ଟିକେ କଷ୍ଟ ତ ହବ!

ଟିକେ କଷ୍ଟ ତ ହବ, କିନ୍ତୁ  ତୁମ ଭିତରେ ଥିବା ଲୁକ୍କାୟିତ ମଣିଷଟି ତୁମକୁ କିଛି କହିବ।

ଦିନ ତମାମ କାମର ଦ୍ୱାହିଦେଇ ଅବସର ନେଉଥିବା ତୁମ ମନକୁ, ସେ ଅନେକ ଥର ଡାକିଛି,

ତୁମେ ଉଠିବା ପୂର୍ବରୁ ଝରକା ପାଖରେ ଆସି ପହଂଚିଯାଉଥିବା ସେ ଘର ଚଟିଆର ସ୍ୱର ଶୁଣିବାକୁ।

ଆକାଶର ରଙ୍ଗ କେବଳ ନୀଳର ଭୁଲ ଧାରଣା ମାରିବାକୁ।

ନିଜକୁ କଷି ସସ୍‌ପେନରୁ ବାହାରିଯାଉଥିବା ସେ ଚା’ ର ବାସ୍ନାରୁ ଏତିକି ଶିଖିବାକୁ ଯେ,

ଜୀବନ ମଣିଲେ ମଜ଼ା।

ଥାକରେ ମୋଡ଼ିହୋଇ ପଡ଼ିଥିବା ସେ ପୁରୁଣା ୮ମ ଶ୍ରେଣୀର ଖାତା,

କ୍ରପ୍‌ ଟପ୍‌, ସ୍କାଚ୍‌ ଜିନ୍ସ ଭିତରେ ଲୁଚିଥିବା ପୁରୁଣା କଲେଜ ୟୁନିଫର୍ମ ବାସ୍ନା।

ଫେସ୍‌ବୁକ୍‌ ଆଉ ଇନ୍‌ଷ୍ଟାଗ୍ରାମ୍‌ରେ ତୁମ ବୋଲ୍ଡ ଆଉ ବିୟୁଟିଫୁଲ୍‌ ପୋଜ୍‌ଠୁ ଦୂରରେ,

ଧୂଳିରେ ଝାପ୍ସା ଦିଶୁଥିବା ସ୍କୁଲର ଶେଷ ଦିନରେ ଉଠାଯାଇଥିବା ସେ ଗ୍ରୁପ୍‌ ଫଟୋ।

ସମୟର ଅଭାବ ଅଭିଯୋଗରେ ଝାଉଁଳି ଯାଉଥିଲା ଏମିତି ଗୋଟାଗୋଟା ସ୍ମୃତି!

ଯୋଗାଯୋଗଠୁ ଦୂର

ଫୋନ ନମ୍ବରରେ ସୀମିତ ରହିଯାଇଥିବା

ସେ କ୍ୟାଣ୍ଟିନର ଜଳଖିଆ ଭାଇନା ଆଉ ଟ୍ୟୁସନର ବଡ଼ ପ୍ରତିଯୋଗୀ।

ସେମାନଙ୍କ ସହ କଥା ହେବାକୁ ବୋଝ ଭାବୁଥିବା ତୁମ ଫ୍ରି କଲ୍‌।

ହଁ ଶୁଣ, ଆରି ଭିତରେ, ପଡ଼ୋଶୀ ଘରେ ବି ନୂଆ ଭଡ଼ାଟିଆ ଆସିଲେଣି।

ବଲକୋନିରେ ତୁମର ଉପସ୍ଥିତି ଏବେବି ସ୍ୱାଗତଯୋଗ୍ୟ।

ପୁରୁଣା ଫର୍ଦ୍ଦକୁ ଲେଉଟାଇବାର ଚେଷ୍ଟା, ଛାତ ଉପରୁ ସହର ଦେଖିବାର ନିଶା।

ଆକାଶରେ ତାରା ମାଳମାଳ, ତାକୁ ଗଣିବାର ପୁରୁଣା ଅଭ୍ୟାସ ଭିତରେ

୧୪ଘଣ୍ଟା କ’ଣ ଏତେ ଦୀର୍ଘ ଲାଗିବ?

 

ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ୍‌-swainbiswobandita@gmail.com