କୁଆଁର ପୂନେଇଁ ସନ୍ଧ୍ୟାରେ ମୋ ମୁହଁ ଦେଖିଲେ, ତମେ ପାଣି ପିଇବ ବୋଲି, ତମେ ରାଣ ଦେଇଥିଲ ତମ ଗାଁକୁ ଯିବାକୁ। ସାଙ୍ଗଠୁ ତା’ ବାପାଙ୍କ ସ୍କୁଟର୍ ଧରି ପହଞ୍ଚି ଯାଇଥିଲି ତମ ସାହି ପାଖ ନଦୀ କୂଳରେ। ଚାନ୍ଦ ବନ୍ଦେଇ ବନ୍ଦାଣ ଭୋଗ ଦେବା ବାହାନାରେ ଆସିଲ ତମେ, ଆଉ ତମ ସାନ ଭଉଣୀ। ସାନ ଭଉଣୀକୁ ଟିକେ ଦୂରକୁ ପଠେଇ ଦେଇ ଚୁପ୍ କରି ମୋ ବାମ ଗାଲରେ ଆଙ୍କିଥିଲ ଏକ ଲାଲ୍ ଚୁମ୍ୱନ।
ତମ ଗାଁରୁ ଫେରିଲା ବାଟରେ ସ୍କୁଟର ହେଡ୍ ଲାଇଟ୍ କଟିଯାଇଛି, ଆଉ କେତେବେଳେ ଆକ୍ସିଡେଣ୍ଟ ହେଇଛି, ସେକଥା ମୁଁ ଜାଣି ପାରିନି। ପରଦିନ ହସ୍ପିଟାଲ୍ରେ ମୋ ହୋସ୍ ଆସିଲା ବେଳକୁ, ତମ ନୀଳ ନୟନ ଯୋଡ଼ା ଲୁହରେ ଭରି ରହିଥିଲା।
‘ଆଉ କେବେ ତମକୁ ରାତିରେ ଆମ ଗାଁକୁ ଡାକିବିନି।’ ତମେ କହିଥିଲ।
ତମେ ତମ କଥା ରଖି, ଆଉ କେବେ ମତେ ତମ ଗାଁକୁ ଡାକିନ। ମୁଁ ବି କେବେ ଆଉ ଯାଇନି ତମ ଗାଁକୁ।
X X X
କିଛିଦିନ ପରେ ଦିନେ ରାତିରେ ଗାଁ ଦାଣ୍ଡରେ ବାଣ ଫୁଟାଇ ତମ ବରଯାତ୍ରୀ ଦଳ ଯାଉଥିଲା। ଇଚ୍ଛା ହେଉଥିଲା ଶେଷଥର ପାଇଁ ଟିକେ ବୁଲି ଯାଆନ୍ତି ତମ ଗାଁକୁ। ତମକୁ ଟିକେ ଦେଖା କରିବାକୁ। ହେଲେ ହସ୍ପିଟାଲ୍ରେ ତମ ଆଖିରୁ ବୋହି ଆସିଥିବା ସେଦିନର ଲୁହ କେଇବୁନ୍ଦା, ମତେ ଯେମିତି ବାରଣ କରୁଥିଲା। ମୁଁ ରହିଗଲି।
ଥାଲକୁଡି, ମଙ୍ଗଳପୁର, ଯାଜପୁର
ଫୋନ- ୯୪୩୯୭୫୦୧୭୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।