟିକେ ପାଣି। ପେଶାରେ ଆକାଶବାବୁ ଜଣେ ଡାକ୍ତର। ନିଜ କର୍ତ୍ତବ୍ୟକୁ ଭଗବାନଙ୍କ ଆଖ୍ୟା ଦିଅନ୍ତି ଆକାଶବାବୁ। କର୍ମ ହିଁ ଭଗବାନ ବୋଲି କୁହନ୍ତି। ଆଖପାଖ କିଛି ଅଞ୍ଚଳର ଲୋକେ ତାଙ୍କୁ ଭଗବାନ ପରିମାନନ୍ତି। ଯେତେ ବଡ଼ ରୋଗ ହେଲେବି ଆକାଶବାବୁଙ୍କ ଚିକିତ୍ସାରେ କେହି ଦୁଃଖୀ ହୋଇ ଫେରନ୍ତି ନାହିଁ। ବୟସ ସାମାନ୍ୟ ଅଧିକ ହୋଇଯାଇଥିଲେ ବି ନିଜ କାମ ସେ ନିଜେ ହିଁ ଠିକ୍ ଭାବରେ କରିପାରନ୍ତି। କରିବେନି ବା କେମିତି ! ଏକା ଏକା ଜୀବନ ଜିଇଁବାରେ ବହୁତ୍ ବର୍ଷ କଟେଇ ସାରିଲେଣି। ନିଜର ସ୍ୱାଭିମାନକୁ ବହୁତ୍ ଉପରେ ରଖନ୍ତି। ଏ ସ୍ୱାଭିମାନ ଟିକକୁ ଛାଡ଼ିଦେଲେ ଆଉ କିଛି ନାହିଁ ତାଙ୍କ ପାଖରେ।

ନିଜର ପ୍ରେମ ବିବାହକୁ ବହୁତ ଜିଦ୍‌ରେ ସ୍ଵୀକୃତି ମିଳିଥିଲା ବାପାଙ୍କ ପାଖରୁ। କିନ୍ତୁ ବିନା ଯୌତୁକରେ ବୋହୂ ଆଣିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ଆକାଶବାବୁଙ୍କ ବାପା। ଆରତିଦେବୀଙ୍କ ବାପା ବି ବିବାହର ଏକ ବର୍ଷ ଭିତରେ ଯୌତୁକ ବାବଦକୁ ଯାହା ଯେତେ ଦାବି ହେଇଥିଲା ସବୁ ଦେଇ ଦେବେ ବୋଲି କହିଲେ। ବହୁତ୍ ଧୁମ୍ ଧାମରେ ହେଲା ବାହାଘର। ଆକାଶବାବୁ ଆଉ ଆରତି ଦେବୀ ପରସ୍ପରକୁ ଜୀବନଠୁ ବି ଅଧିକ ଭଲ ପାଉଥିଲେ। କାଳ ବୈଶାଖୀର ରୌଦ୍ରତାପ ପରେ ପହିଲି ବରଷା ଯେମିତି ଧରା ପୃଷ୍ଠକୁ ଏକ ଅପୂର୍ବ ଖୁସି ଦେଇଥାଏ, ସେମିତି ଏକ ଖୁସିରେ ଆତ୍ମହରା ଥିଲେ ଦୁହେଁ। ନାଲିରଙ୍ଗ ଆରତି ଦେବୀଙ୍କର ଭାରି ପସନ୍ଦ ଥିଲା। ଆରତିଦେବୀଙ୍କର ସବୁ ପସନ୍ଦକୁ ନିଜ ପସନ୍ଦ ବୋଲି ଭାବି ନେଇଥିଲେ ଆକାଶବାବୁ। ନିଜ କାନ୍ଧ ଗାମୁଛାଠାରୁ ଆରମ୍ଭ କରି ପିନ୍ଧା ପୋଷାକ ପର୍ଯ୍ୟନ୍ତ ସେ ବି ଖାଲି ନାଲି ରଙ୍ଗର ହିଁ ପିନ୍ଧୁଥିଲେ। ବାହାଘରର ଗୋଟେ ବର୍ଷ ପରେ ଆରତି ଦେବି ଆଉ ଆକାଶବାବୁ ଏକ ପୁତ୍ର ସନ୍ତାନର ପିତାମାତା ହେଲେ। ଗୋଟେ ଖୁସି ନସରୁଣୁ ଭଗବାନ ଆଉ ଗୋଟେ ଖୁସି ଦେଇଦେଇଥିଲେ। ହସ ଖୁସିରେ ଫାଟି ପଡୁଥିଲେ ଆକାଶବାବୁ ଆଉ ତାଙ୍କ ପରିବାର। ପୁଅର ଏକୋଇଶିଆ ପୂଜା ବଡ଼ ଧୁମ୍‌ଧାମରେ ପାଳନ କରୁଥିଲେ ଆକାଶବାବୁ। ବହୁତ୍ ଭାବି ଭାବି ଆରତି ଦେବୀ ଆଉ ଆକାଶବାବୁ ପୁଅର ନାମ ହୃଦୟ ଦେଇଥିଲେ। ଆରତିଦେବୀଙ୍କ ବାପା ବି ନିଜ ପାରୁ ପର୍ଯ୍ୟନ୍ତ ଯାହା ସମ୍ଭବ ଆଣିଥିଲେ ନିଜ ନାତିର ପୂଜା ପାଇଁ। କିନ୍ତୁ ଯୌତୁକ ବାବଦକୁ ଆଉକିଛି ଜିନିଷ ବାକିଥିବା ହେତୁ ସେ ପ୍ରାୟ ବହୁତ୍ ଦିନ ହେଲା ଝିଅ ଘରକୁ ଆସିପାରୁନଥିଲେ। ଭରି ସଭାରେ ପୁଅର ପୂଜା ଚାଲିଥିବା ସମୟରେ ଆକାଶବାବୁଙ୍କ ବାପା ଆରତିଦେବୀଙ୍କ ବାପା ଦେଇଥିବା ଛୋଟିଆ ପଦକଟିକୁ ଅପମାନ ଦେଇ ଫେରେଇ ଦେଲେ। ନିଜ ବାପାଙ୍କ ଅପମାନକୁ ସହି ପାରିଲେ ନାହିଁ ଆରତି ଦେବୀ । ସେଇ ଦିନ ରାତିରେ ହିଁ ନିଜ ବାପାଙ୍କ ସାଙ୍ଗରେ ନିଜର ଏକମାସର ଛୁଆକୁ ଧରି ଫେରିଗଲେ ଆରତି ଦେବୀ। ବାପାଙ୍କ ଆତ୍ମସମ୍ମାନ ଆଉ ଜିଦ୍‌କୁ ସମ୍ମାନ ଜଣାଇ ଚୁପ୍ ରହିଲେ ଆକାଶ ବାବୁ।

ଏମିତି କିଛି ଦିନ କିଛି ମାସ କିଛି ବର୍ଷ ବିତି ଯାଇଥିଲେ ବି ଉଭୟଙ୍କ ପାଖରୁ ନା ମିଳିଥିଲା କିଛି ଖବର ନା କିଛି ଉତ୍ତର, କେବଳ ମିଳିଥିଲା କିଛି ମିଛିମିଛିକା ଅପେକ୍ଷା। ଦୁହେଁ ଦୁହିଁଙ୍କ ବାଟ ଚାହିଁ ରହିଥିଲେ ଏକ ଅଭିମାନର କୋହରେ। ଦୁହେଁ ଦୁହିଁଙ୍କ ଠିକଣା ଜାଣିଥିଲେ ବି ନିଜର ଅଭିମାନ ଏକ ଶିକୁଳି ହୋଇ ଜାବୁଡ଼ି ଧରିଥିଲା ଦୁହିଁଙ୍କୁ। ପଚିଶ ବର୍ଷର ବିଚ୍ଛେଦର ନିଆଁରେ ଦୁହେଁ କେବଳ ଜ୍ୱଳନରେ ଜର୍ଜରିତ ହେଉଥିଲେ। ସତେ ଯେମିତି ଏକ ଦୁର୍ଲଭ ପ୍ରେମ ଚାପି ହୋଇ ପଡ଼ିରହିଛି କାହାର ଅଭିମାନର ପଥର ତଳେ। ମନରେ ଅସୁମାରୀ ପ୍ରେମର ଆବେଗକୁ ଅଟକାଇ ରଖୁଥିଲା ଅହଙ୍କାରର ଅଭିମାନ। ଆରତିଦେବୀଙ୍କର କିଛି ଦିନର ରହଣି ଗୋଟେ ସ୍ମୃତି ପାଲଟି ଯାଇଥିଲା ଆକାଶବାବୁଙ୍କ ଘରେ। ନିଜର ଏଇ ଛୋଟ ଘରେ ଥିବା ଅସୁମାରୀ ସ୍ମୃତିକୁ ଜାବୁଡ଼ି ଧରି ବଞ୍ଚି ରହିଛନ୍ତି ଆକାଶ ବାବୁ। ବହୁତ ଦିନ ହେଲାଣି କେବଳ ରୋଗୀଙ୍କ ଛଡା କେହି ଜଣେ ନିଜର ହୋଇ ଏ ଘରର ଫାଟକ ଡେଇଁ ଭିତରକୁ ପଶି ନାହାନ୍ତି।

ହଠାତ୍ କେହି ଜଣେ ଯୁବକ ଆକାଶ ବାବୁଙ୍କ ଆଡ଼କୁ ଚାଲି ଚାଲି ଆସିଲା। ଯୁବକ ଜଣକ କିଛି କହିବା ଆଗରୁ ଆକାଶବାବୁ କହିଲେ, ଆରେ ଆଜି ରବିବାର। ମୁଁ ରବିବାର ଟିକେ ରେଷ୍ଟ୍ ନିଏ। ଆଜି ରୋଗୀ ଦେଖି ପାରିବିନି ।(ଯୁବକ ଜଣକ ଆକାଶ ବାବୁଙ୍କ ପାଦ ଛୁଇଁ ନମସ୍କାର କଲା)।ଆରେ କିଏ ତୁମେ ? ମୁଁ ଜାଣି ପାରିଲି ନାହିଁ। ଆକାଶବାବୁଙ୍କ ପାଦ ତଳୁ ମଥା ଉଠାଇ ଗୋଟେ ପରିଚିତ ଅଭିମାନର ସ୍ୱରରେ ଯୁବକ ଜଣକ କହିଲା, ବାପା ମୁଁ ହୃଦୟ... ଆଜି ସକାଳେ ମା’ ଚାଲିଗଲା।

ଭାଙ୍ଗିଗଲା ସବୁ ଅଭିମାନର ବନ୍ଧ। ଏକ ଝାଞ୍ଜି ବୈଶାଖୀର ଟାଣୁଆ ଖରାରେ ଜଳିଗଲା ବର୍ଷ ବର୍ଷ ଧରି ଜମାଟ ବାନ୍ଧି ଥିବା ଏକ ବିରାଟ ବଡ଼ ଆକାଂକ୍ଷାର ଅପେକ୍ଷା। ଅନେକ ବର୍ଷରୁ ସାଇତା ଥିବା ଅଜସ୍ର ଶ୍ରାବଣ ଆଖିରୁ ଧାର ଧାର ହୋଇ ବହିଚାଲିଥାଏ। ଆଖି ଆଗରେ ନାଚି ଉଠୁଥାଏ ଆରତିଦେବୀଙ୍କର ସେଇ ହସ ହସ ମୁହଁଟି। ନିଜର ଅଭିମାନକୁ ଦମ୍ଭ କରି ଠିଆ ହୋଇ ରହିଥିବା ଆକାଶଟି ଆଜି ଦୂର ଦିଗବଳୟ ତଳେ ନଇଁ ପଡ଼ିଲା ପରି ଦିଶୁଛି। ଏ ବିରହର ନିଆଁରେ ଜଳି ଯାଇଥିବା ଛାତି ତଳେ ଚାପି ହୋଇ ରହିଥିବା ଏକ ଦୁର୍ଲଭ ପ୍ରେମ। କାନ୍ଧରେ ଥିବା ନାଲି ଗମୁଛାଟି ଖସି ପଡିଲା ତଳେ। ଗାମୁଛାଟିକୁ ତଳୁ ଉଠଉ ଉଠଇ ଗାମୁଛାର ରଙ୍ଗରେ ଦିଶୁଥିଲା ଅସଂଖ୍ୟ ପ୍ରେମର ରଙ୍ଗରେ ଶୁଖି ଯାଇଥିବା କିଛି ଅଲିଭା ଛିଟା। ସେ ଗାମୁଛା ଭିତରୁ ସତେ ଯେମିତି କେହି ଜଣେ କହି ହେଉଥିଲା... ଏ ଗାମୁଛାର ରଙ୍ଗ ଭାରି ସୁନ୍ଦର ହେଇଛି... ଆଉ ଆକାଶବାବୁ ସେ ଗାମୁଛାକୁ ଚାହିଁ କହୁଥିଲେ,

"ବିରହ ବେଦନା ... ସହି ମୁଁ ପାରେନା...
କେମିତି ଜିଇଁବି ଏକା ଏକା ତୁମ ବିନା... ଏକା ଏକା ତୁମ ବିନା...

ଫୋନ୍‌: ୯୫୩୮୭୭୭୨୩୮
ରଶ୍ମିରଞ୍ଜନ ଜେନା
ମୁଶ୍ରପୁର, ଭଦ୍ରକ

Related story