Advertisment

କୃଷ୍ଣ ଆସିବେ କିଆଁ?

ଦେବେନ୍ଦ୍ର ପୃଷ୍ଟି ‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।’   ଏବେ ବୋଧେ ଭାରତରେ ଧର୍ମର ରାଜୁତି, ପାପ ନାହିଁ ଜମା। ଶାସନରେ ହେଉ ନାହିଁ ଆଦୌ ଦୁର୍ନୀତି, ପକ୍ଷପାତ ଅବା ବ୍ୟଭିଚାର। ଭାରତର ପ୍ରତି ରାଜ୍ୟ ପ୍ରତି ନଗରରେ ରାମରାଜ ଧର୍ମରାଜ, ପ୍ରତି ବଜାର ଓ ବିପଣୀରେ ସତ୍ୟ ଓ ସାଧୁତାର ଚାଲିଛି ବେପାର।   ଏଠି […]

author-image
Debendra Prusty
କୃଷ୍ଣ ଆସିବେ କିଆଁ?

Krusna

ଦେବେନ୍ଦ୍ର ପୃଷ୍ଟି

‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ

ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ

ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ

ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।’

ଏବେ ବୋଧେ ଭାରତରେ ଧର୍ମର ରାଜୁତି, ପାପ ନାହିଁ ଜମା।

ଶାସନରେ ହେଉ ନାହିଁ ଆଦୌ ଦୁର୍ନୀତି, ପକ୍ଷପାତ ଅବା ବ୍ୟଭିଚାର।

ଭାରତର ପ୍ରତି ରାଜ୍ୟ ପ୍ରତି ନଗରରେ ରାମରାଜ ଧର୍ମରାଜ,

ପ୍ରତି ବଜାର ଓ ବିପଣୀରେ ସତ୍ୟ ଓ ସାଧୁତାର ଚାଲିଛି ବେପାର।

ଏଠି ଆଉ ନିର୍ଯାତିତ ହେଉନାହିଁ ନାରୀ, ବିବସନା ହେଉନି ଦ୍ରୌପଦୀ।

କପଟପାଶାରେ କେହି ସିଂହାସନ ଦାବିଦାର ଯାଉନାହିଁ ବନବାସ।

ଜଳୁନାହିଁ ଜତୁଗୃହ ନ୍ୟାୟପ୍ରାର୍ଥୀ କୌଣସି ଜନର।

ଧୃତରାଷ୍ଟ୍ର ପରି ଆଉ କୌଣସି ରାଜନ୍‌

କରନ୍ତିନି ଅଭିଷେକ ଦୁର୍ଯ୍ୟୋଧନଙ୍କର।

କଂସ ପରି କେହି ନାହିଁ ପିତୃଦ୍ରୋହୀ,

କରୁନାହିଁ ଶିଶୁହତ୍ୟା, ଭୃଣହତ୍ୟା

ଭୋଗିବାକୁ ନିଷ୍କଣ୍ଟକ ମେଦିନୀର ସୁଖ।

ନାହିଁ ବି ପୁତନା କାହିଁ ଖୋଇବାକୁ ବିଷ,

ନାହିଁ କାହିଁ ବକାସୁର ଶକଟାସୁରର ମାୟା,

ଚାଣୁର ମୁଷ୍ଟିକ କେହି ନକରନ୍ତି ଶିଶୁ ସହ ଯୁଦ୍ଧ।

ଗୋପୀ ସବୁ ଭଲରେ ଅଛନ୍ତି ଗୋପେ

ଭଲ ପାଇବାର ବନ ଶାନ୍ତ ଓ ସୁନ୍ଦର।

ସ୍ୱଚ୍ଛ ଓ ମଧୁର ସବୁ ଯମୁନାର ଜଳ

କାଳିନ୍ଦୀରେ କାଳୀୟର ନାହିଁ ବି ଗରଳ।

ଏଠିକାର ରାଜନୀତି କରେ ନାହିଁ ଚକ୍ରବ୍ୟୁହ-

ଅଭିମନ୍ୟୁ ମରେ ନାହିଁ ସପ୍ତରଥୀ ସୁରକ୍ଷାରେ।

ଗୁରୁକୂଳେ ହୁଏନାହିଁ ପାତରଅନ୍ତର-

ଏକଲବ୍ୟ ଲୋଡ଼େ ନାହିଁ ସଂରକ୍ଷଣ।

ହୁଏନାହିଁ ବିରାଟର ଗୋଧନ ହରଣ।

ତେବେ ହେ ଶ୍ରୀକୃଷ୍ଣ ତମେ ଆଉ ଥରେ ଭାରତରେ ଜନ୍ମ ନେବ କିଆଁ?

ଏବେ ଏଠି ଭାଇ ଭାଇ କୁରୁ ଓ ପାଣ୍ଡବ- ଏକାଠି ଅଛନ୍ତି

ଆଉ ଗଢ଼ିଛନ୍ତି ଦେଶପାଇଁ ସହସ୍ର ବାରୁଣାବନ୍ତ ନଗର ହସ୍ତିନାପୁର।

କୁରୁକ୍ଷେତ୍ର ଧର୍ମକ୍ଷେତ୍ର ଶାନ୍ତି ଓ ଆନନ୍ଦ କ୍ଷେତ୍ର, ଭୀଷ୍ମଙ୍କ ପ୍ରତୀଜ୍ଞା-

ହିଂସା, ରକ୍ତପାତ ବିନା ନିରାପଦ ନଗ୍ରବାସୀ ଶାନ୍ତିଯୁଦ୍ଧ ଚଳେ ପ୍ରଗତିର।

ରଥଚକ ଫସେ ନାହିଁ ଏମିତି କି ରାଧେୟ କର୍ଣ୍ଣର!

ଏତେ ସବୁ କଥା ଯଦି ମିଛ ତେବେ କେଉଁ ବନ୍ଦୀଘରେ

ଜନ୍ମ ନେବ କହିଦିଅ ହେ କୃଷ୍ଣ ହେ ଦେବକୀ ନନ୍ଦନ?

ଆମେ ସବୁ କଟୁଆଳ ଆଲୁଅ ଲିଭେଇ ଦେବୁ, ଘୁମେଇ ପଡ଼ିବୁ

ନିଅ ତମ ନନ୍ଦିଘୋଷ ଧର ସୁଦର୍ଶନ, ଯଶୋଦା ମମତା ନେଇ

ହୁଅ ତମେ ଗୀତାର ଈଶ୍ୱର, ଧର ବିଶ୍ୱରୂପ ଏଇ ଶେଷ ଥର।

ମୋ-୯୪୩୭୦୩୬୨୭୬