ବିବଶତା

ଧିକାରୀଙ୍କ ନିର୍ଦ୍ଦେଶ। କରୋନାରେ ପ୍ରଭାବିତ ସମସ୍ତ ଦୁସ୍ଥ, ଅସହାୟଙ୍କୁ ସହାୟତା ଦିଅ। କେହି ଜଣେ ବି ଭୋକିଲା ନ ରୁହନ୍ତୁ। ଆମେ ପହଞ୍ଚିଲୁ ଗୋଟିଏ ବୃଦ୍ଧାଶ୍ରମରେ। ସେମାନଙ୍କ ମଧ୍ୟରେ ଖାଦ୍ୟ, ପାନୀୟ, ମାସ୍କ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରାଯିବ। ୬୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ସେଠାରେ। କଥା ହେଲୁ ସୁପରିଟେଣ୍ଡେଣ୍ଟଙ୍କ ସହିତ।

“ଏଠି ରହୁଥିବା ଅଧିକାଂଶ ବ୍ୟକ୍ତି ଅବସର ପ୍ରାପ୍ତ ବା ସେମାନଙ୍କ ପିଲା ମାନେ ପ୍ରତିଷ୍ଠିତ। କିନ୍ତୁ ପିତାମାତାଙ୍କ ଯତ୍ନ ବା ସହାୟତା ଠାରୁ ବହୁତ ଦୂରରେ। କେହି କେହି ବର୍ଷକରେ ଥରେ ଦୁଇ ଥର ପାଇଁ ଆସି ବାପାମା’ଙ୍କୁ ଦେଖି ଯା’ନ୍ତି। ଆଉ କେହି କେବେ ଆସିବାର ଜଣାନାହିଁ। କିଛି ସରକାରୀ ଅନୁଦାନ ମିଳେ ଓ ଆଉ ବେଶି କିଛି ଏ ମାନଙ୍କର ପେନସନ। ପିଲା ମାନେ ଏମାନଙ୍କୁ ନ ପଚାରିଲେ ବି ଏମାନେ କିନ୍ତୁ ଝୁରି ହୁଅନ୍ତି ତାଙ୍କୁ। ପିଲାମାନେ ନମ୍ବର ଚେଞ୍ଜ କରି ସାରିଥିଲେ ମଧ୍ୟ ଏମାନେ ସେହି ପୁରୁଣା ଫୋନ୍ ନମ୍ବରରେ ବାରମ୍ବାର କଣ୍ଟାକ୍ଟ କରନ୍ତି। ଗୋଟେ ଆଶା ନେଇ କେଵେ ହେଲେ ବି ତ ଦିନେ ଧରିବେ ! ଚିଠି ଲେଖନ୍ତି, ନିୟମିତ ଯଦିଓ ଉତ୍ତର ଆସେନାହିଁ !”

ସମସ୍ତଙ୍କୁ ଦେଖିଲୁ ବୟସ୍କ। କେତେକଙ୍କର ବିପର୍ଯ୍ୟସ୍ତ ମୁଖ ମଣ୍ଡଳ। ତଥାପି ବେଶ୍‌ ସ୍ୱଛନ୍ଦରେ ବୁଲୁଥିଲେ ସେମାନେ। ଆମକୁ ଦେଖି ପାଖକୁ ଆସିଲେ। ଅତି ଆପଣାର ଭାବ ନେଇ କେତେ ଜଣ ଆମର ଘର, ଚାକିରି ଓ ଭଲମନ୍ଦ ପଚାରିଲେ। ସେମାନଙ୍କ ବିଷୟରେ ଜାଣିବାକୁ ମୋର ଭାରି ଆଗ୍ରହ ହେଲା। କେତେ ଜଣ ସେମାନଙ୍କ ଜୀବନ କାହାଣୀ, ପିଲା ମାନଙ୍କ କଥା, ସଂଘର୍ଷର କଥା ଓ ସଫଳତାର କଥା କହିଲେ। ଲକ୍ଷ୍ୟ କଲି ସେମାନେ ସେମାନଙ୍କ ବିଗତ ଦିନର ସ୍ମୃତିକୁ ଉନ୍ମୋଚନ ଓ ରୋମନ୍ଥନ କଲାବେଳେ କେମିତି ବିହ୍ୱଳ ହୋଇ ଉଠୁଥିଲେ। ସତେକି ସେମାନେ ମୂକ ଥିଲେ ଓ ବହୁ ଦିନରୁ ସାଇତା କଥାକୁ ପ୍ରଗଳ୍‌ଭ ଭଳି ଗପିବାକୁ ଚାହାଁନ୍ତି! ମୋତେ ବି ଭଲ ଲାଗୁଥିଲା ସେମାନଙ୍କ କଥା। ମୁଁ ଯୌଥ ପରିବାରରେ ବଢ଼ିଛି। ମୋ ଜେଜେ ବାପା, ଜେଜେମା’ଙ୍କ କଥା ଭଳି ସେଗୁଡ଼ିକ ମୋତେ ବହୁତ ଭଲ ଲାଗୁଥିଲା।

ହଠାତ୍ ଗୋଟିଏ ମୁହଁ ଦେଖି ଲାଗିଲା ଯେମିତି ମୁଁ ତାଙ୍କୁ କୋଉଠି ଦେଖିଛି। ତାଙ୍କ ମୁହଁକୁ ଗଭୀର ଭାବରେ ନିରୀକ୍ଷଣ କରିବାରୁ ସେ ବୋଧେ ଟିକେ ଅପ୍ରତିଭ ମନେକଲେ। ସବୁ ବୟସ୍କ ମାନେ ସେତେବେଳକୁ ମୁହଁରେ ମାସ୍କ ଲଗେଇ ସାରିଥିଲେ, ଯଦିଓ ପୂର୍ବରୁ ସେମାନେ ମାସ୍କ ବ୍ୟବହାର କରୁଥିଲେ, କିନ୍ତୁ ଆମେ ଦେଇ ଥିବା ନୂଆ ମାସ୍କ ଗୁଡ଼ିକୁ ପିଲାଙ୍କ ଭଳି ଅତି ଉତ୍ସାହରେ ସେମାନେ ପିନ୍ଧି ବୁଲିବାକୁ ଲାଗିଲେ। ବୟସ୍କା ମହିଳା ଜଣକ ମୋ କଥା ଶୁଣି ଚମକି ପଡ଼ିବା ମୁଁ ଲକ୍ଷ୍ୟ କଲି। ନିଜ ପଣତରେ ମୁହଁକୁ ଢାଙ୍କି ଦେଲେ ସେ। କୋଉଠି ଦେଖିଛି, କୋଉଠି ଦେଖିଛି ଭାବୁ ଭାବୁ ମନେ ପଡ଼ିଲା। ହଁ ୟା ଙ୍କୁ ତ ଦେଖିଛି ! ଘରର କୋଣକୁ ଯାଇ ସନ୍ଦେହ ମୋଚନ କରିବାକୁ ପ୍ରୟାସ କଲି। ଫୋନ୍ କାଢ଼ି ସର୍ଚ୍ଚ କଲି ଫେସ୍ ବୁକ୍। ହ୍ୱ।ଟ୍‌ସପ୍‌କୁ ବି ଗଲି। ଏଇ କିଛି ଦିନ ତଳେ ଯାଇଥିଲା ମଦରର୍ସ ଡେ’। ଏଇ ମହିଳାଙ୍କୁ କାହା ସହ ଦେଖି ଥିଲି, କମେଣ୍ଟ ବି କରିଥିଲି। ୟା …. ମିଳିଗଲା।

ଆରେ ଏତ ସମୟ ବାବୁଙ୍କ ମା’ ! ଅବଶ୍ୟ ଏ ଫଟୋରେ ସେ ବହୁତ ସୁନ୍ଦର ଓ ହସ ହସ ଦିଶୁଥିଲେ। ହେଲେ ଆଶ୍ଚର୍ଯ୍ୟ ହେଲି। ଏଠାରେ ସେ କେମିତି। କଥାଟା ଶୁଣି ସେ ଆଦୌ ସ୍ଵୀକାର କଲେ ନାହିଁ ଯେ ସେ ସମୟ ବାବୁ ଙ୍କର ମା’ ବୋଲି। ମୁଁ ତାଙ୍କୁ ଯେତେ ବେଳେ ଫଟୋଟି ଦେଖାଇଲି ସେ ବିଚଳିତ ହୋଇଗଲେ। ମୋତେ ଧୀରେ କହିଲେ “ବାବୁ ଏ କଥା କାହାକୁ କହିବନି। ମୁଁ ବହୁ ଝଡ଼ ଝଞ୍ଜା ସହି ଏଠାରେ ପହଞ୍ଚିଛି। ଏଠୁ ମତେ ବାହାର କରନି।”

ସେ ପୁଣି କହିଲେ- ” ପୁଅ ବାହା ହେଲା ପରେ ତା’ ଉପରେ ସ୍ତ୍ରୀର ଅଧିକାର ଆସିଗଲା। ମୁଁ ତାଙ୍କ ପାଇଁ ଅସହ୍ୟ ହେଲି। ସବୁବେଳେ ଝଗଡ଼ା। ମତେ ବି ଭଲ ଲାଗିଲା ନାହିଁ। କେବେ କେବେ ବାପ ଘରକୁ ପଳେଇ ଯାଉଥିଲି। ହେଲେ ସେଠି ଭାଇ ଭାଉଜଙ୍କ ସ୍ନେହ ବି ତର୍ଦୁପ। ଝିଅ ଘରେ ରହି ତା’ ପରିବାରରେ କଣ୍ଟା ହେବାକୁ ଚାହିଁଲିନି। କେତେ ଥର ବାହାର ଲୋକ ଆସି ପୁଅକୁ ବୁଝେଇଲେ। ହେଲେ ସମସ୍ୟା ବଢ଼ିଲା ସିନା କମିଲା ନାହିଁ। ପୁଅ ମଧ୍ୟ ସ୍ତ୍ରୀ କଥାରେ ପରିଚାଳିତ ହୋଇ ମତେ ଦୁର୍ବ୍ୟବହାର କଲା। ମତେ ଲାଗିଲା ସେ ମଧ୍ୟ ଚାହୁଁ ନାହିଁ ମୁଁ ତା ପାଖରେ ରହେ ବୋଲି। ପୂର୍ବରୁ ତା’ର ଫାଜିଲାମି ଗୁଣ ଥିଲା। ସେ କାହା ସହ ଭଲ ସମ୍ପର୍କ ରଖୁ ନ ଥିଲା। ଦିନେ ବଡ଼ କଷ୍ଟ ହେବାରୁ ମୁଁ ଘରୁ ପଳେଇ ଆସିଲି। କୁଆଡ଼େ ଯିବି ଜଣା ନ ଥିଲା। କାହାକୁ ମାଗି ଯାଚି ଖାଇବାକୁ ବି ଲାଜ ଲାଗୁଥିଲା। ଏଇ ଭିତରେ ଏ ଜରାଶ୍ରମର ବାବୁ ମତେ ଉଦ୍ଧାର କରି ଆଣି ଏଇଠି ରଖିଛନ୍ତି। ମୁଁ ବିଧବା ନିରାଶ୍ରୟା ବୋଲି ସମସ୍ତେ ଜାଣିଛନ୍ତି। କେବେ ମୋ ଅତୀତ କଥା କାହାକୁ କହିନି ବା ମୋର ପରିଚୟ ବି ଦେଇନାହିଁ। କେହି ପଚାରିଲେ ମୋର କିଛି ମନେ ପଡୁନି କହି ବାଆଁରେଇ ଦିଏ। ଖାଲି ଏ ଫଟୋ ଦେଖି ତମ ଆଗେ ସତ କହିଲି ବାବୁ। ଏ ଫଟୋଟି ବହୁ ପୁରୁଣା। କେବେ ଗୋଟେ ମନ୍ଦିରକୁ ଗଲାବେଳେ ଉଠେଇ ରଖିଥିଲା। ହେଲେ ଏ କଥା କାହାକୁ ଜଣେଇବନି। ସେ ତ ଏମିତି ମତେ ଖୋଜୁନି। କିନ୍ତୁ କଥାଟା ପଦାକୁ ଗଲେ ଲୋକ ଲଜ୍ୟା ଡରରେ ମତେ ସିନା ଘରକୁ ନେବ, ହେଲେ ଫଟା ହାଣ୍ଡିରେ ମାଟି ନେସିଲା ଭଳି ସେ କ’ଣ ମଜବୁତ ହେବ ବାବୁ! ମୁଁ ପୁଣି ଅନାଥ ହୋଇ ଯିବି। ତାକୁ ଠାକୁରେ ଭଲରେ ରଖନ୍ତୁ। ମୁଁ ବି ଏଠି ଭଲରେ ଅଛି ବାବୁ।”

ତାଙ୍କ ଆଖିର ଲୁହ ମତେ ଅସହ୍ୟ ଲାଗୁଥିଲା। ମୁଁ ବି ନିଜକୁ ଦୋଷୀ ଭାବୁଥିଲି। ତାଙ୍କ ଶୁଖିଯାଇଥିବା ଘା’କୁ ମୁଁ ପୁଣି ଉଖାରି ଦେଇ ସତରେ କେତେ କଷ୍ଟ ଦେଲି। ମୋ ଆଖି ବି ଲୋତକାପ୍ଲୁତ ହୋଇଗଲା। ହଠାତ୍ ନଇଁ ପଡ଼ି ସେ ମୋ ପାଦ ଧରିବାକୁ ଯାଉଥିଲେ। ଉଦ୍ଦେଶ୍ୟ ମୁଁ କାହାକୁ ଏ କଥା ନ କହେ। ମୁଁ ପଛକୁ ହଟିଗଲି। କହିଲି- “ଆପଣ ଏ କଣ କରୁଛନ୍ତି ? ଆପଣ ମୋ ମା ଭଳି।”
ମୁଁ ପ୍ରତିଶ୍ରୁତି ଦେଲି କେବେ ବି ଏ କଥା କୋଉଠି ବି ପ୍ରକାଶ କରିବି ନାହିଁ। ସେ ତାଙ୍କର ଶିରାଳ ହାତଟିକୁ ମୋ ମଥାରେ ରଖି ଆଶୀର୍ବାଦ କଲେ ଓ କହିଲେ- “ଭଗବାନ ଭଲରେ ରଖନ୍ତୁ।”

ୟା ଭିତରେ ଅନେକ ଥର ସମୟ ବାବୁଙ୍କ ସହ ଭେଟ ହୋଇଛି। ତାଙ୍କ ନାମ ଅନୁସାରେ ବ୍ୟବହାରରେ ମଧ୍ୟ ସେ ପ୍ରକୃତରେ ତାଙ୍କ ପିତୃମାତୃ ଦତ୍ତ ନାମ ଟିକୁ ସାର୍ଥକ କରୁଥିଲା। ସମୟ ବା ୱକ୍ତ ଯେମିତି କାହାର ନୁହେଁ, ସେ ମଧ୍ୟ କାହାର ନ ଥିଲା। ସେ ଅନ୍ୟ ମାନଙ୍କୁ ହଇରାଣ, ହରକତ,କୁତ୍ସାରଟନା, ପରନିନ୍ଦାରେ ଏମିତି ଅଥୟ କରୁଥିଲା ଯେ ଯାହା ପାଖରେ ସେ ପହଞ୍ଚୁ ଥିଲା ସେ ବ୍ୟସ୍ତ ହେଉଥିଲା,ଏ ଲୋକଟି କେତେ ବେଳେ ଏଠୁ ଯିବ ବୋଲି। ଯଦିଓ ନିଜ କଳଙ୍କ ପାଇଁ ତା’ ମନରେ କେବେ ଅନୁଶୋଚନା ବି ନ ଥିଲା। ନିଜକୁ ଆତ୍ମଘୋଷିତ ବୁଦ୍ଧିଜୀବି ଓ ସବ୍‌ଜାନତା ଭାବେ ଅଭିହିତ କରିଥିବାରୁ ତାକୁ କେହି ଏଡ଼େଇ ମଧ୍ୟ ପାରୁ ନ ଥିଲେ। ତେବେ ସେ ଯାହା ହେଉ, ମୋ ସହ ଯେବେ ବି ସମୟର ଭେଟ ହେଉଥିଲା ହଠାତ୍ ସ୍ମୃତି ପଟରେ ଉଦ୍ଜିବିତ ହେଇ ଯାଉଥିଲା ଗୋଟେ ଅସହାୟ ମା ର କାନ୍ଦୁରା ମୁହଁ। ମୁଁ ସମୟର ବ୍ୟବହାରରେ ଅତିଷ୍ଠ ହୋଇ ତା ମା’ ଙ୍କ ପ୍ରତି କଠୋର ବ୍ୟବହାରର ଲୁକ୍କାୟିତ ଦିଗଟିକୁ ଉନ୍ମୋଚିତ କରି ଗୋଟେ ଶକ୍ତ ଆଘାତ ତାକୁ ଦେବାକୁ ଚାହିଁବା କ୍ଷଣି, ସେହି ମା’ଟିର କରୁଣ, ଦୁଃଖ ଦାୟକ ଚାହାଣୀ ମତେ ବିବଶ କରି ଦେଉଥିଲା।
ଲାଗୁଥିଲା ଯେମିତି ମହାଭାରତର ମା’ କୁନ୍ତୀ ! ନିଜ କୁମାରୀ ମାତୃତ୍ଵର ପ୍ରଥମ ଅର୍ଘ୍ୟ, ସୁତ ପୁତ୍ର କର୍ଣ୍ଣ ପାଖରେ ଠିଆ ହୋଇ, ନିଜ ପରିଚୟ ଦେଉଛି ! ଆଉ ଅନୁରୋଧ କରୁଛି- “ତୁ ପାଣ୍ଡବ ଶିବିରକୁ ଚାଲିଆସ ବାବା। ପ୍ରଥମ ପାଣ୍ଡବର ମର୍ଯ୍ୟାଦା ପାଇ ତୁ ରାଜା ହେବୁ।”
ବିସ୍ମିତ ସୁତ ପୁତ୍ର ମା’ର ପ୍ରକୃତ ପରିଚୟ ପାଇ ମଧ୍ୟ ଆଶ୍ୱାସନା ଦେଉଛି- “ତୁମେ ଫେରିଯାଅ ପାଣ୍ଡବ ଜନନୀ। ତୁମେ ପାଞ୍ଚ ପୁତ୍ର ର ଜନନୀ ହୋଇ ରହିବ, ମଲେ କର୍ଣ୍ଣ ବା ଅର୍ଜୁନ ! ଏ କୁମାରୀ ଲଜ୍ୟାକୁ କିନ୍ତୁ ମୁଁ ଗୋପନ ରଖିବାର ପ୍ରତିଶ୍ରୁତି ଦେଉଛି।”

ସେମିତି ମୁଁ ମୋ ଶପଥ ପଣିଆରେ ସମୟ ବାବୁର ଅପନିନ୍ଦା ରୂପକ ଗରଳକୁ ପାନ କରି ନୀଳକଣ୍ଠ ହୋଇ ଯାଉଥିଲି।

*ସନ୍ତୋଷ କୁମାର ସେଠୀ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଯାଜପୁର