ବିକାଶର ଗପ- ମୋତିଆବିନ୍ଦୁ

ସୁଧୀର ମିଶ୍ର ଜଣେ ଲୋକର ଆଖିକୁ ଭଲ ଦିଶୁନଥାଏ। ସମସ୍ତେ କହିଲେ, ଡାକ୍ତରଙ୍କ ପାଖକୁ ଯିବାକୁ। ଲୋକଟା ଡାକ୍ତରଙ୍କୁ ଯାଇ ଦେଖା କଲା। ଆଖି ବିଷୟରେ ସବୁକଥା ଖୋଲିକି କହିଲା। ଡାକ୍ତର ସବୁ ଶୁଣିଲେ। ଟର୍ଚ୍ଚ ପକାଇ ଆଖି ଡୋଳାର ପରୀକ୍ଷା କଲେ। ଆଖିରେ କେଇ ବୁନ୍ଦା ଔଷଧ ପକାଇଲେ। ଶେଷରେ କହିଲେ ତୁମ ଆଖିର ଅପରେସନ କରିବାକୁ ହେବ। ତୁମେ ଅମୁକ ଦିନ ଆସି ଡାକ୍ତରଖାନାରେ ପହଞ୍ଚ। ଲୋକଟା ସେଇଆ କଲା। ଡାକ୍ତରଖାନାରେ ଭର୍ତ୍ତି ହୋଇଗଲା। […]

Eye

Debendra Prusty
  • Published: Tuesday, 29 November 2022
  • , Updated: 29 November 2022, 05:01 PM IST
  • ସୁଧୀର ମିଶ୍ର

ଜଣେ ଲୋକର ଆଖିକୁ ଭଲ ଦିଶୁନଥାଏ। ସମସ୍ତେ କହିଲେ, ଡାକ୍ତରଙ୍କ ପାଖକୁ ଯିବାକୁ। ଲୋକଟା ଡାକ୍ତରଙ୍କୁ ଯାଇ ଦେଖା କଲା। ଆଖି ବିଷୟରେ ସବୁକଥା ଖୋଲିକି କହିଲା। ଡାକ୍ତର ସବୁ ଶୁଣିଲେ। ଟର୍ଚ୍ଚ ପକାଇ ଆଖି ଡୋଳାର ପରୀକ୍ଷା କଲେ। ଆଖିରେ କେଇ ବୁନ୍ଦା ଔଷଧ ପକାଇଲେ। ଶେଷରେ କହିଲେ ତୁମ ଆଖିର ଅପରେସନ କରିବାକୁ ହେବ। ତୁମେ ଅମୁକ ଦିନ ଆସି ଡାକ୍ତରଖାନାରେ ପହଞ୍ଚ।

ଲୋକଟା ସେଇଆ କଲା। ଡାକ୍ତରଖାନାରେ ଭର୍ତ୍ତି ହୋଇଗଲା। ପୁଣି କିଛି ପରୀକ୍ଷା ନିରୀକ୍ଷା କରାଗଲା। ଲୋକଟା ଆଚମ୍ବିତ ହେଉଥାଏ। କ'ଣ ହୋଇଛି ଆଖିର, କ'ଣ କରିବେ, କେମିତି କଣ ହେବ, ସେଇ ଚିନ୍ତାରେ ସମୟ ବିତୁଥାଏ।

ଦିନେ ଡାକ୍ତର କହିଲେ, ଆସନ୍ତା କାଲି ତୁମର ଅପରେସନ ହେବ।

ଲୋକଟା ପଚାରିଲା, ଅପରେସନ ପରେ କ'ଣ ହେବ?

ଡାକ୍ତର କହିଲେ, ତୁମକୁ ସବୁକିଛି ସଫାସଫା ଦେଖାଯିବ। ତୁମେ ପଢ଼ାଶୁଣା, ଲେଖାଲେଖି ସବୁ କରିପାରିବ।

ଲୋକଟା ପଚାରିଲା, ଡାକ୍ତର ବାବୁ ମୁଁ ପଢ଼ାପଢ଼ି କରି ପାରିବି?

ଡାକ୍ତର କହିଲେ,  ହଁ, ନିଶ୍ଚୟ କରିପାରିବ।

ଅବିଶ୍ୱାସ କଲା ଭଳି ଲୋକଟା ପୁଣି ଥରେ ପଚାରିଲା, ଡାକ୍ତର ବାବୁ, ସତ କହିଲେ ଅପରେସନ ପରେ ମୁଁ ପଢ଼ି ପାରିବି?

ଡାକ୍ତର କହିଲେ, ଆରେ ଏଥିରେ ମିଛ କହିବାର କ'ଣ ଅଛି। ତୁମ ଆଖିର ଡୋଳାରେ ଗୋଟିଏ ପରଦା ପଡ଼ିଯାଇଛି। ଅପରେସନ ଦ୍ଵାରା ସେଇଟା ସଫା କରି ଦିଆଯିବ। ବାସ୍‌, କାମ ସରିଲା। ତୁମେ ଭଲରେ ଦେଖି ପାରିବ, ପଢ଼ି ପାରିବ, ଲେଖି ପାରିବ। ଏଥିରେ ସନ୍ଦେହ କରିବାର ପ୍ରଶ୍ନ ଉଠୁନାହିଁ।

ଡାକ୍ତରଖାନା ବିଛଣା ଉପରେ ବସିଥିବା ଲୋକଟା ଦୁଇହାତ ଯୋଡ଼ି ଉପରକୁ ଉଠାଇ ମୁଣ୍ଡରେ ଦୁଇଥର ପିଟିଲା ଓ କହିଲା, ଧନ୍ୟବାଦ ଭଗବାନ, ମୋତେ ଲେଖା ପଢ଼ା ଶିଖିବାରୁ ବଂଚିତ କରିଥିଲ!

ଡାକ୍ତର ବାବୁ ଟିକିଏ ଚମକି ଗଲେ। ଡାକ୍ତରଙ୍କୁ ଲକ୍ଷ୍ୟ କରି ଲୋକଟା କହିଲା, ଡାକ୍ତର ବାବୁ, ମୋତେ ପଢ଼ାଶୁଣାର ସୁଯୋଗ ନଦେଇ ଭଗବାନ ଖୁସି ହେଉଥିଲେ, କାଲି ଆପଣଙ୍କ ଅପରେସନ ପରେ ତାଙ୍କର ଗର୍ବ ଭାଙ୍ଗିଯିବା। ମୁଁ ଲେଖାପଢ଼ା ଜାଣେନି, କିନ୍ତୁ କାଲି ଅପରେସନ ପରେ ଲେଖାପଢ଼ା କରିପାରିବି ବୋଲି ଆପଣ କହିଲେ।

ଠିକ ଏହି ପଢ଼ାପଢ଼ି ପରି ଏ ବିକାଶ ଗପ। କିଏ କେମିତି ବିକାଶ ଲାଭ କରି ପାରିବେ ସେ ବିଷୟରେ କାହାରି କିଛି ଧାରଣା ନାହିଁ। ବିକାଶର ସଠିକ ସଂଜ୍ଞା ନିର୍ଣ୍ଣୟ ହୋଇନାହିଁ। କରୋନା ଭୂତାଣୁ ମାତିଲା ପରି ଯୋଜନା ବୁଣି ଦିଆଯାଉଛି। ସଞ୍ଜୟ ଗାନ୍ଧୀ ଲୋକଙ୍କୁ ଜୋର ଜବରଦସ୍ତ ପରିବାର ନିୟୋଜନ ଅପରେସନ କରାଇବା ପରି ସମର୍ଥ ବିକାଶ କରାଯାଉଛି। ପାଣିକୁ ଗୋଡ଼ି ଫିଙ୍ଗିବା ପରି କୋଟି କୋଟି ଟଙ୍କା ଫିଙ୍ଗି ଦିଆଯାଉଛି।

ଶେଷକୁ ଡାକ୍ତରଙ୍କ ପରି ବିକାଶ ବିକାଶ ଚିତ୍କାର କରୁଥିବା ଲୋକଗୁଡ଼ିକ ଚମକି ପଡୁଛନ୍ତି। ଯଦି ଡାକ୍ତର ପ୍ରଥମରୁ ପଚାରି ବୁଝିଥାନ୍ତେ ଲୋକଟା ଲେଖାପଢ଼ା ଜାଣିଛି କି ନାହିଁ ତେବେ ନା ସିଏ ଭଗବାନଙ୍କୁ ଧନ୍ୟବାଦ ଦେଇଥାନ୍ତା ନା ଡାକ୍ତର ଚମକି ପଡ଼ିଥାନ୍ତେ?

ଫୋ- ୭୮୭୩୧୨୧୮୧୫

Related story