ଈଶ୍ୱରରୁ ଈଶ୍ୱରୀ- ଏକ ଉତ୍ତରଣ

ଶେଷରେ ଦିନେ ଅପାର ଫ୍ରକ ପିନ୍ଧି ଟିକିଲି ଲଗାଇ ସ୍କୁଲକୁ ଯିବାକୁ ବାହାରିଲି। ସେଦିନ ମାଆର ସେ କରୁଣ ଚାହାଣୀ ମୋର ଆଜି ବି ମନେ ଅଛି।

  • ଡ଼ଃ ରୀନା ରାଉତରାୟ

ଈଶ୍ୱର ….ଈଶ୍ୱର…ଟିକେ ଶୁଉଣୁ, ଅବୁଝା ହୋଅନି ..ମୋ ବାପାଟା ପରା..

ପଛରେ କାନ୍ଦି କାନ୍ଦି ଦୌଡୁଥିଲେ ମାଆ। ଅଣନିଃଶ୍ୱାସୀ ହୋଇ ଦୌଡୁଥିଲି ଶୈଶବର ସମସ୍ତ ଲାଞ୍ଛନା ଅପମାନ ଓ ତିକ୍ତ ଅନୁଭୂତିରୁ ବହୁତ ଦୂରକୁ ଆଉ ଦୂରକୁ…।

ଦେହକୁ ପଥର କରି ଦେଇଥିଲି। ବାପାଙ୍କ ମାଡ଼ ମୋତେ ଫରକ ପଡୁ ନ ଥିଲା କି ସ୍କୁଲରେ ସାଙ୍ଗମାନଙ୍କ ତାତ୍ସଲ୍ୟ କିମ୍ବା ପ୍ରତିଦିନ ଅପାର ଅଭିଯୋଗ।

ଛୋଟ ବେଳୁ ଝିଅମାନଙ୍କ ସହିତ ସାଙ୍ଗ ହେବାକୁ ଭଲ ଲାଗୁଥିଲା। ସେମାନଙ୍କ ବେଶ ପୋଷାକ ମୋତେ ଖୁବ ଆକର୍ଷଣୀୟ ଲାଗେ।

ହାଫ ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଜମା ଇଚ୍ଛା ହୁଏନି। ସେଥିପାଇଁ ଘରେ ଲୁଚାଇ ଲୁଚାଇ ଅପାର ଫ୍ରକ ପିନ୍ଧି ଟିକିଲି ଲଗେଇ ଅପା ପରି ସଜ ହୁଏ।

ପ୍ରଥମେ ପ୍ରଥମେ ସମସ୍ତେ ହସୁଥିଲେ। ଧୀରେ ଧୀରେ ମୁଁ ଯେତେ ବଡ଼ ହେଉଥାଏ ମୋ ଭିତରେ ନାରୀଟିଏର ସମସ୍ତ ଇଚ୍ଛା ବଳବତ୍ତର ହେବାକୁ ଲାଗିଲା। ଶେଷରେ ଦିନେ ଅପାର ଫ୍ରକ ପିନ୍ଧି ଟିକିଲି ଲଗାଇ ସ୍କୁଲକୁ ଯିବାକୁ ବାହାରିଲି। ସେଦିନ ମାଆର ସେ କରୁଣ ଚାହାଣୀ ମୋର ଆଜି ବି ମନେ ଅଛି। ମାଆ ବୁଝି ପାରିଥିଲା ମୋର ଏହି ପରିବର୍ତ୍ତନକୁ। ଦୌଡ଼ି ଆସି ଆଉଁସି ପକେଇ କୋଳେଇ ନେଇ କହିଲା ଧନରେ ବଡ଼ କଷ୍ଟକର ତୋ ଜୀବନ। ସେଦିନ ବୁଝି ପାରି ନ ଥିଲି। ମୋତେ ଭଲ ଲାଗୁଛି ଝିଅ ହୋଇ ବଞ୍ଚିବାକୁ। ଏଥିରେ ମୋ ଭୁଲ କେଉଁଠି? ଶରୀର ମୋର ପୁଅ ହୋଇ ପାରେ, କିନ୍ତୁ ମୋର ଭାବନା ମୋର ସ୍ୱପ୍ନ ତ ସବୁ ଝିଅ। ମୋ ଜୀବନ ମୁଁ ଯେମିତି ବଞ୍ଚିବି। ଏଥିରେ ଦୁଃଖ ବା କଣ? ମାଆକୁ କହିଲି ମାଆ ମୋର ନାମ ବଦଳାଇ ଐଶ୍ୱର୍ଯ୍ୟା କରି ଦିଅନ୍ତୁନି? ମାଆ ମୋର ପାଟିକୁ ଚାପି ଧରିଲା। ତା’ର ଦୁଇ ଆଖିରୁ ଲୁହ ଧାର ବୋହି ଚାଲିଥାଏ। ବାପା ନଥିଲେ ସେଦିନ।

ବୋଧହୁଏ ବାପାଙ୍କୁ ପରେ କହିଥିଲା ମାଆ..

ଆଜି ମାଆ ପିଠିରେ ମାଡ଼ର ମୋଟା ମୋଟା ଚିହ୍ନ ଦେଖି ନିଜକୁ ଧିକ୍କାରି ଥିଲି। ମୋ ପରି ମାଇଚିଆକୁ ଜନ୍ମ ଦେବା ମୋ ମାଆ ପାଇଁ ଏକ ଅଭିଶାପ ଥିଲା। ମାଆ ପ୍ରତିଦିନ ବାପାଙ୍କ ପାଖରୁ ମାଡ଼ ଖାଏ ଏମିତି ଏକ ସନ୍ତାନକୁ କାହିଁକି ଜନ୍ମ ଦେଲା ବୋଲି।

ଆଣ୍ଟି! ଘରୁ ବାହାରି ଆସି ଭାବିଥିଲି ବୋଧହୁଏ ସେ ତିକ୍ତ ଅତୀତରୁ ମୁକ୍ତି ପାଇଗଲି। କିନ୍ତୁ ମୋ ସହିତ ଥିବା ମୋର ଏ ଶରୀର ଥିବା ଯାଏ ଯେ ମୋର ଏହି ଯନ୍ତ୍ରଣା ମୋ ପଛ ଛାଡ଼ିବନି ବୋଲି ଯେବେ ଜାଣିଲି ନିଜକୁ ଶେଷ କରିଦେବାକୁ ଟ୍ରେନ ଲାଇନକୁ ଡେଇଁ ପଡିଲି। ବାସ …ଚେତା ଆସିଲା ବେଳକୁ ନିଜକୁ ପାଇଲି ଏକ ବସ୍ତିରେ। ଟ୍ରେନ ଲାଇନ କଡ଼କୁ ଲାଗିଥିବା ଏହି ବସ୍ତିର ଲୋକ ମୋତେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଆଣିଥିଲେ। ସେମାନଙ୍କ ସେବା ଯତ୍ନରେ ଏକ ପୁନର୍ଜନ୍ମ ଲାଭ କଲି। ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଜାଣିବାକୁ ପାଇଲି ସେ ବସ୍ତିଟି ମୋରି ପରି ତୃତୀୟ ଲିଙ୍ଗମାନଙ୍କର ବାସସ୍ଥାନ।

ବାସ ..ତାପରର ଜୀବନ ତ ଆପଣ ଜାଣନ୍ତି ଆଣ୍ଟି!

ଐଶ୍ୱର୍ଯ୍ୟା କେତେବେଳେ କାନ୍ଦୁଥିଲା ତ ପୁଣି ହସିଦେଇ ଲୁହକୁ ଦୁଇ ହାତରେ ପୋଛିଦେଇ ଲୁହ ମିଶା ପାପୁଲିରେ ତାଳି ବାଡ଼େଇ ବାଡ଼େଇ ଦୂରକୁ ପଳେଇ ଯାଉଥିଲା।

ବିଷ ଓ ଅମୃତ ମନ୍ଥନରେ ରୁନ୍ଧି ହେଉଥିଲା ମୋ ହୃଦୟ।

ଏଇ କିଛିଦିନର ପରିଚୟ ଐଶ୍ୱର୍ଯ୍ୟା ସହିତ। ଘର କାମ ପାଇଁ ବେସରକାରୀ ସଂସ୍ଥାରୁ ଭଲ ସ୍ତ୍ରୀ ଲୋକଟିଏ ପାଇଁ ଯୋଗାଯୋଗ କରିବାରୁ ଝିଅଟିଏ ପଚାରିଲା ମ୍ୟାଡ଼ମ ଗୋଟିଏ ଭଲ ଝିଅଟି ଅଛି। କିନ୍ତୁ….।

କିନ୍ତୁ କଣ?

ନାଇଁ ସେ ମାଇଚିଆଟା। କିନ୍ତୁ ଭଲ ପିଲାଟା। ଯଦି ଆପଣଙ୍କର କିଛ ଅସୁବିଧା ନ ଥିବ ତାକୁ ପଠେଇବି?

କହିଲି ଆରେ ଏ କି କଥା? ଆଜି ପଠେଇ ଦିଅ ତାକୁ।

ତା’ ପରଦିନ ସେ ଆସିଲା। ଧଳା ଓ ଗୋଲାପି ରଙ୍ଗ ମିଶା ପ୍ରିଣ୍ଟର ଚୁଡ଼ିଦାର ପଞ୍ଜାବୀରେ ଗୋଲାପି ଓଢ଼ଣୀ। ପନିଟେଲ କରି ଚୁଟିକୁ ବାନ୍ଧିଛି। ମୁହଁରେ ଛୋଟିଆ ବିନ୍ଦିଟିଏ। ବେଶ ପରିଷ୍କାର ଓ ମାର୍ଜିତ। ବୟସ ୧୮/୧୯ ହେବ। ହସ ହସ ମୁହଁରେ ନମସ୍କାରଟିଏ ପକାଇ କହିଲା ଆଣ୍ଟି ମୁଁ ଐଶ୍ୱର୍ଯ୍ୟା।

ପ୍ରଥମ ଦେଖାରେ ଭାରି ଭଲ ଲାଗିଲା ତାକୁ। ମାତ୍ର ଗୋଟିଏ ଦିନ ଘର କାମ ତାକୁ ବତାଇଲି। ଦ୍ଵିତୀୟ ଦିନରୁ ମୋତେ କେବେ କହିବାକୁ ସୁଯୋଗ ବି ଦେଇନି। ଏତେ ସୁନ୍ଦର ଓ ପରିଷ୍କାର କାମ। ଠିକ ସମୟରେ ଆସେ, ଯାହା ବି କାମ କହିଲେ ଖୁବ ଆଗ୍ରହରେ କରିଦିଏ।

ଭାରି ସ୍ନେହୀ। ତା ଅତୀତ ଜୀବନ ବିଷୟରେ ଖୁବ ଜାଣିବାକୁ ଇଚ୍ଛା ଥିଲେ ବି କିଛି ପଚାରେନି। ଖୁବ ସମ୍ବେଦନଶୀଳ ଏ ବିଷୟ। ତେଣୁ ସମୟକୁ ଅପେକ୍ଷା କରିଥାଏ, କେବେ ସେ ମୋ ପାଖରେ ସହଜ ହେବ ଆଉ ନିଜେ ତା କଥା ସେ ମୋତେ କହିବ।

ଧୀରେ ଧୀରେ ଆତ୍ମୀୟତା ବଢ଼ି ଚାଲେ। ଝିଅଟିଏ ପରି ଦେହ ଖରାପ ଭଲ ମନ୍ଦ ସବୁଥିରେ ମୋ ପାଖେ ପାଖେ ରୁହେ।

ଏମିତି ଏକ ନରମ ଅପରାହ୍ନରେ ଚା କରି ଆଣି ଦେଇ ପାଖରେ ବସିଗଲା। କହିଲା ଆଣ୍ଟି ଖରାପ ଭାବିବେନି ଯଦି ଗୋଟେ କଥା କହିବି? ହଁ, କହ ପଚାରୁଛୁ କ’ଣ?

ମୋତେ ଆପଣ ମୋ ମାଆ ପରି ଲାଗନ୍ତି।

ହସି କି କହିଲି ଲାଗନ୍ତି କ’ଣ, ମୁଁ କ’ଣ ତୋ ମାଆ ନୁହେଁ କି?

ଟିକେ ଲାଜେଇ ଯାଇ ତଳକୁ ମୁହଁ ପୋତି ଦେଲା। ମୁଁ ବି ତ ଆଗ୍ରହୀ ଥିଲି ତା ବ୍ୟକ୍ତିଗତ ପରିବାର ବିଷୟରେ ଜାଣିବାକୁ। ତାକୁ ପଚାରିଦେଲି ତୋ ମାଆ କେଉଁଠି ରୁହେ କି? କେତେଦିନ ହେଲାଣି ମାଆକୁ ଦେଖିନୁ?

ଲୁହ ଛଳ ଛଳ ଆଖିରେ କହିଲା, ଦୁଇ ବର୍ଷ ପାଖାପାଖି। ମୋ ମାଆ ବହୁତ ଭଲ ଆଣ୍ଟି। ସେ ମୋତେ ବହୁତ ଭଲ ପାଏ। ବହୁତ କାନ୍ଦୁଥିବ। ମୋତେ ଖୋଜୁଥିବ। କିନ୍ତୁ ମୁଁ ସେ ନର୍କକୁ ଆଉ ଫେରିବାକୁ ଚାହୁଁନି।

କିଛି କ୍ଷଣ ଚୁପ ହୋଇ ବସିଲା। କାଳେ ବେଶୀ ଚିନ୍ତା କରି ଦୁଃଖୀ ହୋଇଯିବ ଭାବି ତାକୁ କହିଲି, ହଉ ଚାଲେ, ଉଠ ଯିବା ଗଛରେ ପାଣି ଦେବା। ପାଇପରେ ଗଛରେ ପାଣି ଦେବାକୁ ମୋତେ ବହୁତ ଭଲ ଲାଗେ। ତେଣୁ ମୁଁ ନିଜେ ଗଛରେ ପାଣି ଦିଏ। ସେ ମୋ ପଛେ ପଛେ ଚାଲିଥାଏ।

ପଚାରିଲା, ଆଣ୍ଟି ପୁରୁଷର ଶରୀରରେ ଏମିତି ଝିଅ ପରି ମନ ଆଉ ହୃଦୟ କଣ ଏତେ ବଡ଼ ଅପରାଧ?

ବୁଲିପଡ଼ି ଚାହିଁଲି ତାକୁ, ମୁହଁ ତଳକୁ କରି ବହୁତ ସାହସ ସଞ୍ଚୟ କରି ଏ କଥା ପଚାରିଲା ପରି ଲାଗିଲା।

କହିଲି, କିଏ ତୋତେ କହିଲା ଏ କଥା ପାପ ବୋଲି? ଏହା ଭଗବାନଙ୍କର ଏକ ଅନନ୍ୟ ସୃଷ୍ଟି। ଶରୀରର ଏକ ପ୍ରକାରର  ରାସାୟନିକ/ ହରମୋନର ପ୍ରକ୍ରିୟା। ଏହା ସମସ୍ତଙ୍କ ପାଖରେ ଅଳ୍ପ ବହୁତ ରହିଛି। କିନ୍ତୁ ଯେତେବେଳେ ଏହାର ଭାରସାମ୍ୟରେ ଟିକେ କମ ବେଶୀ ହୋଇଯାଏ ତାହେଲେ କିଏ ବେଶୀ ଝିଅ ପିଲା ପରି ଅନୁଭବ କରନ୍ତି ଆଉ କିଏ ପୁରୁଷ ସୁଲଭ ଅନୁଭବ ମଧ୍ୟ କରନ୍ତି। ତୁ ଏତେସବୁ କଥା କାହିଁକି ଭାବୁଛୁ?

: ଆଣ୍ଟି ଘରେ, ସ୍କୁଲରେ ଏମିତି କି କାମ କରିବାକୁ ଆସିଲା ବେଳେ ସମସ୍ତେ କାହିଁକି ଆମକୁ ବିଦ୍ରୁପ କରନ୍ତି? ମୁହଁମୋଡ଼ି ହସନ୍ତି?

କହିଲି, ବିଭିନ୍ନ ବ୍ୟକ୍ତି ତାଙ୍କର ଭିନ୍ନ ଭିନ୍ନ ମାନସିକତା ନେଇ ଅନ୍ୟକୁ ବିଚାର କରନ୍ତି। ସେଥିରେ ଆମର ଯାଏ ଆସେ କ’ଣ? ଯେତେବେଳେ ତୋତେ କିଏ ବିଦ୍ରୁପ କରି ହସିବ ତୁ ତାକୁ ହସିଦେଇ ଗ୍ରହଣ କରି ଚାଲି ଆସିବୁ। ଦେଖିବୁ ଧୀରେ ଧୀରେ ତୋ ଭିତରେ ଏକ ଆତ୍ମବିଶ୍ୱାସ ବଢ଼ିବ। ତା ଛଡ଼ା ତୁ ଯେତେବେଳେ ପାଠ ପଢ଼ି ଭଲ ଚାକିରୀ କରି ନିଜକୁ ପ୍ରମାଣିତ କରି ପାରିବୁ, ଦେଖିବୁ ସେ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ହାତ ଆସ୍ତେ ଆସ୍ତେ ଯୋଡ଼ି ହୋଇ ତୋତେ ସମ୍ମାନିତ କରିବେ।

ତୁ ପାଠ ପଢୁନୁ?

ବହୁତ ଇଚ୍ଛା ଆଣ୍ଟି। ହେଲେ କେମିତି ପଢ଼ିବି? ଅଷ୍ଟମ ଶ୍ରେଣୀ ପଢ଼ିଛି। ତା ପରେ ତ ଘର ଛାଡ଼ିଲି। ଏମିତି ବାର ଦୁଆର ହେଉଛି। ଆମ ବସ୍ତିରେ ପ୍ରାୟ ମୋ ପରି ଝିଅମାନେ ଯାଇ ଭିକ୍ଷାବୃତ୍ତି କରୁଛନ୍ତି, ଆଉ ଅନେକ ଖରାପ କାମ କରି ପଇସା ରୋଜଗାର କରୁଛନ୍ତି। ମୋତେ ଏ ସବୁ ଇଚ୍ଛା ହେଲାନାହିଁ ବୋଲି କାମ କରିବାକୁ ବାହାରିଲି। ଦୁଇ ତିନି ଘର ଛାଡ଼ି ସାରିଲିଣି କାମ। କେଉଁଠି ମାଲିକାଣୀ ଯାଉଣୁ ଆସୁଣୁ ଖୁଣ୍ଟା ଦିଅନ୍ତି ତ ଆଉ କେଉଁଠି ବାବୁମାନଙ୍କର ଅଶ୍ଳୀଳ ଇଙ୍ଗିତ। ମୋତେ ଭଲ ଲାଗେ ନାହିଁ। କାମ ଛାଡ଼ି ଦିଏ।

ଓଃ .. ପେଟଟା କେମିତି ମୋଡି ହୋଇଗଲା।

କେତେ ଛୋଟ ବୟସରୁ ପିଲାଟି କେତେ କ’ଣ ନ ଭୋଗିଲାଣି!

ମନର ଭାବକୁ ଚାପି ରଖି ପଚାରିଲି ପାଠ ପଢ଼ିବୁ?

ଖୁସିରେ ଆଖି ଦୁଇଟି ଉଜ୍ଜ୍ୱଳ ଦିଶିଲା ତା’ର।

ପାଖ ସ୍କୁଲରେ ନାମ ଲେଖାଇଦେବି। ତୁ କାଲିଠାରୁ କାମକୁ ଆସିବୁନି। ସ୍କୁଲ ଯିବୁ। ପାଠ ପଢ଼ିବୁ। ପ୍ରତି ରବିବାର ମୋ ପାଖକୁ ଆସିବୁ।

ଦିନ ଗଡ଼ି ଚାଲେ ..ମାସ ବର୍ଷ ବର୍ଷ ..

ପ୍ରଥମେ ପ୍ରଥମେ ପ୍ରତି ରବିବାର ଆସେ। ସ୍କୁଲରେ କ’ଣ କ’ଣ ହେଲା କୁହେ। କେମିତି ତାକୁ ପ୍ରଥମେ ପ୍ରଥମେ ପିଲାମାନେ ଦେଖି କୁରୁକୁରୁ ହୋଇ ହସୁଥିଲେ।

ଆଣ୍ଟି, ମୁଁ ମଧ୍ୟ ଆପଣଙ୍କ କଥା ମନେ ପକାଇ ତାଙ୍କୁ ଅନେଇ ଟିକେ ହସିଦେଇ ପୁଣି ପାଠରେ ମନ ଦିଏ। କିନ୍ତୁ ଘରେ ଆସି ରାତିରେ ବହୁତ କାନ୍ଦେ। ପୁଣି ମନେପଡ଼େ ଆପଣଙ୍କ କଥା। ତୋତେ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ରାତିସାରା ବସି ପଢ଼େ। ପୁଣି ସକାଳୁ ସ୍କୁଲ ଯାଏ। କ୍ଲାସରେ ସାର୍‌ଙ୍କ ସବୁ ପ୍ରଶ୍ନର ଠିକ ଉତ୍ତର ଦିଏ। ଧୀରେ ଧୀରେ ସାର୍‌ ଓ ଦିଦିମାନେ ମୋତେ ଭଲପାଇବାକୁ ଆରମ୍ଭ କଲେ। ସାଙ୍ଗମାନେ ବି ମୋତେ ଆଦରିଲେ।

ଖୁବ ଭଲ ମାର୍କ ରଖି ପାସ କଲା ଐଶ୍ୱର୍ଯ୍ୟା। କଲେଜରେ ନାଁ ଲେଖାଇଲା। ଧୀରେ ଧୀରେ ତା’ର ଆସିବା କମ ହୋଇଗଲା। ପ୍ରତି ରବିବାର ନ ହେଲେ ମଧ୍ୟ ମାସକୁ ଥରେ ନିଶ୍ଚୟ ଆସିବ। କହେ, ଆଣ୍ଟି ସିଭିଲ ସର୍ଭିସ ପାଇଁ ପଢ଼ାପଢ଼ି କରୁଛି। ତେଣୁ ରବିବାର ହିଁ ମୋତେ ସମୟ ମିଳେ। ଜି.କେ. ପାଇଁ କୋଚିଂଗ ନେଉଛି। କିନ୍ତୁ ମଝିରେ ମଝିରେ ଫୋନ କରି ବହୁତ ଗପେ। କଲେଜରେ କେମିତି ପିଲାମାନେ ତାକୁ ଅଶ୍ଳୀଳ କଥାବାର୍ତ୍ତା କରନ୍ତି, କିନ୍ତୁ ସେସବୁକୁ ସେ ହସିଦେଇ ଆଡ଼େଇ ଚାଲେ। ତା’ର ଏକମାତ୍ର ଲକ୍ଷ୍ୟ ଥିଲା ସେ ନିଜକୁ ପ୍ରମାଣିତ କରିବ।

ଇଂରାଜୀରେ ଏମ.ଏ ପାସ କଲା।

କୌଣସି ଏକ ବେସରକାରୀ ସଂସ୍ଥାରେ ଚାକିରୀ କଲା। ସେଦିନ ବାଧ୍ୟ କରି ମୋତେ ଡାକି ନେଇ ଥାଏ ତା’ର ସଂସ୍ଥାର ତୃତୀୟ ଲିଙ୍ଗମାନଙ୍କ ଅଧିକାର ସମ୍ବନ୍ଧୀୟ ଏକ କର୍ମଶାଳାକୁ ଅତିଥି କରି।

ଏତେ ସୁନ୍ଦର ଭାବରେ ଇଂରାଜୀରେ ତା’ର ବାର୍ତ୍ତାକୁ ଉପସ୍ଥାପନ କରୁଥାଏ। ମୋ ଆଖିରେ ଲୁହ ଆସି ଯାଉଥାଏ।

ଆଜି ଠିକ ଦୁଇବର୍ଷ ପରେ ସେମିତି ଧଳା ଓ ଗୋଲାପୀ ରଙ୍ଗର ଚୁନା ଚୁନା ପ୍ରିଣ୍ଟର ଶାଢୀଟିଏ ପିନ୍ଧି ହାତରେ ମିଠା ପ୍ୟାକେଟ ଟିଏ ଧରି ସକାଳୁ ସକାଳୁ ଆସି ପହଞ୍ଚିଲା।

ଆଣ୍ଟି, ଗୋଟେ ମହିଳା କଲେଜରେ ଅଧ୍ୟାପିକା ଚାକିରୀ ପାଇଛି।

ପାଦ ଛୁଇଁ ମୁଣ୍ଡିଆ ମାରିଲା। ତାକୁ କୋଳେଇ ନେଲାବେଳକୁ ପାଖରେ ଏକ ସୁନ୍ଦର ସୌମ୍ୟ ଯୁବକ ଠିଆ ହୋଇଥିଲା। ତା ଆଡ଼କୁ ଅନେଇ ଲାଜେଇ ହସି କହିଲା, ୟେ ହେଲେ ପରେଶ। ସରକାରୀ ଚାକିରୀ କରନ୍ତି। ଆମେ ଦୁହେଁ ଦୁହିଁଙ୍କୁ ଭଲ ପାଉ। ଆମେ ଦୁହେଁ ସ୍ଥିର କରିଛୁ ସାରା ଜୀବନ ସାଙ୍ଗ ହୋଇ ରହିବୁ।

ଆଇନ ତ ଏବେ ଯାଏ ଆମକୁ ବିବାହ କରିବାର ଅନୁମତି ଦେଇନି। କିନ୍ତୁ ସାଙ୍ଗ ହୋଇ ରହି ତ ପାରିବୁ!

ପିଲାଟି ଦୁଇ ପାଦ ଆଗେଇ ଆସି ମୋ ପାଦ ଛୁଇଁ ମୁଣ୍ଡିଆ ମାରିଲା। ଖୁବ ସୁନ୍ଦର ଲାଗୁଥିଲା ଦୁହିଙ୍କ ଯୋଡ଼ି।

ହୃଦୟରୁ ଆଶୀର୍ବାଦ ଝରି ପଡ଼ିବା ସହିତ ମନକୁ ମନ ହାତ ଦୁଇ ଯୋଡ଼ି ହୋଇ ଉପରକୁ ଉଠିଗଲା। ହେ ପ୍ରଭୁ ଜଗନ୍ନାଥ ତାଙ୍କ ଦୁହିଁଙ୍କୁ ଘଣ୍ଟ ଘୋଡ଼ାଇ ରଖ!

ଶତାଦ୍ଦୀ ନଗର, ଭୁବନେଶ୍ୱର

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।