ପ୍ରେମକୁ ନେଇ ଦୁଇଟି ଘଟଣା

।। ୧ ।। ଏ ବର୍ଷର ଖରା ପିଛିଲା ସବୁ ବର୍ଷର ରେକର୍ଡ଼କୁ ଟପିଗଲା । ଏମିତି ମୁଣ୍ଡଫଟା ଖରା ହେଉଛି ଯେ ଦିନ ଦଶଟାରୁ ବି ଘରୁ ବାହାରି ହେଉନାହିଁ। ଭୁବନେଶ୍ୱରର ତାପମାତ୍ରା ଦିନେ ବାଉନ୍ ଡିଗ୍ରୀ ସେଲସିୟସ୍ ହୋଇଯିବ ବୋଲି କେହି କେବେ ଭାବିପାରି ନ ଥିଲେ। କ’ଣ କରାଯାଇପାରେ ? ଏଥିପାଇଁ ମଣିଷ ହିଁ ନିଜେ ଦାୟୀ । ଆଉ ଆଦେଶ ନାହିଁ ବାପା କେତେଥର ସମ୍ୱିତକୁ ଫୋନରେ ଅନୁରୋଧ କରି ସାରିଲେଣି […]

love copy1

love copy1

Rakesh Mallick
  • Published: Friday, 18 August 2017
  • Updated: 18 August 2017, 05:19 PM IST

।। ୧ ।।

ଏ ବର୍ଷର ଖରା ପିଛିଲା ସବୁ ବର୍ଷର ରେକର୍ଡ଼କୁ ଟପିଗଲା । ଏମିତି ମୁଣ୍ଡଫଟା ଖରା ହେଉଛି ଯେ ଦିନ ଦଶଟାରୁ ବି ଘରୁ ବାହାରି ହେଉନାହିଁ। ଭୁବନେଶ୍ୱରର ତାପମାତ୍ରା ଦିନେ ବାଉନ୍ ଡିଗ୍ରୀ ସେଲସିୟସ୍ ହୋଇଯିବ ବୋଲି କେହି କେବେ ଭାବିପାରି ନ ଥିଲେ। କ’ଣ କରାଯାଇପାରେ ? ଏଥିପାଇଁ ମଣିଷ ହିଁ ନିଜେ ଦାୟୀ । ଆଉ ଆଦେଶ ନାହିଁ ବାପା କେତେଥର ସମ୍ୱିତକୁ ଫୋନରେ ଅନୁରୋଧ କରି ସାରିଲେଣି ଘରକୁ ଆସିବାକୁ । ସମ୍ୱିତ୍ କିନ୍ତୁ ଶୁଣୁନଥିଲା। ସମ୍ୱିତର ବାପା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକରେ । ସମ୍ୱିତ୍ ଶେଷ ବର୍ଷ ଇଂଜିନିୟରିଂ ଛାତ୍ର। ତାକୁ ପାଠ ପଢ଼ାଇବା ପାଇଁ ସ୍ୱଳ୍ପ ଦରମା ପାଉଥିବା ପ୍ରାଥମିକ ଶିକ୍ଷକ ବାପା ଏଇ ବୃଦ୍ଧ ବୟସରେ କେତେ କଷ୍ଟ କରୁଛନ୍ତି। ମୂଲିଆ ଲଗାଇ ଇଟା ତିଆରି କରି ଭାଟି ଲଦି ଇଟା ପୋଡ଼ି ଇଟା ବ୍ୟବସାୟ କରୁଛନ୍ତି। ନିଜେ ସାଇକେଲ ଚଲାଇ ଏକାଏକା ବ୍ୟବସାୟ କଥା ବୁଝାବୁଝି କରୁଛନ୍ତି। ପାଠ ପଢ଼ିବା ସକାଶେ ଯିବା ଆସିବାରେ କାଳେ ସମ୍ୱିତ୍ ହଇରାଣ ହେବ ବୋଲି ତା’ ପାଇଁ କିନ୍ତୁ ଲକ୍ଷେ ଟଙ୍କାର ଦାମୀ ବାଇକଟିଏ କିଣି ଦେଇଛନ୍ତି। ଏବେ ତ ଖରାଛୁଟି ଚାଲିଛି। ତେଣୁ ବାପା ଚାହୁଁଥିଲେ ଛୁଟିରେ ପୁଅ ଘରକୁ ଆସିଲେ ମାସ ଗୋଟାଏ ତାଙ୍କ ବୋଝ ହାଲୁକା ହୋଇଯାଆନ୍ତା। ସମ୍ୱିତ୍ ନିଜେ ଟିକେ ତାଙ୍କ ବ୍ୟବସାୟ କଥା ବୁଝନ୍ତା। ସମ୍ୱିତ୍ କିନ୍ତୁ ଘରକୁ ଯାଉ ନଥିଲା। ଖରାଦିନିଆ ପାଠ୍ୟକ୍ରମ କରୁଛି ବୋଲି ବାପାଙ୍କୁ ମିଛ କହି ଭୁବନେଶ୍ୱରରେ ରହିଯାଉଥିଲା ସେ। ମେସ୍‌ରେ ରହି ବାହାର ହୋଟେଲ‌ରେ ଖାଉଥିଲା । ଘରକୁ ନ ଯିବାର କାରଣ ଥିଲା ତା’ ଗାର୍ଲଫ୍ରେଣ୍ଡ୍ ପ୍ରିୟଙ୍କା। ପ୍ରିୟଙ୍କା ଥିଲା ଧନୀ କଣ୍ଟ୍ରାକ୍ଟର‌ର ଦୁଲାଳୀ। ଅଧିକାଂଶ ସମୟ ସେ ଭିନ୍ନ ଭିନ୍ନ ଦାମୀ କାର୍‌ରେ କଲେଜକୁ ଆସେ। ମଝିରେ ମଝିରେ ସେ ସମ୍ୱିତ୍‌ର ରୁମ‌କୁ ଆସୁଥିଲା। ଅନେକ କଥା କହୁଥିଲା। ଦୁହେଁ ସାଙ୍ଗ ହୋଇ ପୁରୀ, କୋଣାର୍କ, ଗୋପାଳପୁର ଆଦି ଅନେକ ଜାଗା ବୁଲିଥିଲେ ଏଇ ଖରା ଛୁଟିରେ।

ଏଇ ତିନିଦିନ ଧରି ପ୍ରବଳ ଗରମ ହେଉଥିଲା। ଲାଗୁଥିଲା ସୂର୍ଯ୍ୟ ଯେମିତି ସାରା ପୃଥିବୀକୁ ଜାଳିପୋଡି ପକାଇବେ। ଭୁବନେଶ୍ୱର ଏବେ ଏକ ଉତ୍ତପ୍ତ ସହର ପାଲଟି ଯାଇଛି। ବିଗତ ତିନିଦିନ ଧରି ପ୍ରିୟଙ୍କାର ଦେଖା ନଥିଲା। ତା’ ସେଲ୍ ବି ଅଫ୍ ଥିଲା। ଖୁବ୍ ବ୍ୟତିବ୍ୟସ୍ତ ହୋଇପଡ଼ିଲା ସମ୍ୱିତ୍। ତାକୁ କିଛି ବୁଦ୍ଧିବାଟ ଦିଶିଲା ନାହିଁ । ଶେଷରେ ଜଣେ ବନ୍ଧୁଙ୍କ ପରାମର୍ଶରେ ସେଦିନ ସଂଧ୍ୟାରେ ସେ ଜୟଦେବ ବିହାର ଛକରେ ଥିବା ଏକ ଦାମୀ ବାର୍‌ରେ ପଶିଲା। ବାତାନୁକୁଳିତ ପରିବେଶ ଥିଲା ବାର୍ ଭିତରେ। ସେଠାରେ ଯେତିକି ଆଲୋକ ଜଳୁଥିଲା ଭିତରେ ଦିଶୁଥିଲା ଅନ୍ଧାର। କାହାରି ମୁହଁ କାହାକୁ ଦିଶୁ ନଥିଲା। ସେ ଖାଲି ଥିବା ଗୋଟେ ଚେୟାର୍ ଅକ୍ତିଆର କଲା ଓ ତୁରନ୍ତ ସୋମରସ ପରଶିବାକୁ ୱେଟ‌ରକୁ ଆଦେଶ ଦେଲା। ପାଞ୍ଚ ମିନିଟ୍ ଭିତରେ ଦୁଇ ପେଗ୍ ଉଦରସ୍ଥ କରିଦେଲା ମଧ୍ୟ। ତା’ ପାଖ ଟେବୁଲ‌ରେ ତାକୁ ପଛକରି ଦୁଇଜଣ ଯୁବକ ଯୁବତୀ ବସି ମଦ୍ୟପାନ କରୁଥିଲେ। ସେମାନେ କ’ଣ ସବୁ ଏଣୁତେଣୁ କଥା ଗପୁଥିଲେ। ପିଇବାର କିଛି ସମୟ ପରେ ସମ୍ୱିତ୍‌କୁ ନିଶା ହୋଇଗଲା। ତାକୁ ଏବେ ସବୁକିଛି ସ୍ପଷ୍ଟ ଶୁଭୁଥିଲା।

ଯୁବକଟି ଯୁବତୀକୁ ସମ୍ୱିତ୍ କଥା ପଚାରୁଥିବାର ସ୍ପଷ୍ଟ କଥା ଶୁଣିପାରିଲା ସେ। ଯୁବତୀଟି ଉଚ୍ଚ କଣ୍ଠରେ କହିଲା, ମାଇଁ ଫୁଟ୍, ଶଳା ସମ୍ୱିତଟା ଗୋଟେ ହିଞ୍ଜଡ଼ା। ମୁଁ ତା’ ରୁମକୁ ଯାଇ ଶୋଇଲି, ସେଇଟା ଶଳା ମୋ’ ଦେହକୁ ଥରେ ବି ଚାହିଁଲାନି। ଆଉ ଛୁଇଁବା ଦୂରେ ଥାଉ। ସେ କୁଆଡେ଼ ମୋତେ ବାହା ହେବ। ଯାହା କୁହ ଡ଼୍ୟାନି ଏଇ ତିନିଦିନ ତୁମେ ପୁରୀର ସି’ ପାରାଡାଇଜ୍ ହୋଟେଲରେ ମୋତେ ଯେଉଁ ସ୍ୱର୍ଗୀୟ ଦୈହିକ ସୁଖ ପ୍ରଦାନ କଲ, ସେଥିପାଇଁ ତୁମ ନିକଟରେ ଚିରଋଣୀ ମୁଁ। ଆଇ ଲଭ୍ ୟୁ ଡ଼୍ୟାନି... ଆଇ ଲଭ୍ ୟୁ।

ଚମକି ପଡ଼ିଲା ସମ୍ୱିତ୍ । ତା’ ନିଶା ଖସିଗଲା । ଭଲକରି ଆଖିମଳି ଚାହିଁଲା ସେ। ଯୁବତୀଟି ଥିଲା ତା’ ପ୍ରେମିକା ପ୍ରିୟଙ୍କା ଆଉ ଡ଼୍ୟାନି ଥିଲା ଶକ୍ତିମନ୍ତ୍ରୀଙ୍କ ଦୁଶ୍ଚରିତ୍ର ପୁଅ। ସମ୍ୱିତ୍ ରାଗ ଓ ଘୃଣାରେ ଜଳି ଉଠିଲା। ଏତେ ଥଣ୍ଡା ବାର୍ ଭିତରେ ବି ତା’ ଶରୀର ଗ୍ରୀଷ୍ମର ତୀବ୍ର ଜ୍ୱଳନଠାରୁ ଶତଗୁଣ ତେଜରେ ଜଳୁଥିଲା। କ୍ରୋଧ, କ୍ଷୋଭ, ଅଭିମାନ ଓ ଅପମାନରେ ଜଳିପୋଡ଼ି ପାଉଁଶ ହୋଇ ଯାଉଥିଲା ତା’ ଭଲ ପାଇବା।

।। ୨ ।।

ନିହାତି ଦରକାର ନ ପଡ଼ିଲେ ମୁଁ କାହାଠାରୁ ସାହାଯ୍ୟ ମାଗିବାକୁ ଇଛା କରେ ନାହିଁ । କାହାରିକୁ କେବେ ମୋ’ ସ୍ୱାର୍ଥପାଇଁ ସାମାଜିକ ଭାବରେ କି ଆର୍ଥିକ ବୋଝରେ ଛନ୍ଦି ହେବାକୁ ଦେଇନାହିଁ । ତା’ ଶତ ସହସ୍ର ଅନୁରୋଧ ସତ୍ତ୍ୱେ ବି ମୁଁ ରାଜି ହେଲି ନାହିଁ କଲିକତା ଯିବାକୁ । ପବିତ୍ର ଆସି ଆମ ଘରେ ବସିଲା । ମୋତେ କହି କିଛି ଲାଭ ହେବ ନାହିଁ ଭାବି ମୋ’ ସ୍ତ୍ରୀକୁ ତେଲ ମାଲିସ କଲା, ତାକୁ ପଟାଇଲା । ସ୍ତ୍ରୀ ଅନୁମତି ଦେବାରୁ ମୁଁ ଯିବାକୁ ହଁ ଭରିଲି । ପବିତ୍ର ତା’ ନିଜ ଖର୍ଚ୍ଚରେ ଆମ ଦୁହିଁଙ୍କ ପାଇଁ ରେଳଯୋଗେ ଭୁବନେଶ୍ୱରରୁ କଲିକତାକୁ ଓ ସେଠାରୁ ଭୁବନେଶ୍ୱର ଫେରିବା ସକାଶେ ଟିକେଟ୍ କରିଦେଲା ମୋତେ ନ ଜଣାଇ । ନିର୍ଦ୍ଧାରିତ ଦିନ ଆମେ ରେଳରେ ବସି କଲିକତା ଗଲୁ । ମୁଁ ମନା କରିବା ସତ୍ତ୍ୱେ ବି ମୋ’ ଧର୍ମପତ୍ନୀ କଲିକତାର ରହୁଥିବା ତା’ ଭଉଣୀ ଓ ଭଉଣୀଜ୍ୱାଇଁଙ୍କ ପାଖକୁ ଫୋନ‌କରି ଜଣାଇ ଦେଇଥିଲା ମୁଁ କଲିକତା ଯାଉଛି ବୋଲି । କଲିକତାରେ ପହଞ୍ଚିା ଦିନ ପ୍ରତ୍ୟୁଷରୁ ମୋ’ ଶାଳୀ ତୃପ୍ତି ନିଦ ମଳମଳ ଭାବରେ ରତିକ୍ଲାନ୍ତା ପରି କଣ୍ଠସ୍ୱର କରି ଫୋନ‌ରେ ପଚାରୁଥିଲା ମୁଁ କେଉଁଠାରେ ପହଞ୍ଚିଛି ବୋଲି । ସେତେବେଳେ ରେଳ ହାଓଡ଼ାରେ ପହଞ୍ଚିନଥିଲା ।

ହାଓଡ଼ା ଷ୍ଟେସନ‌ରୁ ସକାଳେ ଓହ୍ଲାଇ ଆମେ ଧରମ‌ତାଲାର ଏକ ଲଜ୍ ରେ ରୁମ୍ ନେଇ ରହିଲୁ । ପବିତ୍ର ତା’ କାମରେ ସକାଳ ନଅଟା ଠାରୁ ମୋତେ ବ୍ୟବହାର କଲା । ଦିନ ତମାମ କ୍ୟାମେରା କିଣାରେ ମୋତେ ସେ ଏ ବଜାରରୁ ସେ ବଜାର, ଏ ଦୋକାନରୁ ସେ ଦୋକାନ ବୁଲାଇଲା । ସେ ଦିନ ବି ତା’ କାମ ହେଲାନାହିଁ । ସଂଧ୍ୟାବେଳେ ବୁଲାବୁଲି କରି ରାତିରେ ହୋଟେଲ‌ରେ ଖାଇ ଆସି ଶୋଇଲୁ । ମୋ’ ଶାଳୀ କିତା’ ସ୍ୱାମୀ କେହିଁ ମୋତେ ଆଉ ଯୋଗାଯୋଗ କଲେ ନାହିଁ । ମୁଁ ବି ନିଜ ସମ୍ମାନ ରଖି ମୋ ଆଡୁ ତାଙ୍କୁ ଫୋନ୍ କଲିନାହିଁ କାଳେ ସେମାନେ ଭାବିବେ ମୁଁ ସେମାନଙ୍କୁ ଘରକୁ ଯିବାକୁ ବ୍ୟାକୁଳ ହେଉଛି ବୋଲି ।

ଦ୍ୱିତୀୟ ଦିନ ଗଲା । ପବିତ୍ରର ଜିନିଷ ପତ୍ର କିଣାକିଣି ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଶାଳୀ କି ତା’ ସ୍ୱାମୀ କେହି ସେମାନଙ୍କ ତରଫରୁ ଫୋନ୍ କଲେ ନାହିଁ ।

ପବିତ୍ର ମୋତେ ଛିଗୁଲାଇଲା, ପ୍ପମଣିଭାଇ ନାରୀଙ୍କ ସ୍ୱାର୍ଥପରତା ଦେଖ । ରେଭେନ୍ସାରେ ପି.ଜି. କଲାବେଳେ ତୁମ ଶାଳୀ ପ୍ରେମ କରି ଗୋଟେ ଭିକାରୀକୁ ବାହା ହୋଇ ଯାଇଥିଲା କୋର୍ଟରେ କଟକରେ । ତୁମେ ମାଡ଼ ଫୌଜଦାରୀ କରି ତା’ ଠାରୁ ଶାଳୀକୁ ଛଡେ଼ଇ ଆଣି ଭଲ ଜାଗାରେ ବାହା କରାଇବାରେ ସାହାଯ୍ୟ କଲ ଯେ ତୁମେ ତାଙ୍କ ଘର ପାଖକୁ ଆସିଛ ସେ ତୁମ ମୁହଁକୁ ବି ସ୍ଖହୁଁନାହିଁ । ସେ ଯଦି ତୁମକୁ ବଡ଼ଭାଇ ବୋଲି ଭାବିଥା’ନ୍ତା କି ତୁମେ ଯଦି ତା ମାଆ ପେଟରୁ ଜନ୍ମିତ ଭାଇ ହୋଇଥା’ନ୍ତା ? ଯେ ପର ସେ ପର; ଆପଣା ଆପଣା । ତୁମେ ସେମାନଙ୍କ ପାଇଁ ଜୀବନ ଦେଇଦେଲେ ବି ସେମାନେ କେବେବି ତୁମକୁ ନିଜର ବୋଲି ଭାବିବେ ନାହିଁ ।

ତା’ର ଏଇ କଥା ମୋ’ ଦେହରେ ନିଆଁ ଲଗାଇଦେଲା । ସେଦିନ ରାତିରେ ମୁଁ ଖାଇଲି ନାହିଁ । ତା’ ପରଦିନ ଅପରାହ୍ନ ସୁଦ୍ଧ ପବିତ୍ରର କାମ ସରିଗଲା । ତା’ ମନଖୁସି । ସଂଧ୍ୟାବେଳେ ମଦ ପିଇବା ପାଇଁ ସେ ମୋତେ ଆମେ ରହୁଥିବା ଲଜିଂ ନିକଟରେ ଥିବା ଏକ ବାର୍ କୁ ଡ଼ାକିନେଲା । ମୁଁ ତ ଟେନସନ୍ ରେ ଥିଲି । ବହୁତ ମଦ ପିଇଦେଲି । ସେ ମୋତେ ଆହୁରି ଛିଗୁଲାଉଥାଏ । ବାରମ୍ୱାର ସେଇ ଗୋଟିଏ କଥା କହୁଥାଏ ।

ଲଜ୍ଜା, ଅପମାନରେ ମୁଁ ଜଳିପୋଡ଼ି ଯାଉଥାଏ । ଏହି ସମୟରେ ମୋ ମୋବାଇଲ୍ ରିଙ୍ଗ୍ ହେଲା । ଡ଼ରିଯାଇଥିଲି କାଳେ ସ୍ତ୍ରୀଙ୍କର ଫୋନ୍ ହୋଇଥିବ । ମୁଁ ମଦ ପିଇବା କଥା ଜାଣିଲେ ଝାମେଲା। ନାନାଦି ବିଶୃଙ୍ଖଳା ଆରମ୍ଭ ହେବ । ଦେଖିଲା ବେଳକୁ ମୋ’ ଶାଶୁଙ୍କର ଫୋନ୍ । ମୁଁ ଶଙ୍କିଗଲି । ମୋ ମଦ ପିଇବାର ସାମାନ୍ୟ ଆଭାସ ଯଦି କଥୋପ-କଥନରୁ ମୋ କୁଚକ୍ରୀ ଶାଶୁ ପାଆନ୍ତି ତେବେ ସେ ମୋ’ ବିରୁଦ୍ଧରେ ମୋ ସ୍ତ୍ରୀ ମାନେ ତାଙ୍କ ଝିଅକୁ କୁମନ୍ତ୍ରଣା ଦେଇ ଆମ ଦୁହିଁଙ୍କ ଭିତରେ ଗୋଟେ ମହାଭାରତ ସୃଷ୍ଟି କରାଇବେ । ଏଇଟା ତାଙ୍କ କୁଚକ୍ରୀ, ସନ୍ଦେହୀ, ଅସହିଷ୍ଣୁ ଚରିତ୍ରର ଏକ ସାବଲୀଳ ବୈଶିଷ୍ଟ୍ୟ । ତେଣୁ ଫୋନ୍ ଅନ୍ କରି ମୁଁ ତୁନିକରି ରହିଲି ।

ଶାଶୁମା’ ସେପଟରୁ କହୁଥିଲେ, ପ୍ପବୁଝିଲୁ ମା’ ପ୍ରୀତି, ମୁଁ ତୃପ୍ତି ଆଉ ତା ବର ସତ୍ୟବାନକୁ ଫୋନ୍ କରି ଗାରୁଡ଼ିମନ୍ତ୍ର ଦେଇଦେଲି ମଣିକୁ ତାଙ୍କ ଘରକୁ ନ ଡ଼ାକିବାକୁ । ନହେଲେ ମଣି ଯୋଉ ଖୋଲାପିଲା ନା ସେଠାରେ ପହଞ୍ଚିଥିଲେ ସେ ଆମ ତୃପ୍ତିର ଚୋରାପୀରତି, ଗୋପନ ବିବାହ ଏବଂ ଇଲିଗାଲ୍ ଆବର‌ସନ୍ ତଥା କେଶ୍ ପତ୍ର ହୋଇ ତା’ ପ୍ରଥମ ସ୍ୱାମୀ ସୁରେନ୍ଦ୍ରର କଥା । ଏବର ସ୍ୱାମୀ ସତ୍ୟବାନ ଆଗରେ କହିଦିଏ ନା ତେବେ କଥା ସରିଗଲା । ଆମ ମୁଖା ଖସିଯିବ । ମୋ’ ଝିଅ ଆଉ କୋଉ କୂଳର ହେବ ନାହିଁ । ଫୋନ୍ କରି ମଣିର ବାଟ ବନ୍ଦ୍ କରି ମୁଁ ଖୁବ୍ ଭଲକାମ କଲିନା ମା’...?

ମୁଁ ଚମକି ପଡ଼ିଲି । ମୋ ଛାତି ଭିତରୁ ଅତଡ଼ାଟାଏ ସତେ ଅବା ଖସିଗଲା । ରାତି ବେଶୀ ହୋଇଯାଇଥିଲା । ଶାଶୁ ଜାଣି ନପାରି ତାଙ୍କ ଝିଅ ନମ୍ୱର ଭାବି ମୋ’ ନମ୍ୱରକୁ ଭୁଲ୍ ରେ ଡାଏଲ୍ କରି ଦେଇଥିଲେ । ସତଟା ଧରାପଡ଼ିଗଲା ମୋ ନିଶା ଉତୁରିଗଲା । ଶାଶୁଙ୍କ ହୀନଚକ୍ରାନ୍ତ କଥା ଭାବି ମୋ ପାଟିରୁ ବାହାରି ପଡ଼ିଲା, ଖୁବ୍ ଭଲକଲେ ଶାଶୁମା’, ଖୁବ୍ ଭଲକଲେ।

ଫୋନ୍- 7978973174

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos