ଯେଉଁ ଗଛ ତଳେ ଛାଇ ନାହିଁ

ଛକରେ ଆଉ କେହି ନଥିଲେ। କେବଳ ନାଇଟ‌୍‍ ଶୋ’ ସିନେମା ଦେଖିସାରି ଫେରିବାକୁ ଥିଲେ କିଛି ଲୋକ। ସେଇମାନଙ୍କୁ ଅପେକ୍ଷା କରିଥିଲା ସେ ଅଟୋବାଲା। ଅପେକ୍ଷା କରୁ କରୁ ଢୁଳେଇ ପଡ଼ିଥିଲା ଅଟୋ ଉପରେ। ବୋଧେ ବିଅର ଫିଅର ଟିକେ ମାରି ଦେଇଥିଲା କି କ’ଣ ସଞ୍ଜରେ। ନିଶା ଧରିନେଇଥିଲା। ସେଇଥିଲାଗି ଆଠ ଦଶଥର ଡାକିବା ପରେ ତା’ର ନିଦ ଭାଙ୍ଗିଥିଲା। ହ୍ୟାଣ୍ଡେଲ‌୍‍ ଉପରୁ ମୁଣ୍ଡ ଉଠେଇ ସେ ଅଚାନକ ଷ୍ଟାର୍ଟ‌୍‍ କରିବା ପାଇଁ ବ୍ୟସ୍ତ ହୋଇପଡ଼ିଲା। ବୋଧେ ସେ ଧରି ନେଇଥିଲା, ଦଳେ ଲୋକ ଆସି ବସି ଯାଇଛନ୍ତି ଅଟୋରେ। କିନ୍ତୁ ଷ୍ଟାର୍ଟ‌୍‍ କରିସାରି ଯେତେବେଳେ ପଛ ସିଟ‌ରେ କାହାରିକୁ ଦେଖିଲା ନାହିଁ, ସେ ଚମକି ପଡ଼ିଲା।

ତା’ହେଲେ କିଏ ଡାକୁଥିଲା? ସେ ଏମିତି କିଛି ଭାବିଲା ଓ ମୁହଁ ବୁଲେଇ ବାଁ ପଟକୁ ଅନେଇଲା ପରେ ହିଁ ପ୍ରଥମ ଥର ପାଇଁ ମୋତେ ଦେଖିଲା। ବିଳିବିଳେଇଲା ପରି କହିଲା, ହାଫ‌୍‍ ଟାଇମ‌୍‍ରୁ ଚାଲିଆସିଲ ନା କ’ଣ?

ମୁଁ ବୁଝିଲି ଯେ ସେ ସେଇ ଆଗ ଗଳିର ସିନେମା ହଲ‌୍‍ରୁ ଫେରିବାକୁ ଥିବା କିଛି ଲୋକଙ୍କୁ ଅପେକ୍ଷା କରିଛି। କହିଲି, ନା ନା। ମୁଁ ଭଦ୍ରକରୁ ଆସିଲି। ଲାଇନ‌ ବସ‌୍‍‌‍ରେ। ନୀଳାଦ୍ରିବିହାର ଯିବୁ?

ସେତେବେଳ ଯାଏ ତା’ର ନିଶା ଛାଡ଼ି ନଥିଲା। ସେ ଆଖି ମଳିବାରେ ବ୍ୟସ୍ତ ଥିଲା ଓ ଆଙ୍ଗୁଳି ଅଗରେ ମେଣ୍ଡିଆ ପୋଛିବାକୁ ପ୍ରସ୍ତୁତ ହେଉଥିଲା। ବୋଧେ ମୁଁ କହିଥିବା କଥାସବୁ ତା’ କାନରେ ପଶିଲା ନାହିଁ। ଗୋଟେ ପୁରୁଣା ପ୍ଲାଷ୍ଟିକ‌୍‍ ବୋତଲ ସେ କାଢ଼ି ଆଣିଲା ଗୋଡ଼ତଳୁ ଓ ଠିପି ଖୋଲି ଦି’ଚାରି ଢୋକ ପାଣି ପିଇଲା। ସିଟ‌୍‍ରୁ ଡେଇଁଲା ଭଳି ଓହ୍ଲେଇପଡ଼ି କେତେବେଳୁ ବନ୍ଦ ହେଇସାରିଥିବା ଗୋଟେ କେବିନ‌୍‍ ପଛପଟକୁ ଚାଲିଗଲା। କେବିନ‌୍‍ର ଛାଇରେ ତା’ର ଦେହ ଦିଶିଲା ନାଇଁ ତା’ପରେ; କିନ୍ତୁ ପାଣି ଭଳି କିଛି ପଡ଼ିବାର ଶବ୍ଦ ଶୁଭିଲା।

ମୁଁ କେବିନ‌୍‍ର କାଠକାନ୍ଥରେ ମରା ହେଇଥିବା ଗୋଟେ ଫିଲ୍ମ ପୋଷ୍ଟର ଆଡେ ଚାହିଁଲି। ଗୋଟେ ବିକୃତ ମୁହଁର ମହିଳା ସେଥିରେ ଅଙ୍କା ଥିଲା। ବୋଧେ ସେଇଟା ଥିଲା କୌଣସି ହରର‌୍‍ ଫିଲ୍ମର ବିଜ୍ଞାପନ। ମୋର ଦେହ ଟିକେ ଶିତେଇ ଉଠିଲା। ରାତି କେତେ ହବ କି? ହେଇ ହେଇକି ସାଢ଼େଦଶ କି ଏଗାର। ତଥାପି କେଡେ ଡରଡର ଲାଗୁଚି ପରିବେଶଟା! ଯେତେବେଳେ ସେଇ ପୋଷ୍ଟର‌୍‍ ଭିତରେ ମୁଁ ହଜିଯାଇଛି, ଠିକ‌୍‍ ସେତିକିବେଳେ ଭୁସ‌୍‍କିନା ଲୋକଟା ପ୍ୟାଣ୍ଟର ଚେନ‌୍‍ ଟାଣୁଟାଣୁ ବାହାରି ଆସିଲା ଅନ୍ଧାର ଭିତରୁ ତ ମୁଁ ଧପ‌୍‍କରି ଚମକିପଡ଼ିଲି। ମୁଁ କ’ଣ ଡରିଗଲି କି ଆଉ?

ଏଇ ପ୍ରଶ୍ନର ଉତ୍ତରକୁ ଲୁଚେଇବା ପାଇଁ ମୁଁ ଏଡେ ପାଟିରେ ପଚାରିଲି, ଯିବୁ ? କୁଆଡେ଼ ? ସେ ବେପରୁଆ ଭାବେ କହିଲା। ମୁଁ ଜାଣେ, ଏଇ ଅଧରାତି ହିଁ ଅଟୋବାଲାଙ୍କର ସମ୍ରାଟ ହେବାର ସମୟ ଓ ଆହୁରି ବି ଜାଣେ, ଦିନବେଳା ହେଇଥିଲେ ଅଧବାଟରୁ ମୋ ଲଗେଜ‌୍‍ ବୋହିଆଣି ଇଏ ଅଟୋରେ ଲଦି ଦିଅନ୍ତାଣି। କିନ୍ତୁ ଏବେ ତା’ ହବ ନାହିଁ। ମୋତେ ହିଁ କମ୍ପ୍ରମାଇଜ‌୍‍ କରିବାକୁ ହବ।

କହିଲି, ନୀଳାଦ୍ରିବିହାର।

ନା ନା ଯାଇ ହବନି। ସେ ମୁହଁ ଛିଞ୍ଚାଡ଼ି କହିଲା। ନିଦୁଆ ଗଳାରେ ତା’ ଶବ୍ଦସବୁ ଗରମ ତେଲରେ ପାଣି ପଡ଼ିବା ପରି ଶୁଭିଲା। ମୋର ଧର୍ଯ୍ୟର ହିଡ଼ରେ ଫାଟ ହେଇଗଲା ଯେମିତି। ହତାଶ ହେବା କଥା। ତଥାପି ମୁଁ ପ୍ରଲୋଭନ ଦେଖାଇଲି। କହିଲି, ପାଞ୍ଚ ଜାଗାରେ ଦଶ‌୍‍ ଦେବି। ଚାଲ‌୍‍। ପ୍ରକୃତରେ ସେତେବେଳକୁ ଦଶଟଙ୍କାରୁ ଅଧିକ ଟଙ୍କାଏ ବି ନଥିଲା ମୋ ପାଖରେ। ବାଟରେ ସବୁ ଖର୍ଚ୍ଚ ହେଇଯାଇଥିଲା। କହିପକାଇ ମୁଁ ଟିକେ ଦବିଗଲି ନିଜ ଭିତରେ। ଏମାନଙ୍କୁ ପାଞ୍ଚ ଟଙ୍କା ଲୋଭ ଦେଖେଇଲେ ପଚିଶ ଟଙ୍କା ମାଗିବେ। ଭୁଲ‌୍‍ କଲି। ଏମିତି କହିବାର ନଥିଲା।

ନା ପରା ଯିବିନି କହିଲି।

ଚାଲ‌୍‍ ଟିକେ । ନହେଲେ ହଇରାଣ ହେଇଯିବି ପୂରା। … ମୁଁ ବିକଳ ହେଲି।

କହିଲି ପା’ ହବନି। ରିଜର୍ବ କରିବ ଯଦି ଯିବି। ପଚାଶ ଟଙ୍କା ନେବି। ଦବ?

ପଇସା ଥିଲେ କହିଦେଇଥାନ୍ତି ‘ହଉ’। କିନ୍ତୁ ମୋର ସାଧ୍ୟ ବାହାରେ ଥିଲା ତା’ର ଦାବି। ମୁଁ ତା’ ପରେ କିଛି କହିଲି ନାହିଁ। ତା’ ଆଡ଼ୁ ମୁହଁ ଫେରେଇଆଣି ଆକାଶକୁ ଅନେଇଲି। ଆକାଶରେ ଅସଂଖ୍ୟ ତରା। ମୋର ଅସଂଖ୍ୟ ଆଶଙ୍କା ଭଳି।

ବହୁତ ସମୟ ପରେ ଲୋକଟା ମନକୁ ମନ କହିଲା, ଆଉ ଟିକେ ରହିଯାଉନ। ନାଇଟ‌୍‍ ସୋ ଭାଙ୍ଗିବ। ତିନି ଚାରିଜଣ ମିଳିଗଲେ ନେଇକି ଡମଣା ପେଟ୍ରୋଲ‌୍‍ପମ୍ପ‌୍‍ ପାଖରେ ଓହ୍ଲେଇଦେବି। ସେଇଠୁ ଚାଲିକି ପଳେଇବ ନୀଳାଦ୍ରିବିହାର।

ମୁଁ ବୁଲିପଡ଼ି ତା’ର ଦାଢ଼ି ନଥିବା ମୁହଁକୁ ଅନେଇଲି।

ପେଟ୍ରୋଲ‌୍‍ପମ୍ପ ପାଖ ଗୋଟେ ଶୂନ‌୍‍ଶାନ‌୍‍ ଅନ୍ଧାରୁଆ ଛକରେ ମୋତେ ଓହ୍ଲାଇଦେଇ ଅଟୋ ଚାଲିଗଲା ଆଗକୁ। ଲାଇଟ୍‌ପୋଷ୍ଟର ଅନୁଜ୍ୱଳ ଆଲୁଅ ବେଶ‌୍‍ କିଛି ବାଟ ଲମ୍ୱିଥିଲା ଅବଶ୍ୟ ମୋ ଯିବା ରାସ୍ତାରେ। ତଥାପି ଅନେଇ ଦେଖିଲି ଆଗରେ ଅନ୍ଧାର। ମୋର ମନେହେଲା ଅନ୍ଧାର ଓ ଆତଙ୍କ ଦୁହେଁଯାକ ଛକି ରହିଛନ୍ତି ଆଗରେ। ଶୀତୁଆ ପବନ ଦୋହଲୁଚି କୌଣସି ବୁଢ଼ାଲୋକ ପରି। କେହି କୁଆଡେ଼ ନାହିଁ। ମୁଁ ଫେରିପଡ଼ି ଅଟୋକୁ ଚାହିଁଲି। ବେଶ‌୍‍ କିଛି ଦୂର ଆଗେଇ ଗଲାଣି ସିଏ। ଅଟୋ ପଛର ନାଲି ଆଲୁଅ ଦିଶୁଚି ଗୋଟେ ରହସ୍ୟର ଆଖି ପରି। ଚମକିପଡ଼ିଲି ପୁଣି ଥରେ।

ଚମକି ପଡ଼ିଲି ଏଇଥିପାଇଁ ଯେ ମୋର ମନେପଡ଼ିଗଲା ସେଇ କେବିନ‌୍‍ର ପୋଷ୍ଟର। ଗୋଟେ ଗାଢ଼ ଶିହରଣ ମୋର କ୍ଳାନ୍ତ ଦେହକୁ ଥରେଇଦେଲା ମୁହୂର୍ତ୍ତକ ପାଇଁ। ଦୀର୍ଘଶ୍ୱାସ ପକେଇଲି। ଥରେ ଅନେଇଲି ଆଗକୁ। ମୁଁ କ’ଣ ଡରିଯାଇଚି? ଆଉ ଗୋଟେ ଶିହରଣ ତଳଆଡ଼ୁ ଆସି ମିଳେଇଗଲା କଲିଜାରେ। ତା’ର ନାଁ ସାହସ। ନିଜ କାନ୍ଧରେ ନିଜେ ହାତ ଥାପିଲି।

ତା’ପରେ ମୁଁ ନିଜକୁ ଚାଲୁଥିବାର ଆବିଷ୍କାର କଲି। ତାହା ହିଁ ତ କରିବାର ଥିଲା ମୋର। ଡାହାଣପଟର ତିନି ମହଲା ଘର, ମନ୍ଦିର, ଡିସ୍‌ପେସାରୀ କ୍ରମେକ୍ରମେ ଅତିକ୍ରମ କରିଗଲି। ସ୍ତବ୍ଧ ଚାରିଆଡ଼। ଶୁଭୁଚି କେବଳ ମୋର ଚାଲିବାର ଥପାସ‌୍‍ ଥପାସ‌୍‍। କମି ଆସୁଚି ପଛ ଷ୍ଟ୍ରୀଟ‌୍‍ ଲାଇଟ‌୍‍ର ଆଲୁଅ। ଆଗରେ ବହୁ ଦୂରରେ ମୁଣ୍ଡିଆ ପାହାଡ଼ ଉପରେ ନୀଳାଦ୍ରିବିହାର। ଉଠାପକା ରାସ୍ତା। ଛାଇ ଅନ୍ଧାର।

ହଠାତ‌୍‍ କିଏ ଗୋଟେ ମୋ ଆଗରେ ଚାଲୁଥିବା ଦେଖି ଖୁସି ହୋଇଗଲି। ସାଥୀଟିଏ ମିଳିଗଲା କି! ଦି’ ମୁଠା ଆହୁରି ସାହସ ମୋର ସଞ୍ଚୟ ଖାତାରେ ଜମା ହେଇଗଲା। ଫୂର୍ତ୍ତି ଲାଗିଲା। ଟିକେ ଦ୍ରୁତ ପାଦରେ ଆଗକୁ ମାଡ଼ିମାଡ଼ି ଚାଲିବାବେଳେ ବେଶ‌୍‍ ହାଲ‌୍‍କା ଲାଗିଲା। ହାଫ‌୍‍ କିଲୋମିଟର‌୍‍ ଖଣ୍ଡେ ଗଲେ ଆଗରେ ପୁଣି ଷ୍ଟ୍ରୀଟ‌୍‍ ଲାଇଟ‌୍‍। ଆଲୁଅ ଫେରେଇ ଦବ ସାହସର ପେନ‌୍‍ସନ‌୍‍।

ଲୋକଟାର ବେଶ‌୍‍ କିଛି ପାଖକୁ ମୁଁ ଚାଲି ଆସିଥିଲି ସେତେବେଳକୁ। ହୁଏତ ସେ ଧୀରେ ଧୀରେ ଚାଲୁଚି ବା ମୋର ଗତି ବଢ଼ିଯାଇଛି। ଡାକିଦେବି କି ଟିକେ ବଡ଼ପାଟିରେ? ଭାବି ହେଲି। ପର ମୁହୂର୍ତ୍ତରେ ଡର ହେଲା, କାଳେ ଲୋକଟା ମଦୁଆ ହେଇଥିବ। ହେଇଥିବ ଗୋଟେ ଚୋର ବା ଲୁଚାଇ ରଖିଥିବ ପକେଟ‌୍‍ରେ କୌଣସି ମାରଣାସ୍ତ୍ର। ହେଇଥିବ କୌଣସି… । କୌଣସି… । କୌଣସି କ’ଣ ? ଭୂତ ? ଭୂତ ହେଇଥିବ ? ନା ମ’। ଭୂତ ହେଇ ନଥିବ ସେ ଲୋକଟା । ଜମାରୁ ହେଇ ନଥିବ। ସେ ଗୋଟେ ଲୋକ ହେଇଥିବ। କେବଳ ଲୋକ।

ନିଜକୁ ମୁଁ ବୁଝେଇବା ଲାଗି ଏମିତି କହୁଚି ତ ଚାଲୁଚି। ଚାଲୁଚି ତ ପାଖେଇ ଆସୁଚି ସେ ଲୋକଟା ଆଡ଼କୁ। ହଠାତ‌୍‍ ମୁଁ ଅନୁଭବ କରୁଚି ସେ ଲୋକଟିଏ ନୁହଁ। ତା’ର ଚୂଳ ସବୁ କ’ଣ ଏତେ ଲମ୍ୱା ? ତା’ର ଅଣ୍ଟା ପାଖଟା ଓସାରିଆ ? ତା’ର ଉଚ୍ଚତା କମ‌୍‍ ? ଠିକ‌୍‍ ଝିଅଟିଏ ପରି ? ସେ କ’ଣ ଝିଅଟିଏ ? ତା’ ହେଲେ?

ଝିଅଟିଏ?

ମୋ ସାମ୍ନାରେ ଚାଲୁଥିବା ଏ ଲୋକଟା ଝିଅଟିଏ ?

ରାତି ଅଧରେ ଝିଅଟିଏ ?

ଶୂନ‌୍‍ଶାନ‌୍‍ ରାସ୍ତାରେ ଝିଅଟିଏ ?

ଝିଅଟିଏ କେବଳ?

ପ୍ରଶ୍ନଗୁଡ଼ିକ ସ୍କୁଲ‌୍‍ର ପିଟାଘଣ୍ଟା ପରି ମୁଣ୍ଡ ଭିତରେ ଏଡେ଼ ଜୋର‌୍‍ରେ ପିଟିହେଲା ଯେ ମୁଁ ଝୁଣ୍ଟିପଡ଼ିଲି। ଗୋଟେ ଝାପାସ‌୍‍ କରି ଶବ୍ଦ କଲା ମୋ ଜୋତା। ତା’ପରେ ଅବଶ୍ୟ ମୁଁ ବେହୋସ‌୍‍ ହେଲି ନାହିଁ। ଠିଆହେଲି କିଛି କ୍ଷଣ। ମୋ ଜୋତାର ଶବ୍ଦ ବୋଧେ ତା’ର କାନରେ ପଡ଼ିଲା ଓ ସେ ବୁଲି ଅନେଇଲାବେଳେ ମୁଁ ସ୍ଥିର ନିଶ୍ଚିତ ହେଇଗଲି ଯେ ସେ ଝିଅଟିଏ। ସେ ପୁଣି ଆଗକୁ ଚାଲିବାରେ ମନଦେଲା। ଯେମିତି ପଛପଟେ ଘଟିଥିବା ଘଟଣାଟି ବେଙ୍ଗଟାଏ କୁଦା ମାରିଦେବା ଭଳି ବା ଚଢ଼େଇଟିଏ ହଠାତ‌୍‍ ଡେଣା ଝାଡ଼ି ଉଡ଼ିଯିବା ଭଳି ସାଧାରଣ। ଯେମିତି ଘଟିଥିବା ଘଟଣାଟି ନିହାତି ଗୁରୁତ୍ୱହୀନ ସେ ଝିଅ ପାଇଁ।

ମୁଁ ପ୍ରଥମେ ବିସ୍ମିତ ଓ ପରେ ପରେ ସନ୍ଦେହରେ ଛଟପଟ ହେଲି। ସେତେବେଳେ ମୋ ଭିତରେ ଛାଣିହୋଇ ଉଠିଲା ଦୁଇଟି ସମ୍ଭାବନା। ହୁଏତ ଝିଅଟା ପାଗଳୀ। କିମ୍ୱା ହୁଏତ ଝିଅଟା ଗୋଟେ…ଗୋଟେ… । କଅଣ? ଗୋଟେ କଲ‌୍‍ଗାର୍ଲ! ଗୋଟେ ଦେହଜୀବୀ! କହିପାର ଗୋଟେ ସେକ‌୍‍ସ ୱାର୍କର‌୍‍, ସମ୍ମାନର ସହ!

ଗତି ବଢ଼େଇଲି ।

ତାକୁ ଅତିକ୍ରମ କରି ଆସିଲା ବେଳେ ମୋର ନିଜ ନିଷ୍ପତ୍ତିରେ ମୁଁ ଶିହରି ଉଠିଲି ପୁଣିଥରେ। କିନ୍ତୁ ଏକଥା ସତ ଯେ, ସେତେବେଳେ ମୋର ଭୟ ନଥିଲା ଆଉ। ଥିଲା କେବଳ ଟୋପାଏ ମଦ ଭଳି ହାଲ‌୍‍କା ଏକ ଉତ୍ତେଜନା, ମୋ ତଳିପେଟରେ।

ଚାଲିଆସିଲି ଟପି। ଆଗରେ ଆଲୁଅ। ପଛରେ ଆସୁଥାଇପାରେ ସେହି ରହସ୍ୟମୟୀ। ତଥାପି ସେ କିପରି ବୁଲିପାରୁଛି ଏତେ ରାତିରେ, ନିର୍ଭୟରେ ? ଏତେ ରାତିରେ, ନିକାଞ୍ଚନରେ ? ଏତେ ରାତିରେ, ନିଃସଙ୍ଗତାରେ ? ମୁଁ ଭାବିହେଲି। ଭାବିହେଲି ଓ କିଛି କୂଳକିନାରା ପାଇଲି ନାହିଁ। ଆଗ ମୋର ସନ୍ଦେହ। କ୍ରମେ ଆସିଲା କୌତୂହଳ। ଗୋଟେ ବତୀଖୁଣ୍ଟ ପାଖରେ ଆଲୁଅ ଖମ୍ୱକୁ ଢେରାଦେଇ ମୁଁ ଛିଡ଼ା ହେଇଗଲି ଏକ ଅଦ୍ଭୁତ ଖିଆଲରେ ପଚାରିବି ବୋଲି। ପଚାରିବି, ଏତେ ରାତିରେ ଏକଲା ବୁଲୁଚ ?

ସେ କ’ଣ କହୁଚି କହୁ। ମୁଁ ଶୁଣିବି। ଆସୁ। ଆସିଯାଉ ଆହୁରି ପାଖକୁ। ମୁଁ ଅପେକ୍ଷା କଲି ସେ ଝିଅକୁ।

ସେ ଆସୁଚି। ଆସୁଚି ଗୋଟେ କ୍ଳାନ୍ତ ପ୍ରଜାପତି ପରି ଥକିଥକି। ଆଲୁଅର ଅଭ୍ରରେ ଚକ‌୍‍ଚକ‌୍‍ ଦିଶୁଚି ତା’ର ସଫା ମୁହଁ। ତା’ର ତିଖ ନାକ। ତା’ର ଅନ୍ୟମନସ ଆଖି। ମୁଁ ଚହଲିଗଲି କାଗଜଡଙ୍ଗା ପରି, ବର୍ଷା ପାଣିରେ। ଏ କ’ଣ ପରୀଟିଏ ? ଲୋକକଥାର ଡେଣାଲଗା ଧଳାପରୀ ? ଯିଏ ଫି ଜହ୍ନରାତିରେ ଓହ୍ଲାଏ ସ୍ୱପ୍ନର ନୀଳ ବଗିଚାରେ ? ମୁଁ ଭାଙ୍ଗିଗଲି, ଟେବୁଲ‌୍‍ ଉପରୁ ଖସିପଡ଼ିଥିବା କାଚଗ୍ଲାସ‌୍‍ ପରି । ମୁଁ ତରଳିଗଲି ବସିଯାଇଥିବା ନଡ଼ିଆତେଲ ପରି, ଖରାରେ।

ପାଖାପାଖି ସେ ଅଟକିଗଲା। ମୁଁ ଦେଖୁଚି ତା’ର ଲାବଣ୍ୟ। ପବନର ସାହାରାରେ ଶୁଙ୍ଘୁଚି ତା’ର ଫୁଲପଣ। ସେତେବେଳେ ସେ ଠିଆ ହେଇଗଲା ସାମ୍ନାସାମ୍ନି। ଶାନ୍ତ ଆଖିରେ ଚାହିଁରହି ପଚାରିଲା, କିଛି ପଚାରିବେ ?

ହଁ, ମୋର ପଚାରିବାର ଥିଲା କିଛି ଏ ଝିଅକୁ। କ’ଣ ପଚାରିବାର ଥିଲା ? ମୋର ମନେପଡ଼ୁନି ସଂଳାପ। ମନେପଡ଼ୁନି ରିହସାର୍ଲ‌୍‍। କ’ଣ ? କ’ଣ ଥିଲା ପ୍ରଶ୍ନ?

ସେ ହସିଦେଉଚି ସେତେବେଳେ। ମୋର ଉତ୍ତରହୀନ ପଙ୍ଗୁ ମୁହଁ ସେତେବେଳେ ଫ୍ରିଜ‌୍‍ଡ଼। ମୋର ଅସ୍ତିତ୍ୱ ସିଝିଯାଇ ମିଶିଯାଉଛି ରକ୍ତର ଝୋଳରେ। ସେ ହସୁଚି ଓ ହସିଦେଉଚି, ପ୍ରତିଥର ନୂଆ ଫୁଟୁଥିବା ଫୁଲପରି। କି ସାହସ ତା’ର?

କହୁଚି, ପଚାରିବେ ନା, ଏତେ ରାତିରେ ମୋ ପରି ଗୋଟେ ଝିଅ କିପରି, କାହିଁକି ବୁଲୁଚି କଲୋନୀ ରାସ୍ତାରେ ? ଏକଲା ? ପଚାରିବେନା ଏଇଆ ମୋତେ ?

ମୁଁ ସ୍ଥିର । ହୁଏତ ସେତେବେଳେ ଜିରୋ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼‌୍‍ରେ, ବରଫ ପାଲଟିବାର ସମୟ। ପାଟିରୁ ଧୂଆଁ ବାହାରୁଚି। ଗୋଟେ କୁକୁର ଭୁକି ନଥିଲେ ମୁଁ ସତକୁ ସତ ମୁଣ୍ଡା ହୋଇ ପଡ଼ିରହିଥାନ୍ତି ସେଇଠି।

ସେ ହସୁଥିଲା ଆଗପରି। ଅବଶ୍ୟ ଏଥର ହସରେ ଥିଲା ଆଉ କିଛି ମନଲୋଭା ତାଚ୍ଛଲ୍ୟ। ଯେମିତିକି ସେ ହସ ପଚାରୁଚି, ତମେ ପୁରୁଷଗୁଡ଼ା ସବୁବେଳେ ଡାହାଣାଙ୍କ ପରି କାହିଁକି ହୁଅ ଝିଅ ଦେଖିଲେ ? ବିଶେଷ କରି ନିରୋଳାରେ, ଅନ୍ଧାରରେ ? ପକେଟ‌୍‍ରେ ହାତ ପୂରାଇ ଦେଖିଲି ରୁମାଲ ନାଇଁ। ମୋର ଲାଜସବୁ ଝାଳ ହୋଇ ବହିଯିବାକୁ ବସିଚି।

କହି ପକେଇଲି, ଡରଲାଗୁନି? ଏକୁଟିଆ ? ଏ ପ୍ରଶ୍ନ ପଚାରିଲା ବେଳେ କେଉଁ ଏକ ଅଜଣା ଡରରେ ମୋ ଦେହଟା କମ୍ପୁଚି ଆଉ କମ୍ପୁଚି। ଆଉ ଅଧିକ କ’ଣ ପଚାରି ପାରିଥାନ୍ତି ସେତେବେଳେ ମୁଁ ? ଯେତେବେଳେ ଶବ୍ଦସବୁ ନିର୍ବାସନରେ ଓ ଜିଭର ସମତଳ ଅଂଚଳରେ ସବୁ ନଈ ଶୁଖିସାରିଚି।

ସେ ହସିଲା। ଛୋଟିଆ ଅଥଚ ପ୍ରଭାବଶାଳୀ ସେ ହସ। କିଛି ଉତ୍ତର ଦେଲା ନାହିଁ। ଚାଲୁଚାଲୁ ମୋତେ ଅତିକ୍ରମ କରିଗଲା। ମୁଁ ବାଧ୍ୟ ହୋଇ ତା’ ପଛେପଛେ ଚାଲିଲି। ଚାଲିଲି ମୂଢ଼ ପରି। ଛୁଆ ଧରାବାଲାର ସମ୍ମୋହନରେ ବଶୀଭୂତ ହେଲାପରି। ଚାପିଚାପି।

ପଛର ଷ୍ଟ୍ରୀଟ‌୍‍ ଲାଇଟ‌୍‍ ଘୁଞ୍ଚିଘୁଞ୍ଚି ଗଲା । ଆଗର ଷ୍ଟ୍ରୀଟ‌୍‍ ଲାଇଟ‌୍‍ ଘୁଞ୍ଚିଘୁଞ୍ଚି ଆସିଲା ।

ମୋ ଛାତି ଭିତରର ରାସ୍ତାରେ କୌତୂହଳର ଲାଇଟପୋଷ୍ଟ କିନ୍ତୁ ଯୋଉଠି ସେଇଠି। ଘୁଞ୍ଚିଲା ନାହିଁ ।

ଅନେକ ସମୟ ପରେ ସେ ଝିଅ ଗୋଟେ ବେସୁରା ଗୀତ ଗାଇଲା ଚାଲୁଚାଲୁ। ମୁଁ ଶୁଣିଲି।

ତା’ର ଅନେକ ସମୟ ପରେ ସେ ଗୋଟେ ଫୁଲଭର୍ତ୍ତି ପଳାଶ ଗଛମୂଳେ ବସିଲା। ବସିଲା ଓ ମୋତେ ପଚାରିଲା ଗୋଟେ ଅଜବ ପ୍ରଶ୍ନ। କହିଲା, ତମେ ଏମିତି ଗୋଟେ ଗଛ ଦେଖିଚ, ଯୋଉ ଗଛର କୌଣସି ଛାଇ ନାହିଁ ? ବିଲ‌୍‍କୁଲ‌୍‍ ନାହିଁ ? ସେ ପ୍ରଶ୍ନ ପଚାରିବାବେଳେ ଆମ ଚାରିପାଖରେ ଭରପୂର ଅନ୍ଧାର। ଗୋଟେ ବିନିଦ୍ର ପେଚାର ହୁଟ‌୍‍ହୁଟ‌୍‍ ଏଇ ପାଖଆଖରୁ ଶୁଭୁଚି କେଉଁଠୁ ଗୋଟେ। ମୋର ଦେହ ଶୀତେଇଉଠିଲା। ସେଇ ଛାଇ ଅନ୍ଧାରରେ ମୁଁ ତାକୁ ନିରୀକ୍ଷଣ କରି ଜାଣିଲି, ତଥାପି ସେ ସୁନ୍ଦର। ଖୁବ‌୍‍ ସୁନ୍ଦର।

ମୁଁ କହିଲି, ତମେ ଭାରି ସୁନ୍ଦର ତ! ସେ କିଛି କହିନଥିଲା। ସେ ବୁଝି ପାରିଥିଲା ହୁଏତ, ତା’ ପ୍ରଶ୍ନର ଇଏ ଉତ୍ତର ନୁହେଁ। ଥିର ହୋଇକି ବସିଥିଲା କଲ‌୍‍ଭର୍ଟ ଉପରେ। ଚୁପ‌୍‍ଚାପ‌୍‍। ଉପରୁ କାକର ପଡ଼ୁଥିଲା, ମୁଣ୍ଡ ଉପରେ। କାନ୍ଧ ଉପରେ । ସେ କହିଲା ନାହିଁ କିଛି ତଥାପି।

ମୋର କ’ଣ କିଛି ପଚାରିବା ଉଚିତ‌୍‍ ଥିଲା ସେତେବେଳେ ?

ବସୁବସୁ ସକାଳ ହେଇଗଲା। ଦେଖିଲି ରାତି ପରି ସେଇ ଝିଅଟା ବି କେତେବେଳୁ ଉଠିଯାଇଚି ପାଖରୁ। କୁଆଡେ଼ ଗଲା ? ମୁଁ ଉଠି ଠିଆହେଲି।

ବିନୟ କହିଲା : ସେ ଝିଅଟା ଗୋଟେ ହାଟ‌୍‍ର୍ ପେସେଣ୍ଟ‌୍‍ ଥିଲା। ଏବେ ତାକୁ ହିଷ୍ଟ୍ରିଆ ହେଇଯାଇଚି।

ଆଶୁତୋଷ କହିଲା: ସେ ଗୋଟାଏ ତିନିମାସିଆ ପ୍ରେମିକ ଖୋଜୁଚି। ତୁ ପ୍ରକ୍ସି ପକଉନୁ ?

କ୍ଷୀରୋଦ କହିଲା: କି ସୁନ୍ଦର ଝିଅଟା! ସେ ଯଦି କଲେଜ ମାଟି ମାଡ଼ିଥାନ୍ତା, ଜାଣ ଛଇଲାଟ‌୍‍ ହେଇଯାଇଥାନ୍ତା ଚାରିଆଡେ଼। ନିଆଁ ଲାଗିଯାଇଥାନ୍ତା ସହରରେ।

ଅକ୍ଷୟ କହିଲା: ସେ ଝିଅକୁ ବିଶ୍ୱାସ ନାହିଁ । ହାର୍ଟ‌୍‍ ପେସେଣ୍ଟ‌୍‍ ବୋଲି ରାତିସାରା ଘଇତା ରୁଣ୍ଡଉଛି! ଚରାଡାହାଣୀ ପରି ବୁଲୁଚି।

ଦୀନବନ୍ଧୁ କହିଲା: ସେ ଝିଅର ଯୋଉ ରାଶି, ମୋର ବି ସେଇ। ମୋ ହାଟ‌୍‍ର୍ ଠିକ‌୍‍ ଅଛି କି ନା, କିଏ ଜାଣେ!

ଅମ୍ରେଶ କହିଲା : ଦିନସାରା ସେ କୋଉଠି ଥାଏ? ରାତିସାରା ସେ କୋଉଠି ଶୁଏ?

ଦିଲୁ କହିଲା: ଜାଣିଛନା ବେ? ସେ ଟୋକିର ଅଠର ପ୍ରେମିକ । ତା’ ସାନଭଉଣୀ ଥରେ କହୁଥିଲା ‘ଅପା ବାକ୍ସରେ ବାକ୍ସେ ଚିଠି’।

ଚିନ୍ମୟ କହିଲା : ହେ ଭଗବାନ! ଏତେ ସୁନ୍ଦରୀ ଝିଅଟି ତିଆରି କଲ ଯଦି ତାକୁ ଆୟୁଷ ଦେଲନି କାହିଁକି? ଆଟ‌୍‍ଲିଷ୍ଟ‌୍‍ ପ୍ରେମ ତ କରି ହୁଅନ୍ତା!

ହୁର୍ଷି କହିଲା: ସେ ମଲାପରେ ମୁଁ ଗୋଟେ ତାର ପେଣ୍ଟିଂ କରିବି ଓ ତା’ ନାଁ ଦେବି…? …କ’ଣ ଦେବି?

ମୁଁ କିଛି କହିଲି ନାହିଁ।

ନିଦ ହେଲା ନାହିଁ ।

ଅନେକ ରାତିଧରି ନିଦ ହେଲା ନାହିଁ ତା’ପରେ ମୋର। ଆଖି ବୁଜିଲା ମାତ୍ରେ ପରୀ ପରି ସେଇ ଝିଅଟି ଘୂରିବୁଲିଲା ମୋ କତିରେ। ତା’ର ସୁନେଲି ଆଖିପତା ସବୁ ଝଡ଼ିପଡ଼ୁଥିଲା କାକର ଟୋପା ପରି ଝର୍କା ଆରପାଖେ। ଆଖି ବୁଜୁଥିଲି। ଖୋଲୁଥିଲି। ଖୋଲିସାରି ପୁଣି ବୁଜିବାର ଉପକ୍ରମ କରୁଥିଲି । ଡାକୁଥିଲି ନିଦକୁ । ନିଦ? ସେ ତ ଥିଲା ସୁଦୀର୍ଘ ଛୁଟିରେ!

ଭାବୁଥିଲି, ଥରେ ଛୁଟି ନେଇଯିବି ଗୋଟେ ଦିନ । ସେ ଝିଅର ସାନଭଉଣୀ ହାତରେ ତାକୁ ଡକାଇବି । ପଚାରିବି… କ’ଣ ପଚାରିବି ? ନା । ଥାଉ । ମୁଁ ପୁଣି ମୋ ଇଚ୍ଛାକୁ ଜାକିଜୁକି ରଖିଦିଏ ତକିଆତଳେ ।

ତକିଆ ଝାଡ଼ିଦିଏ । ଗୋଟେ ଦିଇଟା ଛାରପୋକ ଡେଇଁ ପଳାନ୍ତି ସେଠୁ। କିନ୍ତୁ ସେ ଝିଅର ଚେହେରା ପଡ଼ିରହେ ବିଛଣାରେ। ମୁଁ ବିଛଣାକୁ ଛୁଏଁ । ଆଖି ବନ୍ଦ କରି ଭାବେ ସେଦିନ ରାତିରେ ସେ ଗାଇଥିବା ସେଇ ବେସୁରା ଗୀତର ମୁଖଡ଼ା। ମୁଁ ଗାଇବାକୁ ଚେଷ୍ଟାକରେ। ପାରେନା। ପୁଣି ଚେଷ୍ଟାକରେ ।

ସେଦିନ ବି ଚେଷ୍ଟା କରୁଥିଲି, ଯେତେବେଳେ ତା’ର ସାନଭଉଣୀ ଅତର୍କିତ ଭାବେ ଆସି କବାଟ ବାଡେ଼ଇଲା। ଖୋଲି ଦେଖିଲି, ତା’ର ଆଖି ଢ଼ଗାଢ଼ଗା ହୋଇ ଯାଇଚି। ତା’ର ଦେହସାରା ଝାଳ। ସେ କେମିତି ଗୋଟେ ଅଚିହ୍ନା ଆତଙ୍କକୁ ଜାବୁଡ଼ି ଧରିଚି ତା’ ମୁହଁରେ। ଖଣ୍ଡିଖଣ୍ଡି ଭାଷାରେ କହିଲା : ଅପା ହସ‌୍‍ପିଟାଲ‌୍‍ରେ । ତମକୁ ଖୋଜୁଚି। ଖାଲି ତମକୁ ଖୋଜୁଚି ।

ସେ ଆହୁରି କ’ଣ କହିଥାନ୍ତା। ରାସ୍ତା ଉପରୁ ଗୋଟେ ଲୋକ ଚିତ୍କାର କଲା ଜଲ‌୍‍ଦି ଆ। ସେ ଚାଲିଯିବା ଆଗରୁ ଗୋଟେ ଚାରି ଚଉତା କାଗଜ ଗୁଂଜିଦେଇକି କହିଲା ‘ଅପା ଦେଲାଣି କାଲିଠୁ’… ଓ ଚାଲିଗଲା ଦଉଡ଼ିକି ।

କ’ଣ ଘଟୁଛି ବୁଝିପାରିବା ଆଗରୁ ଚିଠିଟି ଖୋଲିଲି। ଚିଠିର ଅକ୍ଷର ସେତେ ଭଲ ନଥିଲା। ମୋର ମନେ ପଡ଼ିଲା ଦେବଦାସ ଛୋଟରାୟଙ୍କ ଗୋଟେ କବିତାର ଧାଡ଼ି – ସୁନ୍ଦରୀ ଝିଅଙ୍କ ହାତଲେଖା ସବୁ ଅସୁନ୍ଦର।

ଚିହ୍ନିଚିହ୍ନି ପଢ଼ିଲି। ସେ ଲେଖିଥିଲା କବିତାର ଭାଷାରେ।

ଲେଖିଥିଲା: ଛାଇ ନଥିବା ଗଛତଳେ କିଏ କ’ଣ ବସେ? ମୋର ଛାଇ ନାଇଁ ବୋଲି ଗଛତଳେ ବାଟୋଇଟିଏ ନାଇଁ। ଆହୁରି ସେ ଲେଖିଥିଲା ସଜଳ ଅନୁରୋଧଟିଏ, ପାରିବ ଯଦି ଥରେ ଆସିବ । ବସିବ ସେଇ ଗଛତଳେ । ସେଇ ମୋର ଶେଷ ସ୍ୱପ୍ନ । ସେଇ ମୋର ଶେଷ ସ୍ମୃତି ।

ଇତି…ଅରୁନ୍ଧତୀ ।

ଖରା ପଡ଼ିଥିଲା ବାହାରେ। ନାଲିନାଲି ଫୁଲରେ ଭର୍ତ୍ତି ହେଇଥିଲା ପଳାଶ ଗଛ । ଦେଖିଲି, ତା’ର ଛାଇ ଅଛି । ଅରୁନ୍ଧତୀ ମତେ କାହିଁକି ଡାକିଛି ? କାହିଁକି?

ପେଣ୍ଟସାର୍ଟ‌୍‍ ଗଳେଇ ରାସ୍ତାକୁ ଆସିଲି। ଗୋଟେ ଅଳ୍ପ ବେଗରେ ଯାଉଥିବା ସ୍କୁଟର ବାଲାକୁ ହାତ ଦେଖାଇଲି। ସେ ଅଟକିଲା। ପଚାରିଲି: ଟିକେ ହସ‌୍‍ପିଟାଲ‌୍‍ ଯାଏ ଲିଫ‌୍‍ଟ ଦେବେ?

ସେ ମନାକଲା ।

ଟାଉନ୍ ବସରେ ଯାଇ ହସ‌୍‍ପିଟାଲ‌୍‍ରେ ପହଞ୍ଚିଲା ବେଳକୁ ଗୋଟେ ନିର୍ଦ୍ଦିଷ୍ଟ ୱାର୍ଡ଼ରୁ ସ୍ତ୍ରୀଲୋକଙ୍କ ବାହୁନା ଶୁଭୁଥିଲା।

ମୁଁ ଆଉ ଭିତରକୁ ଗଲିନାହିଁ।

ସରୋଜ ବଳ
ଫୋନ୍‌ ନମ୍ବର: ୯୯୩୮୫୩୯୩୭୯