ଦିନେ ଏଠି ପାହାଡ଼ଟେ ଥିଲା

ଏସବୁ ଦୃଶ୍ୟକୁ ପାଖରୁ ଅବଲୋକନ କରୁଥିବା ରାଜା ରଣବୀର ଅନୁଭବ କରୁଥିଲେ ଯେମିତି ତାଙ୍କ ଛାତି ଭିତରେ କେହି ହାତୁଡ଼ି ପିଟି ଦେଉଛି।

ବିମଳ ପତି

ରାଜା ଚୌଧୁରୀ ରଣବୀର ପାହାଡ଼ ସିଂ। ଏଇ ପାହାଡ଼ ସିଂ ଉପାଧିଟା ତାଙ୍କ ପୂର୍ବପୁରୁଷ ଅମଳରୁ ଗଡ଼ି ଆସୁଛି। ଚୌଧୁରୀ ରଣବୀର ପାହାଡ଼ ସିଂ ଏବେ ପରିଣତ ବୟସରେ। ସେ ଅଛନ୍ତି। ରାଜବାଟୀ ଅଛି, ହେଲେ ଜମିଦାରୀ ଉଚ୍ଛେଦ ହେବା ପରଠୁ ଆଉ ସେ ଥାଟ୍ଟ ବାଟ ନାହିଁ। କାଁ ଭାଁ କେଇ ଜଣକୁ ଛାଡ଼ି ଦେଲେ ଆଉ କେହି ରାଜବାଟୀ ଆଡ଼େ ଅନାନ୍ତି ନାହିଁ। ରାଣୀ ସ୍ୱପ୍ନା କୁମାରୀ କେବେଠୁ ଆରପାରିକୁ ଚାଲି ଗଲେଣି। ଚୌଧୁରୀ ରଣବୀର ଓ ସ୍ୱପ୍ନାକୁମାରୀଙ୍କ ଏକମାତ୍ର ପୁଅ ପ୍ରବୀର ଦିଲ୍ଲୀରେ ସରକାରୀ ଚାକିରିରେ। ରାଜସ୍ତାନୀ ଝିଅଙ୍କୁ ବାହା ହେଇ ଦିଲ୍ଲୀରେ ରହନ୍ତି। କେବେ କେବେ ଗାଁ କୁ ଆସନ୍ତି। ରାଜବାଟୀର କେଇଟା ଦିନ ରହିବା ପରେ ପୁଣି ଫେରିଯା’ନ୍ତି ଦିଲ୍ଲୀକୁ। ପୁଅବୋହୂଙ୍କ ଗହଣରେ କିଛି ଦିନ ବେଶ୍‌ ଖୁସିରେ କାଟନ୍ତି ରାଜା ରଣବୀର।

ନିଜର ଶାସନ ସମୟରେ ବେଶ୍ ‍ ଲୋକପ୍ରିୟ ଥିଲେ ରାଜା ରଣବୀର। ରାଜବାଟୀ ପରିସରରେ ଦାସୀ ପରିବାରୀ, ପୋଇଲି, ମୁଦୁସୁଲିଙ୍କ ଗହଣରେ ବେଶ୍‌ ଆନନ୍ଦରେ ସମୟ କଟାଉଥିଲେ ରାଣୀ ସ୍ୱପ୍ନାକୁମାରୀ। ରାଜା ଆଉ ରାଣୀ ଯେମିତି ଦାସୀ, ପରିବାରୀ, ପୋଇଲି ପାଇଁ ଦେବତୁଲ୍ୟ ଥିଲେ। ସମସ୍ତଙ୍କ ମନଜାଣି ନ୍ୟାୟ ଦେଉଥିଲେ ରାଜା ରଣବୀର।

ମଣିଷଙ୍କ ପରି ଗଛଲତା, ପ୍ରକୃତିକୁ ବେଶ୍‌ ଭଲ ପାଉଥିଲେ ସେ। କେବେ କେବେ ସାନ୍ଧ୍ୟ ଭ୍ରମଣରେ ଘୋଡ଼ା ପିଠିରେ ସବାର ହୋଇ ଘଞ୍ଚ ଜଙ୍ଗଲ ଆଉ ପାହାଡ଼କୁ ବୁଲି ଯାଉଥିଲେ। ପ୍ରକୃତିର ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ସହ ପାହାଡ଼କୁ ଦେଖି ଆନନ୍ଦରେ ଆତ୍ମହରା ହେଉଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସେ ପାହାଡ଼ ପରି ସ୍ଥିର, ଅବିଚଳିତ ରହୁଥିଲେ। ପାହାଡ଼ଠାରୁ ସେ ଏହାହିଁ ଶିକ୍ଷା ଲାଭ କରିଥିଲେ। ପାହାଡ଼ର ପାଦ ଦେଶରେ ଠିଆହୋଇ ଦୁଇ ହାତକୁ ପାଟି ପାଖରେ ଦେଇ ଖୁବ୍‌ ଜୋର୍‌ରେ ପାଟି କରୁଥିଲେ। ପାହାଡ଼ ଛାତିରେ ତାହା ପ୍ରତିଧ୍ୱନିତ ହୋଇ ପୁଣି ତାଙ୍କ ପାଖକୁ ଫେରି ଆସୁଥିଲା। ପାହାଡ଼ ରାଜା ରଣବୀରଙ୍କ ଉତ୍ତର ଦେଉଛି ବୋଲି ସେ ବହୁତ ଖୁସି ହେଉଥିଲେ। କେବେ କେବେ ପାହାଡ଼ ଛାତିରେ ଲେଖୁଥିଲେ ନିଜ ନାଁ ସହ ସ୍ୱପ୍ନାକୁମାରୀଙ୍କ ନାଁ। ଠିକ୍ ‍ ତା ତଳକୁ ଆଙ୍କୁଥିଲେ ହୃଦୟର ଚିତ୍ର। ପାହାଡ଼ ସହ ଯେମିତି ବନ୍ଧୁତାରେ ବାନ୍ଧି ହୋଇଯାଉଥିଲେ ରାଜା ରଣବୀର। ଅନେକ ସମୟରେ ନିଜ ରାଜ୍ୟର ପ୍ରଜାମାନଙ୍କୁ ନେଇ ପାହାଡ଼ ଚାରିପଟେ ଗଛ ଲଗାଇବା ସହ ପାହାଡ଼କୁ କେବେ କ୍ଷତି ନ ପହଞ୍ଚାଇବା ପାଇଁ ଲୋକଙ୍କୁ ପରାମର୍ଶ ବି ଦେଉଥିଲେ।

ଲୋକପ୍ରିୟତା ପାଇଁ ନିଜ ରାଜ୍ୟରେ ସବୁଠି ଲୋଡ଼ା ପଡ଼ନ୍ତି ରାଜା। ବେଶ୍‌ ଖାତିର ସମ୍ମାନ ବି କରନ୍ତି ଲୋକେ ରାଜା ରଣବୀରଙ୍କୁ। ପ୍ରଜାମାନଙ୍କୁ ଦାନ, ଖଇରାତ କରିବା ସହ ସମୟ ଅସମୟରେ ଲୋକଙ୍କୁ ସାହାଯ୍ୟର ହାତ ବି ବଢ଼ାନ୍ତି। ରାଜା ରାଣବୀରଙ୍କ ଉଦାର ଓ ସ୍ଥିର ନିଶ୍ଚଳ ସ୍ୱଭାବ ଯୋଗୁଁ ପ୍ରଜାମାନେ ତାଙ୍କୁ ‘ପାହାଡ଼ ରାଜା’ ବୋଲି କୁହନ୍ତି।

ରାଣୀ ସ୍ୱପ୍ନାକୁମାରୀ ଓ ପୁଅ ପ୍ରବୀର କୁମାରଙ୍କୁ ନେଇ ଛୋଟିଆ ସଂସାରରେ ବେଶ୍ ‍ ଖୁସିଥିଲେ ରାଜା। ଖୁବ୍‌ ପ୍ରେମ କରୁଥିଲେ ସ୍ୱପ୍ନାକୁମାରୀଙ୍କୁ। ପୁଅର ଜନ୍ମ ଦିନରେ ରାଜବାଟୀ ପରିସରରେ ଭୋଜି ଭାତ ବଡ଼ ଧୁମଧାମ୍‌ରେ ହେଉଥିଲା।  ଅନେକ ସମୟରେ ରାଜା ରଣବୀର ରାଣୀ ସ୍ୱପ୍ନା କୁମାରୀ ଓ ପୁଅ ପ୍ରବୀରକୁ ନେଇ ପାହାଡ଼ ପାଖକୁ ଯାଉଥିଲେ ବୁଲି। ପତ୍ନୀଙ୍କୁ ପାହାଡ଼ର ମନୋରମ ସୌନ୍ଦର୍ଯ୍ୟ ବୁଲାଇ ଦେଖାଉଥିଲେ। ନିଜ ହାତ ତିଆରି ଜଙ୍ଗଲର ମନୋରମ ଦୃଶ୍ୟକୁ ନିଜେ ମନଭରି ଉପଭୋଗ କରିବା ସହ ରାଣୀ ସ୍ୱପ୍ନା କୁମାରୀ ଓ ପୁଅଙ୍କୁ ଦେଖାଉଥିଲେ। ପାହାଡ଼ କିପରି କଥା କହେ ଏହାର ପ୍ରମାଣ ଦେବା ପାଇଁ ରାଜା ନିଜ ମୁହଁରେ ଦୁଇହାତ ପାପୁଲି ଦେଇ ବଡ଼ପାଟି କରୁଥିଲେ। ରାଜାଙ୍କ ପାଟିର ଶବ୍ଦ ପାହାଡ଼ ଛାତିରେ ପିଟି ହୋଇ ପ୍ରତିଧ୍ୱନିତ ହେଉଥିଲା। ପୁଅ ପ୍ରବୀର ପ୍ରତିଧ୍ୱନିକୁ ଶୁଣି କୁରୁଳି ଉଠି ତାଳି ମାରୁଥିଲା।

ସବୁଜ ବନାନୀ ପରିବେଷ୍ଟିତ ପାହାଡ଼କୁ ଦେଖି ରାଜା ରଣବୀର ମନେ କରନ୍ତି ପାତ୍ର,ମନ୍ତ୍ରୀଙ୍କ ଗହଣରେ ସେ ଯେମିତି ରାଜ ସିଂହାସନରେ ସଗର୍ବେ ଉପବେଶନ କରିଛନ୍ତି। ରାଜା ଓ ରାଜ୍ୟ ଶାସନ ବ୍ୟବସ୍ଥା ଉଚ୍ଛେଦ ପରେ ମଧ୍ୟ ରାଜା ରଣବୀର ଓ ରାଣୀ ସ୍ୱପ୍ନା କୁମାରୀ ପାହାଡ଼ ପାଖକୁ ବୁଲିଯା’ନ୍ତି। ପାହାଡ଼ର ରୁକ୍ଷ ଛାତିରେ ମଥାରଖି ଖୁବ୍‌ ଗେଲ କରନ୍ତି। ନିଜେ ଲଗାଇଥିବା ଗଛ ଲତାକୁ ଆଉଁଷି ଦେଇ ପରମ ତୃପ୍ତିଲାଭ କରନ୍ତି। ରାଣୀ ସ୍ୱପ୍ନା କୁମାରୀ ନିଜ ପାଟ ଲୁଗାକାନିରେ ପାହାଡ଼ର ଦେହକୁ ପୋଛି ଦେଇ ପୁତ୍ରବତ୍ ‍ଶ୍ରଦ୍ଧା କରନ୍ତି।

ଶାସନ ଚାଲିଯିବା ବେଳକୁ ରାଜପୁତ୍ର ପ୍ରବୀର ଉଚ୍ଚଶିକ୍ଷିତ ହୋଇ ଦିଲ୍ଲୀରେ ରହିଲେଣି। ଚାକିରି କରି ବାହାସାହା ମଧ୍ୟ ହେଲେଣି। ଏବେ ପ୍ରବୀରଙ୍କର ପୁଅଟିଏ ହୋଇଛି। ନାତି ହେବା ଖବର ଶୁଣି ରାଜା ନିଜ ନଅରରେ ଏକ ନୈଶ୍ୟ ଭୋଜିର ଆୟୋଜନ କରି ସମସ୍ତ ପ୍ରଜାଙ୍କୁ ନିମନ୍ତ୍ରଣ କଲେ। ରାଜକୀୟ ଶାସନ ବ୍ୟବସ୍ଥା ନଥିବାରୁ ଭୋଜିରେ ରାଜବାଟୀରେ ଏତେ ଗହଳି ଚହଳି ନଥିଲା। ଏକଥା ରାଜା ରଣବୀରଙ୍କୁ ବଡ଼ କଷ୍ଟ ଦେଲା।

ହାତରୁ ଶାସନ ଖସିଯିବା ପରେ ରାଜସ୍ୱ ଆଦାୟ ଏକ୍‌ଦମ୍‌ ଠପ୍ ହୋଇଯାଇଥିଲା। ତଥାପି ରାଜା ରଣବୀର ଭାଙ୍ଗି ପଡ଼ି ନଥିଲେ। ଯାହା ଯେତିକି ନିଜସ୍ୱ ଆୟରେ ଖୁସିରେ ଦୁଇପ୍ରାଣୀ ଚଳିଯାଉଥିଲେ। ନିଜର ସୀମିତ ସମ୍ୱଳ ଭିତରେ କାଁ ଭାଁ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ଧୀରେ ଧୀରେ ବୟସ ବଢ଼ିବା ସହ ରାଜା ରଣବୀରଙ୍କର ନିଜସ୍ୱ ଆୟ ମଧ୍ୟ କମିବାରେ ଲାଗିଲା। ଏବେ ପୁଅ ହାତକୁ ଭରସା। ପ୍ରବୀର କୁମାର ପ୍ରତିମାସରେ ବାପାଙ୍କ ପାଖକୁ ମନିଅର୍ଡ଼ରରେ ଟଙ୍କା ପଠାନ୍ତି। ଫୋନ୍‌ କରି ବାପା ରାଜା ରଣବୀର ଓ ମା’ ସ୍ୱପ୍ନା କୁମାରୀଙ୍କ କଥା ପଚାରି ବୁଝନ୍ତି। ଏକମାତ୍ର ନାତିର ଗୁଲୁରୁ ଗୁଶୁରୁ କଥା ଫୋନରେ ଶୁଣି ଖୁସି ହୁଅନ୍ତି ରାଜା ସାହେବ।

ପାହାଡ଼ ପରି ସ୍ଥିର, ଅବିଚଳିତ ରାଜା ରାଣବୀର ତାଙ୍କ ଜୀବନରେ ଦେଖାଯାଉଥିବା ଦୁଃସ୍ଥିତିକୁ ନେଇ ଯେତିକି ଚିନ୍ତିତ ନଥିଲେ ତା’ଠୁ ଅଧିକ ଚିନ୍ତିତ ହେଉଥିଲେ ରାଣୀ ସ୍ୱପ୍ନାକୁମାରୀ। ଧୀରେ ଧୀରେ ରଙ୍ଗଛାଡ଼ି ମଳିନ ହୋଇ ଆସୁଥିବା ରାଜବାଟୀର ରୂପଦେଖି ନିଜ ଭିତରେ ପିରାମିଡ଼ପରି ଭାଙ୍ଗି ପଡ଼ୁଥିଲେ ରାଣୀ।

ଦିନେ ଅପରାହ୍ନରେ ରାଜା ଓ ରାଣୀ ହାତରେ କଟୁରୀ ଧରି ବାହାରିପଡ଼ିଲେ ରାଜ ଉଆସ ପରିସର ଓ ଏହାର କାନ୍ଥରେ ଉଠିଥିବା ଗଛଲତାକୁ ସଫା କରିବା ପାଇଁ। ଲମ୍ୱା ଶିଡ଼ିରେ ରାଜା ଉପରକୁ ଉପରକୁ ଚଢ଼ି ଆବର୍ଜନା ଗଛ ଲତାକୁ କାଟୁଥା’ନ୍ତି। ତଳେ ରାଣୀ ସ୍ୱପ୍ନା କୁମାରୀ ଦୁଇହାତରେ ଶିଡ଼ିକୁ ଧରିଥା’ନ୍ତି। କର୍ମକ୍ଳାନ୍ତି ଯୋଗୁ ରାଜାଙ୍କ ଦେହରୁ ଶ୍ରମଝାଳ ଥପ୍ ଥପ୍ ବୋହି ପଡ଼ୁଥାଏ।

ସାଇକେଲରେ ଘଣ୍ଟି ବଜାଇ ରାଜବାଟୀ ହତା ଭିତରକୁ ପଶି ଆସିଲା ଡାକ ପିଅନ। ରାଜା ଶିଡ଼ିରୁ ଓହ୍ଲାଇ ଡାକପିଅନ ହାତକୁ ଅନାଇଲେ। ପୁଅର ମନିଅର୍ଡ଼ର ବଦଳରେ ଥିଲା ଏକ ସରକାରୀ ଚିଠି। କପାଳରେ ଉକୁଟି ଆସୁଥିବା ଶ୍ରମ ଝାଳକୁ ପୋଛି ଦେଇ ରଣବୀର ଚିଠିଟି ଖୋଲିଲେ। ଆଉ ଚିଠିଟି ପଢ଼ିସାରି ରାଜାଙ୍କ ମୁଖମଣ୍ଡଳ ଗମ୍ଭୀର ହୋଇଉଠିଲା। ଏକ ଅସହାୟ ଚାହାଣୀରେ ରାଣୀ ସ୍ୱପ୍ନା କୁମାରୀଙ୍କ ଆଡ଼େ କ୍ଷଣିକ ଚାହିଁ ମୁହଁ ବୁଲାଇ ନେଲେ।

କ’ଣ ହେଲା ବୋଲି ରାଣୀ ପଚାରନ୍ତେ ରାଜା ଚିଠିଟି ସ୍ୱପ୍ନାକୁମାରୀଙ୍କ ହାତକୁ ବଢ଼ାଇଦେଲେ। ଚିଠିଟି ପଢ଼ିସାରିବା ପରେ ରାଗ ଆଉ ଅଭିମାନରେ ରାଣୀଙ୍କ ମୁହଁ ଲାଲ ପଡ଼ିଯାଇଥିଲା। ସରକାରଙ୍କ ରାଜସ୍ୱ ବିଭାଗର ଚିଠି। ଚିଠି ନୁହେଁ ତ ଫତୱା କହିଲେ ଚଳେ। ସେଥିରେ ଲେଖାଥିଲା ରାଜା ଓ ରାଣୀ ପାହାଡ଼ ପାଖକୁ ଯାଇପାରିବେ ନାହିଁ। ସେଠାରେ ଶହେ ଚୌରାଳିଶ ଜାରି ହୋଇଛି। ପାହାଡ଼କୁ ପୁତ୍ରବତ୍ ‍ ଓ ସବୁଜ ବନାନୀକୁ ନିଜ ରାଜ୍ୟର ପ୍ରୀୟ ପ୍ରଜା ଭଳି ପାଳି ଆସିଥିବା ରାଜା ଓ ରାଣୀଙ୍କ ମୁଣ୍ଡରେ ସତେ ଯେମିତି ବଜ୍ରପାତ ହେଲା। ଧୈର୍ଯ୍ୟର ସହ ରାଜା କିଛି ଦିନ ଅତିକ୍ରମ କରିବା ପରେ ପୁତ୍ରବତ୍‌ ପାହାଡ଼କୁ ଦେଖିବା ପାଇଁ ଚାଲିଗଲେ ଏକୁଟିଆ। ସରକାରୀ ଆଇନର ଉଲଂଘନ ଅଭିଯୋଗରେ ରାଜାଙ୍କୁ ପୋଲିସ୍‌ ଗରିଫ କରି ଜେଲରେ ଭର୍ତ୍ତି କରିଦେଲା। ଏଭଳି ଦାରୁଣ ସମ୍ୱାଦ ପାଇ ରାଣୀ ସ୍ୱପ୍ନା କୁମାରୀ ଖୁବ୍ ‍ଅଶ୍ୱସ୍ତି ଅନୁଭବ କଲେ। ଚାହୁଁ ଚାହୁଁ ରାଣୀ ଭୂଇଁ ଉପରେ ଲୋଟି ପଡ଼ିଲେ।

ଜେଲ୍‌ରେ ଥାଇ ବି କେବେ ଦିନକ ପାଇଁ ଅନୁଶୋଚନା କରିନାହାନ୍ତି ରାଜା ରଣବୀର। ବେଳେବେଳେ ଖୁବ୍‌ ମନେପଡ଼ନ୍ତି ରାଣୀ ସ୍ୱପ୍ନା କୁମାରୀ, କେମିତି ଥିବ ତାଙ୍କ ପ୍ରିୟ ପାହାଡ଼, ନିଜ ରାଜବାଟୀ। ଆଖି ସାମ୍ନାରେ ତାଙ୍କର ଏସବୁ ଦୃଶ୍ୟ ନାଚି ଉଠିବା ସହ ଖୁବ୍‌ ମନେପଡ଼ନ୍ତି ପୁଅ, ବୋହୁ ଓ ନାତି ଅନ୍ୱେଷ।

ରାଣୀ ସ୍ୱପ୍ନାକୁମାରୀଙ୍କ ଏକାଦଶାହ କ୍ରିୟା ପରଠୁ ଆଉ କେବେ ରାଜବାଟୀକୁ ଆସିନାହାନ୍ତି ପୁଅ ପ୍ରବୀର। ପିଲାଦିନେ ଅନେକ ଥର ପ୍ରବୀରକୁ ସାଙ୍ଗରେ ନେଇ ରାଜା ରଣବୀର ପୁତ୍ରବତ୍‌ ପ୍ରିୟ ପାହାଡ଼ ଓ ହାତ ତିଆରି ଜଙ୍ଗଲକୁ ବୁଲାଇ ଆଣିଛନ୍ତି। ରାଣୀଙ୍କ ଶୁଦ୍ଧି ସମୟରେ ନାତି ଅନ୍ୱେଶ ବହୁତ ଜିଦି କରୁଥିଲା ପାହାଡ଼ ଦେଖିବା ପାଇଁ। କିନ୍ତୁ ହେଇ ପାରିଲାନି। ବିଚରା ତା ବାପାକୁ କେତେ ତାଗିଦ୍‌ କରୁଥିବ ଚାଲ ଗାଁ କୁ ଯିବା। ମୁଁ ପାହାଡ଼ ଦେଖବି? ଏମିତି ଅନେକ ଭାବନା ରାଜ୍ୟରେ ବିଚରଣ କରେ ରାଜା ରଣବୀରଙ୍କ ମନ।

ଜେଲ୍‌ର କୋଠରୀ ଭିତରେ ଶୋଇଥିବା ବେଳେ ପୋଲିସ୍‌ ବୁଟର ଠକ୍‌ ଠକ୍ ଶବ୍ଦରେ ନିଦ ଭାଙ୍ଗିଲା ରାଜା ରଣବୀରଙ୍କର। ଆଖି ଖୋଲିଲା ବେଳକୁ ସାମ୍ନାରେ ଜେଲର।

ଜେଲର ଜଣକ କହିଲେ – ରାଜ୍ୟ ସରକାର ଆପଣଙ୍କୁ ମୁକ୍ତି ଦେଇଛନ୍ତି। ଆପଣ ଏଥର ବାହାରକୁ ଆସନ୍ତୁ। ଜେଲର ଜଣକ ସେଲ୍‌ର ତାଲା ଖୋଲିବା ପରେ ବାହାରକୁ ବାହାରିଲେ ରାଜା ରଣବୀର। ତାଙ୍କର ପୁରୁଣା ପୋଷାକ ଦିଆଗଲା ପିନ୍ଧିବା ପାଇଁ।

ନିଜର ପୋଷାକପତ୍ର ପିନ୍ଧି ପଦାକୁ ବାହାରିବା ସମୟରେ ଦେହର କାନ୍ଥରେ ଲାଗିଥିବା ମିରରରେ ନିଜ ଚେହେରାକୁ ପରଖିଲେ ରାଜା ସାହେବ। ସଂଜ ନଇଁ ଆସୁଥାଏ। ଧୀରେ ଧୀରେ ଚାଲି ପହଞ୍ଚିଲେ ରାଜବାଟୀରେ।

ରାଜବାଟୀକୁ ଫେରିବା ପରେ ବି ନିଜର ନିଃସଙ୍ଗ ଜୀବନ ପାଇଁ ଟିକେ ବି ଦୁଃଖ କି କ୍ଳେଶ ନଥିଲା ମନରେ। ଖୁବ୍‌ ମନେ ପଡ଼ୁଥିଲା ତାଙ୍କର ପ୍ରିୟ ପାହାଡ଼। ରାତିରେ ଅନେକ ସମୟରେ ରାଜାଙ୍କ କାନରେ ଢୋ ଢୋ ଆୱାଜ ପିଟି ହେଉଥିଲା। ମାତ୍ର ଅଦିନରେ ଦିପାବଳୀର ଭ୍ରମସୃଷ୍ଟି କରୁଥିବା ଏ ଢୋ ଢା ଆୱାଜକୁ ରାଜା କିଛି ବୁଝି ପାରୁ ନଥିଲେ। ଠାକୁର ପୂଜା, ପେପର ପଢ଼ା, ଫୋନରେ ନାତି ଟୋକା ସହ କଥାବାର୍ତ୍ତା, ବଗିଚା କାମରେ ବିତିଯାଏ ଦିନ। ରାତିର ନିର୍ଜନ ପ୍ରହରରେ ଅନେକ କଥା ରାଜା ରାଣବୀରଙ୍କ ମନ ଭିତରକୁ ଚାଲିଆସେ। ବିଶେଷ କରି ତାଙ୍କ ପ୍ରିୟ ପାହାଡ଼ ଓ ହାତ ତିଆରି ଜଙ୍ଗଲ କଥା। ସ୍ୱପ୍ନା କୁମାରୀଙ୍କ ସହ କେତେ କେତେ ସ୍ମୃତିମଧୁର ମୁହୂର୍ତ୍ତ କଟାଇଛନ୍ତି ସେହି ପାହାଡ଼ ପାଦଦେଶରେ।

ନିଜର ଆଗ୍ରହକୁ ଆଉ ସମ୍ଭରଣ କରିପାରିଲେନି ରାଜା। ପରଦିନ ସକାଳୁ ଉଠି ଏକ ମୁହଁ ହୋଇ ପହଞ୍ଚିଲେ ପାହାଡ଼ ପାଖରେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା। ନା ଥିଲା ତାଙ୍କ ହାତତିଆରି ଜଙ୍ଗଲ ନା ପାହାଡ଼। ପାହାଡ଼ର ବିରାଟ ବିରାଟ ଶିଳାଖଣ୍ଡ ସବୁ ଏଣେତେଣେ ପଡ଼ିଥିଲା। ବଡ଼ ବଡ଼ ମେସିନ୍‌ ସବୁ ରାକ୍ଷସ ଭଳି ଶିଳା ଖଣ୍ଡକୁ ପିଟି ଗୁଣ୍ଡକରି ପକାଉଥିଲେ ନିମିଷକରେ।

ଏସବୁ ଦୃଶ୍ୟକୁ ପାଖରୁ ଅବଲୋକନ କରୁଥିବା ରାଜା ରଣବୀର ଅନୁଭବ କରୁଥିଲେ ଯେମିତି ତାଙ୍କ ଛାତି ଭିତରେ କେହି ହାତୁଡ଼ି ପିଟି ଦେଉଛି। ରାଜାଙ୍କ ଆଖିରୁ ଝରିପଡ଼ିଲା କେଇବୁନ୍ଦା ଲୁହ। ଭୂଇଁ ଉପରେ ଗଛ କାଟିଲା ଭଳି କଚାଡ଼ି ହୋଇ ପଡ଼ିଲେ ରାଜା ରଣବୀର। ସେଇଠି ତାଙ୍କର ପ୍ରାଣବାୟୁ ଉଡ଼ିଗଲା।

ପିତାଙ୍କ ଦେହାନ୍ତ ଖବର ପାଇ ଫ୍ଲାଇଟରେ ଆସି ପହଞ୍ଚିଲେ ପ୍ରବୀର। ରାଜା ସାହେବ ଆରପାରିକୁ ଚାଲିଯାଇଥିବା ପ୍ରବୀର ଜାଣି ସାରିଥିଲେ। ସାଙ୍ଗରେ ଆସିଥିଲେ ସ୍ତ୍ରୀ ଓ ପୁଅ ଅନ୍ୱେଷ।

ଦୀର୍ଘଦିନ ପରେ ଅନ୍ୱେଷ ବାପାଙ୍କ ସହ ରାଜବାଟୀକୁ ଆସୁଛି। ଜେଜେଙ୍କ ସହ ଦେଖାହେବ, କେତେ ମଜା ହେବ। ଜେଜେଙ୍କ ପ୍ରିୟପାହାଡ଼ ବୁଲି ଦେଖିବ। ଯାହାକୁ ସେ କେବଳ ପଢ଼ା ବହିରୁ ଜାଣିଛି। ଏମିତି କେତେ ଉତ୍ସୁକତା ଅନ୍ୱେଶର ବାଲ୍ୟ ଚପଳତାକୁ ବଢ଼ାଉଥିଲା।

ରାଜବାଟିର ସଦର ଗେଟ୍ ଡେଇଁ ଘରମୁହାଁ ହେଲେ ପ୍ରବୀର। ପ୍ରଜାବତ୍ସଳ ଥିବାରୁ ରାଜା ରଣବୀରଙ୍କ ଦୁଃଖାନ୍ତକ ବିୟୋଗରେ ମର୍ମାହତ ହୋଇ କେତେକ ବାସିନ୍ଦା ସେଠାରେ ଏକାଠି ହୋଇଥା’ନ୍ତି। ପ୍ରବୀରଙ୍କ ଅପେକ୍ଷା ଅନ୍ୱେଷ କ୍ଷୀପ୍ର ଗତିରେ ପାଦ ବଢ଼ାଉ ଥିଲେ ଲୋକଙ୍କ ଗହଳି ଆଡ଼କୁ। ଲୋକଙ୍କ ଭିଡ଼ ଠେଲି ଜେଜେଙ୍କ ପାଖରେ ପହଞ୍ଚିଲେ ଅନ୍ୱେଷ। ବାଳୁତ ମୁହଁରେ ଖୁସିର ଲହରୀ ଖେଳିଯାଉଥିଲା। ହେଲେ ଜେଜେଙ୍କୁ ଦେଖି ଲଥ୍‌ କରି ବସିପଡ଼ିଲା।

ବଡ଼ ପାଟିରେ ଡାକିଲା – ଜେଜେ ! ଜେଜେ ! ଦେଖ ମୁଁ ଆସିଛି। ଉଠ ଉଠ ପାହାଡ଼ ଦେଖିଯିବା। ଜେଜେଙ୍କୁ ଉଠାଇବାକୁ ଚେଷ୍ଟାକରି ନିରାଶ ହେବା ପରେ ବାପା ପ୍ରବୀରଙ୍କ ଆଡ଼କୁ ଅନାଇ ଜୋରରେ ଚିଲ୍ଲାଇ ଚିଲ୍ଲାଇ କହିଲା- ବାପା ଜେଜେଙ୍କୁ କୁହନା ଉଠିବେ, ଆଉ ମୋତେ ପାହାଡ଼ ବୁଲେଇ ନେବେ। ପୁଅ ଅନ୍ୱେଷକୁ ଛାତିରେ ଭିଡ଼ି ଧରି ପ୍ରବୀର କହିଲେ ମୋ ସୁନାଟା ପରା ବ୍ୟସ୍ତ ହୁଅନା। ଏଇ ବିଛଣାରେ ଯିଏ ଶୋଇଛନ୍ତି ସେହି ହିଁ ଜଣେ ପାହାଡ଼। କିଛି ବୁଝି ନଥିବା ଅନ୍ୱେଷ ତା’ର ଜେଜେ ତଥା ରାଜା ରଣବୀରଙ୍କ ଆଡ଼କୁ ଗୋଟାଏ କରୁଣ ଦୃଷ୍ଟିରେ ଚାହିଁ ରହିଥିଲା।

ସଂପାଦକ- ସାହିତ୍ୟ ଦର୍ପଣ
ସା.ପୋ- ଥାନୁଆଳ,
ଭାୟା- ହରିଦାସପୁର
ଜି- ଯାଜପୁର-୭୫୫୦୨୪
ମୋ:୯୪୩୮୪୧୬୨୩୫