[caption id="attachment_403264" align="alignleft" width="124"]
ଡ୍ରଇଂରୁମ୍ର ସୋଫା ଉପରେ ବସି ରିମୋଟ୍ରେ ଟିଭି ସୁଇଚ୍ ଅନ୍ କଲେ ଇପ୍ସିତା। ରାତିର ପ୍ରୋଗ୍ରାମ୍ ରିପିଟ୍ ଦେଖି ମନେ ମନେ ବିରକ୍ତି ହୋଇ ଉଠୁଥିଲେ ଟିଭିବାଲାଙ୍କ ଉପରେ। ଅନ୍ୟମନସ୍କ ଭାବେ ସକାଳ ଚା’ କପ୍ରେ ଓଠ ଦେଉ ଦେଉ ହଠାତ୍ ଟିଭି ସ୍କ୍ରିନ୍ରେ ବିତର୍କ ଉପରେ ଅଟକିଗଲା ଇପସିତାଙ୍କ ଆଖି।
ସୁପ୍ରିମକୋର୍ଟର ରାୟକୁ ନେଇ ଚାଲିଛି ତର୍ଜମା। ‘ଏକ୍ସଟ୍ରା ମାରିଟାଲ୍ ରିଲେସନ୍’ ବା ‘ପରକୀୟା ପ୍ରୀତି’ ଅପରାଧ ନୁହେଁ। ପ୍ୟାନେଲିଷ୍ଟ୍ଙ୍କ ଭିତରେ ମହିଳା ସମାଜସେବୀ ମଧ୍ୟ ଅଛନ୍ତି।
କି ଅଜବ ଯୁକ୍ତି ପ୍ୟାନେଲିଷ୍ଟ୍ରେ ବସିଥିବା ମହିଳା ସମାଜସେବୀଙ୍କର। ପୁରୁଷ ପରି ସ୍ତ୍ରୀର ବି ଗୋଟେ ମନ ଅଛି। ଦେହ ଅଛି, ଦେହର ଦାହ ଅଛି। ‘ବୁଭୁକ୍ଷୁ ନ କରୋତି ପାପ’ ନ୍ୟାୟରେ ନିଜ ଜୀବନକୁ ସଠିକ ଭାବେ ଉପଭୋଗ କରିବା ପୁରୁଷ ପରି ସ୍ତ୍ରୀର ମଧ୍ୟ ସମାନ ଅଧିକାର ଅଛି ବୋଲି ମହିଳା ପ୍ୟାନେଲିଷ୍ଟ୍ ଜଣକ ଯୁକ୍ତି ବାଢୁ ଥିଲେ। ଏସବୁ ଅଜବ ଯୁକ୍ତି ଶୁଣି ଇପ୍ସିତା ନିଜକୁ ବଡ଼ ଅସହଜ ମନେ କରୁଥିଲେ। ରାଗରେ ପଞ୍ଚମ ହୋଇ ଉଠିଲେ ଇପ୍ସିତା। ଟିଭି ଅଫ୍ କରି କିଛି ସମୟ ନୀରବି ଗଲେ, ଆଉ ଭାବୁଥିଲେ ଯୁଗ ବଦଳିବାର ଦ୍ୱାହିରେ ଦେଶର ଗତି କୁଆଡ଼େ?
ଇପ୍ସିତା ଚୌଧୁରୀ ଆଇଏଏସ୍ ଅଧିକାରୀ। ଜେଏନ୍ୟୁ ୟୁନିଭରସିଟିର ଇଂରାଜୀରେ ଗୋଲ୍ଟ ମେଡାଲିଷ୍ଟ୍। ଜଣେ ଦକ୍ଷ ପ୍ରଶାସିକା ଭାବେ ତାଙ୍କର ଖ୍ୟାତି ରହିଛି । ସ୍ୱାମୀ ପ୍ରିୟବ୍ରତ ଜଣେ ସଫ୍ଟୱେର ଇଂଜିନିୟର, ରୁହନ୍ତି ଆମେରିକାରେ। ମଝିରେ ମଝିରେ ଛୁଟିରେ ଇଣ୍ଡିଆ ଆସନ୍ତି। ଆଉ ସେତେବେଳେ ଇପ୍ସିତାଙ୍କ ଖୁସି କହିଲେ ନସରେ।
ପ୍ରିୟବ୍ରତଙ୍କର ପସନ୍ଦ ମୁତାବକ ନୂଆନୂଆ ଡିସ୍ ନିଜେ ପ୍ରିପେୟାର କରି ତାଙ୍କୁ ଖାଇବାକୁ ଦିଅନ୍ତି। ପ୍ରିୟବ୍ରତ ମଧ୍ୟ ଇପ୍ସିତାଙ୍କ ମନ ଜାଣି ତାଙ୍କୁ କେତେବେଳେ ସପିଙ୍ଗ୍ କରାଇବାକୁ ନିଅନ୍ତି ତ କେବେ ଲଙ୍ଗ୍ ଡ୍ରାଇଭ୍ରେ ବାହାରି ପଡ଼ନ୍ତି। ପ୍ରିୟବ୍ରତ ଆମେରିକା ଚାଲିଯିବା ପରେ ଇପ୍ସିତା ନିଜ ଭିତରେ ଭାଙ୍ଗିପଡ଼ନ୍ତି। ଅଫିସ୍ର ବିଜି ସିଡ୍ୟୁଲ୍ ପରେ ରାତିରେ ଅପେକ୍ଷା କରିଥା’ନ୍ତି ସ୍ୱାମୀଙ୍କର ଫୋନ୍କଲ୍କୁ। କେବେ କେବେ ଭିଡିଓ କଲ୍ରେ ମଧ୍ୟ କଥା ହୁଅନ୍ତି ପ୍ରିୟବ୍ରତଙ୍କ ସହ।
ଟପ୍କ୍ଲାସ୍ ବ୍ୟୁରୋକ୍ରାଟ୍ ଇପ୍ସିତା ଚୌଧୁରୀଙ୍କ ପାଖରେ ଜୀବନର ସକଳ ପ୍ରାଚୁର୍ଯ୍ୟ ହାତପାଆନ୍ତାରେ। ଟଙ୍କା, ପଇସା, ପିଅନ, ଚପରାସୀ କୋଉଥିରେ ଅଭାବ ନାହିଁ। ତଥାପି ସକଳ ସୁଖ ସମୃଦ୍ଧି ଭିତରେ ଇପ୍ସିତା ନିଜକୁ ବ୍ୟବଚ୍ଛେଦ କରୁଥା’ନ୍ତି। କୋଉଠି ନା କୋଉଠି ତାଙ୍କ ଭିତରେ ଥାଏ ଦୁଃଖ। ବିବାହର ଦଶବର୍ଷ ପରେ ମଧ୍ୟ ମା’ ହେଇପାରିନାହାନ୍ତି ଇପ୍ସିତା। ମାତୃତ୍ୱ ହାସଲ କରି ନ ପାରିବାର ଦୁଃଖ ତାଙ୍କୁ ଅନେକ ସମୟରେ ଘାରେ। ପ୍ରିୟବ୍ରତ ଇଣ୍ଡିଆ ଆସିଲେ ସବୁ ବିଜି ସିଡ୍ୟୁଲ୍ ସତ୍ତ୍ୱେ ଉଭୟ ମେଡିକାଲ୍ ଓ ଫର୍ଟିଲିଟି ସେଣ୍ଟରକୁ ଯାଇ ଚେକ୍ଅପ୍ କରାନ୍ତି। ଟପ୍କ୍ଲାସ୍ ବ୍ୟୁରୋକ୍ରାଟ୍ ହେଲେ ମଧ୍ୟ ମାତୃତ୍ୱ ଯେ ନାରୀ ଜୀବନର ସାର୍ଥକତା, ସେ ବୁଝିଛନ୍ତି।
ସେଥିପାଇଁ ମନେ ମନେ କେତେ ଦିଅଁ ଦେବତାଙ୍କୁ ପ୍ରାର୍ଥନା କରନ୍ତି। ଶେଷରେ ତାଙ୍କୁ ହତାଶ୍ ହେବାକୁ ପଡ଼େ। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ପ୍ରୀୟବ୍ରତଙ୍କ ଆଡୁ ପ୍ରୋବଲେମ୍ ରହିଛି। ଇପସିତାଙ୍କୁ କେବେ ମାତୃତ୍ୱ ଦେଇ ପାରିବେନି ପ୍ରିୟବ୍ରତ।
ଇପସିତା ସକାଳୁ ନିଜ ବାଲ୍କୋନିରେ ବସି ସହରକୁ ନିରୀକ୍ଷଣ କରନ୍ତି। ରାତି ପାହିଲେ ଜୀବନ ବଞ୍ଚିବା ପାଇଁ ଯେମିତି ଲୋକଙ୍କ ଭିତରେ ଆରମ୍ଭ ହୁଏ ପ୍ରତିଯୋଗିତା, ସକାଳର ଉଦିତ ସୂର୍ଯ୍ୟର ରଙ୍ଗ, ଅନନ୍ତ ଆକାଶର ନୀଳିମା, ନିରବ ରାତିର କୋଳରେ ଉଷୁମ ନିଦରେ ଶୋଇ କଡ଼ ଲେଉଟାଉଥିବା ସହରର ତାଜା ସକାଳର ଦୃଶ୍ୟକୁ ଅବଲୋକନ କରନ୍ତି।
ଏସବୁ ଭିତରେ ଇପ୍ସିତାଙ୍କର ଦୃଷ୍ଟି ପଡ଼େ ତାଙ୍କ କ୍ୟାମ୍ପସରେ ସରଭ୍ୟାଣ୍ଟ କ୍ୱାର୍ଟର୍ସରେ ରହୁଥିବା ଆଶୁତୋଷ ଓ ତା’ ପରିବାର ଉପରେ। କେତେ ହସ ଖୁସିର ସଂସାର ଏମାନଙ୍କର। ଅଳ୍ପ ରୋଜଗାର ଭିତରେ ବି ବେଶ୍ ହସଖୁସିରେ ଚାଲେ ତାଙ୍କର ସଂସାର।
ଅଡର୍ଲି ଭାବେ କାମକରୁଥିବା ଆଶୁତୋଷ ଖୁବ ହ୍ୟାଣ୍ଡସମ୍। ଇକୋନୋମିକ୍ସ୍ରେ ଏମ୍ଏ। ସହଜରେ କ’ଣ ସରକାରୀ ଚାକିରି ମିଳୁଛି? ତେଣୁ ଆଶୁତୋଷ ଏଇ ଅଡିର୍ଲି ଚାକିରିରେ ଖୁସି। ପାଖରେ ତାର ସ୍ତ୍ରୀ ଅନିନ୍ଦିତା ଆଉ ବର୍ଷକର ପୁଅ ରୋହନ୍।
କେତେବେଳେ ବାଲ୍କୋନିରୁ ତ’ କେବେ ନିଜ ମାଷ୍ଟର ବେଡରୁମ୍ର ଝରକାରୁ ଆଶୁତୋଷ ଓ ଅନନ୍ଦିତାଙ୍କର ଦାମ୍ପତ୍ୟ ଜୀବନ ଶୈଳୀକୁ ନିରୀକ୍ଷଣ କରନ୍ତି ଇପ୍ସିତା। ରାତିରେ ଅନେକ ସମୟରେ ଆଶୁତୋଷକୁ ପାଖରେ ବସାଇ ଅଫିସ୍ କାମ କରନ୍ତି। ଫରମାଇସ୍ ଅନୁଯାୟୀ ଇପସିତାଙ୍କ କ୍ଲାନ୍ତି ମେଣ୍ଟାଇବା ପାଇଁ ଆଶୁତୋଷ କଫି ବନାଏ।
ଆଶୁତୋଷ ଖୁବ୍ କର୍ତ୍ତବ୍ୟନିଷ୍ଠ। ଇପ୍ସିତାର କୌଣସି ନିର୍ଦ୍ଦେଶ ଅବମାନନା କରେନି, ଘର ଝାଡୁ କରିବା, ପରିବା କିଣିବାଠୁ ଆରମ୍ଭ କରି ସବୁ କାମ କରେ। ଏପରିକି ଆଶୁତୋଷର ହ୍ୟାଣ୍ଡରାଇଟିଂ ଭଲ ବୋଲି ଅନେକ ସମୟ ଇପସିତା ଆଶୁତୋଷକୁ ଡିକ୍ଟେସନ୍ ଦିଅନ୍ତି। ଆଉ ଶୃଙ୍ଖଳିତ ଛାତ୍ରଟି ଭଳି ଆଶୁତୋଷ ଲେଖିଚାଲେ।
ଦିନେ ଦିନେ ବିଳମ୍ୱିତ ରାତିଯାଏ ଅଫିସ୍ ଚିଠିପତ୍ର କାମରେ ସାହାଯ୍ୟ କରେ ଆଶୁତୋଷ। ଇପସିତାଙ୍କ ପାଖରୁ ଛୁଟ୍କାରା ପାଇଲେ ନିଜ ପରିବାରକୁ ନେଇ ହସଖୁସିରେ ମାତେ, ତା’ ପୁଅକୁ ଖୁବ ଗେଲ କରେ। ନିଜ ଘରେ ଝାଡୁ ଲଗାଏ, ପରିବା କାଟେ, ବେଳେବେଳେ ଅନିନ୍ଦିତା ସହ ଖୁବ ମଜାମସ୍ତି କରେ।
କେତେବେଳେ ବାଲ୍କୋନିରୁ ତ’ କେବେ ନିଜ ମାଷ୍ଟର ବେଡରୁମ୍ର ଝରକାରୁ ଆଶୁତୋଷ ଓ ଅନନ୍ଦିତାଙ୍କର ଦାମ୍ପତ୍ୟ ଜୀବନ ଶୈଳୀକୁ ନିରୀକ୍ଷଣ କରନ୍ତି ଇପ୍ସିତା। ରାତିରେ ଅନେକ ସମୟରେ ଆଶୁତୋଷକୁ ପାଖରେ ବସାଇ ଅଫିସ୍ କାମ କରନ୍ତି। ଫରମାଇସ୍ ଅନୁଯାୟୀ ଇପସିତାଙ୍କ କ୍ଲାନ୍ତି ମେଣ୍ଟାଇବା ପାଇଁ ଆଶୁତୋଷ କଫି ବନାଏ। ମାଡାମଙ୍କ ପାଖରେ ଚୌକିରେ ବସିବାକୁ ସାହାସ କରେନି ଆଶୁତୋଷ। ଇପ୍ସିତା ଚୌକିରେ ବସିବାକୁ ନିର୍ଦ୍ଦେଶ ଦେଲେ ଅମାନ୍ୟ କରିପାରେନି। ଜଣେ ଅଡର୍ଲି ଭାବେ ମନ ଭିତରେ ଭୟଥାଏ। ନିଜ ଭିତରେ ଥରେ ଆଶୁତୋଷ।
ଖୁବ୍ ପାଖରୁ ଆଶୁତୋଷକୁ ଦେଖନ୍ତି ଇପ୍ସିତା। ନିଜ ଭିତରର ବେପଥୁକୁ ଦୂର କରିବା ପାଇଁ ଭାବନ୍ତି ଆଶୁତୋଷ ହିଁ ଏକମାତ୍ର ଭରସା। ସେ ହିଁ ତାଙ୍କୁ ଦେଇପାରିବ ମାତୃତ୍ୱ। ହେଲେ ନିଜର ଷ୍ଟାଟସ୍, ପଦମର୍ଯ୍ୟାଦା ତାଙ୍କୁ ଅନେକ ସମୟରେ ଦୋଛକିରେ ଛିଡ଼ା କରାଏ।
ଗୋଟିଏ ପଟେ ନିଜର ସୋସିଆଲ୍ ଷ୍ଟାଟସ୍, ହାଇଫାଇ ଲାଇଫ୍ ଷ୍ଟାଇଲ୍ ଆଉ ଅନ୍ୟପଟେ ମାତୃତ୍ୱ ହାସଲ କରି ନ ପାରିବାର ଦୁଃଖ, ତଥାପି କେମିତି ହେଲେ ତାଙ୍କର ମାତୃତ୍ୱ ଦରକାର। ପ୍ରିୟବ୍ରତଙ୍କୁ ସେ ମ୍ୟାନେଜ୍ କରିନେବେ ସତ, ହେଲେ ଆଶୁତୋଷକୁ ଏକଥା କହିବେ କେମିତି?
ଦିନେ ସନ୍ଧ୍ୟାରେ ନିଜ ରେସ୍ ଅଫିସ୍ରେ ଥାଇ ଇପ୍ସିତା ଅଡର୍ କଲେ ଆଶୁତୋଷକୁ ଆସିବା ପାଇଁ।। ମାଡାମ୍ଙ୍କ ଡାକରା ପାଇ ପହଞ୍ଚିଲେ ଆଶୁତୋଷ। ଅଡର୍ ଦେଲେ ଇପସିତା ବସିବାକୁ। ମେମ୍ ସାହେବଙ୍କ ସାମ୍ନାରେ ଚୌକିରେ ବସିବାକୁ ଥ........ଥ......ମ......ମ ହେଲେ ଆଶୁତୋଷ।
ଚଢ଼ା ଗଳାରେ କହିଲେ ଇପସିତା, ଆରେ ବସ୍ କହୁଛି। ଗୋଟେ ଅରଜେଣ୍ଟ୍ ଲେଟର୍ ଅଛି। ମୁଁ ଡାକୁଛି ତୁମେ ଲେଖ। ସୁନା ପିଲାପରି ଚୌକିରେ ବସି ଲେଖିବାକୁ ଅପେକ୍ଷା କଲେ ଆଶୁତୋଷ। ଆରମ୍ଭ ହେଲା ଇପସିତାଙ୍କ ଡିକ୍ଟେସନ୍।
ଜୀବନର ପ୍ରତିଟି କ୍ଷଣକୁ ମୁଁ ଉପଭୋଗ କରିବାକୁ ଚାହେଁ। ମୋ ପାଖରେ ସକଳ ପ୍ରାଚୁର୍ଯ୍ୟ ଥାଇବି କେଉଁଠି ନା କେଉଁଠି ଗୋଟିଏ ଗୋପନ ଦୁଃଖ ମତେ କୋରି କୋରି ଖାଉଛି। ମୋର ସେହି ଅଭାବ ଟିକକ ପୂରଣ କରିବା ପାଇଁ ତୁମେ ହିଁ ସମର୍ଥ ପୁରୁଷ। ଥରଟିଏ ଆସ ମତେ ବାହୁ ବନ୍ଧନରେ ନିବିଡ଼ ଭାବେ ବାନ୍ଧି ରଖ। ମୋ ଦେହରେ ଆଙ୍କି ଦିଅ ଚୁମ୍ୱନର ଚିତ୍ର। ମୋ ଦେହର ଶୁଷ୍କ ମରୁରେ ତୁମେ ଫୁଟାଇ ଦିଅ ପ୍ରେମର ପାରିଜାତ ଫୁଲ।
ତୁମର ଇପସିତା।
ଏ ପ୍ରକାର ଗୋଟେ ଚିଠି ଲେଖୁଥିବା ବେଳେ ଥରି ଉଠିଲା ଆଶୁତୋଷଙ୍କ ସମଗ୍ର ଶରୀର। ନିଜକୁ ଆଶ୍ଚର୍ଯ୍ୟ ମନେ କରୁଥିଲେ ଆଶୁତୋଷ। କପାଳରେ ଉକୁଟି ଆସୁଥିଲା ଶ୍ରମ ଝାଳ। ସମସ୍ତ ନିରବତାକୁ ଭଙ୍ଗ କରି ଚଢ଼ା ଗଳାରେ କହିଲେ ଇପ୍ସିତା... ଦିଅ ସେ ଚିଠି। ଆଶୁତୋଷଙ୍କ ହାତରୁ ଚିଠିଟି ନେଇ ଗୋଟେ ଲଫାପାରେ ଭର୍ତ୍ତି କଲେ ଆଉ ଖୋଳ ଉପରେ ଲେଖିଲେ,
ଟୁ: ଆଶୁତୋଷ ମହାପାତ୍ର, ଅଡର୍ଲି
ଲଫାପାରେ ଅଠା ଲଗାଇ ଚିଠିଟି ଆଶୁତୋଷଙ୍କ ହାତକୁ ବଢ଼ାଇ ଦେଲା ବେଳେ ଅନେକ ସ୍ୱପ୍ନ ଉଙ୍କି ମାରୁଥିଲା ଇପ୍ସିତାଙ୍କ ମନରେ। ମାତୃତ୍ୱ ପାଇବାର ଆଶାରେ ଉଦୟ ସୂର୍ଯ୍ୟର ଆଭା ପରି ରକ୍ତିମ ଦେଖାଯାଉଥିଲା ଇପ୍ସିତାଙ୍କ ମୁଖମଣ୍ଡଳ। ଆଖିରେ ରହିଥିଲା କାମନାର ନୀଳ ନିମନ୍ତ୍ରଣ। ଆଶୁତୋଷଙ୍କୁ ଚିଠି ଦେବା ବେଳେ ତାର ହାତକୁ ଧରି ମୃଦୁ ମୃଦୁ ଚାପା ଦେଉଥିଲେ ଇପ୍ସିତା।
ଅଲକ୍ଷ୍ୟରେ ହାତ ମୁଠାରୁ ବାହାରି ଯାଉଥିଲା ଆଶୁତୋଷ। ଆଉ ବଡ଼ ପାଟିରେ କହୁଥିଲା.. ଛିଃ... ଏତେ ନିଚ୍ଚ ଆପଣ। କ୍ଷୀପ୍ର ବେଗରେ ରୁମ୍ ବାହାରକୁ ପାଦ ବଢ଼ାଉଥିଲା ଆଶୁତୋଷ।
ଚୌକି ଉପରେ ଲଥ୍ କରି ବସିପଡ଼ି ମୁଣ୍ଡଉପରେ ବୁଲୁଥିବା ପଙ୍ଖା ଆଡ଼କୁ ଅନାଇଲେ ଇପସିତା। ଆଉ ସ୍ପଷ୍ଟ ଦେଖି ପାରୁଥିଲେ ପବନରେ କେମିତି ଚୁରମାର ହୋଇଯାଉଛି ତାଙ୍କ ସ୍ୱପ୍ନର ତାସ୍ ଘର...।
ଥାନୁଆଳ, ହରିଦାସପୁର, ଯାଜପୁର
ମୋ- ୯୪୩୮୪୧୬୨୩୫