ରାଖୀ: ଦୁଇଟି ସ୍କେଚ୍

rama
ରାମକୃଷ୍ଣ ବାରିକ

ରାଖୀ

ଜରି ଗୋଟେଇ, ପ୍ଲାଷ୍ଟିକ୍ ବୋତଲ ସାଉଁଟି ଯେଉଁ ଟଙ୍କା କବାଡ଼ିବାଲାଠୁ ପାଇଥିଲା ସେଇ ଟଙ୍କାରେ ଭାଇ ପାଇଁ ଗୋଟେ ଜରିଲଗା ଜଗନ୍ନାଥ ରାଖୀ ଆଉ ମିଠା ଟିକେ ଧରି ଘରକୁ ଦୌଡ଼ିଥିଲା ଭଉଣୀଟିଏ।  ଆଉ ଘରେ ଭାଇ ହାତରେ ରାଖୀ ବାନ୍ଧୁ ବାନ୍ଧୁ କହୁଥିଲା…

ଜାଣିଛୁ ଭାଇ, ଆର ସନ ରାଖୀରେ ଏଜି କଲୋନୀର ସେ ମିଶ୍ର ମଉସାଙ୍କ ଝିଅ ଯେଉଁ କଲେଜ ପଢ଼ୁଆ ପୁଅକୁ ଧରମ ଭାଇ କରିଥିଲା,  ସେ ପୁଅ କୁଆଡ଼େ ତାଙ୍କ ଝିଅ ଦେହରେ ଏମିତି କଳା ଦାଗ ବୋଳିଲା ଯେ ସେ ଏବେ ଡ୍ରଇଂ ରୁମ୍‌ରେ ଫଟୋ ହୋଇ ଝୁଲୁଛି।  ସେଇ ଦିନଠୁ ବୁଢ଼ାବୁଢ଼ୀ ଦୁଇଟା ରାଖୀ କ’ଣ ଭୁଲିଯାଇଛନ୍ତି।

– ଭାଇ, ଏ କଳା ଦାଗ ମାନେ କ’ଣ ?

– ଆଉ ଏ ‘ଧରମ ଭାଇ’ମାନଙ୍କ ଘର କେଉଁଠି? ଠିକଣା କ’ଣ ?

ଭଉଣୀର ସହଜ ପ୍ରଶ୍ନରେ ଅସହଜ ହୋଇ ପଡ଼ୁଥିଲା ଭାଇ!!

ଅପେକ୍ଷା

ଗତ ବର୍ଷ ରାଖୀକୁ ଆସିବ କହି ଆସି ନଥିଲା। ଏଥର ଆସୁ, ତା ସହ ଜମା କଥା ହେବିନି।  ଏଇମିତି ଅଭିମାନରେ ଭାଇ ଅପେକ୍ଷାରେ ଥିଲା ଅପର୍ଣ୍ଣା।  ବର୍ଷେ ହବ ଭାଇ ଦାଦନ ଖଟିବାକୁ ଯାଇଛି ଯେ ଯାଇଛି।  ଫୋନ୍ କରିଥିଲା ଏଥର ନିଶ୍ଚୟ ଆସିବ, ଆଉ ତା ପାଇଁ ଚିକିମିକିଆ ଚୂଡ଼ି ବି ଆଣିବ।  ସେଇୟା ହେଲା, ଚୂଡ଼ି ପହଞ୍ଚିଲା। ଭାଇ ବି ପହଞ୍ଚିଲା। ହେଲେ ରାଖୀ ବାନ୍ଧିବାକୁ ଭାଇର ହାତ ଉଠୁ ନ ଥିଲା। ତା’ ହାତ ଶିଥୀଳ ଆଉ ଶିଠୁଆ ଦିଶୁଥିଲା। ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଭାଇର ନିଶ୍ୱାସ ବନ୍ଦ ହୋଇଯାଇଥିଲା।

ରାମକୃଷ୍ଣ ବାରିକ

୯୭୭୬୭୩୧୨୧୫