ପ୍ରେମିକାର ହାଇ ହିଲ୍‌...

ମୟୂରଭଞ୍ଜରେ ଗୋଟେ ଲୋକ କଥା ଅଛି। ” ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ” । ଯାହାର ଅର୍ଥ ହେଲା ବାପ ଜନ୍ମରେ କେବେ ଦେଖି ନଥିବା ଜଣେ ମଣିଷ ହାତରେ ଯଦି ଗୋଟେ ଚୁଙ୍ଗା(କାହାଳୀ) ଦେଇ ଦିଆଯାଏ । ତେବେ ସେହି ଚୁଙ୍ଗାକୁ ପରିଶ୍ରା କରିବା ଯନ୍ତ୍ର ଭାବି ସେଥିରେ ସେ ପରିଶ୍ରା କରି ଦେବାର ସମ୍ଭାବନା ରହିଛି । ଏହି କାହାଣୀ ଭିତରେ ପ୍ରସଙ୍ଗଟି ଉଲ୍ଲେଖ କରିବାର ମାନେ ଏଇୟା ଯେ, […]

dusmant2

dusmant2

Puspanjali Panda
  • Published: Sunday, 09 February 2020
  • Updated: 09 February 2020, 01:56 PM IST

Sports

Latest News

ମୟୂରଭଞ୍ଜରେ ଗୋଟେ ଲୋକ କଥା ଅଛି। " ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ" । ଯାହାର ଅର୍ଥ ହେଲା ବାପ ଜନ୍ମରେ କେବେ ଦେଖି ନଥିବା ଜଣେ ମଣିଷ ହାତରେ ଯଦି ଗୋଟେ ଚୁଙ୍ଗା(କାହାଳୀ) ଦେଇ ଦିଆଯାଏ । ତେବେ ସେହି ଚୁଙ୍ଗାକୁ ପରିଶ୍ରା କରିବା ଯନ୍ତ୍ର ଭାବି ସେଥିରେ ସେ ପରିଶ୍ରା କରି ଦେବାର ସମ୍ଭାବନା ରହିଛି ।

ଏହି କାହାଣୀ ଭିତରେ ପ୍ରସଙ୍ଗଟି ଉଲ୍ଲେଖ କରିବାର ମାନେ ଏଇୟା ଯେ, ଆଜ୍ଞା ଆମେ ହେଲୁ ଗାଁ ଗାଉଁଲିର ପିଲା। ଚିଲି, ଚାଓମିନ, ବର୍ଗର ଏ ସବୁ କଣ ରାଜଧାନୀକୁ ଆସିବା ପରେ ହିଁ ଜାଣିଲି ଓ ଖାଇଲି ମଧ୍ୟ । ହେଲେ ବର୍ଗରଟା କେମିତିକା ଜିନିଷ ତାହା ତ ଏଯାଏଁ ମୋ ପାଇଁ ଦୁର୍ଲଭ। ହେଉ ଛାଡ଼ନ୍ତୁ , ଟିକେ କାହାଣୀ ଭିତରକୁ ନେଇ ଯିବା ....

ପ୍ରେମିକାର(ପୂ) ହାଇ ହିଲ୍‌। ପ୍ରେମ ତ କରିବ । ତା ଭିତରେ ପୁଣି ହିଲ ଉପାଖ୍ୟାନ କ’ଣ ଯେ । ପ୍ରେମର ଉଚ୍ଚତା କ’ଣ ହିଲ ସାହାଯ୍ୟରେ ମାପି ହୁଏ । ଆଉ ଯଦିବା ବା ହିଲ ସାହଯ୍ୟରେ ମାପି ହୁଏ । ତେବେ ଯିଏ ମାପେ ତାକୁ କ’ଣ ବୋଲି କହିବା । ସବୁଠାରୁ ମଜା କଥା ଏମିତିକା ପ୍ରେମର ପରିଭାଷା କ’ଣ ହୋଇପାରେ ? ରାଜଧାନୀରେ ଆମ ପରି ଗାଉଁଲି ପିଲାଙ୍କ ପାଇଁ ପ୍ରେମିକାର ହିଲ ଉପାଖ୍ୟାନ ଠିକ୍‌ .....
" ବାପେ ନା ପୁତେ, ପୁଅ ଚୁଙ୍ଗା ଧରି ମୁତେ " ସହିତ ସମାନ ।

କିଛି ବର୍ଷ ତଳର ଘଟଣା । ଧରିନିଆଯାଉ କଲେଜ ବେଳର କଥା । ସେଇ ସମୟର ବୋଲି ଭାବି ନେଇପାରନ୍ତି, ସେଥିରେ କିଛି ଅସୁବିଧା ନାହିଁ। ଆଉ କାହାଣୀରେ ଦୁଇଟି ମୁଖ୍ୟ ଚରିତ୍ର । ଉଭୟ ପୁଅ ଝିଅ । ଯଦି ଆପଣ ନିଜକୁ ଏ କାହାଣୀର ସେଇ ଦୁଇ ମୁଖ୍ୟ ଚରିତ୍ର ଭିତରୁ ଜଣେ ଜଣେ ବୋଲି ବି ଭାବି ନିଅନ୍ତି। ତା’ହେଲେ ଆହୁରି ଭଲ କଥା ।

ଜାନୁଆରୀ କିମ୍ବା ଫେବୃଆରୀ ମାସ । ହାଲକା ହାଲକା ଥଣ୍ଡା ଅନୁଭବ ହେଉଥାଏ । ଫଙ୍କସନ୍‌ ପାଇଁ ପୁରା କଲେଜ ହୁଲୁସ୍ତୁଲ୍‌। ମାନେ ଉଠୁଥାଏ ପଡୁଥାଏ । କଲେଜରେ ଯିଏ ପଢ଼ିଛି ସିଏ ଜାଣେ ଫଙ୍କସନର ମଜା । ସେ କଥା ନ କହିବା ଭଲ । କେତେ ଯେ ଘଟଣା ଦୁର୍ଘଟଣା ଘଟେ । ଯେମିତି ବଡ଼ ଭଉଣୀର ବାହାଘର ପୁର୍ବରୁ ସାନ ଭଉଣୀର ପ୍ରସ୍ତୁତି।। ଭିଣେଇର ଭାଇମାନଙ୍କୁ ଘାଇଲା କରିବାକୁ ଯେତେ ରଙ୍ଗ ନ କହିବା ଭଲ । ଆଉ ବଡ଼ ଭାଇର ବାହାଘର ପୁର୍ବରୁ ସାନ ଭାଇର ବିଅର ପେଟି ଯୋଗାଡ଼ କରି ସାଙ୍ଗମାନଙ୍କ ଆଗରେ ଖାତିର ମାରିବା । କେଉଁଠୁ ଆସିବ କେମିତି ଖେଳ ହେବ । ନହେଲେ ନାଗିନ ଡ୍ୟାନ୍ସ ହେବ ନାହିଁ। ଏସବୁକୁ ନେଇ ଉଭୟଙ୍କର ସମସ୍ତ ପ୍ରସ୍ତୁତି ଯେମିତି ଚରମସୀମାରେ ଥାଏ । ଠିକ ସେମିତି କଲେଜ ରେ ଫଙ୍କସନ ପୂର୍ବର କାହାଣୀ । ହୋଉ ଛାଡ଼ନ୍ତୁ, ଘଟଣାଟିକୁ ଆଉ ନ ଫେଣେଇ ସିଧା କାହାଣୀ ଭିତରକୁ ଯିବା ।

ହଁ ଆଉ କିଛି କଥା ରହିଗଲା ମ । ଅଳ୍ପରେ ସାରିଦେଉଛି । ତା’ ପରେ କାହାଣୀ ଆଡେ ଯିବା । କଲେଜ ଫଙ୍କସନମାନେ ଡାନ୍ସ ଆଉ ରାମ୍ପ ଶୋ ଆଗ । କିଏ କୋଉ ଗୀତରେ ନାଚିବେ । ରାମ୍ପ ଶୋ’ରେ କିଏ କିଏ ଭାଗ ନେବେ । କିଏ କାହା ସହ ପାର୍ଟନର ହେଇ ନାଚିବେ । ଆଉ କିଏ କାହା ସହ ରାମ୍ପରେ କ୍ୟାଟ ୱାର୍କ କରିବେ । ଦିନ ତମାମ କଲେଜର କନଫରେନ୍ସ ହଲରେ କସରତ ଚାଲିଥାଏ । ଓଃ ଆମ କଲେଜ ଟୋକାଙ୍କର ତ ନିଦ ଉଡି ଯାଇଥାଏ । ଏଇ ବାହାନାରେ କେତେ କ’ଣ ହୁଏ । ମୁଁ କ’ଣ ସାଧୁ ... ହୋଉ ଏଥର କାହାଣୀ ଉପରକୁ ଆସିବା ।

ସେଦିନ କଲେଜରେ ଯେମିତି ସେମିତି କଟିଗଲା । ଆଉ ରାତି ଅଧରେ ପ୍ରେମିକାର ଫୋନ କଲ(ଵର୍ତମାନ ସିଏ ପୂର୍ବତନ) କଲେଜରେ କ’ଣ ସବୁ ଚାଲିଛି । ଡ଼୍ୟାନ୍ସ ବହାନାନରେ ସୀମା ଟପିଯାଉଛ। ସେଇ ଯୋଉ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ତୁମେ ଟିକେ ସେ ଝିଅ ସହିତ ବେଶୀ କ୍ଲୋଜ ହେଇ ଯାଉନ । ହଁ ନାଚୁ ନାଚୁ କ’ଣ ସେ ଝିଅର ଅଣ୍ଟାରେ ସତସତିକା ଧରି ପକଉଛ । ଥରେ ନୁହଁ କି ଦୁଇ ଥର ନୁହେଁ ବାରମ୍ବାର । କହି ଦେଉଛି ମୋତେ ଏ ସବୁ ଜମାରୁ ଭଲ ଲାଗେନି । କିମା କରି ଦେବି । ପାରସଲ କରିଦେବି ... । ଏମିତି ଅନର୍ଗଳ ଧମକଭରା ତାଗିଦ .... । ତା ପର ଦିନଠୁ ଆଉ ଡ୍ୟାନ୍ସ ନା ଫାନ୍ସ । ସିଧା ଯାଇ ଲେଇବ୍ରେରୀରେ ହାଜର ହେଲି ।

ଦିନକ ଭିତରେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବାର ମୋର ଏଭଳି ରୂପକୁ ଦେଖି ପ୍ରେମିକା(ଵର୍ତମାନ ସିଏ ପୂର୍ବତନ) ପୁରା ଗଦଗଦ । ହେଲେ ସିଏ କାହୁଁ ଜାଣିବ ମୋ ମନର ବେଦନା । ପାଣି ବିନା ମାଛ ଆଉ ନାଟ ତାମସା ବିନା ଦୁଷ୍ମନ୍ତ । ଆଉ ଏ ସବୁ ଦେଖି ଆମ କ୍ଳାସ ଝିଅମାନେ ରାଗିକି ପଞ୍ଚମ । କ’ଣ ବେ ତା କଥାରେ ତୁ ଡ୍ୟାନ୍ସ କରିବୁନୁ । ସିଏ ତୋ ପାଇଁ ଏତେ ବଡ଼ । ଆମେ କେହି ନୁହେଁ । ଜଣେ ତ କହିଲା, ଦେଖ ସାଙ୍ଗ ଏ ସମୟ ଆଉ ଆସିବିନି । ଝୁରୁଥିବୁ କଲେଜ ଫଙ୍କସନ କଥା ମନେ ପକେଇ ପକେଇ । ଆଉ ଜଣେ ତ ଭିଡି ନେଇ ଗଲା ... ହେଲେ ମୁଁ ...... ସାଙ୍ଗ ମାନେ କାହୁଁ ଜାଣିବେ ... ଭରା ଯୌବନର ଗଭୀର ସାଗରେ ପହଁରୁ ଥିବା ସମୟରେ, ଯିଏ ରାତିର ନିଦ । ସେଇ ପା ତାଗିଦ କରିଛି । ଆଉ କାହା ଅଣ୍ଟାରେ ହାତ ମାରିବନି ....... ।

ଫଙ୍କସନ ପୂର୍ବ ରାତି ପ୍ରେମିକାର (ପୂର୍ବତନ) ଫୋନ୍‌... କ’ଣ ଯେ ଶୋଇପଡିଲଣି । ମିଛୁଟାରେ କହିଲି ନାଇଁ ନାଇଁ ତୁମ କଥା ଭାବୁଥିଲି । ସିଏ କହିଲେ ହଁ ଆଉ କାହା କଥା ଭାବିବନି । ପୁଣି ଗେହ୍ଲେଇ କି କହିଲେ ହଁ ଯେ କିଛି ପଚାରି ଥାଆନ୍ତି । କାଲି ଫଙ୍କସନରେ କଣ ପିନ୍ଧିବି ଯେ ? ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା । ତମକୁ କୋଉଟା ପସନ୍ଦ।  ତମେ ଯାହା କହିବ ତାହା ପିନ୍ଧିବି । ସବୁ ଅଛି ଯେ ମୋର କିନ୍ତୁ କୋଉଟା ବି ପସନ୍ଦ ନୁହଁ । ଶାଢ଼ୀ ନା ଚୁଡ଼ିଦାର ନା ଲେହେଙ୍ଗା କାହାର ବି କଲର ମୋର ପସନ୍ଦ ନୁହଁ ।

ଶେଷ ଧାଡ଼ିଟା ରାଗ ତମ ତମ ହେଇ କହିଲେ । ମନକୁ ମନ ଭାବିଲି କାଇଁ ରାତି ଅଧଟାରେ କିଛି ଗୋଟେ କହି ହୁଇସିଲ ମାରି କିଳା ଡାକିବି । ତୁନି ହେଇ ରହିବାଟା ମୋ ପାଇଁ ଭଲ । ଏମିତି କିଛି ଭାବୁଥାଏ, ସେହି ସମୟରେ ପୁଣି ମୋ ଉପରେ ଲଦି ଦେଲେ ପାଦରେ କଣ ପିନ୍ଧିବି ହୁହ । ହାଇ ହିଲ ନା ନର୍ମାଲ ହିଲ । ମଲା ମଣିଷ , ଏ କଥା ଶୁଣି ମୋ ମୁଣ୍ଡ ପୁରା ଟିଣ । କିଛି କହିବା ପୂର୍ବରୁ ପ୍ରେମିକାର (ପୂର୍ବତନ) ନିଜ ଆଡୁ କହିଲେ ଶାଢ଼ୀ ହେଉ କି ଚୁଡ଼ିଦାର । ଯାହା ସହ ବି ହାଇ ହିଲ ପିନ୍ଧିଲେ ସିଏ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବେ । ମୋ ପାଇଁ ସବୁ ଇଛାକୁ ଜଳାଞ୍ଜଳି ଦେଇ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧିବେ ବୋଲି ନିଜେ ନିଜେ ଫାଇନାଲ୍ କରିନେଲେ । ମନେ ମନେ ଭାବୁଥାଏ ବହୁତ କିଛି ..... ..ଯାହା ତାହା ଏଠି ଉଲ୍ଲେଖ କରି ପାରିବିନି । ତା ପର ଦିନ ଫଙ୍କସନ ହେଲା । ସିଏ ବି ମୋତେ କହିଥିବା ମୁତାବଜ ଶାଢ଼ୀ ଆଉ ନର୍ମାଲ ହିଲ ପିନ୍ଧି ଫଙ୍କସଙ୍କୁ ଆସିଲେ । ନାଚ ଗୀତ ହେଲା। ହେଲେ ଅବସୋସ କୋଉଥିରେ ଭାଗ ନେଇ ପାରିଲିନି । କେବଳ ଦର୍ଶକ ସାଜିଲି ଆଉ ତାଳି ମାରିଲି .. । କିଛି ଦିନ ଭିତରେ କଲେଜ ପଢ଼ା ବି ସରିଗଲା। ସିଏ ତା ବାଟରେ। ମୁଁ ମୋ ବାଟରେ ।

ୟା ଭିତରେ କିଛି ବର୍ଷ ବିତି ଗଲାଣି । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀରେ ବି ବହୁତ ପାଣି ବୋହି ଗଲାଣି । ଏମିତିକି କୁଆଖାଇରେ ବି । ସମୟ ବି ବହୁତ ଆଗକୁ ଚାଲିଯାଇଛି । ସେଦିନର ପ୍ରେମିକା ଆଜି ମୋ ପାଇଁ ପୂର୍ବତନ । ମୁଁ ବି ତାଙ୍କ ଏକ୍ସ । କାହିଁକି ହେବନି ଯେ .... ଥାଉ । କାହାଣୀ ଏଇଠି ସରିନି ।

ସେଦିନ ସନ୍ଧ୍ୟାରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବୁଲୁ ବୁଲୁ ହଠାତ ନଜର ପଡିଲା ଗୋଟେ ଝିଅ ଉପରେ । ହାତ କଟା ଧଳା ଟି ଶାର୍ଟ, ବର୍ତ୍ତମାନର କଟା କଟି ହେଇ ଥିବା ଫ୍ୟାସନେବୁଲ ଜିନ୍ସ, ହାତରେ ଆଉ ବେକରେ ଟାଟୁ, ମୁହଁରେ ଡିପ୍‌ ମେକଅପ୍‌, ଓଠରେ ଗୋଲାପୀ ରଙ୍ଗର ଗାଢ଼ ଲିପ୍ସଷ୍ଟିକ, ଧୂସର ରଙ୍ଗର ମୁକୁଳା ବାଳ, ପାଟିରେ ଚୁଇଁଙ୍ଗମ, କଥାରେ ଠୁସ୍‌ ଠାସ୍ ଇଂଲିଶ । ଆରେ ହଁ ଆଉ ଗୋଟେ କଥା ଭୁଲି ଯାଇଥିଲି। ପାଦରେ ହାଇ ହିଲ୍‌ । ଆଉ ଚାଲି ରାମ୍ପ ଉପରେ କ୍ୟାଟ ଉଆକ କଲାପରି । ବହୁତ ସମୟ ଧରି ତାକୁ ଘୁରି ଘୁରି ଚାହିଁଲି । ସିଏ ବି ଚାହିଁଲା । ଶେଷରେ ଏଇ ଚାହାଁ ଚାହିଁ ଭିତରେ ଉପପାଦ୍ୟଟି ସମାଧାନ ହେଲା । ଆରେ ଇଏ ତ ମୋର ସେଇ କଲେଜ ବେଳର ପୂର୍ବତନ ପ୍ରେ...... । ହେଲେ ସିଏ କ’ଣ ଏଇ ବେଶ ଭୁଷାରେ । ତାର ଏଭଳି ରୂପକୁ ଦେଖି ମୁଁ ପୁରାପୁରି ତାଜୁବ...

ଯିଏ କେବେ ଦିନେ ମୋତେ କଲେଜ ବେଳେ କହୁଥିଲା ଡ଼୍ୟାନ୍ସ ବହାନାରେ ମୁଁ କୁଆଡେ ସୀମା ଟପି ଯାଉଛ । ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କଲାବେଳେ ମୁଁ କୁଆଡେ ଝିଅଙ୍କ ସହିତ ବେଶୀ କ୍ଲୋଜ ହେଇ ଯାଉଛି । ଆଉ ନାଚୁ ନାଚୁ ଝିଅମାଙ୍କର ଅଣ୍ଟାରେ ସତସତିକା ଧରି ପକଉଛି ବାରମ୍ବାର। ତାକୁ (ପୂର୍ବତନ ପ୍ରେମିକା) କୁଆଡେ ଏ ସବୁ ଜମାରୁ ଭଲ ଲାଗେନି କହୁଥିଲା। ଏମିତି ହେଲେ ମୋତେ କିମା କରି ଦେବ। ପାରସଲ କରିଦେବ ବୋଲି.. ଅନର୍ଗଳ ତାଗିଦ .... କରୁଥିଲା। ଯିଏ ଦିନେ ହାଇ ହିଲ ପିନ୍ଧିଲେ କୁଆଡେ ମୋଠୁ ବେଶୀ ଲମ୍ବା ଦେଖା ଯିବ । ସେଥିପାଇଁ ନିଜର ସବୁ ଇଛାକୁ ଜଳାଞ୍ଜଳି ଦେଇ କୁଆଡେ ମୋ ପାଇଁ ନର୍ମାଲ ହିଲ ସହ ଶାଢ଼ୀ ପିନ୍ଧୁଥିଲା । ସିଏ ପୁଣି ଆଜି .....

ହା ହା ହା ହା ହା ହା ହା ହା ହା ହା ହା ହା ହା ହା ....
ମୋ ଗପଟି ସରିଲା ଫୁଲ ଗଛଟି ମଇଲା ।।।

#ଦୁଷ୍ମନ୍ତ_କୁମାର_ବେହେରା
#ଯଶୀପୁର
#ମୟୁରଭଞ୍ଜ
ମୋ - ୯୪୩୭୮୭୯୧୩୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos