ଈଶ୍ୱର

ସମରେନ୍ଦ୍ରନାଥ ମହାପାତ୍ର

ପ୍ରାସାଦ କାହାକୁ ଦିଅ, କାହାକୁ ନଦିଅ ପାଦେ ମାଟି
କାହାକୁ ଗଡ଼ାଉଥାଅ ନିଃସ୍ୱ କରି ବଡ଼ଦାଣ୍ଡରେ ତ
କାହାକୁ ବଢ଼ାଇ ଦିଅ ଭଣ୍ଡାରର ଚାବିକାଠି!
ତୁମେ ବଡ଼ ବିଚିତ୍ର ଠାକୁର
ତୁମ ସ୍ୱଚ୍ଛତା ଉପରେ ଘୋର ସନ୍ଦେହ ମୋର, ଈଶ୍ୱର !
ଯିଏ ତୁମକୁ ଡାକେ ସକାଳ ସଂଜେ
ଦିନରେ ବା ରାତିର ନିସ୍ତବ୍ଧ ପ୍ରହରେ
ଆଂଜୁଳା ଆଂଜୁଳା ଲୁହ ଟେକିଦିଏ
କୁଢ଼ କୁଢ଼ କୋହ ବାଢ଼ିଦିଏ
ତା’ପାଇଁ ତରଳେ ନାହିଁ ହୃଦୟ ତୁମର
ତୁମେ ଗୋଟେ ଚତୁର ଚାଲବାଜ୍ ଦସ୍ୟୁର ଚିତ୍ରକର, ଈଶ୍ୱର !
କେବେ ମାଗିବାକୁ ଚାହିଁନି ହାତ ପତେଇ
ତୁମେ ମହାବାହୁ ମେଲି ଅଜାଡ଼ି ଦେବ ବୋଲି ଆଶା କରି
କେବେ ଛୋଟ ବି କରିନାହିଁ ଆଂଜୁଳି
ତୁମେ ଜୀବନ ଭର୍ତ୍ତି ସ୍ୱପ୍ନ ଭରିଦେବ ବୋଲି!
ସବୁ ଆଶାକୁ କଲ ମୋର ବୈତରଣୀ ନଈ
ବିଶ୍ୱାସକୁ କଲ ବାଲିବନ୍ଧ, ଯାହା ରୋକିପାରିଲା ନାହିଁ
ବନ୍ୟାର ବିପିତ୍ତି, ଭାଗ୍ୟକୁ କଲ ହତାଦର
ସ୍ୱପ୍ନକୁ ଦେଲ ମୁଣ୍ଡ ପିଟିବା ପାଇଁ ତୁଠର ପଥର
ତୁମ ସାମ୍ୟବାଦିତା ଉପରେ ଘୋର୍ ସନ୍ଦେହ ମୋର, ଈଶ୍ୱର !
କେଉଁ ଗୋଟେ ଦୁର୍ବଳ ମୁହୂର୍ତ୍ତରେ ତୁମକୁ ଗଢ଼ିଥିଲା ମଣିଷ
ଯେ ତୁମେ ତା’ଠୁ ଛଡ଼ାଇନେଲ ଭାଗ୍ୟ ଓ ପୌରୁଷ
ଦେଲ ତାକୁ ଦୁର୍ବିପାକ, ଦୁର୍ଭାଗ୍ୟ,
ଦୁର୍ଯୋଗ ଓ ଦୁଃସ୍ୱପ୍ନର ଦୁଇଟି ଦାଢ଼ୁଆ ଦାନ୍ତ
ଯେ ମୋଡ଼ି ଖାଇଲା କଡ଼ମଡ଼ ମେରୁଦଣ୍ଡ ହାଡ଼,
ବାଧ୍ୟତଃ ନଇଁପଡିଲା ମଣିଷ ଓ ହେଲା ତୁମ ବଶ
ଯୋଉ ମଣିଷ ଗଢ଼ିଲା ତୁମକୁ,
ତାକୁ “ପିତୃତ୍ୱ’ ନଦେଇ କଲ କ୍ରୀତଦାସ ତୁମର
ତୁମେ ଗୋଟେ ନୃଶଂସ ନିଷ୍ଠୁର ନିଆଁର ନକଲି ହସର ଧାର
ତୁମ ନିଚ୍ଛକ ନିରପେକ୍ଷତା ଉପରେ ଘୋର ସନ୍ଦେହ ମୋର, ଇଶ୍ୱର !

ସମର୍ ଗ୍ରାଫିକ୍ସ, ସହଦେବଖୁଣ୍ଟା, ବାଲେଶ୍ୱର – ୭୫୬୦୦୧, ମୋବାଇଲ-୭୦୦୮୩୩୦୭୪୫