/odisha-reporter/media/post_attachments/uploads/2022/05/Sadhu-Meher.jpg)
Sadhu Meher
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ। ଏହା ସମାଜକୁ ନିଆରା, ବୌଦ୍ଧିକ ଦିଗଦର୍ଶନ ଦେବାରେ କାହିଁ କେଉଁ କାଳରୁ ଆପଣାର ସାମର୍ଥ୍ୟ ଦେଖାଇ ଆସିଛି। କବିତା ହେଉଛି ଜନଜୀବନର ପଥ ପ୍ରଦର୍ଶକ। କବି ହିଁ ବଦଳେଇ ପାରିବ ଚଳନ୍ତି ପୃଥିବୀର ବିକାର ଓ ବିକୃତିକୁ। ପରିବର୍ତ୍ତନ କରିପାରିବ କଳୁଷ କବଳିତ ମଣିଷର ହୃଦୟ, ମୂଲ୍ୟବୋଧ ଅବକ୍ଷୟର ଅବରୋଧକୁ। ମୁମ୍ବଇରେ ଆଭାସୀ ବ୍ୟବସ୍ଥାରେ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ ନୂତନ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚନ କରି ଏହା କହିଛନ୍ତି ଭାରତୀୟ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ପଦ୍ମଶ୍ରୀ ଡକ୍ଟର ସାଧୁ ମେହେର।
ସେ କହିଛନ୍ତି, ସାମାଜିକ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଛି। ପ୍ରକୃତ ମଣିଷର ଅନ୍ତଃକରଣକୁ ସଜାଡ଼ିବାକୁ ହେଲେ ବୋଧଗମ୍ୟ ଓ ପ୍ରଭାବଶାଳୀ କବିତାର ଆବଶ୍ୟକ ପଡୁଛି। କବି ରବିପ୍ରିୟ ଦାଶଙ୍କ କବିତା ଭିତରେ ସ୍ୱପ୍ନ, ପ୍ରେମ, ମନନଶୀଳତା ଓ ଦର୍ଶନର ତତ୍ତ୍ୱବୋଧ ପରିପୂର୍ଣ୍ଣ। ଏହାର ମୂଲ୍ୟବୋଧ ପ୍ରତ୍ୟେକ ଜନଜୀବନକୁ ନିଶ୍ଚୟ ପ୍ରଭାବିତ କରିବ। ଡକ୍ଟର ମେହେର କହିଛନ୍ତି, ରବିପ୍ରିୟଙ୍କୁ ଜଣେ ସୁଦକ୍ଷ ସାମ୍ବାଦିକ ଭାବେ ଦୀର୍ଘବର୍ଷ ଧରି ମୁଁ ଜାଣିଛି। ତାଙ୍କର କେତେକ ସୁଶୋଭିତ କବିତା ବହି ପଢ଼ି ମୁଁ ଆନନ୍ଦିତ। ‘ଅନିର୍ବାଚିତ ସ୍ୱପ୍ନ’ ଭିନ୍ନ ଢ଼ଙ୍ଗର ଏକ ନିଆରା କବିତା ବହି। କବି ଏଥିରେ ମଣିଷର ଅସହାୟତା ଓ ଦୀର୍ଘଶ୍ୱାସ ଗୁଡ଼ିକୁ ରୂପ ଦେଇଛନ୍ତି। ୨୭ଟି କବିତାରେ ସେ ଚମତ୍କାର ଭାବେ ବାସ୍ତବତାର ବିନ୍ୟାସରେ ମଣିଷର ସମକାଳ ସମସ୍ୟାଗୁଡ଼ିକୁ ଦେଖିଛନ୍ତି। କବିତାର ଲାଳିତ୍ୟ ଓ ବୌଦ୍ଧିକତାରେ ମୁଁ ବିମୋହିତ। ଓଡ଼ିଆ ସାହିତ୍ୟକୁ ଏହି ପୁସ୍ତକର ସରଳ ଓ ଭାବୋଦ୍ଦୀପକ ଭାଷା ନିଶ୍ଚୟ ସମୃଦ୍ଧ କରିବ ବୋଲି ଡକ୍ଟର ମେହେର ଆଶା ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
