ଯେତେ ଜୀବନ, ସେତେ ଉପନ୍ୟାସ

ମାୟାଧର ନାୟକ ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି – ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି […]

Sharatchandra

Debendra Prusty
  • Published: Saturday, 31 July 2021
  • , Updated: 31 July 2021, 02:34 PM IST
  • ମାୟାଧର ନାୟକ

ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି - ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି - ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ।

ସବୁ ସତ୍ତ୍ୱେ ଓଡ଼ିଆ ଭାଷାରେ ଏବେ ଉପନ୍ୟାସ ରଚନା ଏକ ସଂକଟାପନ୍ନ ସ୍ଥିତିରେ ଗତି କରୁଛି ବୋଲି ମାନିନେବାକୁ ପଡ଼ିବ। ଏହା ପଛରେ ଯେଉଁ କାରଣଟିକୁ ସବୁଠୁ ବଡ଼ ମନେ କରାଯାଉଛି, ତାହା ହେଲା ଆଜିର ଦ୍ରୁତ ଜୀବନଧାରା। ଏଭଳି ଏକ ସମୟରେ ଆମେ ପହଂଚିସାରିଛେ, ଯେଉଁ ସମୟରେ କେହି କାହା କଥା ଶୁଣିବାକୁ ବେଳ ନାହିଁ।

ଆଗ ପରି ଏବେ ଆଉ ଉପନ୍ୟାସ ଲେଖାହେଉନାହିଁ। ଚରିତ୍ରମାନେ କ’ଣ କୁଆଡ଼େ ଛୁଟିଦିନ କଟାଇବାରେ ବ୍ୟସ୍ତ ନା ଘଟଣାସବୁ ଗର୍ହାଜିର୍? ହଁ, ପରିବେଶରେ ଅବଶ୍ୟ ଅନେକଟା ଅଦଳବଦଳ। ମେସିନ୍ ବିସ୍ଥାପିତ କରିଛି ମଣିଷକୁ - ତା’ ନିଜ ମନ-ପ୍ରାଣ-ଆତ୍ମାର ଏକଦା-ଅନ୍ତରଙ୍ଗ ଇଲାକାରୁ। ଶିଳ୍ପପ୍ରସାଧିତ ସଭ୍ୟତା ଆଜି କଳାକନା ବୁଲାଇସାରିଛି କୃଷିଭିତ୍ତିକ ସଂସ୍କୃତି ଓ ମୂଲ୍ୟବୋଧର ଯୌଥ ଜୀବନକ୍ଷେତ୍ରରେ। ବହିଃପ୍ରକୃତିର ବିକୃତୀକରଣ ପାଛୋଟି ଆଣିଛି ପ୍ରଦୂଷଣ, ଯାହାର ପ୍ରତୀକ କଳାଧୂଆଁ - ଅନ୍ତଃପ୍ରକୃତିର ଉଚ୍ଛେଦୀକରଣ ଡାକି ଆଣିଚି ବିସ୍ଫୋରିତ ସାମାଜିକ ବ୍ୟବଧାନ, ଯାହାର ସଂକେତ କଳାଧନ। ବ୍ୟବସ୍ଥାକୁ ବଦଳାଇବାର ଆସ୍ଥା ଯେଉଁମାନଙ୍କ ଉପରେ, ସେଇ ଯୁବପିଢ଼ି ଆଜି ଚକ୍ରବ୍ୟୁହସ୍ଥ ଅଭିମନ୍ୟୁର ଦଳ - ମତଲବୀ ମହାରଥୀମାନଙ୍କ ମଇଦାନ ମଝିରେ!

ଯେତେବେଳେ କୁରୁକ୍ଷେତ୍ର ପାଲଟିଯାଇଥିଲା ଯୁଦ୍ଧକ୍ଷେତ୍ର, ସେତେବେଳେ ମହାଭାରତ ଲେଖାଯାଇପାରିଥିଲା। ଏହି ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ପରିଣତ କରିବାର ପ୍ରେରଣା ଦେଇଥିଲା ଏ ମହାକାବ୍ୟ। ଅଥଚ ତା’ଠାରୁ ଆହୁରି ଭୟାବହ ଏକ ପରିବେଶ ସଂପ୍ରତି ସୃଷ୍ଟି ହୋଇସାରିଥିଲେ ହେଁ ଉପନ୍ୟାସର ଯୁଗାନ୍ତର କାହିଁକି ଏବେ ମଧ୍ୟ ଏକ ପ୍ରଶ୍ନବାଚୀ?

କ’ଣ ସମୟ ନାହିଁ?

ଆମ ପାଠକମାନଙ୍କର ପଢ଼ିବା ପାଇଁ ସମୟ ଥାଉ କି ନ ଥାଉ, କିନ୍ତୁ ଆମ ଲେଖକମାନଙ୍କର କ’ଣ ଲେଖିବା ପାଇଁ ସମୟ ନାହିଁ? ଗୀତ, କବିତା, ଗପ, ନାଟକ, ନିବନ୍ଧ, ପାଠ୍ୟପୁସ୍ତକ ଲେଖିବା  ପାଇଁ ସମୟ ଅଛି, ହେଲେ ଉପନ୍ୟାସ ଲେଖିବା ପାଇଁ ସମୟ ନାହିଁ ଏବେ?

ଉପନ୍ୟାସ ହେଉଛି ମହାଜୀବନ-ପ୍ରବାହର ମର୍ମାନୁବାଦ।

ଆମ ଭାଷାରେ ବର୍ତ୍ତମାନ ଉପନ୍ୟାସର ଏହି ଅନଟନ ନିଶ୍ଚିତରୂପେ ଏକ ଉଦ୍‌ବେଗଜନକ ବିଷୟ। ଶାସ୍ତ୍ରୀୟ ମାନ୍ୟତା ପାଇସାରିଥିବାର ମାତ୍ର କେତେ ବର୍ଷେ ପୂରୁ ନ ପୂରୁଣୁ ଯଦି ଏହା ହିଁ ଏବେ ଅବସ୍ଥା, ଆଗକୁ ତା’ହେଲେ ଏକ ଉପନ୍ୟାସହୀନ ସାହିତ୍ୟକୁ ମଂଚ ଆଗରେ ଛିଡ଼ା କରାଇ କି ଆଶା ଆଉ ବାନ୍ଧିବା ଆମେ?

ନୂଆ ଚରିତ୍ର, ନିଆରା ଘଟଣା, ନୁଖୁରା ପରିବେଶ - ଉପନ୍ୟାସର ଯୁଗାନ୍ତର ପାଇଁ ଯଥାର୍ଥରେ ଗୋଟିଏ ଗୋଟିଏ ଅନ୍ତର୍ଭେଦୀ ଆହ୍ୱାନ ନୁହେଁ କି?

ସମୟ ଥିଲା, ସମୟ ଅଛି, ସମୟ ଥିବ। ନ ଥିବ ବୟସ, ନ ଥିବ କୃଷ୍ଣକେଶ, ନ ଥିବ ସୁଖଦୁଃଖରେ ସମଭାଗୀ ନିହାତି ନିକଟର ମଣିଷ। ଥିବ ନିରବଧି କାଳ, ନ ଥିବ କିନ୍ତୁ ଭାବିବସିଥିବାକୁ ଆଉଘଡ଼ିଏ ବେଳ - ଜୀବନର ଗୁଡ଼ିଏ ଗୁମର ଭିତରୁ ଏମିତି ଗୋଟିଏ ଯୋଡ଼ିଏ କଥା ମନେ ପକାଇଦେଲେ ହିଁ ଯଥେଷ୍ଟ, ଯାହା ଆମକୁ ସୂଚାଇଦେଇଥାଏ ହାତଗଣତି କେତୋଟି ଉପନ୍ୟାସ। ସୂଚନା କ’ଣ ଦିଏ କେବଳ? ଦିଏ ଚେତନା, ଦିଏ ପ୍ରେରଣା, ଦିଏ ନବଜୀବନର ନିର୍ଦ୍ଦେଶନା ବି।

ସମସ୍ତେ ଟଲଷ୍ଟୟ ହୋଇପାରନ୍ତି ନାହିଁ କି ଗର୍କୀ। ସମସ୍ତେ ପ୍ରେମଚନ୍ଦ୍ ହୋଇପାରନ୍ତି ନାହିଁ କି ଫକୀରମୋହନ। ସମସ୍ତେ ଶରତଚନ୍ଦ୍ର ହୋଇପାରନ୍ତି ନାହିଁ କି କାହ୍ନୁଚରଣ। ସେମିତି ସମସ୍ତେ କ’ଣ ଲେଖିପାରନ୍ତି ଅଙ୍କଲ୍ ଟମ୍ସ୍ କ୍ୟାବିନ୍ ନା କ୍ରାଇମ୍ ଏଣ୍ଡ୍ ପନିଶ୍‌ମେଣ୍ଟ? ମହାନ୍ ଲେଖକମାନେ ଯେମିତି ସବୁଦେଶର, ମହତ୍ତର କୃତିଗୁଡ଼ିକ ବି ସେମିତି ସବୁ କାଳର। ସମସ୍ତେ ସେମାନେ ବରଣୀୟ। ସେମାନଙ୍କ କାଳଜୟୀ କୃତିସବୁ ମଧ୍ୟ ସ୍ମରଣୀୟ। ସେମାନେ ବଜାରର ହଜାର ଜଣଙ୍କ ପାଇଁ ଲେଖିବା ଅପେକ୍ଷା ନିଜ ଅନ୍ତଃପୁରୁଷର ଆଜ୍ଞା ପାଳନ କରିବାକୁ ହିଁ ଲେଖୁଥିଲେ। ଆମେ ଆଜି ଉପନ୍ୟାସର ଯୁଗାନ୍ତର ପାଇଁ କାମନା କରୁଥିବା ବେଳେ ଏଇ ସରଳ ସତ୍ୟଠାରୁ ଯେପରି ଦୂରେଇ ନ ଯାଉ - ଅନ୍ତତଃ ଏତିକି ମନେରହିପାରିଲେ ଭଲ।

ଶରତଚନ୍ଦ୍ର କହିଥିଲେ, ‘ପାଦ ଥିଲେ ଚାଲିହୁଏ, କିନ୍ତୁ ହାତ ଥିଲେ ଲେଖିହୁଏନା।’ କେଡ଼େ ବଡ଼ କଥାଟାଏ! ଏଇ ଦୃଷ୍ଟିରୁ କୁହାଯାଇପାରେ, ବୁନ୍ଦାଏ ରକ୍ତରେ ମନର ମଣିଷ ପାଖକୁ ହୁଏତ ଦସ୍ତଖତଟିଏ ପଠାଇଦେଇହୁଏ, କିନ୍ତୁ ବୋତଲେ କାଳିରେ ପାଠକପାଠିକାଙ୍କ ହାତପାଆନ୍ତାକୁ ଉପନ୍ୟାସଟିଏ ବଢେଇ ଦେଇହୁଏନା।

ସମୟ ଥିଲେ ଯେ ଉପନ୍ୟାସ ଲେଖିଦେଇହେବ, ତା’ ବି ହଲପ୍ କରି କୁହାଯାଇନପାରେ। ଏ କଥା ମଧ୍ୟ କେବେକେବେ ଶୁଣିବାକୁ ମିଳିଥାଏ ଯେ କୌଣସି ଲେଖକ ଉପନ୍ୟାସଟିଏ ଲେଖିବେ ବୋଲି ଛୁଟି ନେଇ ଘରୁ ଚାଲିଯାଇଛନ୍ତି ବାହାରକୁ। କିନ୍ତୁ କିଛିଦିନ ପରେ ଫେରିଛନ୍ତି ଉପନ୍ୟାସ ବଦଳରେ ଖଣ୍ଡେ ଅସଜଡ଼ା ଭ୍ରମଣ ବୃତ୍ତାନ୍ତ ଲେଖି!

ଏମିତି ବି ହୁଏ।

ଲେଖକ ଯାହା ଲେଖିବାକୁ ଲକ୍ଷ୍ୟ ରଖିଥାନ୍ତି, ତା’ ବଦଳରେ ତାଙ୍କୁ ମିଳିଥାଏ ପୃଥକ୍ ପଦାର୍ଥ। କଲମ୍ବସ୍ ଭାରତ ଆବିଷ୍କାରରେ ବାହାରି ଆମେରିକାରେ ପହଂଚିଗଲା ପରି କଥା ଇଏ।

ଶରତଚନ୍ଦ୍ରଙ୍କ ସଂପର୍କରେ ଶୁଣାକଥାଟିଏ ଭାରି ଲୋକପ୍ରିୟ। କରଜଭାରରୁ କିଛିଟା ନିସ୍ତାର ପାଇବା ପାଇଁ ଟଙ୍କା ଦରକାର ଥିଲା ତାଙ୍କର। ପ୍ରକାଶକ ମହୋଦୟ ତାଙ୍କୁ ପ୍ରତିଶ୍ରୁତି ଦେଲେ, ଲୋଡୁଥିବା ଟଙ୍କା ତାଙ୍କ ହାତକୁ ଯିବା ପାଇଁ ଅପେକ୍ଷା କରି ରହିଛି - ହେଲେ ତାଙ୍କଠୁ ଗୋଟିଏ ଉପନ୍ୟାସ ପ୍ରକାଶକ ହାତେଇସାରିଲା ପରେ। ଶରତଚନ୍ଦ୍ର ରାଜି ହେଲେ। ସକାଳୁ ସେ ଗୋଟିଏ ବଖରା ଭିତରେ ରହି ପ୍ରକାଶକଙ୍କ ପାଖରୁ କାଗଜ କଲମ, ଖାଦ୍ୟପାନୀୟ ମଗାଇସାରିବା ପରେ ବାହାରୁ ତାଲା ପକାଇଦେବାକୁ କହିଲେ। ତା’ପରେ କହିଲେ : କାଲି ସକାଳୁ ଆସି କବାଟ ଫିଟାଇବ – ନଭେଲ୍‌ଟା ନେଇଯିବ!

ଏହି ବିଚିତ୍ରମନା ଲେଖକଙ୍କୁ ପ୍ରକାଶକ କେମିତି ଟିକିଏ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ପଛେଇ ପଛେଇ ବଖରା ଭିତରୁ ବାହାରି ଆସିଲେ। ମନେମନେ ଭାବୁଥିଲେ, ନିଶାପାଣି ଅଭ୍ୟାସଟା ବୋଧହୁଏ ଏଇମାତ୍ର ତାର କାମ ଆରମ୍ଭ କରିଦେଲାଣି - ନ ହେଲେ ରାତାରାତି ନଭେଲ୍? କ’ଣ ଲେଖକ ନା ଲେଖାକଳ? ହଉ, ଥରେ ପରୀକ୍ଷା କରିନେଲେ କ୍ଷତି କ’ଣ?

ଭୋର୍ ବେଳକୁ କବାଟରେ କରାଘାତ। ସାରାରାତି ଉଜାଗର ଶରତଚନ୍ଦ୍ର ଅନ୍ତିମ ଅନୁଚ୍ଛେଦ ଲେଖିସାରିଥିଲେ କି ନାହିଁ ଆମକୁ ଜଣା ନାହିଁ। କିନ୍ତୁ ସେଇ କରାଘାତ ଶୁଣିବା ମାତ୍ରେ ସେ ପୂର୍ଣ୍ଣଚ୍ଛେଦ ପକାଇଦେଲେ ସେଯାବତ ଲେଖାସରିଥିବା ସବାତଳ ବାକ୍ୟଟି ପରେ। ଆଖିରୁ ଖସିପଡ଼ିଲା ଦି’ଟୋପା ଲୁହ - ଯାହା ଟିକିଏ ଝାପ୍ସା କରିଦେଲା ତଥାକଥିତ ଶେଷବାକ୍ୟଟିକୁ - ଆଉ ସେଇ ଲୁହବତୁରା ବାକ୍ୟ ଉପରେ କଲମଟାକୁ ଦାବିଦେଇ ତା’ ମୂନଟାକୁ ଭାଙ୍ଗିଦେଲେ ମହାନ୍ ଲେଖକ। ବାସ୍, ସେଇଠି ଉପନ୍ୟାସ ଶେଷ।

ନାଁ ଥିଲା ‘ଦେବଦାସ’। କେବଳ ସେଦିନର ପାଠକ ପିଢ଼ି କାହିଁକି ଆଜିର ଉପନ୍ୟାସପ୍ରିୟ ବିଭିନ୍ନ ଭାଷାର ପାଠକଶ୍ରେଣୀ ପାଖରେ ବି ‘ଦେବଦାସ’ର ଅନୁବାଦ ଏକାନ୍ତ ଆଦରଣୀୟ। କେତେଥର କେତେ ଭାଷାରେ ଖାଲି କ’ଣ ଅନୂଦିତ ହୋଇସାରିଛି ଏ ଉପନ୍ୟାସ, ଅତୀତରୁ ଏଯାବତ ତାର ଚଳଚ୍ଚିତ୍ରିତ ଚେହେରା ପିଢ଼ି ପରେ ପିଢ଼ିକୁ ଭିଡ଼ି ଧରିଛି ଏକ ଚୁମ୍ବକୀୟ ଆକର୍ଷଣରେ!

ସେ ଦିନସବୁ ଥିଲା କଥାସାହିତ୍ୟର ଉଜ୍ଜ୍ୱଳ ଫାଲ୍‌ଗୁନ।

ସେଇଭଳି ମହାନ୍ ଲେଖକ ଏବେ ଆଉ ନାହାନ୍ତି କି ସେ ଧରଣର ସ୍ମରଣୀୟ କଥାକୃତି ସାରସ୍ୱତ ସଂସାରରେ ସୃଷ୍ଟି ହେଉଥିବାର ସୁସମ୍ବାଦ ସେତେବେଶୀ ଶ୍ରୁତିଗୋଚର ହେଉନାହିଁ। ତଥାପି ଭବିଷ୍ୟତର ସାହିତ୍ୟ ନିଜର ମହାନ୍ ଲେଖକଲେଖିକାମାନଙ୍କୁ ଅପେକ୍ଷା କରିବାର ଆନନ୍ଦରେ ଯେ ନିତ୍ୟ ନିମଜ୍ଜମାନ ରହିଥିବ - ଏହା ନିଃସନ୍ଦେହ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

Related story