ପ୍ଲାଟଫର୍ମ

ଅଭିପ୍ସାକୁ ତା’ ହାତର ଉଷ୍ମତା ଯଦିଓ ମତୁଆଲା କରୁଥାଏ, ମାତ୍ର ସେ କିଛି କହି ପାରୁନଥିଲା। ମୁହଁ ସଞ୍ଜ ଅନ୍ଧାର ବଢୁଥାଏ। "ଦୁହେଁ ପରସ୍ପରକୁ ଚାହିଁ ରହିଥାନ୍ତି। ଆହୁରି ନିକଟତର ହେବାକୁ ଚେଷ୍ଟା ଚାଲିଥାଏ। କିଛି ଦୁର୍ବଳତା ସୀମା ଲଙ୍ଘିବା ଉପରେ। ଏତିକି ବେଳେ ଟ୍ରେନ ଆସିଗଲା।"

ଅର୍ଚ୍ଚନା

ଟ୍ରେନର ହର୍ଣ୍ଣ ଶୁଭିଲା। ଟାଇମ୍‌ ଅଲ୍‌ରେଡି ହୋଇଗଲାଣି। ମାତ୍ର, ଅଭିପ୍ସାର ଅଟୋବାଲା ସାଥିରେ ଝଗଡ଼ା ସରୁନି। ବାଟ ସାରା ଅଟୋବାଲାକୁ ସେ ଶୀଘ୍ର ଚାଲ ଶୀଘ୍ର ଚାଲ କହି କହି ଆଣିଛି। ତେଣୁ ଅଟୋବାଲା କାହାକୁ ନ ଉଠାଇ ରିଜର୍ଭରେ ଆଣି ପଇସା ମାଗୁଛି। ହେଲେ, ଅଭିପ୍ସା ଲାଇନ୍‌ ଅଟୋରେ ଆସିଛି ବୋଲି ରିଜର୍ଭ ଟଙ୍କା ଦେବାକୁ ନାରାଜ। ଧୀରେ ଧୀରେ କଥାଟା ଯୁକ୍ତିତର୍କରେ ପରିଣତ ହୋଇ ମାଡ଼ଗୋଳ ହେବାର ରୂପ ନେଲାଣି। ପାଖାପାଖି କିଛି ଭଦ୍ର ଲୋକ ରୁଣ୍ଡ ହୋଇ ଗଲେଣି। କିଛି ଅଲଗା ଅଟୋ ଡ୍ରାଇଭର ଅଟୋବାଲାଟିକୁ ସପୋର୍ଟ କଲାବେଳେ ଆଉ କିଛି ଏକୁଟିଆ ଝିଅର ଫାଇଦା ଉଠାଉଛି। ମାତ୍ର ଅନ୍ତିମ ସମାଧାନଟି ଅଭିପ୍ସାକୁ ସୁହାଇଲା ନାହିଁ। ଶେଷରେ ହାର ମାନି ରିଜରଭେସନ୍‌ ଟଙ୍କା ଅଟୋବାଲାର ମୁହଁକୁ ମାରି ଆସିଲା ସେ।

ପାଞ୍ଚ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଲାଗିବାର ଥିଲା। ୫.୧୦ ରେ ଟ୍ରେନ୍‌ ଛାଡ଼ିବ। ମାତ୍ର ସେ ପ୍ଲାଟଫର୍ମରେ ପହଞ୍ଚିଛି ୫.୧୫ରେ। ଟ୍ରେନ୍ ନାହିଁ। କ’ଣ କରିବ ସେ। ଲୋକ ବି ନାହାଁନ୍ତି। ଦୌଡ଼ି ଦୌଡ଼ି ଓ ସିଡ଼ି ଚଢ଼ି ଚଢ଼ି ଥକ୍କି ଯାଇଛି ସେ। ନା ସିଧା ଠିଆ ହୋଇପାରୁଛି, ନା ଧୀରେ ନିଶ୍ୱାସ ନେଇ ପାରୁଛି। ତଣ୍ଟି ପାଟି ଶୁଖି ଗଲାଣି। ଆଣ୍ଠୁରେ ହାତ ଦେଇ, ଅଧା ନଇଁ ଠିଆ ହୋଇଥାଏ ସେ। ମୁଣ୍ଡ ତଳକୁ କରି ଚିନ୍ତା କରୁଥାଏ ଯେ ସେ ଏବେ ଘରକୁ ଯିବ କେମିତି.. ?

ଏ ସମୟରେ ଜଣେ ଭଦ୍ରଲୋକ ପାଣି ବୋତଲଟେ ତା’ ଆଡ଼କୁ ବଢ଼ାଇ ଦେଇ କହିଲେ, “ଚିନ୍ତା କରନ୍ତୁନି। ଟ୍ରେନ୍‌ ଆସିନି ଏ ଯାଏଁ। ମୁଁ ବି ଅପେକ୍ଷା କରିଛି। ” ଅଭିପ୍ସା ମୁଣ୍ଡ ଉଠାଇ ଚାହିଁଲା ଭଦ୍ର ବ୍ୟକ୍ତି ଜଣଙ୍କୁ। ଦେଖିବାକୁ ସୁନ୍ଦର। ଅଭିନେତା ପରି ଚେହେରା। ଅଭିପ୍ସାକୁ ଟିକିଏ ସାନ୍ତ୍ୱନା ମିଳିଲା। ଭଦ୍ର ବ୍ୟକ୍ତିଙ୍କ ହାତରୁ ପାଣି ବଟଲ ନେଇ ଢକଢକ କରି ୪ ଢୋକ ପିଇଦେଲା। ଧନ୍ୟବାଦ ଜଣାଇ, ହାତ ବଢ଼ାଇ କହିଲା,” ମୁଁ ଅଭିପ୍ସା ଦାଶ।” ଭଦ୍ର ବ୍ୟକ୍ତି ସମ୍ମତି ଜଣାଇ କହିଲେ,” ମୁଁ ଅଭିଜିତ ମହାପାତ୍ର। ଭୁବନେଶ୍ୱର ଯିବି ବାହାରିଛି ଯେ ହେଲେ ଟ୍ରେନ୍ ଏତେ ଲେଟ ହେଲାଣି। ପହଞ୍ଚିଲା ବେଳକୁ କେତେ ସମୟ ପୁଣି ହେବ, କିଛି କହି ହେଉନି।”

“ମୋ ସ୍ୱାମୀ ମୋତେ ନେବାକୁ ଆସିଛନ୍ତି। ଏହା ବୋଧେ ଆମର ପ୍ରଥମ ଓ ଶେଷ ମିଳନ। ପାରିବ ଯଦି ମୋତେ ଭୁଲି ଯିବ। ଆଉ ପାରିବ ଯଦି ମୋତେ କ୍ଷମା କରିଦେବ।”

ଅଭିପ୍ସା ଏକାନ୍ତ ସହରରେ ବନ୍ଧୁଟିଏ ପାଇଗଲା ପରି ମନେ କଲା। ଦୁହେଁ ପ୍ଲାଟଫର୍ମର ଗୋଟିଏ ସିଟରେ ବସିଲେ। କଥାବାର୍ତ୍ତାରେ ଦୁହେଁ ଏମିତି ମଜ୍ଜି ଯାଇଥିଲେ ଯେ କେତେବେଳେ ଅଧଘଣ୍ଟା ଚାଲି ଗଲାଣି, କେହି ବି ଜାଣି ପାରିଲେନି। ପ୍ରଥମ ଦେଖାରେ ଗୋଟିଏ ନୂତନ ସମ୍ପର୍କ ଗଢ଼ି ଉଠିଥିଲା ଯେମିତି ସେମାନଙ୍କ ମଧ୍ୟରେ। ଅଭିଜିତର ମଜା ମଜା କଥାରେ ଅଭିପ୍ସା ଖାଲି ହସୁଥାଏ। ଆଉ ତା’ ହସ ଦେଖି ଅଭିଜିତ ତୃପ୍ତ ଅନୁଭବ କରୁଥାଏ।

ଅଭିଜିତ ମନେ ମନେ ତାକୁ ପ୍ରପୋଜ୍ କରିବାକୁ ଭାବୁଥାଏ। ଆଉ ଅଭିପ୍ସା। ଅଭିପ୍ସାର ବି ସେହି ସମାନ ଭାବନା। ‘ୟେ କଣ ମୋତେ ଏବେ ପ୍ରପୋଜ୍ କରିବେ ନା କ’ଣ। ମୁଁ କି ଉତ୍ତର ଦେବି। ସହମତି ଜଣାଇବା କ’ଣ ଠିକ ହେବ? ନା ନା, ଥାଉ। ଆଉ ଗୋଟିଏ ମୁହୂର୍ତ୍ତ ତାଙ୍କ ସାଥିରେ କଥା ହେଲେ, ମୁଁ ନିଜକୁ ନିଜେ ଆୟତ୍ତରେ ରଖି ପାରିବିନି। ଆଉ କାଲିକୁ ଭୁଲି ନ ପାରିଲେ, ନିଜେ ହିଁ କଷ୍ଟ ପାଇବି।’ ଏହା ଭାବି ଅଭିପ୍ସା ଉଠି ଯାଉଥିବା ବେଳେ ଅଭିଜିତ ପଛରୁ ତା ହାତକୁ ଧରି କହିଲା, “ପ୍ଲିଜ, ଅନ୍ତତଃ ଟ୍ରେନ ଆସିବା ଯାଏଁ ତ ରହିଯାଅ।” ଅଭିପ୍ସା ନିର୍ଣ୍ଣୟ ନେଇ ପାରୁନଥିଲା। କିଛି ନ କହି ତା ପାଖରେ ବସିଲା। ଅଭିଜିତ ତା’ ହାତ ସେମିତି ଧରିଥାଏ।

ଅଭିପ୍ସାକୁ ତା ହାତର ଉଷ୍ମତା ଯଦିଓ ମତୁଆଲା କରୁଥାଏ, ମାତ୍ର ସେ କିଛି କହି ପାରୁନଥିଲା। ମୁହଁ ସଞ୍ଜ ଅନ୍ଧାର ବଢୁଥାଏ। ଦୁହେଁ ପରସ୍ପରକୁ ଚାହିଁ ରହିଥାନ୍ତି। ଆହୁରି ନିକଟତର ହେବାକୁ ଚେଷ୍ଟା ଚାଲିଥାଏ। କିଛି ଦୁର୍ବଳତା ସୀମା ଲଙ୍ଘିବା ଉପରେ। ଏତିକି ବେଳେ ଟ୍ରେନ୍‌ ଆସିଗଲା। ହର୍ଣ୍ଣ ଶୁଭିବା ସହିତ ଲାଇଟ୍‌ ବି ପଡ଼ିଲା ସେମାନଙ୍କ ଉପରେ। ଦୁହେଁ ସଂଯତ ହୋଇଗଲେ। କାହାର ଆଉ ଟ୍ରେନ୍‌ରେ ଯିବାକୁ ଇଚ୍ଛା ନାହିଁ। ନୂଆ ସହରରେ, ନୂଆ ସାଥୀ ସାଙ୍ଗରେ ରାତିଟିଏ ବିତାଇବାକୁ ମନ ବ୍ୟାକୁଳ ହେଉଥାଏ। ମାତ୍ର ସମୟ ସାଥ୍‌ ଦେଲାନାହିଁ। ଦୁହେଁ ପ୍ଲାଟଫର୍ମର ଯୋଉ ସିଟରେ ବସିଥିଲେ, ଠିକ ତା ସାମନାରେ ଅଭିପ୍ସାର ବଗି ଲାଗିଲା।

ବଗିର ଗେଟ୍‌ରେ ଛିଡ଼ା ହୋଇଥିବା ଭଦ୍ର ବ୍ୟକ୍ତି ଜଣଙ୍କ ଗୋଟିଏ ହାତରେ ଟ୍ରେନ ଡୋର ଧରି ଆର ହାତଟିକୁ ଅଭିପ୍ସା ଆଡ଼କୁ ବଢାଇଛନ୍ତି। ଅଭିପ୍ସାର ଆଖିରେ ଲୁହ। ମୁଣ୍ଡ ପୋତି ଲୁହ ପୋଛୁ ପୋଛୁ ଅଭିଜିତକୁ ଧୀରେ କହିଲା, “ମୋ ସ୍ୱାମୀ ମୋତେ ନେବାକୁ ଆସିଛନ୍ତି। ଏହା ବୋଧେ ଆମର ପ୍ରଥମ ଓ ଶେଷ ମିଳନ। ପାରିବ ଯଦି ମୋତେ ଭୁଲି ଯିବ। ଆଉ ପାରିବ ଯଦି ମୋତେ କ୍ଷମା କରିଦେବ।” ମୁଣ୍ଡ ଉଠାଇ, ସ୍ୱାମୀଙ୍କୁ ଚାହିଁ ହସିଦେଲା ଓ ଦୌଡ଼ିଗଲା ତାଙ୍କ ପାଖକୁ, ଯେମିତି କିଛି ବି ପରିବର୍ତ୍ତନ ହୋଇନାହିଁ ତା’ ମନରେ।

ଦୁହେଁ ଟ୍ରେନ୍‌ ଭିତରେ ପଶିଲେ। ମାତ୍ର ଅଭିଜିତ। ବାହାରେ ସିଟରେ ସ୍ଥାଣୁ ପ୍ରାୟ ବସିଥାଏ। ମନକୁ ବୁଝାଉଥାଏ। ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥାଏ। ଏ ସମୟରେ ଟ୍ରେନ୍‌ ଛାଡ଼ିଲା। ବୁଝି ପାରୁନଥିଲା ସେ, ଚାଲିଯିବ ନା କିଛି ସମୟ ସେଠାରେ ବସି, ପୂର୍ବ ସୁଖଦ ସମ୍ଭାବନାଗୁଡିକୁ ପୁଣିଥରେ ଅନୁଭବ କରିବ। ଟ୍ରେନ ହର୍ଣ୍ଣରେ ତା’ ଅଧୁରା ସ୍ୱପ୍ନ ଭାଙ୍ଗିଗଲା। ଦୌଡ଼ି ଯାଇ, ଟ୍ରେନର ଅନ୍ୟ ଏକ ବଗିରେ ଚଢ଼ିଲା। ନିଜ ସିଟ୍‌ ଖୋଜି ବସିଗଲା। ଦୁଃସ୍ୱପ୍ନ ଥିଲା ବୋଲି ଭାବି ଆଖି ଦୁଇଟି ବୁଜି ରହିଲା।

ସଞ୍ଜିତ ବ୍ୟାକୁଳିତ ହେଉଥିଲା। ଶତଭିଶା ହାତକୁ ଦୁଇଥର ଚୁମ୍ବନ ଦେଇ, ତାକୁ ଜାବୁଡ଼ି ଧରି କହିଲା,” ପ୍ଲିଜ୍ ଯାଅନି। ଆମ ମିଳନ ଏତେ କ୍ଷଣିକ ଥିଲା ବୋଲି ମୁଁ ଜାଣି ନଥିଲି। ତୁମେ ମୋ ଜୀବନ ରେ ଏକ ସୁନେଲି ସ୍ୱପ୍ନ ହୋଇ ଆସିଲ, ଯିଏ ଅନେକ ଦିନ ପର୍ଯ୍ୟନ୍ତ ଏ ହୃଦୟରେ ରହିବ। ତୁମକୁ ଛାଡ଼ିବାକୁ ଇଚ୍ଛା ନାହିଁ। ମାତ୍ର ସର୍ତ୍ତ ତ ମାନିବାକୁ ହେବ। ହଉ, ଭଗବାନଙ୍କ ଇଚ୍ଛା ଥିଲେ ଆମେ ପୁଣିଥରେ ଭେଟ ହେବା।”

ଟ୍ରେନ୍‌ ଚାଲିଥାଏ। ତା’ ସାଇଡ୍‌ ସିଟ୍‌ ଓ ଝରକା ପାଖ ସିଟ୍‌ରେ ଏକ କପଲ୍‌ ବସିଥା’ନ୍ତି। ଅଭିଜିତ ମଝି ଆଡ଼କୁ ବସିଥାଏ। ଟ୍ରେନର ଗତି ବଢ଼ିବା ସହିତ ସେ କପଲ୍‌ଙ୍କ ପ୍ରେମ କାହାଣୀ ବି ବଢୁଥାଏ। ଦୁହେଁ ହାତ ଛନ୍ଦାଛନ୍ଦି ହୋଇ ବସିଥା’ନ୍ତି। ପରସ୍ପରକୁ ଏକ ଲୟରେ ଚାହିଁ ରହିଥା’ନ୍ତି। ଆଖି ଯେମିତି ଇଚ୍ଛା କରୁଥିଲା, ଏ ବଗିର ଲାଇଟ ସବୁ ବନ୍ଦ ହୋଇ ଯାଆନ୍ତା କି, ସେମାନଙ୍କ ପ୍ରେମକୁ ସାନିଧ୍ୟ ମିଳିଯାଅନ୍ତା। ହେଲେ  ଲାଇଟ୍‌ ସହଯୋଗ କରୁ ନଥିଲା, ନା ନା ଲୋକମାନେ, ନା ଜିନିଷ ବିକାଳିମାନେ। ସମସ୍ତେ ଯାଉଣୁ ଆସୁଣୁ, ବୁଲି ଚାହୁଁଥିଲେ ସେମାନଙ୍କୁ। ତେଣୁ ସେମାନେ ଯଥା ସମ୍ଭବ ସଂଯତ ହୋଇ ଯାଉଥିଲେ। ମାତ୍ର ପ୍ରେମ କାହାକୁ ବା କେତେ ଦୂରରେ ରଖିପାରେ। ସ୍ୱାମୀ ଜଣଙ୍କ ସ୍ତ୍ରୀର କାନ୍ଧ ଉପରେ ହାତ ରଖିଲେ। ସ୍ତ୍ରୀଟି ସ୍ୱାମୀର କାନ୍ଧରେ ମୁଣ୍ଡ ରଖି ଶୋଇଲା। ସ୍ୱାମୀ ଟି ସ୍ତ୍ରୀର କେଶକୁ ସାଉଁଳୋଉଥାଏ।
ଆଉ ସ୍ତ୍ରୀଟି ଭାରି ତୃପ୍ତ ଅନୁଭବ କରୁଥାଏ। ସାମ୍ନା ଲୋକ କି ପଛ ଲୋକ ସେସବୁ ଦେଖିପାରୁ ନଥିଲେ। ମାତ୍ର ଯାହା ସବୁ ଘଟୁଥିଲା, ସବୁର ମୁକ ସାକ୍ଷୀ ଥିଲା ଅଭିଜିତ। ମନେମନେ ଚିନ୍ତା କରୁଥିଲା, ଭାଗ୍ୟ ଯଦି ସାଥ୍‌ ଦେଇଥା’ନ୍ତା, ତେବେ ମୁଁ ଓ ଅଭିପ୍ସା ହୁଏତ…. ଏମିତି….. ଛାଡ଼। ଏମାନେ ତ ଦମ୍ପତି। ଏମାନେ ଏହା କରିବା ସ୍ୱାଭାବିକ କଥା। ଅଭିଜିତ ପୁଣିଥରେ ମନଦୁଃଖରେ ଆଖି ବନ୍ଦ କରି ବସିଲା।

ଦମ୍ପତିଙ୍କ ଆଳାପ ଧୀରେ ଧୀରେ ଶୁଣୁଥିଲା ସେ। ସ୍ତ୍ରୀ ଟି କହିଲା, “ଦେଖ ସଞ୍ଜିତ, ଆମେ ପରସ୍ପରକୁ ଭଲ ପାଉଛେ। ଏହା ନିରାଟ ସତ୍ୟ। ମାତ୍ର ଆମ ସର୍ତ୍ତ ମଧ୍ୟ ସବୁଦିନ ପାଇଁ ଯେମିତି ମନେ ରହେ। ତୁମେ ପ୍ରମିସ୍ କର। “ସଞ୍ଜିତ କହିଲା,” ହଁ ଶତଭିଶା, ମୁଁ ଭୁଲିନି କି ଭୁଲିବିନି। ଯଦି ତୁମ ସର୍ତ୍ତରେ ମୁଁ ରାଜି ହୋଇ ନଥାନ୍ତି, ତେବେ ତୁମେ ଆଜି ମୋତେ ମିଳି ନଥା’ନ୍ତ। ଏ ଅନୁଭବ ଅନେକ ଦିନ ମୋ ହୃଦୟରେ ତାଜା ହୋଇ ରହିବ। କିନ୍ତୁ ତୁମକୁ ନ ପାଇଲେ, ଜୀବନଟା ନିରର୍ଥକ ହୋଇଯିବ।”

ଅଭିଜିତର ଭାବନାରେ ସନ୍ଦେହ ସୃଷ୍ଟି ହେଲା। ‘ଓଃ, ଏମାନେ ତେବେ ଦମ୍ପତି ନୁହେଁ, ପ୍ରେମୀ ଯୁଗଳ। ଦୁହେଁ ଦୁହିଁଙ୍କୁ ପାଇବାକୁ ବାକି ଅଛି। ସେଥିପାଇଁ ଏତେ ତତ୍ପର ଯେ ଟ୍ରେନ୍‌ରେ ଆରମ୍ଭ ହୋଇଯାଉଛନ୍ତି। ଯୁଗ ସତରେ କ’ଣ ହେଲାଣି। ମାତ୍ର ଶତଭିଶା ମଥାରେ ସିନ୍ଦୂର, ହାତରେ ନାଲି ଚୁଡ଼ି। ୟେ କ’ଣ ବିବାହ ପୂର୍ବର ପାଗଲାମୀ ନା ଆଉକିଛି।’ ଠିକ୍‌ ସେ ସମୟରେ ଶତଭିଶା କହିଲା, “ଷ୍ଟେସନ ଆସିଗଲା ସଞ୍ଜିତ। ମୋତେ ଯିବାକୁ ହେବ।”

ମାତ୍ର ଶତଭିଶାର ସର୍ତ୍ତ ଥିଲା ଯେ, ଏ ସମ୍ପର୍କ ଯେତେ ବଢୁଛି ବଢ଼ୁ। ହେଲେ ନିଜ ନିଜର ଷ୍ଟପେଜ୍‌ ଆସିଗଲେ, ଏ ସମ୍ପର୍କର ଅନ୍ତ ହେବ।

ସଞ୍ଜିତ ବ୍ୟାକୁଳିତ ହେଉଥିଲା। ଶତଭିଶା ହାତକୁ ଦୁଇଥର ଚୁମ୍ବନ ଦେଇ, ତାକୁ ଜାବୁଡ଼ି ଧରି କହିଲା,” ପ୍ଲିଜ୍ ଯାଅନି। ଆମ ମିଳନ ଏତେ କ୍ଷଣିକ ଥିଲା ବୋଲି ମୁଁ ଜାଣି ନଥିଲି। ତୁମେ ମୋ ଜୀବନ ରେ ଏକ ସୁନେଲି ସ୍ୱପ୍ନ ହୋଇ ଆସିଲ, ଯିଏ ଅନେକ ଦିନ ପର୍ଯ୍ୟନ୍ତ ଏ ହୃଦୟରେ ରହିବ। ତୁମକୁ ଛାଡ଼ିବାକୁ ଇଚ୍ଛା ନାହିଁ। ମାତ୍ର ସର୍ତ୍ତ ତ ମାନିବାକୁ ହେବ। ହଉ, ଭଗବାନଙ୍କ ଇଚ୍ଛା ଥିଲେ ଆମେ ପୁଣିଥରେ ଭେଟ ହେବା।”

ଶତଭିଶା ଭିଡ଼ି ହୋଇ କହିଲା,” ଛାଡ଼ ସଞ୍ଜିତ। ଟାଇମ୍ ହୋଇଗଲା। ଷ୍ଟେସନକୁ ମୋ ସ୍ୱାମୀ ଆସିଥିବେ। ପ୍ଲିଜ୍, ବୁଝିବାକୁ ଚେଷ୍ଟା କର।” ଏହା ଶୁଣି ଅଭିଜିତର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ଶତଭିଶାକୁ ଚକିତ ହୋଇ ଚାହିଁ ରହିଥିଲା। ଭାବୁଥିଲା ଏ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ତେବେ କ’ଣ ହୋଇପାରେ। ଟ୍ରେନ୍‌ ରହିଲା ଓ ଶତଭିଶା ଓହ୍ଲାଇଗଲା।

ଝରକା ପାଖରେ ସଞ୍ଜିତ ଛଳ ଛଳ ଆଖିରେ ଚାହିଁ ରହିଥିଲା ବହୁତ ଦୂରକୁ। ଅଭିଜିତ ଧୈର୍ଯ୍ୟ ଧରି ପଚାରିଲା, “ଭାଇ, ସେ କ’ଣ ତୁମର କେହି ନଥିଲେ? ଏମିତି ଅଧା ବାଟରୁ ଛାଡ଼ି ଚାଲିଗଲେ ଯେ। ସେ କିଏ?” ସଞ୍ଜିତ ଦୀର୍ଘ ଶ୍ଵାସ ଛାଡ଼ି କହିଲା, “ଆମେ ଟ୍ରେନ ରେ ହିଁ ଦେଖା ହୋଇଥିଲୁ। ଟ୍ରେନରେ ଚଢ଼ିବା ବେଳେ ତାଙ୍କ ଗୋଡ଼ ଖସିଯିବା ଉପରେ, ଆଉ ମୁଁ ଠିକ୍‌ ସମୟରେ ଭିଡ଼ି ଆଣିଲି ତାଙ୍କୁ ଟ୍ରେନ ଭିତରକୁ। ତା’ପରେ କିଛି କଥାବାର୍ତ୍ତା। ମନ ଓ ଭାବର ଆଦାନ ପ୍ରଦାନ। ମନେ ହେଲା କ୍ଷଣିକ ପାଇଁ, ଯେମିତି ଆମକୁ ଆମ ସୋଲମେଟ ମିଳିଗଲା। ଦୁହେଁ ଏ ଯାତ୍ରାରେ ହିଁ ପରସ୍ପରକୁ ଭଲ ପାଇ ବସିଲୁ। ମାତ୍ର ଶତଭିଶାର ସର୍ତ୍ତ ଥିଲା ଯେ, ଏ ସମ୍ପର୍କ ଯେତେ ବଢୁଛି ବଢ଼ୁ। ହେଲେ ନିଜ ନିଜର ଷ୍ଟପେଜ୍‌ ଆସିଗଲେ, ଏ ସମ୍ପର୍କର ଅନ୍ତ ହେବ। ଆମେ ପରସ୍ପରକୁ ଭୁଲିଯିବା। ବାସ୍‌, ୟେ ଏକ କ୍ଷଣସମ୍ପର୍କ ଥିଲା କହିଲେ ଠିକ୍‌ ହେବ।”

ଅଭିଜିତ ନିଜ କଥା ଭାବୁଥିଲା। ‘କିଛି ପ୍ରେମ କାହାଣୀ ପ୍ଲାଟଫର୍ମରେ ଆରମ୍ଭ ହୋଇ ଟ୍ରେନ୍‌ ଆସିଲା ପରେ ସରିଯାଏ ତ ଆଉ କିଛି ଟ୍ରେନ୍‌ରେ ଆରମ୍ଭ ହୋଇ ପ୍ଲାଟଫର୍ମରେ ପହଞ୍ଚିବା ପରେ ସରେ। ଏମିତି ହିଁ କ୍ଷଣିକ ସମ୍ପର୍କ ଇଏ। ଆଉ ଆମ ପରି ଏମିତି ହିଁ କିଛି ପ୍ରେମ କାଙ୍ଗାଳ ତା’କୁ ପାଇବାକୁ ସର୍ବଦା ତତ୍ପର ହେଉଥା’ନ୍ତି। ସେ ଅଭିପ୍ସା ସହ ଅଭିଜିତ ହେଉ କି ନ ହେଉ, ସେ ଶତଭିଶା ସହ ସଞ୍ଜିତ ହେଉ କି ନ ହେଉ, କିନ୍ତୁ ପ୍ରେମ ସର୍ବଦା ସୃଷ୍ଟି ହୁଏ ଆଉ ଏମିତି ହିଁ ଅନ୍ତ ହୁଏ। ଆଉ ସାକ୍ଷୀ ରହିଯାଏ ଏମିତି ହିଁ କିଛି ପ୍ଲାଟଫର୍ମ।’

ଫେଜ୍‌-୩, ଡୁମୁଡୁମା, ଭୁବନେଶ୍ୱର