/odisha-reporter/media/post_attachments/uploads/2019/06/hari56.jpg)
hari56
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କୁ ଓଡ଼ିଶା ରାଜନୀତିର ମୂଳବିନ୍ଦୁ ଭାବେ ଦର୍ଶାଇଛନ୍ତି ଲେଖକ ହରିହର ପଣ୍ଡା। ବିଭିନ୍ନ ଗ୍ରନ୍ଥାବଳୀକୁ ଉଦ୍ଧାର କରି ସେ ତାଙ୍କର ଆଗାମୀ ପୁସ୍ତକ "ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ' ପୁସ୍ତକରେ ଏହା ସ୍ପଷ୍ଟ କରିଛନ୍ତି। ଗୁରୁବାର ଦିନ ଆମାଜନ୍ରେ ମୁକ୍ତିଲାଭ କରିଥିବା ମଲାଟ ପୃଷ୍ଠାରୁ ଏହା ସ୍ପଷ୍ଟ ଜଣାପଡ଼ିଛି। ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏହି ପୁସ୍ତକ ମୁକ୍ତିଲାଭ କରିବାକୁ ଯାଉଛି। ଆସନ୍ତା ସପ୍ତାହ ସୁଦ୍ଧା ଅଗ୍ରୀମ ବୁକିଂ କରିଥିବା ବ୍ୟକ୍ତିଙ୍କୁ ଏହି ପୁସ୍ତକ ପହଞ୍ଚା ଯାଇପାରିବ ବୋଲି ଆମାଜନ୍ ବୁକିଂ ପରେ ଏକ ସମ୍ଭାବ୍ୟ ବାର୍ତ୍ତା ଦିଆଯାଉଛି।
ଏହି ପୁସ୍ତକ ଯୁକ୍ତରାଷ୍ଟ୍ର ଆମେରିକା ଓହିଓ ରାଜ୍ୟର ଡବ୍ଲିନ୍ରୁ "ବ୍ଲାକ୍ ଇଗଲ ବୁକ୍ସ୍' ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶ କରାଯାଇଛି। ପୁସ୍ତକର ମୂଲ୍ୟ ଭାରତ ପାଇଁ ୩୦୦ଟଙ୍କା ରଖାଯାଇଥିବାବେଳେ ଅନ୍ତର୍ଜାତୀୟ ବଜାରରେ ୧୮ ଡଲାର୍ ରହିଛି। ବହିଟି ଜୁଲାଇ ୩ ତାରିଖରେ ଆମେରିକାରେ ଉନ୍ମୋଚନ ହେବା ସହ ରଥଯାତ୍ରା ସମୟରେ ଓଡ଼ିଶାରେ ଲୋକାର୍ପଣ କରାଯିବା କାର୍ଯ୍ୟକ୍ରମ ରହିଛି।
ପୁସ୍ତକଟି ୨୩୦ ପୃଷ୍ଠା ସମ୍ୱଳିତ ଏବଂ ଏହା ଜଗନ୍ନାଥଙ୍କୁ ଏକ ଭିନ୍ନ ଚିତ୍ରରେ ଅବତାରଣ କରିଛି। ଏଥିରେ ସମୁଦାୟ ୭୨ଟି ଅଧ୍ୟାୟ ରହିଛି। ସବୁ ଅଧ୍ୟାୟ ୮୦୦ରୁ ୧୫୦୦ ଶବ୍ଦ ଭିତରେ ହିଁ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ଅଧ୍ୟାୟରେ ଦର୍ଶାଯାଇଛି ଯେ,ଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ରାଜନୀତି ନିୟନ୍ତ୍ରଣ ହୋଇଛି। ୧୧୨୬ ମସିହାରୁ ଏହି ପୁସ୍ତକର ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଛି, କିନ୍ତୁ ଆବଶ୍ୟକ ଦୃଷ୍ଟିରୁ ପୁସ୍ତକର ଅଧ୍ୟାୟ ଏହି ସମୟର ପୂର୍ବକୁ ମଧ୍ୟ ପାଠକଙ୍କୁ ନେଇଛି। ପୁସ୍ତକଟି ଶେଷ ହୋଇଛି ୧୮୯୫ ରଥଯାତ୍ରାରେ। ଏହିଠାରେ ଏକ ନୂଆ ସକାଳକୁ ଅପେକ୍ଷା କରି ଅଧ୍ୟାୟକୁ ଶେଷ କରାଯାଇଛି। ଲାଗୁଛି ଯେମିତି ଲେଖକଙ୍କ ଆଗାମୀ ପୁସ୍ତକରେ ଏହା ଶେଷ ହେବ। ପୁଷ୍ଠଭୂମିରେ ବି ଏହା କୁହାଯାଇଛି ଯେ, ବହିର ପୃଥୁଳ ଚେହେରାକୁ ଦୃଷ୍ଟିରେ ରଖି ଘଟଣାବଳୀକୁ ସୀମିତ କରାଯାଇଛି।
କେଉଁଠାରୁ ଆରମ୍ଭ ହୋଇଛି?
କାହାଣୀ ଆରମ୍ଭ ହୋଇଛି ଗଙ୍ଗେଶ୍ୱରରୁ। ଶିବଭକ୍ତ ଚୋଡ଼ଗଙ୍ଗ ଦେବଙ୍କୁ ଗଙ୍ଗେଶ୍ୱରଭାବେ ବର୍ଣ୍ଣନା କରାଯାଇଛି। ସ୍ୱୟଂ ଶୈବଭକ୍ତ ଥାଇ ଏ ସହରକୁ କାହିଁକି ସେ ବୈଷ୍ଣବ ପ୍ରାଣକେନ୍ଦ୍ର ଭାବରେ ଗଢ଼ିବା ପାଇଁ ଚାହିଁଲେ ତାହାକୁ ଉପସ୍ଥାପନ କରିଛନ୍ତି ଲେଖକ। ଏହାପରେ କାହାଣୀ ଆଗକୁ ବଢ଼ିଛି। ଗଙ୍ଗ, ଗଜପତି, ମୋଗଲ, ମରାଠା, ଇଂରେଜ ଓ ଭୋଇ ରାଜବଂଶ କିପରି ଏହି ପ୍ରାଣକେନ୍ଦ୍ରକୁ ରାଜ୍ୟରେ ଶାନ୍ତି, ମୈତ୍ରୀ ସ୍ଥାପନ ପାଇଁ ବ୍ୟବହାର କରିଛନ୍ତି, ତାହା ଦର୍ଶାଯାଇଛି। ଆଫଘାନ୍ମାନଙ୍କ ଆକ୍ରମଣ ଆଉ ପୁରୀର ପରମ୍ପରାରେ ହଠାତ୍ ମୋଡ଼ ଆସିବା କଥା ମଧ୍ୟ ଏହି ପୁସ୍ତକରେ ଐତିହାସିକ ତଥ୍ୟ ଆଧାରରେ ବର୍ଣ୍ଣନା କରାଯାଇଛି।
ଏ ସମ୍ପର୍କରେ ଲେଖକ ହରିହର ପଣ୍ଡା କହିଛନ୍ତି,“ଐତିହାସିକ ପୃଷ୍ଠଭୂମିରେ ଓଡ଼ିଶାର ରାଜନୀତିକ ପ୍ରସଙ୍ଗଗୁଡ଼ିକୁ ଏଠାରେ ଉଲ୍ଲେଖ କରାଯାଇଛି। ଏହାକୁ ପଢ଼ିଲେ ଆପଣଙ୍କୁ ଏକ ଉପନ୍ୟାସ ପଢ଼ିବା ଭଳି ଲାଗିବ ଆଉ ଆପଣ ଗୋଟିଏ ସ୍ଥାନରେ ବସି ଜଗନ୍ନାଥ ରହସ୍ୟକୁ ପୁସ୍ତକର ପ୍ରତିଟି ପୃଷ୍ଠରେ ଅନୁଭବ କରିପାରିବେ।”
କିଏ କ’ଣ କହିଛନ୍ତି?
କଥାକାର ଡ. ଗୌରହରି ଦାସ, ସାହିତ୍ୟ ସମାଲୋଚକ ତଥା ଲେଖକ ଡ. ଅସିତ ମହାନ୍ତି, ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଡ. ଉମାକାନ୍ତ ମିଶ୍ର ଓ ପ୍ରାବନ୍ଧିକ ଶଶିଭୂଷଣ ରଥ ପ୍ରମୁଖ ଏହି ବହିର ମୁଖବନ୍ଧ ଲେଖିଛନ୍ତି।
ଡ.ଗୌରହରି ଦାସ କହିଛନ୍ତି, "ଜଗନ୍ନାଥ' ବହିଟି ଦୁଇଟି ଦୃଷ୍ଟିରୁ ଖଣ୍ଡିଏ ଉଲ୍ଲେଖନୀୟ କୃତି। ପ୍ରଥମ ହେଉଛି, ଏହି ବହିରେ ଶ୍ରୀଜଗନ୍ନାଥଙ୍କୁ କେବଳ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ନୁହେଁ ବରଂ ଓଡ଼ିଶାର ରାଜନୈତିକ ଜୀବନର ପ୍ରାଣକେନ୍ଦ୍ର ଭାବେ ଲେଖକ ଗ୍ରହଣ କରିଛନ୍ତି। ଦ୍ୱିତୀୟ ହେଉଛି, ଏହାର ବେଗଗାମୀ ଭାଷା, ଯାହା ଅଧିକାଂଶ ପ୍ରବନ୍ଧ ପୁସ୍ତକରେ ପଢ଼ିବାକୁ ମିଳି ନ ଥାଏ। ପ୍ରାଣବନ୍ତ, ଆବେଗଧର୍ମୀ ଭାଷା ପାଇଁ ଜଣେ ପାଠକ ବହିଟିକୁ ଧରିବସିଲେ ଶେଷ ନ କରି ରହିପାରିବ ନାହିଁ।”
ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ପୁସ୍ତକ ମୁଖବନ୍ଧରେ କହିଛନ୍ତି,“ଏ ପୁସ୍ତକ ମଧ୍ୟ ବହୁ ଜଣା-ଅଜଣା ଚରିତ୍ରଙ୍କର ଏକ ଅନୁପମ ଚିତ୍ରଶାଳା। ଏଥିରେ ଯେପରି ଶଙ୍କରାଚାର୍ଯ୍ୟ, ରାମାନୁଜ ଓ ରାୟରାମାନନ୍ଦଙ୍କ ପରି ଉଚ୍ଚ ଆଧ୍ୟାତ୍ମିକ ଚରିତ୍ର ରହିଛନ୍ତି, ସେପରି ମଧ୍ୟ ଅଛନ୍ତି କଲ୍ୟାଣ ମଲ୍ଲ, କଳାପାହାଡ଼ ଓ କେଶୋ ଦାସ ମାରୁଙ୍କ ପରି ଲୁଣ୍ଠନକାରୀ ଏବଂ ଚାଖି ଖୁଣ୍ଟିଆଙ୍କ ପରି ଦେଶପ୍ରେମୀ ଓ ଦର୍ପହନ୍ତ (ପାହାନ୍ତା)ସିଂଙ୍କ ପରି ଦେଶଦ୍ରୋହୀ। ପୁଣି ଦେବସ୍ତ୍ରୀ ଓ କାଲୁଆ ମାଲୁଣୀ ପରି ସାଧାରଣ ନାରୀ ଚରିତ୍ରଠାରୁ ଆରମ୍ଭ କରି ରୂପାମ୍ୱିକା, ଜଗନ୍ମୋହିନୀ, ଲଳିତା ଓ ସୂର୍ଯ୍ୟମଣି ପାଟ ମହାଦେଈଙ୍କ ପରି ରାଜବଂଶସଂଭୂତା ଏବଂ ମାଧବୀ ଦାସୀଙ୍କ ପରି ନିବେଦିତା ଭକ୍ତ ବି ଏଥିରେ ଅଛନ୍ତି। ସେହିପରି ନୀଳମାଧବ, ନୃସିଂହ ଓ ସାକ୍ଷୀଗୋପାଳଙ୍କଠାରୁ ଆରମ୍ଭ କରି ଭୈରବ ଓ ଶ୍ରୀଦେବୀଙ୍କ ପରି ବହୁ ଦେବଦେବୀ ମଧ୍ୟ ଏଥିରେ ବିଦ୍ୟମାନ।”
ପ୍ରଫେସର ଉମାକାନ୍ତ ମିଶ୍ରଙ୍କ ମତରେ, ଏ ପୁସ୍ତକର ପ୍ରତିଟି ଅଧ୍ୟାୟରେ ସନ୍ନିବେଶିତ ତଥ୍ୟ ବଡ଼ ଶ୍ରମ କରି ହୃଦୟ ଲଗାଇ, ଶୋଧ ପରଖ କରି ଲେଖକ ସଂଗ୍ରହ କରିଛନ୍ତି। ଏଥିରୁ ଆମକୁ ଓଡ଼ିଆଙ୍କ ପରିଚୟ, ନିଜ ପରିଚୟ, ଆତ୍ମା ପରିଚୟ ଓ ତା’ପରେ କଳାଠାକୁରଙ୍କର କିଞ୍ଚିତ ଦର୍ଶନ ମିଳିପାରିଲେ ଆମେ ସମସ୍ତେ ଧନ୍ୟ ହେବା।
ଶଶିଭୂଷଣ ରଥ ଏହି ପୁସ୍ତକରେ କହିଛନ୍ତି, ଅନେକ ନୂତନ କଥାର ସଂଗ୍ରହ ଓ ଉପସ୍ଥାପନା କରିବାରେ ଲେଖକ ଏଠାରେ ସଫଳ ହୋଇଛନ୍ତି। ଏପରିକି ମନରେ ଉଙ୍କି ମାରିଥିବା ଅନେକ ପ୍ରଶ୍ନର ଉତ୍ତର ତଥା ବିଷୟ ସହ ଜଡ଼ିତ ସହାୟକ ଗ୍ରନ୍ଥର ସୂଚନା ଦେଇଛନ୍ତି। ଆନନ୍ଦର ବିଷୟ ଯେ ୨୦୧୯ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ଏହା ଏକ ଆକର୍ଷଣୀୟ ପୁସ୍ତକ ଭାବେ ପ୍ରକାଶିତ ହେବାକୁ ଯାଉଛି। ଏହା ଅବଶ୍ୟ ସୁପାଠ୍ୟ ଓ ସଂଗ୍ରହଣୀୟ ହେବ ବୋଲି ମୋର ବିଶ୍ୱାସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
