‘ରୂପମନ୍ତ୍ର’

ଗାଳ୍ପିକା : ଲିପ୍‌ସା ପଟେଲ୍‌ 

ରିଙ୍କି ମିଶ୍ର, ମୋ ସହପାଠିନୀ, ମୋ ପଡୋଶିନୀ ; କିନ୍ତୁ ସେ ଥିଲା ମୋ ପାଇଁ ଈର୍ଷାର ବସ୍ତୁ ମାତ୍ର। ପାଠପଢା ପାଇଁ ନୁହେଁ ବରଂ ତା ସୌନ୍ଦର୍ଯ୍ୟ ମୋତେ ଈର୍ଷାନ୍ଵିତ କରୁଥିଲା। ଏଇ ତା’ର ସୁନ୍ଦରତା ହିଁ ମୋ ମନକୁ ଜାଳି ଦେଉଥିଲା।

ଏଇ ବର୍ଷ ଆମର ଦଶମ ବୋର୍ଡ ପରୀକ୍ଷା ; କିନ୍ତୁ ମୁଁ ପାଠରେ ମନ ଲଗାଇ ପାରୁନଥିଲି। ଯେତେଥର ରିଙ୍କି ମୋ ସାମ୍ନାକୁ ଆସୁଥିଲା, ମୋ ହୃଦୟ କଟି ଯାଉଥିଲା। ଏହାର କାରଣ ହେଲା ଶାଶ୍ଵତ। ଶାଶ୍ଵତ, ଯାହାକୁ ଦେଖିଲେ ମୁଁ ଖୁସି ହୁଏ। ସେ ଆଖପାଖରେ ଥିଲେ ଲାଗେ ଏ ବାୟୁମଣ୍ଡଳ ବାସ୍ନାୟିତ, ଏ ପୃଥିବୀ ସୁନ୍ଦର। ସେଇ ଶାଶ୍ଵତ କୁଆଡେ ରିଙ୍କି ମିଶ୍ର ପ୍ରେମରେ ପଡିଯାଇଛି ବୋଲି ମୋ ଅନ୍ୟ ସାଙ୍ଗମାନଙ୍କଠାରୁ ଶୁଣିଲି। ସେଦିନଠାରୁ ମୁଁ ନଜର ରଖୁଥିଲି ଶାଶ୍ଵତ ଓ ରିଙ୍କି ଉପରେ। ଶ୍ରେଣୀଗୃହଠାରୁ ଆରମ୍ଭ କରି ଖେଳପଡିଆ, ଲାଇବ୍ରେରୀ, ଖେଳଛୁଟି…………. ସବୁବେଳେ ମୋ ଆଖି ଖୋଜି ବୁଲୁଥିଲା ଏଇ ଦୁଇ ଜଣଙ୍କୁ। ଜାଣତରେ ହେଉ କି ଅଜାଣତରେ ମୁଁ ପାଲଟି ଯାଇଥିଲି ଏକ ଗୁପ୍ତଚର।

ମୋ ଅବୁଝା ମନ ଭିତରେ ଅନାବଶ୍ୟକ ରାଗ ଓ ଅସହିଷ୍ଣୁତା ଜମାଟ ବାନ୍ଧି ଉଠିଥିଲା। ମୋ ମନୋସ୍ଥିତିକୁ ଲକ୍ଷ୍ୟ କରି ମୋ ସାଙ୍ଗ ରୁନି ସବୁବେଳେ କହୁଥିଲା, ତୁ ତ ପାଠପଢାରେ ପ୍ରଥମ, ସ୍ପୋର୍ଟସ ଚମ୍ପିଆନ, ବକ୍ତୃତା, ସଂଗୀତ ସବୁଥିରେ ପ୍ରଥମ……. ତୋ ଭିତରେ ପ୍ରତିଭା ଅଛି। କାହିଁକି ଖାଲିଟାରେ ରିଙ୍କି ମିଶ୍ରର ଗୋରା ଚମଡ଼ାକୁ ଈର୍ଷା କରୁଛୁ ? ସେ କିନ୍ତୁ ଜାଣି ପାରୁନଥିଲା ରିଙ୍କିର ସୌନ୍ଦର୍ଯ୍ୟ ଯେ ଶାଶ୍ଵତକୁ ମୋଠାରୁ ଦୂରେଇ ଦେଉଛି। କିନ୍ତୁ ବେଳେ ବେଳେ ମୁଁ ନିଜକୁ ପ୍ରଶ୍ନ କରେ, ଶାଶ୍ଵତ କେବେ ମୋର ହୋଇଥିଲା କି ? ହଁ ତ, ମୋର କରିବାର ସୁଯୋଗଟା ମଧ୍ୟ ମୁଁ ହରେଇ ବସିଥିଲି ଏଇ    ରିଙ୍କି ମିଶ୍ର ପାଇଁ।

ଏଇ ପ୍ରତିଭା କି କାମର, ଯଦି ଶାଶ୍ଵତ ଏସବୁକୁ ଦେଖି ପାରୁନି,ବୁଝିପାରୁନି ? ଶାଶ୍ଵତ ମୋ ଆଦ୍ୟ ଯୌବନର ପ୍ରେମିକ ଥିଲା ନା ଜିଦ୍, ଏବେ ମୁଁ ବେଳେ ବେଳେ ଭାବେ।

ସେଇ ଜିଦର ବଶବର୍ତ୍ତୀ ହୋଇ ଅବା ରିଙ୍କି, ଶାଶ୍ଵତ ଉପରେ ନଜର ରଖିବା ପାଇଁ ହେଉ ମୁଁ ଘରେ ଜିଦ୍ କଲି ଟ୍ୟୁସନ୍ ଯିବି। ଦଶମ ପର୍ଯ୍ୟନ୍ତ ଟ୍ୟୁସନ୍ ନପଢି ମଧ୍ୟ ମୁଁ ଶ୍ରେଣୀରେ ପ୍ରଥମ ହେଉଥିଲି ; ତେଣୁ ବାପା ଟ୍ୟୁସନ୍ ପଢା ପ୍ରସଙ୍ଗକୁ ଏକ ବିସ୍ମୟସୂଚକ ରୂପେ ଫିଙ୍ଗିଦେଲେ ମୋ ମୁହଁ ଉପରକୁ। ଯେହେତୁ ଦଶମ ବୋର୍ଡ, ଅନେକ ସନ୍ଦେହ ରହୁଛି ଓ କେମିତି ପ୍ରଶ୍ନପତ୍ର ଆସେ ସେସବୁ ଭଲ ଭାବରେ ଜାଣିବା ପାଇଁ ଏଇ କିଛି ମାସ ଟ୍ୟୁସନ୍ ଯିବା ପାଇଁ କହିଲି। ବାପା ରାଜି ହୋଇଗଲେ।

ଟ୍ୟୁସନ୍ ଆରମ୍ଭ ହେଲା ଧଳ ସାରଙ୍କ ପାଖରେ। ଧଳ ସାର୍ ଯିଏ ଆମ ସହରର ଜଣାଶୁଣା, ଖ୍ୟାତିସଂପନ୍ନ ଶିକ୍ଷକ। ଯେତେବେଳେ ସାରଙ୍କ ନାଁଟା ଉଚ୍ଚାରଣ କରାଯାଏ ତାଙ୍କ ବେତ ହିଁ ପିଲାଙ୍କ ଆଖି ସାମ୍ନାରେ ପ୍ରଥମେ ଦେଖାଯାଏ। ସମସ୍ତେ ଡରନ୍ତି ତାଙ୍କୁ। ପିତାମାତାଙ୍କ ବାଧ୍ୟବାଧକତାରେ ତାଙ୍କ ପାଖକୁ ଟ୍ୟୁସନ୍ ଯାଆନ୍ତି; ମାତ୍ର ମୋ କ୍ଷେତ୍ରରେ ଓଲଟା ଥିଲା। ମୁଁ ସ୍ଵତଃପ୍ରବୃତ୍ତ ଭାବରେ ତାଙ୍କ ପାଖକୁ ଟ୍ୟୁସନ୍ ଯିବାକୁ ପ୍ରସ୍ତାବ ଦେଇଥିଲି।

ବାପା ଦୁଇଥର ପ୍ରଶ୍ନ କରିଥିଲେ, ଧଳ ସାରଙ୍କ ପାଖକୁ ଯିବୁ ତ ? ନିର୍ଣ୍ଣୟ କରିସାରିଛୁ ?

ଦୁଇଥରଯାକ ମୋ ଉତ୍ତର ଥିଲା, ହଁ।

ଧଳ ସାରଙ୍କ ବେତ ଅବା ମାଡ଼ଠାରୁ ମୋତେ ବେଶି ଘାଣ୍ଟୁଥିଲା ରିଙ୍କି ଓ ଶାଶ୍ଵତର ମିଳାମିଶା। ଟ୍ୟୁସନରେ କାଳେ ସେମାନେ ପାଖାପାଖି ବସୁଥିବେ ଅବା ବେଶି ସମୟ ପାଉଥିବେ କଥାବାର୍ତ୍ତା ପାଇଁ, ଏକଥା ହିଁ ମୋର ମୁଣ୍ଡବିନ୍ଧାର କାରଣ ଥିଲା। ତେଣୁ ଏଇ ବାହାନାରେ ମୁଁ ସେମାନଙ୍କ ଉପରେ ନଜର ରଖିପାରିବି ବୋଲି ମନେ ମନେ ଭାବୁଥିଲି।

ଦଶମ ବୋର୍ଡ ପରୀକ୍ଷା ସରିଲା। ମୋର ପରୀକ୍ଷାଫଳ ଭଲ ହୋଇଥିଲା। ସାରା ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲି। ଘରେ ସମସ୍ତେ ଖୁସି ଥିଲେ। ମୁଁ କିନ୍ତୁ ଭାବୁଥିଲି ଯଦି ଶାଶ୍ଵତ ଓ ରିଙ୍କିର ଅଯଥା ଚିନ୍ତା ନଥିଲେ ଆହୁରି ଭଲ ହୋଇଥାନ୍ତା ମୋ ପରୀକ୍ଷାଫଳ।

ରେଭେନ୍ସା କଲେଜରେ ଅନାୟାସରେ ମୋତେ ସିଟ୍ ମିଳିଗଲା। ମୁଁ ଚାଲିଗଲି କଟକ। ମୋର ଅନ୍ୟ କିଛି ବନ୍ଧୁ ବିଭିନ୍ନ କଲେଜରେ ନାଁ ଲେଖାଇଲା ବେଳେ ରିଙ୍କି ଓ ଶାଶ୍ଵତ ସ୍ଥାନୀୟ କଲେଜରେ ନାଁ ଲେଖାଇଥିଲେ। କଟକ ଯିବା ପୂର୍ବରୁ ରୁନି ପୁଣି ମୋତେ କହିଲା, ତୋ ପାଇଁ ଶାଶ୍ଵତ ଉପଯୁକ୍ତ ନୁହେଁ। ତୋ ଭବିଷ୍ୟତ ଉଜ୍ଜ୍ୱଳମୟ। ଶାଶ୍ଵତ ଓ ରିଙ୍କି ଦୁହେଁ ତୃତୀୟ ଶ୍ରେଣୀରେ ଦଶମ ପାସ୍ କରିଛନ୍ତି। ତୁ ଶାଶ୍ଵତକୁ ସେଇ ରିଙ୍କି ସହ ହିଁ ଛାଡିଯା ଓ ନିଜର ଏକ ସୁନ୍ଦର ଭବିଷ୍ୟତ ଗଢିନେ।

କଥାଟା କେତେ ଦୂର ସତ, ତାର ତର୍ଜମା କରିନଥିଲି ; କିନ୍ତୁ ଶାଶ୍ଵତକୁ ଭୁଲି ପାରୁନଥିଲି। ଯଦି ସେ ଭଲ ନମ୍ବର ରଖିଥାନ୍ତା, ତେବେ ଦୁହେଁ ଅନ୍ତତଃ ଏଇଠି ରେଭେନ୍ସାରେ ଏକାଠି ପଢିଥାନ୍ତୁ।
ମୋ ପାଠପଢା ଠିକଠାକ ଚାଲିଥିଲା। ଛୁଟିରେ ଘରକୁ ଆସୁଥିଲି। ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ଦେଇ ଖରାଛୁଟିରେ ଘରକୁ ଆସିଲା ବେଳେ ଶୁଣିଲି, ରିଙ୍କି ମିଶ୍ରର ବାହାଘର ହୋଇଯାଇଛି। ଏକ ଆଶ୍ଚର୍ଯ୍ୟସୂଚକ ବସ୍ତୁ ଏବେ ମୋ ପାଇଁ ରିଙ୍କି ମିଶ୍ର।

– ଏତେ କମ୍ ବୟସରେ କେମିତି ବାହାଘର ?

– ଘରେ ମା’ କହିଲେ, ସେ ସେମିତି କରିଥିଲା ବୋଲି ତା ବାପା ତାର ବାହାଘର କରିଦେଲେ।

– କାଣ୍ଡ ?

– ହଁ, ସେ କେଉଁ ଟୋକା ସହ ସମ୍ପର୍କରେ ଥିଲା ବୋଲି ରିଙ୍କିର ବାପାକୁ ଚିଠି ଆସିଥିଲା। ଖୋଜଖବର ନେବାରୁ ଜଣାପଡିଲା ସେ କଥାଟା ସତ।

– କେଉଁ ଟୋକା ?

– ଏତେ କଥା କ’ଣ ସେମାନେ କହିବେ ? ପିଲାଟା କିନ୍ତୁ ତାଙ୍କ ଜାତିର ନୁହେଁ। ତୁ ତ ଜାଣୁ, ରିଙ୍କିର ବାପା ଯଜମାନି କରି ଚଳନ୍ତି। ନିଜ ନୀତିନିୟମ ଭଙ୍ଗକୁ ସେ କଦାପି ସହି ପାରିବେନି। ତେଣୁ ଯଥାଶୀଘ୍ର ଝିଅର ବାହାଘର କରିଦେଲେ।

– ଚିଠିଟି କିଏ ଦେଇଥିଲା ଜଣାପଡିଲା ?

– ନା, କେମିତି ଜଣାପଡିବ ? ବେନାମୀ ଚିଠି ଥିଲା ; ମାତ୍ର କଥାଟା ସତ।

ମା’ଙ୍କ କଥା ଶୁଣି କିଛି ସମୟ ନିରବ ରହିଗଲି। ସେଇ ଚିଠିଟି ପାଇଁ ରିଙ୍କି ଏତେ ଶୀଘ୍ର ବାହା ହୋଇଗଲା ? ତା ପାଠପଢ଼ାରେ ଡୋରି ପଡିଲା। ତା ସ୍ଵପ୍ନସବୁ ଧୂଳିସାତ ହୋଇଗଲା। ରିଙ୍କି ମିଶ୍ରର ପରାଜୟର କାହାଣୀ ଶୁଣି ଯେଉଁଠି ମୋତେ ଖୁସି ହେବା କଥା, ମୁଁ ସେଇଠି ନିଜକୁ ଦୋଷୀ ମନେ କରୁଥିଲି। କାରଣ ଚିଠିଟି ମୁଁ ଲେଖିଥିଲି। ସେତେବେଳେ ପ୍ରତିହିଂସାପରାୟଣତାରେ ମୋ ଆତ୍ମା ଜର୍ଜରିତ ହେଉଥିଲେ।

ଏହା ପରଠାରୁ ମୁଁ ଆଉ ଶାଶ୍ଵତର ଖବର ମଧ୍ୟ ରଖିନଥିଲି। ଏକପ୍ରକାରେ ସ୍ଥିର କରିସାରିଥିଲି, ମୁଁ ଏମାନଙ୍କ ବିଷୟରେ ଆଉ ଚିନ୍ତା କରିବିନି। ବେଳ, ଅବେଳରେ ଏଇ ଦୁଇ ଚରିତ୍ର ମୋ ଭିତରେ ଧସେଇ ପଶି ଆସିବାର ଚେଷ୍ଟା କଲେ ମୁଁ ମଧ୍ୟ ଦୃଢ ପ୍ରତିରୋଧ କରୁଥିଲି।

ଏଇ ଭିତରେ ବିତିସାରିଛି କୋଡ଼ିଏ ବର୍ଷ। ମୁଁ ଏବେ ଜଣେ ପ୍ରଶାସିକା, ଦୁଇଟି ପିଲାର ଜନନୀ। କିନ୍ତୁ ଏତେ ବର୍ଷ ପରେ ହଠାତ୍ ରିଙ୍କି ମିଶ୍ରର ନାଁ ଶୁଣି ଚମକି ପଡ଼ିଲି। ମୁଁ ତାକୁ ଚିହ୍ନି ପାରିଲିନି। ମୁଁ କଣ, ତା ଜନ୍ମ କଲା ମା, ବାପା ମଧ୍ୟ ତାକୁ ଚିହ୍ନି ପାରୁନଥିଲେ।

ଟି.ଭିର ଏକ ଆଲୋଚନାଚକ୍ରରେ ଥିଲା ରିଙ୍କି ମିଶ୍ର। ଇଏ କଣ ସେଇ ଝିଅ, ମୋ ଈର୍ଷାର କାରଣ ? ଆଜି କିନ୍ତୁ ତା ଅବସ୍ଥା ଦେଖି ମୁଁ ତାକୁ ଦୟା କରୁଥିଲି। ମନେ ମନେ ଯେ କେବେ ଭାବୁଥିଲି, ମୁଁ କାଳେ ରିଙ୍କି ପରି ହୋଇଥାନ୍ତି କି? ଆଜି ମୁଁ ଈଶ୍ୱରଙ୍କୁ କୃତଜ୍ଞତା ଜଣାଉଛି, ଯାହା ହେଉ ପ୍ରଭୁ, ମୋତେ ରିଙ୍କି ମିଶ୍ର ପରି ଭାଗ୍ୟ ଦେଇନ !

ବହୁଚର୍ଚ୍ଚିତ ଏକ ଏସିଡ୍ ଆକ୍ରମଣ ଚଳଚ୍ଚିତ୍ରର ଚର୍ଚ୍ଚା ପାଇଁ ଏସିଡ୍ ଆକ୍ରାନ୍ତଙ୍କୁ ଆଲୋଚନାଚକ୍ରକୁ ନିମନ୍ତ୍ରଣ କରାଯାଇଥିଲା। ସେଥିରେ ଥିଲା ରିଙ୍କି ମିଶ୍ର। ଟି.ଭିରେ ଦେଖୁଥିଲି ତାକୁ, ଶୁଣୁଥିଲି ତା ହୃଦୟବିଦାରକ କାହାଣୀ। ତା ସୌନ୍ଦର୍ଯ୍ୟ ଯେ ତା ପାଇଁ କାଳ ହୋଇଗଲା ! ସେ ଏସିଡ୍ ଆକ୍ରମଣର ଶିକାର ହେଲା। ଏହି ଦୁଃଖଦ ଘଟଣାକୁ ସ୍ଵୀକାର କରିବାକୁ ଇଚ୍ଛା ନଥିଲେ ମଧ୍ୟ କଥାଟା ସତ।

ବାହାଘରର ଅନେକ ବର୍ଷ ଯାଏଁ ରିଙ୍କିର ପିଲାପିଲି ହୋଇ ନଥିଲା। ଏକଥା ମୁଁ ମା’ଠାରୁ ମଧ୍ୟ ଶୁଣିଥିଲି। ତା ସ୍ଵାମୀ ତାକୁ ସନ୍ଦେହ କରିବାକୁ ଲାଗିଲା। ଅନ୍ୟ ପୁରୁଷଙ୍କ ସହ ତାର ସମ୍ପର୍କ ଅଛି ଓ ସେ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି ବୋଲି ମାରପିଟ୍ କରୁଥିଲା। ସେତେବେଳେ ସେମାନେ ଉତ୍ତରପ୍ରଦେଶର ଏକ ଶିଳ୍ପାଞ୍ଚଳରେ ରହୁଥିଲେ। ରିଙ୍କି ମିଶ୍ର କହି ଚାଲିଥିଲା ତା ଦୁଃଖଦ କାହାଣୀ ସମଗ୍ର ଜନସାଧାରଣଙ୍କ ସାମ୍ନାରେ।

ଯଦିଓ ସେ ଟି.ଭିରେ ନିଜ ଅଭିମତ ରଖିଥିଲା, ମୋର କିନ୍ତୁ ଇଚ୍ଛା ହେଉଥିଲା ମୁଁ ତାକୁ କୁଣ୍ଢାଇଧରନ୍ତି ଓ କ୍ଷମା ମାଗନ୍ତି। ଆଜି ମୋ ପାଇଁ ତାର ଏଇ ଦୁର୍ଦ୍ଦଶା। ଶାଶ୍ଵତ କଣ ଏବେ ଦେଖୁଥିବ ଏଇ କାର୍ଯ୍ୟକ୍ରମ? ଏଇ ବୀଭତ୍ସ ଚେହେରାରେ ଥିବା ରିଙ୍କି ମିଶ୍ରକୁ ଏବେ ବି ସେ କ’ଣ ଭଲ ପାଉଥିବ ?

ରିଙ୍କିର କାହାଣୀ ଥିଲା ହୃଦୟବିଦାରକ। ସେମାନେ ଉତ୍ତରପ୍ରଦେଶରେ ରହିଲା ବେଳେ ଅନେକ ଏସିଡ୍ ଆକ୍ରମଣ ଘଟଣା ଘଟିଥିଲା ସେଇ ଆଖପାଖ ଅଞ୍ଚଳରେ। ସରକାର ମଧ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସହାୟତା ରାଶି ପ୍ରଦାନ କରୁଥିଲେ। ରିଙ୍କିର ସ୍ଵାମୀ, ସେଇ ସୈତାନ୍ ରାଗରେ, ଘୃଣାରେ ନିଜେ ରିଙ୍କିର ମୁହଁକୁ ଏସିଡ୍ ଫିଙ୍ଗିଦେଇଥିଲା ଓ ଏହାକୁ ଏକ ଏସିଡ୍ ଆକ୍ରମଣର ଚିତ୍ର ଦେଇଥିଲା ଯେତେବେଳେ ରିଙ୍କି ଆଇ.ସି.ୟୁ ଭିତରେ ଜୀବନ ସହ ଲଢେଇ କରୁଥିଲା। ଏହାଦ୍ୱାରା ସେ ନିର୍ଦ୍ଦୋଷ ହୋଇ ସରକାରୀ ସହାୟତା ହାତେଇ ନେବାକୁ ଚାହୁଁଥିଲା। ସେ ଭାବୁଥିଲା ରିଙ୍କି ଆଉ ବଞ୍ଚିବନି। ମାତ୍ର ରିଙ୍କିର ସ୍ଵୀକାରୋକ୍ତି ସେଇ ସୈତାନର ଯୋଜନାକୁ ବିଫଳ କରିଦେଲା। ରିଙ୍କି ସବୁ ସତକଥା ପୋଲିସକୁ କହିଲା ପରେ ତା ସ୍ଵାମୀ ଫେରାର୍ ହୋଇଗଲା। ଅନେକ ଦିନର ଚେଷ୍ଟା ପରେ ସେ ପୁଲିସ ହାତରେ ଧରାପଡ଼ିଲା।

ଏବେ ସେ ଆଜୀବନ କାରାଦଣ୍ଡ ଭୋଗୁଛି। କିନ୍ତୁ ରିଙ୍କିର ଜୀବନ ତ ଉଜୁଡିଗଲା। ଯେଉଁ ସୌନ୍ଦର୍ଯ୍ୟ ପାଇଁ ରିଙ୍କି ମିଶ୍ର ମୋ ଈର୍ଷାର କାରଣ ଥିଲା ଆଜି ତା ପାଇଁ ମୋ ଆଖିରୁ ଲୁହ ଝରୁଥିଲା। ନିଜକୁ ନିଜେ ଦୋଷୀ ମନେକରୁଥିଲି। ଜଣେ ପ୍ରଶାସିକା ଭାବରେ ତା ପାଇଁ କ’ଣ କରିପାରିବି ବୋଲି ମନେ ମନେ ବିଚାର କରୁଥିଲି !!

 

ଲିପ୍‌ସା ପଟେଲ୍‌
ଭବାନୀପାଟଣା 

ଆହୁରି ପଢ଼ନ୍ତୁ

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ସେଲେବ୍ରିଟିଙ୍କ ପରି କରନ୍ତୁ ଶିମର୍ ମେକ୍‌ଅପ୍

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ଆରୋଗ୍ୟରେ ସବୁ ରେକର୍ଡ ଭାଙ୍ଗିଲା ଭାରତ: ଦିନକରେ ୪୪,୩୦୬ ସୁସ୍ଥ, ୫୨,୦୫୦ ଆକ୍ରାନ୍ତ

ସମୁଦ୍ର କୂଳରେ ୧୫ ଫୁଟିଆ ରହସ୍ୟମୟ ଜୀବ, ସମସ୍ତେ ଚକିତ

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିସ୍

ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ!

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ