ଭୀମଭୋଇଙ୍କ ଭୁବନବିଖ୍ୟାତ ଭାବୋଚ୍ଛ୍ୱାସ

  • ମାୟାଧର ନାୟକ

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ।

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।”

ଏଇଭଳି ପଦେ କବିତା ପୃଥିବୀରେ ଆଉ କିଏ କେଉଁଠି ଲେଖିଛନ୍ତି ଏପର୍ଯ୍ୟନ୍ତ, ବିଶେଷକରି ମୋ ଦୃଷ୍ଟିକୁ ଆସିନାହିଁ। ଏଭଳି ସମ୍ବେଦନଶୀଳ ସ୍ରଷ୍ଟା ବିଶ୍ୱସାହିତ୍ୟ ଆକାଶରେ ଦେଖାଦେବା ସମ୍ଭବ ହୋଇଥିବା ଯୋଗୁ କେବଳ ଓଡ଼ିଶା ନୁହେଁ, ଆମେ ସାରା ବିଶ୍ୱର ଜନଗଣ ସେହି ଦୁଃସାହସିକ, ବିପ୍ଳବୀ, ସାଧକ, ପିତୃମାତୃହରା, ନିର୍ଯ୍ୟାତିତ, ମୂଲିଆ, ଗାଈଚରାଳି, ଅପାଠୁଆ, ମହାଜ୍ଞାନୀ, ଆଦିବାସୀଙ୍କ ମଉଡ଼ମଣି ଅନ୍ଧ, କନ୍ଧ ଓ ସନ୍ଥକବି ଦରଦୀ କବି, ସାଲିସ୍ ବିହୀନ କବି, ଗଣକବି ଭୀମଭୋଇଙ୍କ ମହାନୁଭବ ନିକଟରେ ଚିରଦିନ ଋଣୀ ରହିଥିବା।

ଏଇ ଭୁବନବିଖ୍ୟାତ ଭାବୋଚ୍ଛ୍ୱାସମୟ ପଦାବଳୀ କଲିକତାର ଜାତୀୟ ପାଠାଗାର ସମ୍ମୁଖରେ ଯେଭଳି ଶୋଭାପାଉଛି, ଜାତିସଂଘରେ ମଧ୍ୟ ସେହିଭଳି ସ୍ୱତନ୍ତ୍ର ମର୍ଯ୍ୟାଦାର ସହ ସ୍ଥାନ ପାଇଛି। ଏହା କମ୍ ବଡ଼ ଗର୍ବ ଓ ଗୌରବର କଥା ନୁହେଁ। ଏହାହିଁ ଆଧୁନିକ।

ସନ୍ଥକବି ଭୀମଭୋଇ ୧୮୫୦ ମସିହାରେ ଜନ୍ମଗ୍ରହଣ କରି ୧୮୯୫ ମସିହାରେ ମାତ୍ର ୪୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତିା ସ୍ତୁତି ଚିନ୍ତାମଣି, ଶ୍ରୁତିନିଷେଧ ଗୀତା, ଆଦିଅନ୍ତ ଗୀତା, ବ୍ରହ୍ମନିରୂପଣ ଗୀତା, ନିର୍ବେଦସାଧକ, ପଦ୍ମକଳ୍ପ ଭଳି ଅନେକ କାବ୍ୟକବିତା ରଚନା କରିଯାଇଛନ୍ତି। ତାଙ୍କ ତୁଣ୍ଡରୁ ଯେଉଁ ଗଙ୍ଗାର ଧାରା ନିର୍ଗତ ହୋଇଛି, ତାହା କେବଳ ଭାରତରେ ପ୍ରବାହିତ ହୋଇନି, ସମଗ୍ର ବିଶ୍ୱକୁ ଶୀତଳ ଜଳରେ ସିଂଚନ କରିଦେଇଛି।

ଓଡ଼ିଶାର ଅନ୍ୟତମ ବରପୁତ୍ର ଡକ୍ଟର ମାୟାଧର ମାନସିଂହ ଭୀମଭୋଇଙ୍କ ଶ୍ରେଷ୍ଠ ପଦାବଳୀକୁ ଇଂରାଜୀରେ ଅନୁବାଦ କରି ଅନ୍ତର୍ଜାତୀୟ ସ୍ତରରେ ଜାତିସଂଘରେ ଲିପିବଦ୍ଧ କରାଇଛନ୍ତି। ମର୍ମାନୁବାଦ- Who indeed can bear to see such misery among the world’s creatures? Let me stay in hell for ever, if the world thereby be saved. କାର୍ଲ ମାର୍କ୍ସଙ୍କ ଚିନ୍ତାଧାରା ଭଳି ଭୀମଭୋଇ ମଧ୍ୟ ଶ୍ରେଣୀହୀନ ସମାଜବ୍ୟବସ୍ଥାର ପ୍ରବର୍ତ୍ତକ, ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା ଏବଂ ମାନବବାଦର ପ୍ରଚାରକ ଥିଲେ। ଜଣେ ନିରକ୍ଷର, ଅନ୍ଧ, କନ୍ଧ ଆଦିବାସୀ କବି ବିଶ୍ୱଚିନ୍ତାରେ ନିମଗ୍ନ ହେବା କ୍ୱଚିତ୍ ଦେଖାଯାଏ। ତାଙ୍କୁ ମଧ୍ୟ ସାଧାରଣ ମଣିଷର ସଭାକବି କହିଲେ ଅତ୍ୟୁକ୍ତି ହେବନାହିଁ।

ଭୀମଭୋଇ ଗୋଟିଏ କଥା ପ୍ରମାଣ କରିଯାଇଛନ୍ତି – ଯେଉଁଠି ବିପର୍ଯ୍ୟୟ, ସେଇଠି ଜୟଜୟ। ସେ ଯେତେବେଳେ ନାରଦ ଭୂମିକାରେ ଅବତୀର୍ଣ୍ଣ ହୋଇ ସତ୍ୟକୁ ସତ୍ୟ ମିଥ୍ୟାକୁ ମିଥ୍ୟ କହି ଚାଲୁଥିଲେ, ଗାଇଗାଇ କଣ୍ଠ ଫଟାଇ ଦେଉଥିଲେ, ସେତେବେଳେ ରାଜାରାଜୁଡ଼ା, ବ୍ରିଟିଶ୍ ଗୁପ୍ତଚରମାନଙ୍କଠାରୁ କମ୍ ଗାଳି ଖାଇନାହାଁନ୍ତି – ତାଙ୍କୁ ସମସ୍ତେ ବିଶେଷକରି ସାମନ୍ତବାଦୀ, ସାମ୍ରାଜ୍ୟବାଦୀମାନେ ନିର୍ଯାତନା ଦେଇ କୋଣଠେସା କରିଦେଇଛନ୍ତି, କିନ୍ତୁ ସେ ସାଧନାପଥରୁ କେବେ ବିରତ ହୋଇନାହାଁନ୍ତି।

ଭୀମଭୋଇ ସାହିତ୍ୟରେ ବିଶ୍ୱଚତେନା ଭରପୂର। ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଯନ୍ତ୍ରଣାକୁ ଅନୁଭବ କରି ସେ ସହ୍ୟକରି ପାରିନାହାଁନ୍ତି। ସେ ସମସ୍ତଙ୍କ ଦୁଃଖମୋଚନ କରିବା ପାଇଁ ପ୍ରାଣର ପ୍ରାର୍ଥନା କରିଛନ୍ତି। ବିଶ୍ୱର ଦୁଃଖକୁ ସେ ଅନ୍ତରରେ ଅନୁଭବ କରି ତାଙ୍କ ପଦାବଳୀରେ ଶୁଣାଇଛନ୍ତି, ଆଜି ମଧ୍ୟ କୌଣସି ବିପ୍ଳବୀ କବି ସେଭଳି ପଦାବଳୀ ରଚନା କରିପାରିନାହଁନ୍ତି। ତେଣୁ ତାଙ୍କ ପଦ୍ୟ କାଳଜୟୀ। ଆଜି ବି ସୂର୍ଯ୍ୟାଲୋକ ପରି ଜକ୍‌ଜକ୍ ହୋଇ ରହିଛି, ଏ ବିଶ୍ୱବ୍ରହ୍ମାଣ୍ଡ ଥିଲା ପର୍ଯ୍ୟନ୍ତ ରହିଥିବ ମଧ୍ୟ।

ଭୀମଭୋଇ ଥିଲେ ଓଡ଼ିଆ ଆଧୁନିକ କବିତାର ଜନକ। କେବଳ ଓଡ଼ିଆ ସାହିତ୍ୟ ନୁହେଁ, ବିଶ୍ୱସାହିତ୍ୟରେ ତାଙ୍କର କେବଳ ପଦେ କବିତା “ପ୍ରାଣୀଙ୍କ ଆରତ… ଜଗତ ଉଦ୍ଧାର ହେଉ” ଆଜି ମଧ୍ୟ ବିଶ୍ୱର ଆଧୁନିକ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିରହିଛି। ଆଧୁନିକ କାବ୍ୟ ଜଗତର ମଉଡ଼ମଣି ଆଦିବାସୀ କବି ଭୀମଭୋଇଙ୍କର ଅନ୍ତଃଦୃଷ୍ଟି ଓ ବହିଃଦୃଷ୍ଟି ମଧ୍ୟରେ ତାରତମ୍ୟ ନାହିଁ। ଅନ୍ତର ଯେଭଳି ବାହାରକୁ ପ୍ରଭାବିତ କରୁଥାଏ, ବାହାର ସେଇଭଳି ଆନ୍ତରକୁ ଭେଦ କରିଯାଏ। ଭୀମଭୋଇଙ୍କ ଅନ୍ତର ବାହାର ଏକାକାର ହୋଇ ଯାଇଥିଲା। ଏହାହିଁ ତାଙ୍କର ବୈଶିଷ୍ଟ୍ୟ।

ସଂକଟ, ସଂପତି, ଦାନବମାନବ, ଶତ୍ରୁ ମିତ୍ର, ସୁଖଦୁଃଖ, ହର୍ଷବିଷାଦ, ପାପପୁଣ୍ୟ, ସତ୍ୟମିଥ୍ୟା ସବୁ ଏକାକାର ହୋଇଯାଇଛି ଭୀମଭୋଇଙ୍କ ଠାରେ। ଶୀତକାକର, ଖରାବର୍ଷା, ପାଣିପବନ ତାଙ୍କୁ ବାଧୁନଥିଲା, କେବଳ ବାଧୁଥିଲା ପ୍ରାଣୀଙ୍କ କଷଣ। କେବଳ ସତ୍ୟପଥରେ ହିଁ ଜଗତର ମଙ୍ଗଳ ହେବ ବୋଲି ଦୃଢ଼ମନା ହୋଇ ସତ୍ୟର ଜୟଜୟକାର, ଜୀବନର ଜୟଗାନ କରି ଚାଲିଛନ୍ତି। ସେଦିନର ଜୟଗାନ ଆଜି କୋଟିକଣ୍ଠରେ ଗୁଞ୍ଜରଣ ସୃଷ୍ଟି କରିଛି।

ଭୀମଭୋଇ ଅନ୍ଧ ଥିଲେ, କି କନ୍ଧ ଥିଲେ, ପାଠୁଆ ଥିଲେ କି ମୂର୍ଖ ଥିଲେ, ସଂସାର ଜଞ୍ଜାଳରେ ଜଡ଼ିତ ଥିଲେ କି ନାହିଁ, ଏ ସଂପର୍କରେ ବହୁ ଜ୍ଞାନୀପଣ୍ଡିତ ବ୍ୟକ୍ତି ବର୍ଣ୍ଣନା କରି ଯାଇଛନ୍ତି। ଆମେ ଏଠାରେ ଏସବୁ ରହସ୍ୟକୁ ଉନ୍ମୋଚନ ନକରି କେବଳ ତାଙ୍କର ଚିନ୍ତା, ଚେତନାରେ ସାହିତ୍ୟ, ପୁରାଣ, ଲୋକସାହିତ୍ୟକୁ ଏକାକାର କରି ତାଙ୍କ ଅଜଣାରେ ସେ ଆଧୁନିକ ସାହିତ୍ୟର ଅଗ୍ରଦୂତ ହୋଇଛନ୍ତି, କେବଳ ବହୁ କାବ୍ୟକବିତା, ଜଣାଣ ଭଜନ, ମହିମା ଧର୍ମପ୍ରଚାରକୁ ଏଠାରେ ନ ବଖାଣି, ପଦେ କବିତା ଆଜି କୋଟି କଣ୍ଠରେ ବସା ବାନ୍ଧି ଦେଇଥିବାରୁ ସେ ମହାନ୍ ହୋଇଯାଇଛନ୍ତି ବୋଲି ଆମର ମନେହୁଏ। ଯଦିଓ ତାଙ୍କର ଜନ୍ମବୃତ୍ତାନ୍ତ ରହସ୍ୟମୟ, ଜନ୍ମିତ ସ୍ଥାନ ନେଇ ବହୁ ବାଦବିବାଦ ଏବଂ ତାଙ୍କର ଜୀବନରେ ଅନେକ ଅଲୌକିକ ଘଟଣା ଘଟିଯାଇଛି, ଏସବୁ ଇତିହାସର ବିଷୟବସ୍ତୁ। କିନ୍ତୁ ଆମେ ସେଆଡ଼କୁ ପଶି ମନ୍ଥନ କରିବା ଅପେକ୍ଷା ତାଙ୍କ ଜୀବନମନ୍ଥନରୁ ଯେଉଁ ଅମୃତବାଣୀ ପାଇଛେ, ସେହି ହିଁ ଆମର କାଳଜୟୀ ସଂପତି ଏବଂ ସେହି ହିଁ ଆମ ସମ୍ମୁଖରେ ମହାତ୍ମା ଭୀମ ଭୋଇ।

ଆଜି ଓଡ଼ିଶାର ଜ୍ଞାନୀ, ଗୁଣୀ, ବିଜ୍ଞଜନମାନେ ଭୀମ ଭୋଇଙ୍କୁ ଯଥାର୍ଥ ସମ୍ମାନ ଦେଇ ପାରିନାହାନ୍ତି। ତାଙ୍କ ରଚନାର ସତ୍ୟାସତ୍ୟ ରହସ୍ୟ ମଧ୍ୟ ଏପର୍ଯ୍ୟନ୍ତ ଗବେଷକମାନେ ଭେଦ କରିପାରିନାହାନ୍ତି।

ଏପର୍ଯ୍ୟନ୍ତ ଆମେ ମହାତ୍ମା ଭୀମଭୋଇଙ୍କୁ ଠାବ କରି ପାରିନାହାଁନ୍ତି। ଆମ ଓଡ଼ିଶାର ବହୁ ପ୍ରାଚୀନ, ଆଧୁନିକ କବି, ଲେଖକ, ବିଦେଶ ସାହିତ୍ୟକୁ ଅବଶ୍ୟ ଅନୁକରଣ କରିଛନ୍ତି; କିନ୍ତୁ ଏଇମାଟିର ଭୀମଭୋଇଙ୍କୁ ଚିହ୍ନିପାରିଲେ ନାହିଁ। ସେଇଥିପାଇଁ ଆଜି ଯେଉଁମାନେ ଆଧୁନିକ ସାହିତ୍ୟର ପ୍ରବକ୍ତା ବୋଲି ଡିଣ୍ଡିମ ପିଟୁଛନ୍ତି – ସେମାନଙ୍କ ପିତାମହ ଭୀମ ଭୋଇଙ୍କୁ ଭୁଲିଯାଉଛନ୍ତି।

ପ୍ରାଣୀଙ୍କ ଆରତକୁ ଉଲ୍ଲେଖ କରିଥିବା ଭୀମ ଭୋଇଙ୍କର ପୃଥିବୀପ୍ରସିଦ୍ଧ ପଦାବଳୀ ବାହାରକୁ ସରଳ ମନେ ହେଉଥିଲେ ହେଁ ଏହାର ଭିତରଟା ଏକ ବ୍ୟଞ୍ଜନାତ୍ମକ ବ୍ୟାପ୍ତିକୁ ସୂଚାଇଦିଏ। ପ୍ରଥମ ପଦରେ ସୂଚିତ ‘ପ୍ରାଣୀ’ ହେଉଛି ସମୁଦାୟ ପ୍ରାଣଧାରୀ ସତାର ପ୍ରତୀକ। ଅନ୍ନମୟ କୋଷରୁ ଉନ୍ନୀତ ହୋଇ ପ୍ରାଣମୟ କୋଷରେ ଉପନୀତ ଏ ବିଶାଳ ଜୀବଜଗତ ‘ଆରତ’ରେ ଅତି  – ଅର୍ଥାତ୍ ଜୀବନ ଓ ମୃତ୍ୟୁର ମଧ୍ୟବର୍ତ୍ତୀ ଇଲାକାରେ ଜୀବ ଭୟ, ଆତଙ୍କ ଓ ଆଶଂକାରେ ଅନବରତ ଉତ୍ପୀଡିତ। କବି ଭୀମ ଭୋଇ ଏହି ଭୟାର୍ତ୍ତ ଜୀବନର ଆତ୍ମିକ ଦୁଃସ୍ଥିତିକୁ ଅସହ୍ୟ ମଣିଛନ୍ତି। କ୍ଳେଶ, କଷ୍ଟ, କଷଣରେ କବଳିତ ପ୍ରାଣୀ। ମାତ୍ର ‘ଆରତ’ ଶଦ୍ଦ ପରେ ଯେଉଁଠି ସେ ‘ଦୁଃଖ’ ଶଦ୍ଦ ଉଚ୍ଚାରଣ କରିଛନ୍ତି ଏବଂ ଏହି ‘ଦୁଃଖ’କୁ ଅପ୍ରମିତ ବୋଲି ତାତ୍ପର୍ଯ୍ୟଟିଏ ଦେଇଛନ୍ତି, ସେଠି ସରଳ ଶଦ୍ଦଟିରେ ବ୍ରହ୍ମବ୍ୟଞ୍ଜନାଟିଏ ଛାଡ଼ିଯାଇଛନ୍ତି। କ’ଣ ସେ ବ୍ୟଞ୍ଜନା? ସେ ବ୍ୟଞ୍ଜନା – ଦୁଃଖ କିଏ ଅନୁଭବ କରେ? ଗଧ? ଘୋଡ଼ା? ହାତୀ ନା କୁମ୍ଭୀର? ମାନବେତ୍ତର ପ୍ରାଣୀ ‘ଆରତ’ରେ ଆକ୍ରାନ୍ତ ହେଉଥିବାବେଳେ ମଣିଷର ହିଁ ଥାଏ ‘ଦୁଃଖ’ର ଅବବୋଧ। ବୁଦ୍ଧ ଏହି ଦୁଃଖକୁ କାମନାର କାରକ ରୂପେ କୀର୍ତ୍ତତ କରିଯାଇଛନ୍ତି। କାମନାର କ୍ରମବୃଦ୍ଧି ମଣିଷଜୀବନରେ ଆଣେ ଭ୍ରମବୃଦ୍ଧି – ଆଣେ ଦୁଃଖ। କବି ଭୀମ ଭୋଇ ‘ଆରତ’ ଶଦ୍ଦରେ ପ୍ରାଣପୀଡ଼ାକୁ ସୂଚାଇଥିବାବେଳେ ‘ଦୁଃଖ’ ଶଦ୍ଦଟିରେ ଆତ୍ମପୀଡ଼ାକୁ ଆଭାସିତ କରିଛନ୍ତି – ଯାହା ମଣିଷଜୀବନ ସହିତ ଏକାନ୍ତ ପ୍ରାଯୁଜ୍ୟ ରକ୍ଷା କରେ।

ବୈଷ୍ଣବଧର୍ମର ବୈତାଳିକ ଚଣ୍ଡୀ ଦାସ ‘ସବାର ଉପରେ ମାନୁଷ ସତ୍ୟ’ ଉଦ୍ଘୋଷଣ କରି ମଣିଷକୁ ଜୀବନର ମୁଖ୍ୟ କେନ୍ଦ୍ର ବୋଲି ବ୍ୟକ୍ତ କରିଥିବାବେଳେ ମହିମା ଧର୍ମର ମହାତ୍ମା ଭୀମ ଭୋଇ ତାଙ୍କର ପୃଥିବୀପ୍ରସିଦ୍ଧ ପଦଟିରେ କେଉଁଠି ବି ‘ମଣିଷ’ ଶଦ୍ଦ ଉଚ୍ଚାରଣ ନ କରି ସୁଦ୍ଧା ‘ଦୁଃଖ ଅପ୍ରମିତ’ ଉଲ୍ଲେଖ କରିବା ଦ୍ୱାରା ମାନବିକ ମର୍ମବେଦନାର ଅବବୋଧକୁ ହିଁ ବ୍ୟଞ୍ଜିତ କରିଯାଇଛନ୍ତି। ଇଏ କିଛି କମ୍ କଥା କି? ଏଥିରେ ଉଲ୍ଲିଖିତ ହୋଇଛି ଉର୍ଦ୍ଧ୍ୱଚେତନାର ଅଭିବ୍ୟକ୍ତି। ପୁଣି ‘ଅପ୍ରମିତ’ ଶଦ୍ଦଟି ଜନ୍ମଜନ୍ମାନ୍ତରର ଯାତନାକୁ ସୂଚାଉଛି। ଜନ୍ମ ପୁନର୍ଜନ୍ମର ବନ୍ଧନୀରେ ମଣିଷର ଆତ୍ମା ଘଟରୁ ଘଟାନ୍ତର ପରିଗ୍ରହ କରେ ଏବଂ ପ୍ରତ୍ୟେକ ଜୀବନକୁ ଜୀବନ୍ତ ମରଣ ତୁଲ୍ୟ ଅନୁଭବ କରିଥାଏ। ହିନ୍ଦୁତତ୍ତ୍ୱର ଏହି ଜନ୍ମଜନ୍ମାନ୍ତରର ଚକ୍ରବନ୍ଧନକୁ ‘ଦୁଃଖ ଅପ୍ରମିତ’ ଭଳି ଶଦ୍ଦଯୁଗଳ ମାଧ୍ୟମରେ ବଡ଼ ବ୍ୟଞ୍ଜନାତ୍ମକ ଭାବରେ କହିଛନ୍ତି ଭୀମ ଭୋଇ। ‘ଅପ୍ରମିତ’ – ଗଣି ହେଉନାହିଁ, କଳି ହେଉନାହିଁ – ଏ ଜନ୍ମର ଦୁଃଖ ନୁହେଁ ଖାଲି – ଏକ ପରେ ଏକ ଅନେକ ଅନେକ ଜନ୍ମର ଯାତନାରେ ଜର୍ଜରିତ ଏହି ଚିତ୍ରକଳ୍ପ – ‘ଅପ୍ରମିତ’!

ଦେହରେ ବଂଚୁଥିବା ସତ୍ତା ହୁଏତ ସହି ନେଇପାରେ ଏ ଜୀବନଯାତନା; ମାତ୍ର ଆତ୍ମାରେ ବିହରୁଥିବା ପୁରୁଷ କ’ଣ ସହିପାରିବ ଏ ଆରତ? ଏ ଦୁଃଖ ଅପ୍ରମିତ? ଭୀମ ଭୋଇ ମହିମା ଧର୍ମର ମହାତ୍ମା – ସାଧାରଣ ପଦ୍ୟକାର କି କୋଷ୍ଠ ବଦ୍ଧ କବି ହୋଇଥିଲେ କ’ଣ ତାଙ୍କ ଲେଖନୀରୁ ଏପ୍ରକାର ଲୋତକବର୍ଷଣ ହୋଇପାରିଥାନ୍ତା? ସେଥିପାଇଁ ସେ କହିଛନ୍ତି – ‘ଦେଖୁଦେଖୁ କେ ବା ସହୁ? ହେଲେ ଏ ‘ଦେଖିବା’ କଣ ଖାଲି ଚାହିଁବା ନା ଅନାଇବା? ଏ ‘ଦେଖିବା’ ହେଉଛି ‘ଦ୍ରଷ୍ଟା’ର ଦୃଷ୍ଟାନ୍ତ – ବେଦରେ କବିକୁ କୁହାଯାଇଛି ‘କ୍ରାନ୍ତଦର୍ଶୀ’। କବି ଏଠି ଦ୍ରଷ୍ଟା। ଭବିଷ୍ୟ-ଦୃଷ୍ଟିର ଭାବଉଚ୍ଛଳ ଦ୍ରଷ୍ଟା – ଭୀମ ଭୋଇ ଏହି ଭାବବାଦୀ ଭବିଷ୍ୟଦୃଷ୍ଟିର ଅବିସ୍ମରଣୀୟ କବିର୍ମନାଷୀ।

ଏହି ପୃଥିବୀ ପ୍ରଖ୍ୟାତ ପଦର ପରବର୍ତ୍ତୀ ପାଦରେ ଭୀମ ଭୋଇ ନିଗାଡ଼ି ଦେଇଛନ୍ତି ମହାମାନବିକ ମନ୍ତ୍ରଧ୍ୱନି – ‘ମୋ ଜୀବନ ପଛେ ନର୍କେ ପଡିଥାଉ’… । ଏ ଜୀବନ ସହିତ ଅବବୋଧରେ ସଂପୂର୍ଣ୍ଣ ସାମିଲ୍ ହୋଇଯାଇ ‘ମୋ ଜୀବନ’ ଉଚ୍ଚାରଣ କଲେ ମହାତ୍ମା କବି। ଏଠି ବ୍ୟକ୍ତିପୁରୁଷ ବିବର୍ତ୍ତିତ ହୋଇ ପାଲଟିଛି ସମୂହସତ୍ତାର ପ୍ରତିନିଧି। ଅହଂର ଅନ୍ତ ଘଟିଛି ଅଶ୍ରୁରେ। ଅନ୍ତରାତ୍ମାରୁ ଆସିଛି ଚୈତ୍ୟପୁରୁଷର ମର୍ମ-ମାଙ୍ଗଳିକ – ‘ଜଗତ ଉଦ୍ଧାର ହେଉ’।

ଏହି ପଦରେ ବ୍ୟବହୃତ ୧୬ଟି ଯାକ ଶଦ୍ଦ ମନ୍ତ୍ର ଶଦ୍ଦ। ପ୍ରତ୍ୟେକ ଶଦ୍ଦ ଏଠାରେ ସ୍ୱକୀୟ ବ୍ରହ୍ମର ଶରୀରାତ୍ମକ ପ୍ରକାଶ। ଏଠାରେ ‘ନର୍କ’ କହିଲେ ସମକାଳର ଅସାର ସଂସାର ଦ୍ୱାରା ଉପୁଜିଥିବା ମୋହ ଓ ମମତାହୀନତାର ମାନଚିତ୍ରଟାଏ। ଆମେ ଯଦି ପୃଥିବୀରେ ସ୍ୱର୍ଗ ସକାଶେ ସଂଗ୍ରାମ କରିବା, ଆମକୁ ତେବେ ମଇଦାନ କରିବାକୁ ପଡ଼ିବ ଏଠାକାର ନର୍କକୁ। ଏ ‘ନର୍କ’ ପୁରାଣର ପରିକଳ୍ପ ନୁହେଁ, ଛିନ୍ନଭିନ୍ନ ଜୀବନର ଚିତ୍ରକଳ୍ପ।

ଭୀମ ଭୋଇଙ୍କୁ କୋଟି ଦଣ୍ଡବତ। ସେ ଚେତନାର ଚାରଣ। ଜୀବନର ଜାଗରଣ ଚାହିଁଛନ୍ତି ସେ, ଅଙ୍ଗୀକାର କରିଛନ୍ତି ଆତ୍ମୋତ୍ସର୍ଗକୁ। ଯିଏ ଯେତେବଡ଼ କବି, ପଣ୍ଡିତ ବୋଲାଉଥାଉ, ବରଂ ଟନଟନ କାଗଜରେ ବହି ଛପାଇ ବାଂଟୁଥାଉ, କିନ୍ତୁ ଅନ୍ୟତମ ବିଶ୍ୱକବି ଭୀମ ଭୋଇଙ୍କ ପଦାବଳୀ… “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ”ର ମାର୍ମିକ ଅର୍ଥକୁ ହୃଦୟଙ୍ଗମ କରି ଜଗତ ଉଦ୍ଧାରପାଇଁ କାବ୍ୟରେ କବିତାରେ ସତ୍ୟ ରଚିଗଲେ ତାହାହିଁ ହେବ ଭୀମ ଭୋଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।