ନଈ ଓ ଝିଅ

 

ଧୁ ଧୁ ଦ୍ଵି ପ୍ରହର। ଚାରିଆଡଡ଼ ନିରବତା। ଗାଁର ଦକ୍ଷିଣ ପଟ ଦେଇ ଯାଇଥିବା ପକ୍କା ସଡ଼କଟା ଶୋଇ ରହିଛି ଗୋଟେ ଅଜଗର ପରି। ନଈ କୂଳରେ ବର-ଅଶ୍ଵସ୍ତ ଯୋଡ଼ି। କେବେ କିଏ ଅପୁତ୍ରିକ ଦୋଷରୁ ମୁକ୍ତି ପାଇବା ପାଇଁ ଏଇ ଯୋଡ଼ା ବର-ଅଶ୍ଵସ୍ତ ଗଛ ନଈ କୂଳରେ ଲଗେଇଥିଲା ସେ କଥା ସମସ୍ତଙ୍କୁ ଅଜଣା। ହେଲେ ଏବେବି କେଜାଣି କେତେ ଯୁଗ ଧରି ସେମାନେ ସେମିତି ଛିଡ଼ା ହେଇ ରହିଛନ୍ତି କୋଳାକୋଳି ହେଇ।

ସେଇ ଯୋଡ଼ା ବର-ଅଶ୍ଵସ୍ତ ମୂଳରେ ଗୋଟେ ଛୋଟିଆ କୁଦ। କୁଦ କଡ଼ରେ ଆଣ୍ଠୁ ଉପରେ ମୁହଁକୁ ଲଦି ବସି ରହିଛି ଫୁଲ। ଏଇ ବୁଡ଼ା ଦିପହରରେ, ରାସ୍ତାଘାଟରେ କୁଆ କୋଇଲିଟିଏ ଦେଖା ନଥିବା ବେଳେ, ଫୁଲ କିନ୍ତୁ ଏତେଗୁଡ଼େ ବାଟ ଚାଲି ଆସିଛି ଘର ଛାଡ଼ି। ତା’ର ଏଇମିତି ଅବିଗୁଣ ପାଇଁ ତାକୁ କେହି ଅର୍ଦ୍ଧପାଗିଳୀ ବା ଦୁଶ୍ଚରିତ୍ରା କହିଲେ ବି ତା’ର କିଛି ଉତ୍ତର ନାହିଁ ଫୁଲ ପାଖରେ। କି ଉତ୍ତର ଦେଇ ସିଏ ଅବା ସନ୍ତୁଷ୍ଟ କରିବ ଏଇ ଦୁନିଆଁର ଲୋକମାନଙ୍କୁ। କିଏ ବା ବୁଝିବ ତାକୁ, ତା’ର ମନ ଗହନର ଏଇ ଆଦେଖା ଯନ୍ତ୍ରଣାକୁ ?

ସେଦିନ କଥା ତା’ର ଏବେବି ମନେଅଛି। ସେଦିନ ସିଏ ଯେତେବେଳେ ଘରକୁ ଫେରିଥିଲା, ଦେଖିଥିଲା ଘର ଆଗରେ ଲୋକ ଗହଳି। ମଇନା ମା’ ଖୁଡ଼ି ତାକୁ ଦେଖି ଜାବୁଡ଼ି ଧରି ହାଉଁ ହାଉଁ ହେଇ କାନ୍ଦି ଉଠିଥିଲା। କହିଥିଲା- “ତୋର ସୁଖର ଦିନ ସରିଗଲା ଲୋ ଝୁଅ। ଆଜିଠୁ ତୁ ମାଆ ଛେଉଣ୍ଡ ହେଇଗଲୁ।’’ ଖୁଡ଼ି କଥାର ଅର୍ଥ ବୁଝି ନପାରି ଜଳକା ପରି ଅନେଇ ରହିଥିଲା ସିଏ। ‘ଛେଉଣ୍ଡ’ ଶବ୍ଦଟା କାହିଁକି କେଜାଣି ତାକୁ ଲାଗିଥିଲା ଅତର୍କିତ, ଅଯାଚିତ। ସିଏ ବୁଝି ପାରୁ ନଥିଲା। ସ୍କୁଲରୁ ଫେରିଲା ବେଳକୁ, ଭାତଥାଳି ବାଡ଼ି ତାକୁ ଅନେଇ ବସିଥିବା ବୋଉ, ତା’ର ଏମିତି ଦାଣ୍ଡ ମଝିଟାରେ ଶୋଇଛି କାହିଁକି ? ପୁଣି ଏଇ ଅବେଳଟାରେ ? ମାଲଭାଇ ମାନେ ତା’ ବୋଉକୁ ଉଠେଇ ଗାଁ ଦାଣ୍ଡରେ ଚାଲିଥିଲେ। ସିଏ ବି ଚୁପଚାପ ଚାଲିଥିଲା ତାଙ୍କ ପଛେ ପଛେ। ନଈ ପଠାରେ ମଶାଣି। ମଶାଣି ଆଉ ଖଣ୍ଡେ ବାଟ ଥିବ, ନରିଆ ଦାଦି ତା ହାତ ଧରି ଅଟକେଇ ଦେଇଥିଲେ “କୁଆଡ଼େ ଯାଉଛୁ ଲୋ ମା” କହି। ତାଙ୍କ ପୁଅକୁ ତାଗିଦ କରି କହିଥିଲେ “ଛୁଆଟା ମଡ଼ା ପଛରେ ଏତେ ବାଟ ଆସିଲାଣି। ତୁ ତାକୁ ଘରକୁ ନେଇ ଯାଆ। ରାମନନା ତା ହାତକୁ ଧରି ‘ଆ’ ବୋଲି କହି ଘରକୁ ଟାଣି ଟାଣି ଆଣିବା ବେଳେ ସିଏ ବାର ବାର କ’ଣ ଭାବି ପଛକୁ ବୁଲି ବୁଲି ଚାହୁଁଥିଲା। ପଛରେ ହୁତୁ ହୁତୁ ହେଇ ଜଳୁଥିଲା ନିଆଁ। କୁଣ୍ଡଳୀ ମାରି ଧୂଆଁ ଉଠୁଥିଲା ଉପରକୁ। ତାକୁ ଲାଗୁଥିଲା ତା ବୋଉ ଧଳା ଶାଢ଼ିଟିଏ ପିନ୍ଧି ଶୂନ୍ୟରେ ଚାଲି ଯାଉ ଯାଉ ହଜି ଯାଇଥିଲା ସେଇ ନଈ ଭିତରେ।

ତା ପରଠାରୁ କେବେଠୁ ସିଏ ମଶାଣି ଭୁଇଁକୁ ଲାଗିଥିବା ଏଇ ବରଗଛ ମୂଳରେ ବସି ଆସୁଛି ସେ କଥା ତା’ର ବି ଖିଆଲ ନାହିଁ। ହେତୁ ନାହିଁ କେଉଁ ଏକ ଦୁର୍ବାର ଆକର୍ଷଣ ତାକୁ ବାନ୍ଧି ପକେଇଛି ନଈ ସହିତ ଏକ ଅତୁଟ ବନ୍ଧନରେ। ନଈ ଧାରର ହ୍ରାସ ବୃଦ୍ଧି ସହିତ ସିଏ ବି ବଢ଼ିଛି। ଶୀତ ଓ ବସନ୍ତରେ ଦେଖିଛି ନଈର ଶାନ୍ତ ସୌମ୍ୟ ରୂପ ତ ମନେ ପଡ଼ିଛି ବୋଉ। ବୋଉର ଆହ୍ଲାଦ। କେବେ ଦିନେ ସିଏ ତାକୁ କୋଳରେ ବସେଇ ଖୋଇ ଦେଉଥିଲା ଦୁଧଭାତ। ‘ଆ ଜହ୍ନମାମୁଁ ଶରଦଶଶୀ, ମୋ ଗେହ୍ଲୀ ହାତରେ ପଡ଼ରେ ଖସି’ ଗାଇ ଶୋଇ ଦଉଥିଲା। ମନେ ପଡୁଥିଲା ବି ବର୍ଷାରେ ଭୀଷଣ ଆକାର ନଈର କରାଳ ରୂପ ଦେଖି ବୋଉର ରାଗ। ବାପା ଘରେ କାହାକୁ କିଛି ନ କହି ଜମି ବନ୍ଧା ପକେଇ ଦେଲେ କି ଧାନଚାଉଳ ବିକି, ପଇସା ନେଇ ମଦ ଭାଟିରେ ସ୍ଵାହା କରି ଦେଇ ଆସିଲେ, ରାଗି ପାଚି ନିଆଁବାଣ ହେଇ ଯାଉଥିଲା ବୋଉ। ରାଗିମାଗି ଗାଳି ଦଉଥିଲା। କଟା ସମ୍ପା କରୁଥିଲା। ତୋ ବାପର ହାତ ଧରି ଜୀବନଟା ମୋର ନର୍କ ହେଇ ଗଲା କହି ଭାଗ୍ୟକୁ ନିନ୍ଦୁଥିଲା। ଭୀଷଣ ଖରାରେ ଶୋଷି ହେଲେ, ଶୀର୍ଣ୍ଣକୟା ନଈକୁ ଦେଖିଲେ ବି ମନେ ପଡୁଥିଲା ବୋଉ। ଘର ଗୋଟାକର ଜଞ୍ଜାଳ, ଆର୍ଥିକ ଅନାଟନ ସର୍ବୋପରି ବାପାଙ୍କର ସଂସାର ବିମୁଖତାକୁ ଛାତିରେ ଚାପି ରଖି ଦୀପ ସଳିତା ପରି ଜଳି ଜଳି ଯାଉଥିବା ବୋଉ ତାକୁ ଲାଗୁଥିଲା ଶୀର୍ଣ୍ଣକାୟା ନଈର ଧାର ପରି। ବର୍ଷାଦିନେ ଗୋଳିଆ ପାଣି ଗୋଲ ଗୋଲ ହେଇ ଭଉଁରୀ ଖେଳୁଥିଲା ନଈରେ। ପାଣିରେ ଭାସୁଥିବା କାଠିକୁଟା, ଅଳିଆ ଆବର୍ଜନାକୁ ଟାଣି ନେଇ ଏକକାର କରି ଦେଉଥିଲା ନିଜ ଭିତରେ। ଏକ ଲୟରେ ଏହି ଭଙ୍ଗାଗଢ଼ା ଖେଳକୁ ଦେଖୁ ଦେଖୁ ଫୁଲକୁ ଲାଗୁଥିଲା, ତା ବୋଉ ଯେମିତି ଦୁଇ ହାତ ତୋଳି ତାକୁ ଡାକୁଛି- “ଆ’ ରେ ଧନ ଆ’ କହି।

ନଈ କୂଳିଆ ପବନ ଖାଇ, ପାଳରେ ଲାଗିଥିବା ଗଛ ହୁ ହୁ ହେଇ ବଡ଼ିଲା ପରି, ଅଭାବୀ ଘରେ, ନିଅଣ୍ଟିଆ ସଂସାରରେ ବଢୁଥିଲା ଫୁଲ। ସାହି ଟୋକାଙ୍କ ଆଖିରେ ଫୁଲର ପୂରନ୍ତା ଯୌବନ ନିଆଁ ଲଗେଇ ଦଉଥିଲା, ତ ବାପ ଆଖିରୁ ହଜିଥିଲା ନିଦ। ଝିଅକୁ ପରଘରୀ କରିବାକୁ ସଜିଲ ହେଇଥିଲା ସିଏ। ପାଖ ଗାଁରେ ଠିକଣା ହେଇଥିଲା ବା’ଘର। ଗରିବ ହେଲେ ବି କୁଳିନ ଘର। ଝିଅ ଦୁଇଓଳି ଦୁଇମୁଠା ଖାଇବାକୁ ପାଇବ। ନାଇ ପିନ୍ଧି ରହିବ। ଫୁଲ ସବୁ ଶୁଣୁଥିଲା। ହେଲେ ତା’ର ନଈକୂଳକୁ ଯିବାରେ କିଛି ଫରକ ପଡୁ ନଥିଲା। ଭବିଷ୍ୟତର ସୁନେଲି ସ୍ଵପ୍ନରେ ମସଗୁଲ ହେବା, ଭାବୀ ସ୍ଵାମୀକୁ ନେଇ ସ୍ଵପ୍ନର ଜାଲ ବୁଣିବା ଛାଡ଼ି ସିଏ ନଈକୂଳରେ ବସି ଭଉଁରୀ ଗଣୁଥିଲା। ସେଦିନ ପଖାଳ କଂସାରୁ ହାତଟା ପାଟି ପାଖକୁ ଯାଉ ଯାଉ ଭାତ ଗଣ୍ଡାକ ହାତରୁ ଖସି ପଡ଼ିଲା ତଳକୁ। ଆରପଟ ଘରେ, ପିଉସୀନାନୀ ବାପାଙ୍କୁ କହୁଥିଲା- “ବୁଝିଲୁ, ଆଉ ଡେରି କରନା। ଆଗକୁ ଯଉ ତିଥି ପଡ଼ିବ ସେଇ ତିଥିରେ ବାହାଘରଟା ଉଠେଇ ଦେ। ନ ହେଲେ ଜାଣେ ତୋ ଝିଅ ବାଛନ୍ଦ ପଡ଼ିଲା। କେହି ତାକୁ ବାହା ହବାକୁ ମଙ୍ଗିବେନି। କୁଆଡ଼େ ଉଡ଼ା ଖବର ଯାଇ ପହଞ୍ଚିଛି ବର ଘରେ ଯେ, ଝିଅଟା କୁଆଡ଼େ ଅଧା ପାଗିଳୀ ଆଉ ଚରିତ୍ରହୀନା। ଦିନ ନାଇଁ ରାତି ନାଇଁ ସବୁବେଳେ ସେଇ ନଈ କୂଳଟାରେ ଯାଇ ଘଣ୍ଟା ଘଣ୍ଟା ବସିଥାଏ। ସେଠି କାହା ସାଙ୍ଗେ କି ଭାବ ଲଗେଇଥାଏ କେଜାଣି। ଦୁନିଆଁ ଭାସି ଗଲେ ତାର କେତେ। ଗରମ ଗରମ ଲୁହ ଦୁଇ ଟୋପା ଖସି ଆସିଲା ତା ଆଖିରୁ। ଓଠ ଦେଇ ପଶିଗଲା ପାଟିରେ। ପଖାଳ ବେଲାଟାକୁ ନଳା ମୁହଁରେ ଢାଳି ଦେଇ ଉଠିଗଲା ସିଏ।

ଝିଅ ବିଦା ପାଇଁ ହୁରି ପଡ଼ିଛି। ଝିଅ କାଇଁ? ବରଘର ପରା ବ୍ୟସ୍ତ କଲେଣି, ହେଲେ ଝିଅର ଦେଖା ନାଇଁ। କାନ୍ଧ ଉପରେ କାହାର ହାତର ମୃଦୁ ସ୍ପର୍ଶ ପାଇ ବୁଲି ଚାହିଁଲା ଫୁଲ। ପଛରେ ଛିଡ଼ା ହେଇଥିଲେ ତା ସ୍ଵାମୀ। ଚନ୍ଦନ ଚର୍ଚିତ ବେଶରେ। ଅବିଶ୍ଵାସ ଭରି ରହିଥିଲା ତାଙ୍କର ଦୁଇ ଆଖିରେ। ତାଙ୍କୁ ପଛ କରି ଧୀରେ ଗଡ଼ିଗଲା ଫୁଲ ନଈକୂଳକୁ। ଝାପସା ଅନ୍ଧକାର ଭିତରେ ଝମ୍ କରି ଶବ୍ଦଟାଏ ହେଲା। ଆଞ୍ଜୁଳିରେ ଥିବା ଚାଉଳ ଗଣ୍ଡାକ ପାଣି ଭିତରକୁ ଫୋପାଡ଼ି ଦେଇ, ବୋହି ଆସୁଥିବା ଲୁହକୁ ଶାଢ଼ିକାନିରେ ପୋଛି ଦେଇ ଫେରି ପଡ଼ିଲା ଫୁଲ। ଗୋଟିଏ ଗୋଟିଏ ହୋଇ ଆସି ଛିଡ଼ା ହେଲା ତା’ର ସ୍ଵାମୀ ସାମ୍ନାରେ। ଖୋଜିଲା ଖୋଜିଲା ଆଖି ତୋଳି ଚାହିଁଲା ତାଙ୍କ ମୁହଁକୁ। ଭାବୀ ସ୍ଵାମୀ ଆଖିରେ ବୋଧହୁଏ ଖୋଜୁଥିଲା ସେଇ ଆତ୍ମପ୍ରତ୍ୟୟ ଟିକକ, ଯାହାକୁ ସିଏ ପଛରେ ଛାଡ଼ି ଆସିଥିଲା ଆଉ ଟିକିଏ ଆଗରୁ।

ଫୋନ୍ ୮୨୪୯୪୩୭୨୭୬