Advertisment

କିଏ ହେବେ ମୁଖ୍ୟମନ୍ତ୍ରୀ? ସିଦ୍ଦରମୈୟା ନା ଡିକେ ଶିବକୁମାର

ଅଦ୍ୟତନ ହୋଇଛି
Karnataka assembly election result 2023

Karnataka assembly election result 2023

Advertisment

କଂଗ୍ରେସ ବିଭିନ୍ନ ଆସନରେ ଆଗେଇ ଚାଲିଥିବା ବେଳେ ବିଜେପି ପଛରେ ରହିଯାଇଛି। 

  • May 13, 2023 16:08 IST

    ଭଲ ଅଫର ଛାଡ଼ି କଂଗ୍ରେସରେ ମିଶିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ହାରିଗଲେ

    କର୍ଣ୍ଣାଟକାରେ କଂଗ୍ରେସ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଦଳ ୯୩ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୪୫ଟିରେ ଆଗୁଆ ରହିଛି। ତେବେ ଦଳର ଏତେ ସଫଳତା ମଧ୍ୟରେ ଖୁସି ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। କାରଣ ସେ ନିଜେ ହାରି ଯାଇଛନ୍ତି।

    ଜଗଦୀଶ ଶେଟ୍ଟାର ବିଜେପିର ମହେଶ ତେଙ୍ଗିନାକାଇଙ୍କ ନିକଟରୁ ପ୍ରାୟ ୩୦ ହଜାର ଭୋଟରେ ପରାସ୍ତ ହୋଇଛନ୍ତି।

    ଜଗଦୀଶ ଶେଟ୍ଟାର ବିଜେପିରେ ଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ଦେଲା ନାହିଁ। ତେଣୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଲେ। କଂଗ୍ରେସ ତାଙ୍କୁ ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରିଥିଲା।

    ଜଗଦୀଶ ଶେଟ୍ଟାର କଂଗ୍ରେସ ରେ ଯୋଗ ଦେବା ପରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା କହିଥିଲେ ଯେ ସେ ବଡ଼ ଭୁଲ କରିଛନ୍ତି।

    ୟେଦ୍ୟୁରପ୍ପା କହିଥିଲେ, ଆମେ ତାଙ୍କୁ (ଜଗଦୀଶ ଶେଟ୍ଟାର) ରାଜ୍ୟସଭା ପଠାଇବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। ଆମେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଧ୍ୟ କରିଥାଆନ୍ତୁ। ଅମିତ ଶାହ ନିଜେ ତାଙ୍କ ସହିତ କଥା ହୋଇଥିଲେ। ମୁଁ ଭାବୁଛି ସେ ଦଳ ଛାଡ଼ି ଭୁଲ କରିଛନ୍ତି। ଆମେ ତାଙ୍କୁ ସବୁ ସମୟରେ ସମର୍ଥନ କରି ଆସୁଥିଲୁ।

    ଅନ୍ୟପକ୍ଷରେ ଜଗଦୀଶ ଶେଟ୍ଟାର ବିଜେପି ଛାଡ଼ିବା ସମୟରେ କହିଥିଲେ ଯେ ଦଳ ତାଙ୍କୁ ଅଣଦେଖା କରିଛି। ତାଙ୍କ ସହିତ ଦଳ ଭଲ ବ୍ୟବହାର କରି ନାହିଁ।

  • May 13, 2023 15:27 IST

    କର୍ଣ୍ଣାଟକାରେ ବନ୍ଦ ହେଲା ଘୃଣାର ବଜାର: ରାହୁଲ ଗାନ୍ଧି

    କର୍ଣ୍ଣାଟକାରେ କଂଗ୍ରେସର ଐତିହାସିକ ବିଜୟ ଏକ ପ୍ରକାରର ନିଶ୍ଚିତ ହୋଇ ସାରିଛି। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୯୩ଟି ଆସନରେ ଜିତି ସାରିଲାଣି। ସେହିପରି ଦଳ ଆଉ ୪୫ଟି ଆସନରେ ଲିଡ୍‌ କରୁଛି। ବିଜେପି ୩୬ଟି ଆସନରେ ଜିତିଛି ୨୬ଟି ଆସନରେ ଆଗରେ ରହିଛି।

    କଂଗ୍ରେସ ବିଜୟ ଆଡ଼କୁ ଯାଉଥିବା ବେଳେ ଦିଲ୍ଲୀ ମୁଖ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ଏହି ବିଜୟ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କର୍ଣ୍ଣାଟକାରେ ଘୃଣାର ବଜାର ବନ୍ଦ ହୋଇଛି ବୋଲି ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି।

    ସେ କହିଛନ୍ତି, “କର୍ଣ୍ଣାଟକାରେ ଘୃଣାର ବଜାର ବନ୍ଦ ହୋଇଛି। ପ୍ରେମର ଦୋକାନ ଖୋଲିଛି। ଏହା ସମସ୍ତଙ୍କର ବିଜୟ। ପ୍ରଥମେ ଏହା କର୍ଣ୍ଣାଟକାର ଲୋକଙ୍କ ବିଜୟ। ନିର୍ବାଚନ ବେଳେ ମୁଁ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୫ଟି ପ୍ରତିଶ୍ରୁତି ଦେଇଥିଲୁ। ସେହି ୫ ପ୍ରତିଶ୍ରୁତିକୁ ଆମେ ପ୍ରଥମ କ୍ୟାବିନେଟରେ ଅନୁମୋଦନ ଦେବୁ। କର୍ଣ୍ଣାଟକାବାସୀଙ୍କୁ ଧନ୍ୟବାଦ। ଜୟ ହିନ୍ଦ।”

    କଂଗ୍ରେସ ଗୃହ ଜ୍ୟୋତି ଯୋଜନାରେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ଅନ୍ନ ଭାଗ୍ୟ ଯୋଜନାରେ ପ୍ରତି ବିପିଏଲ ପରିବାରର ସଦସ୍ୟଙ୍କୁ ୧୦ କେଜି ଲେଖାଏ ଚାଉଳ, ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଗ୍ରାଜ୍ୟୁଏଟ ମାନଙ୍କୁ ମାସିକ ୩ ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫ଶହ ଟଙ୍କାର ଭତ୍ତା ଏବଂ ମହିଳାମାନଙ୍କୁ ସକ୍ଷୀ ଯୋଜନାରେ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

  • May 13, 2023 14:24 IST

    କିଏ ହେବେ ମୁଖ୍ୟମନ୍ତ୍ରୀ? ସିଦ୍ଦରମୈୟା ନା ଡିକେ ଶିବକୁମାର

    କର୍ଣ୍ଣାଟକାରେ କଂଗ୍ରେସ ଐତିହାସିକ ବିଜୟ ଅଭିମୁଖେ ଯାଉଛି। ଦଳ ୧୩୫ଟି ଆସନରେ ଲିଡ୍‌ କରୁଥିବା ବେଳେ ବିଜେପି ଯଥେଷ୍ଟ ପଛରେ ରହିଛି। କଂଗ୍ରେସ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ ଉପରେ ସମସ୍ତେ ଫୋକସ କରିବା ଆରମ୍ଭ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ଜଣ ବରିଷ୍ଠ ନେତା ଦୌଡ଼ରେ ରହିଛନ୍ତି। ଗୋଟିଏ ପଟେ ସିଦ୍ଦରମୈୟା ଓ ଅନ୍ୟପଟେ ଡିକେ ଶିବକୁମାର ଅଛନ୍ତି। ସିଦ୍ଦରମୈୟା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଶିବକୁମାର ହେଉଛନ୍ତି ରାଜ୍ୟ କଂଗ୍ରେସ ମୁଖ୍ୟ।

    ଉଭୟ ନେତା ମୁଖ୍ୟମନ୍ତ୍ରୀ ହେବା ଆଶାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କଲେ ଅନ୍ୟ ଜଣଙ୍କ କ୍ୟାମ୍ପରେ ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ହାଇକମାଣ୍ଡ ଏପରି ସ୍ଥିତିକୁ କେମିତି ମୁକାବିଲା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

    ୭୫ ବର୍ଷୀୟ ସିଦ୍ଦରମୈୟା ଶେଷଥର ପାଇଁ ନିର୍ବାଚନ ଲଢ଼ୁଥିବା ଘୋଷଣା କରି ସାରିଛନ୍ତି। ତାଙ୍କ ପୁଅ ଯତୀନ୍ଦ୍ରନାଥ ସିଦ୍ଦରମୈୟା ମଧ୍ୟ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହିଛନ୍ତି। କିନ୍ତୁ ଡିକେ ଶିବକୁମାର ଆଜି ବିଜୟ ଦେଖି କାନ୍ଦି ପକାଇଛନ୍ତି। ଏଥିସହ ସେ କର୍ଣ୍ଣାଟକା ପାଇଁ ସବୁ କିଛି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଗାନ୍ଧି ପରିବାର ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

    ତେଣୁ ସେ ମଧ୍ୟ କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି। କଂଗ୍ରେସକୁ କର୍ଣ୍ଣାଟକାରେ ବିଜୟ କରିବା ପଛରେ ଶିବକୁମାରଙ୍କ ବଳିଷ୍ଠ ଭୂମିକା ରହିଛି। ସେ ଦଳର ପୂରା ପ୍ରଚାର ଦାୟିତ୍ୱରେ ରହିବା ସହ ସବୁ କିଛି ନିଜେ ତଦାରଖ କରୁଥିଲେ।

    ଅନ୍ୟପକ୍ଷରେ ବିଭିନ୍ନ ଗଣମାଧ୍ୟମ କରିଥିବା ସର୍ଭେରେ କର୍ଣ୍ଣାଟକାବାସୀ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରୁଥିବା ଜଣାପଡ଼ିଛି। ଏହି ଖବର ଶିବକୁମାରଙ୍କ କ୍ୟାମ୍ପକୁ ନିରାଶ କରିପାରେ। ହେଲେ ସବୁ କିଛି ଏବେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି।

    ସିଦ୍ଦରମୈୟା ପ୍ରଥମଥର ପାଇଁ ୧୯୮୩ରେ କର୍ଣ୍ଣାଟକା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୪ରେ ସେ ଜନତା ଦଳ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ଏହାର ୧୦ ବର୍ଷ ଅର୍ଥାତ ୨୦୦୪ରେ ସେ ଜନତା ଦଳ ସେକ୍ୟୁଲାର ବା ଜେଡିଏସରେ ମିଶିଥିଲେ।

    କିନ୍ତୁ ଏଚଡି ଦେବଗୌଡ଼ାଙ୍କ ସହ ତିକ୍ତତା ଯୋଗୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ବହିଷ୍କାରର ଦୁଇ ବର୍ଷ ପରେ ଅର୍ଥାତ ୨୦୦୮ରେ ସିଦ୍ଦରମୈୟା କଂଗ୍ରେସରେ ସାମିଲ ହୋଇଥିଲେ। ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

    ସିଦ୍ଦରମୈୟାଙ୍କ ଠାରୁ ଶିବକୁମାର ୧୪ ବର୍ଷ ସାନ। ସେ ମଧ୍ୟ ସ୍ପଷ୍ଟ ଭାବେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା କହିଛନ୍ତି। ୬୧ ବର୍ଷୀୟ ଶିବକୁମାର କଂଗ୍ରେସ ପାଇଁ ଦୀର୍ଘ ବର୍ଷ ହେଲାଣି ସଙ୍କଟମୋଚକ ଭାବେ କାମ କରି ଆସୁଛନ୍ତି।

    କର୍ଣ୍ଣାଟକାର ଅନ୍ୟତମ ଧନୀ ରାଜନେତା ହେଉଛି ଡିକେ ଶିବକୁମାର। ୧୯୮୯ରେ ସେ ପ୍ରଥମଥର କଂଗ୍ରେସ ଟିକେଟରୁ ହିଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ କଂଗ୍ରେସ ସହ ରହିଛନ୍ତି ଓ ବିଜୟ ମଧ୍ୟ ହେଉଛନ୍ତି।

  • May 13, 2023 13:21 IST

    ଜିତିଲେ କଂଗ୍ରେସର ରାଜ୍ୟ ମୁଖ୍ୟ ଡିକେ ଶିବକୁମାର, ପୂରା ରେଜଲ୍ଟ ଦେଖି ଖୁସିରେ କାନ୍ଦି ପକାଇଲେ

    କର୍ଣ୍ଣାଟକାରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ବେଳେ ରାଜ୍ୟ ମୁଖ୍ୟ ଡିକେ ଶିବକୁମାର ଏକତରଫା ବିଜୟ ହାସଲ କରିଛନ୍ତି। ସେ କନକପୁରା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବିପୁଳ ଭୋଟ ବ୍ୟବଧାନରେ ଜେଡିଏସ୍‌ ଓ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି।

    ଶିବକୁମାର ୨୫,୪୦୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆର ଅଶୋକା ୩,୮୧୩ ଖଣ୍ଡ ଭୋଟ ଓ ଜେଡିଏସର ବି ନାଗାରାଜୁ ୪,୮୯୮ ଖଣ୍ଡ ଭୋଟ ପାଇଛନ୍ତି। ଶିବକୁମାରଙ୍କ ଭୋଟ ଭାଗ ୭୧.୭୨% ରହିଛି।

    ଶିବକୁମାରଙ୍କ ବ୍ୟତୀତ ଛାଲାକେରେ ଓ ଧରୱାଡ ନିର୍ବାଚନ ମଣ୍ଡଳୀରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଛାଲାକେରେରେ କଂଗ୍ରେସ ପ୍ରାର୍ଥୀ ଟି ରଙ୍ଗମୂର୍ତ୍ତି ୧୬,୪୫୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଧରୱାଡରୁ ବିନୟ କୁଲକର୍ଣ୍ଣୀ ବିଜେପି ପ୍ରାର୍ଥୀଙ୍କୁ ୧୮,୦୩୭ ଖଣ୍ଡ ଭୋଟରେ ହରାଇଛନ୍ତି।

    କଂଗ୍ରେସ ବର୍ତ୍ତମାନ ୧୩୨ଟି ଆସନରେ ଲିଡ କରୁଥିବା ବେଳେ ବିଜେପି ୬୬ଟି, ଜେଡିଏସ ୨୨ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ରହିଛନ୍ତି। କଂଗ୍ରେସ ଏକାକୀ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆଶା ଠାରୁ ଅଧିକ ଆସନ ଜିତିବା ଏକପ୍ରକାରର ସ୍ପଷ୍ଟ ହେବାରେ ଲାଗିଛି।

    ଏପରି ବିଜୟ ପରେ ଡିକେ ଶିବକୁମାର ଖୁସରେ କାନ୍ଦି ପକାଇଛନ୍ତି। ସେ ବିଜୟର ସବୁ ଶ୍ରେୟ କଂଗ୍ରେସ କର୍ମୀଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସ କର୍ମୀ ଓ ମୋର ନେତାମାନଙ୍କ ପରିଶ୍ରମ ଯୋଗୁ ସଫଳତା ମିଳିଛି। ଲୋକମାନେ ଆମ ଉପରେ ବିଶ୍ୱାସ ଦେଖାଇଛନ୍ତି।

    ଏହା ସାମୁହିକ ନେତୃତ୍ୱର ବିଜୟ। ମୁଁ ସବୁବେଳେ କହିଛି ଯେ ଏକାଠି କାମ କଲେ ସଫଳତା ମିଳେ। ଏହା ଏକ ଆରମ୍ଭ। ଆମେ ଆଗକୁ ଅନେକ ବିକାଶ ମୂଳକ କାମ କରିବୁ।

    ଗାନ୍ଧି ପରିବାର ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ କରିଥିବା ଭରସା ଅନୁସାରେ କଂଗ୍ରେସ କାମ କରିବ। ସିଦ୍ଦରମୈୟାଙ୍କ ସମେତ କର୍ଣ୍ଣାଟକାର ସବୁ ନେତା ଓ ବିଧାୟକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।” ଏକଥା କହିବା ବେଳେ ଶିବକୁମାର ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ।

  • May 13, 2023 12:53 IST

    ମୋଦିଙ୍କୁ ଉଚିତ ଜବାବ ମିଳିଛି ବୋଲି କହିଲା କଂଗ୍ରେସ

    ସକାଳ ୮ଟାରୁ କର୍ଣ୍ଣାଟକାରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ଯଥେଷ୍ଟ ଆଗରେ ରହିଛି। କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିବା ସହ ଏବେ ୧୨୯ଟି ଆସନରେ ଆଗୁଆ ରହିଛି। ବିଜେପି ମାତ୍ର ୬୭ ଆସନରେ ଆଗରେ ଥିବା ବେଳେ ଜେଡିଏସ୍ ୨୨ଟି ଆସନରେ ଲିଡ୍‌ କରୁଛି। ଆଉ ମାତ୍ର କିଛି ରାଉଣ୍ଡ ଗଣତି ବାକି ଥିବା ବେଳେ ବିଜେପି ଏବେଠାରୁ କର୍ଣ୍ଣାଟକାରେ ପରାଜୟ ସ୍ୱୀକାର କରି ନେଇଛି।

    ନିଜେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସର୍ବସମ୍ମୁଖରେ ବିଜେପି ପରାଜୟ ସ୍ୱୀକାର କରୁଥିବା କହିଛନ୍ତି। ତେବେ ବୋମାଇ ତାଙ୍କ ଆସନ ଶିଗାଓଁରୁ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

    ଟ୍ରେଣ୍ଡରେ କଂଗ୍ରେସ ଯଥେଷ୍ଟ ଆଗୁଆ ରହିଥିବାରୁ ବୋମାଇ କହିଛନ୍ତି ଯେ “ଆମେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି କର୍ମୀମାନଙ୍କ କଠିନ ପରିଶ୍ରମ ସତ୍ତ୍ୱେ ଆମେ ସଂଖ୍ୟା ପାଇବାରେ ବିଫଳ ହୋଇଛୁ। ସଂପୂର୍ଣ୍ଣ ରେଜଲ୍ଟ ଆସିବା ପରେ ଆମେ ପରାଜୟ ପଛର କାରଣଗୁଡ଼ିକର ସମୀକ୍ଷା କରିବୁ। ଆମେ ଏହି ନିର୍ବାଚନକୁ ବେଶ ଗୁରୁତ୍ୱର ସହ ନେବୁ ଓ ଲୋକସଭା ନିର୍ବାଚନ ବେଳେ କମବ୍ୟାକ କରିବୁ।”

    ଅନ୍ୟପକ୍ଷରେ ବିଜେପି ପରାଜୟ ସ୍ୱୀକାର କରିଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ବଜରଙ୍ଗବାଲୀଙ୍କ ଭକ୍ତମାନେ ମୋଦିଙ୍କୁ ଉପଯୁକ୍ତ ଜବାବ ଦେଇଥିବା କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି।

    ସେ କହିଛନ୍ତି, “ନିକଟରେ ଶେଷ ହୋଇଥିବା ନିର୍ବାଚନ ବିଜେପିକୁ କଡ଼ା ସନ୍ଦେଶ ଦେଇଛି। ଦୟା କରି ବିଜେପି ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଭିତରେ ରହୁ। ଏଥିସହ ଦୟା କରି ସେମାନେ ଭାରତକୁ ଭାଗଭାଗ କରିବାକୁ ଚେଷ୍ଟା କରନ୍ତୁ ନାହିଁ।”

  • May 13, 2023 12:33 IST

    ଗଣତି ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର୍‌ କଲା କଂଗ୍ରେସ, ଉତ୍ସବ ଆରମ୍ଭ

    କର୍ଣ୍ଣାଟକାରେ ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ମ୍ୟାଜିକ ନମ୍ବର ବା ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ୧୧୩ ପାର କରାଯାଇଛି। ଗଣତି ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ୧୨୫ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୬୯, ଜେଡିଏସ ୨୪ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି।

    ୨୦୧୮ ତୁଳନାରେ କଂଗ୍ରେସ ୪୫ଟି ଆସନ ଅଧିକ ପାଇବାକୁ ଯାଉଥିବା ବେଳେ ବିଜେପି ୩୫ଟି ଆସନ ହରାଇବ। ସେହିପରି ଜେଡିଏସ୍‌ ୧୩ଟି ଆସନ କମ ପାଇବ ବୋଲି ବର୍ତ୍ତମାନ ସାମ୍ନାକୁ ଆସିଥିବା ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି।

    କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ବେଳେ ଦଳୀୟ କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି। କର୍ଣ୍ଣାଟକା ଠାରୁ ଆରମ୍ଭ କରି ଦିଲ୍ଲୀ ଯାଏ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ଦଳୀୟ କର୍ମୀମାନେ ବାଣ ଫୁଟାଇବା ସହ ମିଠା ବାଣ୍ଟିଛନ୍ତି। ସେହିପରି କର୍ଣ୍ଣାଟକା ନିର୍ବାଚନ ବେଳେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ବଜରଙ୍ଗବାଲୀ ନାରା ମଧ୍ୟ ଦେଇଛନ୍ତି। ଦଳୀୟ କର୍ମୀମାନେ ବଜରଙ୍ଗ ବାଲୀ ହନୁମାନଙ୍କ ବେଶରେ ଆସି ନାରାବାଜୀ କରିଛନ୍ତି। 

    ଅନ୍ୟପକ୍ଷରେ କଂଗ୍ରେସକୁ ଘୋଡ଼ା ବେପାର ଭୟ ମଧ୍ୟ ଘାରିଛି। ଏଥିସହ ସନ୍ଧ୍ୟା ସୁଦ୍ଧା କଂଗ୍ରେସ ତା’ର ନବ ନିର୍ବାଚିତ ବିଧାୟକମାନଙ୍କୁ ବେଙ୍ଗେଲୁରୁରେ ଏକାଠି ହେବାକୁ କହିଛି। ଏଠାରୁ ଦଳ ସମସ୍ତ ବିଧାୟକଙ୍କୁ ତାମିଲନାଡୁ ପଠାଇବ। ବରିଷ୍ଠ ନେତା ସିଦ୍ଦରମୈୟା କହିଛନ୍ତି ଯେ କଂଗ୍ରେସ ୧୨୦ରୁ ଅଧିକ ଆସନ ଜିତିବ ।

    ୨୦୧୮ରେ ବିଜେପି ୧୦୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୮୦ ଓ ଜେଡିଏସ୍‌ ୩୭ଟି ଆସନ ଜିତିଥିଲା।

  • May 13, 2023 12:29 IST

    କଂଗ୍ରେସ ୧୨୫ ଆସନରେ ଆଗୁଆ

    କର୍ଣ୍ଣାଟକାରେ କଂଗ୍ରେସ ୧୨୫ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୬୯ଟି ଆସନରେ ଆଗୁଆ ରହିଛି। ସେହିପରି ଜେଡିଏସ୍ ମାତ୍ର ୨୪ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ୬ଟି ଆସନରେ ଆଗୁଆ ରହିଛି। ଏହି ବ୍ୟବଧାନକୁ ଦେଖିବା ପରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ପରାଜୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଆମେ ସରକାର ଗଠନ ପାଇଁ ସଂଖ୍ୟା ହାସଲ କରିପାରୁନାହୁଁ।  

  • May 13, 2023 11:47 IST

    ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ଜଗଦୀଶ ଶେଟ୍ଟାର ପଛୁଆ

    ଟିକେଟ ନ ପାଇ କର୍ଣ୍ଣାଟକା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ପାଇଁ ଖରାପ ଖବର। ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଥିଲେ ହେଁ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ସାମାନ୍ୟ ପଛରେ ରହିଛନ୍ତି।

    ଜଗଦୀଶ ତାଙ୍କ ଗଡ଼ ଭାବେ ପରିଚିତ ହୁବାଲି-ଧରୱାଡ କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ବିଜେପି ତାଙ୍କୁ ହରାଇବା ପାଇଁ ମହେଶ ତେଙ୍ଗିନାଇକାଇଙ୍କୁ ଟିକେଟ ଦେଇଛି।

    ମହେଶଙ୍କ ପାଇଁ ବିଜେପିର ବରିଷ୍ଠ ନେତାମାନେ ପ୍ରଚାର କରିଥିଲେ। ଏହି ଆସନରେ ବିଜେପି ସବୁ ବେଳେ ଜିତିଥିଲା। କିନ୍ତୁ ଜଗଦୀଶ ଦଳ ଛାଡ଼ି ଦେଇଥିବାରୁ ଭୋଟ ବିଭାଜନର ଆଶଙ୍କା ପ୍ରକାଶ ପାଇଛି। ତଥାପି ବିଜେପି ତା’ର ଗଡ଼କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଛି। ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ବିଜେପି ପ୍ରାର୍ଥୀ ମହେଶ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ଶେଟ୍ଟାରଙ୍କ ଠାରୁ ପ୍ରାୟ ୨୫ ଶହ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।

    ଅନ୍ୟପକ୍ଷରେ କଂଗ୍ରେସ ହେଭିୱେଟ ସିଦ୍ଦରମୈୟା ବରୁଣା ଆସନରୁ ଓ ଡିକେ ଶିବକୁମାର ମଧ୍ୟ ନିଜ ଆସନରେ ଆଗରେ ରହିଛନ୍ତି। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ତାଙ୍କ ପୁଅ ନିଖିଲ ମଧ୍ୟ ଲିଡ୍‌ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କ ପୁଅ ପ୍ରିୟଙ୍କ ପ୍ରଥମେ ପଛରେ ରହିଥିଲେ। ହେଲେ ଏବେ ସେ ମଧ୍ୟ ଆଗରେ ଅଛନ୍ତି। 

    କର୍ଣ୍ଣାଟକାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିଲେ କଂଗ୍ରେସ ୧୧୬ଟି ଆସନ, ବିଜେପି ୭୬, କଂଗ୍ରେସ ୨୫ ଓ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ରହିଛନ୍ତି।

  • May 13, 2023 11:29 IST

    ବଜରଙ୍ଗ ବାଲୀ ନାରା ଦେଇ ବିଜେପିକୁ ଚିଡ଼ାଇଲା କଂଗ୍ରେସ

    କର୍ଣ୍ଣାଟକାରେ କଂଗ୍ରେସ ଜିତିବାକୁ ଯାଉଥିବାରୁ ଦିଲ୍ଲୀରେ ଥିବା ଦଳ ମୁଖ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। କର୍ଣ୍ଣାଟକାରେ କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିଯିବ ବୋଲି ବର୍ତ୍ତମାନର ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। ଏଥିପାଇଁ କଂଗ୍ରେସ ମୁଖ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ କର୍ମୀମାନେ ଏକାଠି ହୋଇ ବିଜୟ ଉତ୍ସବ ମନାଇଛନ୍ତି।

    ତେବେ ଏସବୁ ଭିତରେ କର୍ଣ୍ଣାଟକା ନିର୍ବାଚନ ବେଳେ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବଜରଙ୍ଗ ବାଲୀ ନାରା ଦେଇ କଂଗ୍ରେସ ପ୍ରତିପକ୍ଷ ବିଜେପିକୁ ଚିଡ଼ାଇଛି। କଂଗ୍ରେସର ଅନେକ କର୍ମୀ ବଜରଙ୍ଗ ବାଲୀ ହନୁମାନଙ୍କ ବେଶ ଆସି ଦଳୀୟ ସେଲିବ୍ରେସନରେ ସାମିଲ ହୋଇଛନ୍ତି। ସେମାନେ ବିଭିନ୍ନ ପ୍ରକାରର ନାରା ଦେଇ ବିଜେପକୁ ଚିଡ଼ାଇଛନ୍ତି।

    ହନୁମାନ ବେଶରେ ଥିବା ଜଣେ କଂଗ୍ରେସ କର୍ମୀ କହିଛନ୍ତି, “ବଜରଙ୍ଗ ବାଲୀ ବିଜେପି ସହ ନୁହେଁ, କଂଗ୍ରେସ ସହ ରହିଛନ୍ତି। ବଜରଙ୍ଗ ବାଲୀ ବିଜେପି ଉପରେ ଫାଇନ ମଧ୍ୟ ଲଗାଇ ଦେଇଛନ୍ତି।” ନିର୍ବାଚନ ବେଳେ କଂଗ୍ରେସ ବିଦ୍ୱେଷ ସୃଷ୍ଟି କରୁଥିବା ପିଏଫଆଇ ଓ ଦକ୍ଷଣି ପନ୍ଥୀ ସଂଗଠନ ବଜରଙ୍ଗ ଦଳକୁ ବ୍ୟାନ କରିବ ବୋଲି କହିଥିଲା।

    ଏହାକୁ ନେଇ ବିଜେପି କାଉଣ୍ଟର ଆଟକା କରିବା ସହ ବଜରଙ୍ଗ ବାଲୀ ହନୁମାନଙ୍କୁ କଂଗ୍ରେସ ଚାବି ପକାଇ ରଖି ଦେବାକୁ ଚାହୁଁଛି କହିଥିଲେ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜରଙ୍ଗ ବାଲୀ ନାରା ଦେଇ କଂଗ୍ରେସକୁ କାଉଣ୍ଟର ଆଟାକ କରିଥିଲେ। ବିଭିନ୍ନ ସ୍ଥାନରେ ଦକ୍ଷିଣ ପନ୍ଥୀ ସଂଗଠନଗୁଡ଼ିକ ମଧ୍ୟ କଂଗ୍ରେସ ବିରୋଧରେ ବିକ୍ଷୋଭ କରିଥିଲେ।

    ବଜରଙ୍ଗ ବାଲୀଙ୍କୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ ବ୍ୟାକଫୁଟରେ ରହିଥିଲା। କଂଗ୍ରେସ ତାଳି ପକାଇବାକୁ ଉଦ୍ୟମ କରି ପୂରା କର୍ଣ୍ଣାଟକାରେ ହନୁମାନ ମନ୍ଦିର ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲା। ଏବେ କଂଗ୍ରେସ କର୍ଣ୍ଣାଟକାରେ ଜିତିବାକୁ ଯାଉଥିବାରୁ ଦଳର କର୍ମୀମାନେ ବଜରଙ୍ଗ ବାଲୀ ନାରା ଦେଇ ବିଜେପିକୁ ଚିଡ଼ାଇଛନ୍ତି।

  • May 13, 2023 11:10 IST

    କଂଗ୍ରେସକୁ ଘାରିଲା ଘୋଡ଼ା ବେପାର ଭୟ, ବିଧାୟକମାନଙ୍କୁ ତାମିଲନାଡୁ ପଠାଇବାକୁ ଯୋଜନା

    କର୍ଣ୍ଣାଟକାରେ ବିଜୟ ବାସ୍ନା ପାଇବା ପରେ ଏବେ କଂଗ୍ରେସକୁ ଘାରିଛି ଘୋଡ଼ା ବେପାର ଭୟ। କାଳେ ଏଥର ନିର୍ବାଚନରେ ଜିତିଥିବା ବା ଜିତିବାକୁ ଥିବା ବିଧାୟକମାନେ ଦଳ ବଦଳ କରିବେ, ସେହି ଭୟ ଏବେ କଂଗ୍ରେସକୁ ଡରାଇବା ଆରମ୍ଭ କଲାଣି।

    ୨୦୧୮ ନିର୍ବାଚନ ପରେ କଂଗ୍ରେସ ସରକାର ଗଠନ କରିଥିଲେ ହେଁ ମାତ୍ର ଗୋଟିଏ ବର୍ଷ ପାଇଁ ଶାସନ କରିବାକୁ ସକ୍ଷମ ହୋଇଥିଲା। ଦଳର କିଛି ବିଧାୟକ ବିଦ୍ରୋହ ଘୋଷଣା କରିବାରୁ କଂଗ୍ରେସ ଓ ଜେଡିଏସ୍‌ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି କ୍ଷମତା ଦଖଲ କରିଥିଲା।

    ୨୦୧୮ ଘଟଣାକୁ କଂଗ୍ରେସ ଏଯାଏ ଭୁଲି ପାରିନି। ଏଥିହ ନିଜର ବିଧାୟକମାନଙ୍କ ଉପରେ ଦଳର ୧୦୦% ବିଶ୍ୱାସ ମଧ୍ୟ ନାହିଁ। ତେଣୁ ଦଳ ଏବେ ଠାରୁ ହିଁ ସମ୍ଭାବ୍ୟ ବିଦ୍ରୋହକୁ ଦୃଷ୍ଟିରେ ରଖି ନୂଆ ରଣନୀତି ପ୍ରସ୍ତୁତ କରିଛି।

    ନବ ନିର୍ବାଚିତ ବିଧାୟକଙ୍କୁ କଂଗ୍ରେସ ରାଜ୍ୟ ବାହାରକୁ ପଠାଇବାକୁ ଯୋଜନା କରିଛି। ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ କଂଗ୍ରେସ ତା’ର ନବ ନିର୍ବାଚିତ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ବେଙ୍ଗାଲୁରୁରେ ଏକାଠି ହେବାକୁ କହିଛି। ସମସ୍ତେ ସନ୍ଧ୍ୟା ସୁଦ୍ଧା ବେଙ୍ଗାଲୁରୁରେ ପହଞ୍ଚିବେ। ଏହାପରେ ସେଠାରୁ ସମସ୍ତେ ତାମିଲନାଡୁ ଯିବେ।

    ତାମିଲନାଡୁରେ କଂଗ୍ରେସ ଡିଏମକେ ମିଳିତ ଭାବେ ସରକାର ଗଠନ କରିଛନ୍ତି। ତେଣୁ ବିଧାୟକମାନେ ସେଠାରେ ସୁରକ୍ଷିତ ଭାବେ ରହିବେ ଓ ସେମାନେ ବିଦ୍ରୋହ କରିବା ପାଇଁ କୌଣସି ପ୍ରକାରର ସୁଯୋଗ ପାଇବେ ନାହିଁ ବୋଲି ଦଳ ଆଶା ରଖିଛି। ଏଥିପାଇଁ ସମସ୍ତଙ୍କୁ ତାମିଲନାଡୁ ପଠାଇବାକୁ କଂଗ୍ରେସ ରଣନୀତି କରିଛି।

    ତାମିଲନାଡୁକୁ କଂଗ୍ରେସ ତା’ର ବିଧାୟକମାନଙ୍କୁ ପଠାଇବ ପୂର୍ବରୁ ଡିଏମକ ନେତୃବୃନ୍ଦଙ୍କ ସହ କଥା ହୋଇଛି। ଡିଏମକେ ଓ ସ୍ଥାନୀୟ କଂଗ୍ରେସ ନେତାଙ୍କ ପକ୍ଷରୁ ନବ ନିର୍ବାଚିତ ବିଧାୟକମାନଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।

    ବିଧାୟକମାନେ କେଉଁ ହୋଟଲରେ ରହିବେ? ସେମାନଙ୍କୁ ଯେମିତି କୌଣସି ବାହାର ଲୋକ ଭେଟି ପାରିବେ ନାହିଁ, ସେସବୁ ବ୍ୟବସ୍ଥାକୁ ବର୍ତ୍ତମାନ ଠାରୁ ନିଶ୍ଚିତ କରାଯାଇଛି। ଏବେ କେବଳ ଚୂଡ଼ାନ୍ତ ରେଜଲ୍ଟକୁ ଦଳ ଅପେକ୍ଷା କରି ରହିଛି।

    ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ୧୧୮, ବିଜେପି ୭୧, ଜେଡିଏସ ୨୯ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି।

  • May 13, 2023 10:40 IST

    କର୍ଣ୍ଣାଟକା ପାଇଁ ଶିମଲା ମନ୍ଦିରରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୂଜାର୍ଚ୍ଚନା

    କର୍ଣ୍ଣାଟକାରେ ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ କରିବା ଆଶାରେ ରହିଛି କଂଗ୍ରେସ। ବର୍ତ୍ତମାନର ଟ୍ରେଣ୍ଡ ମଧ୍ୟ କଂଗ୍ରେସ ସପକ୍ଷରେ ରହିଛି।

    କର୍ଣ୍ଣାଟକାରେ କେମିତି କଂଗ୍ରେସ ବାଜିମାତ କରିବ, ସେଥିପାଇଁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶିମଲାର ଗୋଟିଏ ମନ୍ଦିରରେ ସକାଳୁ ସକାଳୁ ପୂଜାର୍ଚ୍ଚନା କରିଛନ୍ତି। ସେ ମନ୍ଦିର ଭିତରେ ବସି ପ୍ରାର୍ଥନା କରୁଥିବା ବେଳର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

    କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପ୍ରିୟଙ୍କ ଗାନ୍ଧି ଦେଶ ଓ କର୍ଣ୍ଣାଟକାରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଶିମଲାର ଜାଖୁ ଠାରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ସେଠାରେ ବସି ଅନେକ ସମୟ ପ୍ରାର୍ଥନା ମଧ୍ୟ କରିଛନ୍ତି। 

    କର୍ଣ୍ଣାଟାକରେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ବହୁ ଆଗରେ ରହିଛି। ଯଦି ଆଉ କିଛି ଘଣ୍ଟା ଏପରି ଟ୍ରେଣ୍ଡ ଜାରି ରହିବ, ତା’ହେଲେ ଦଳ ବଡ଼ ବିଜୟ ହାସଲ କରିବାକୁ ସକ୍ଷମ ହେବ।

    କଂଗ୍ରେସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ମୁଁ ଅଜୟ, ମୁଁ ଅତ୍ୟନ୍ତ ଆତ୍ମବିଶ୍ୱାସୀ। ହଁ, ଆଜି ମୁଁ ଆଉ ଅଟକିବି ନାହିଁ।” କଂଗ୍ରେସର କହିବା କଥା ଯେ ଦଳ ୨୨୪ଟି ବିଧାନସଭା ଆସନରୁ ୧୩୦ଟି ସ୍ଥାନରେ ବାଜିମାତ କରିବ।

    କଂଗ୍ରେସ ଏଠାରେ ଜିତିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଏଯାଏ ନିଷ୍ପତ୍ତି ହୋଇନି। ସିଦ୍ଦରମୈୟା ଓ ଡିକେ ଶିବ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଛନ୍ତି।

  • May 13, 2023 10:32 IST

    ହନୁମାନଙ୍କ ଭକ୍ତମାନେ ପ୍ରଧାନମନ୍ତ୍ରୀଙ୍କୁ ସଠିକ ଜବାବ ଦେଇଛନ୍ତି: ପବନ ଖେଡ଼ା

    ଭୋଟ ଗଣତିରେ କଂଗ୍ରେସ ଆଗରେ ରହିଥିବା ବେଳେ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲକୁ ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ଯେ ହନୁମାନଙ୍କ ଭକ୍ତମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଠିକ ଜବାବ ଦେଇଛନ୍ତି।

  • May 13, 2023 10:25 IST

    ରେଜଲ୍ଟ ବାହାରିନି, ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହିଲେଣି ସିଦ୍ଦରମୈୟାଙ୍କ ପୁଅ

    କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ କ୍ଷମତାସୀନ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି। ଆହୁରି ଅନେକ ରାଉଣ୍ଡ ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ଠାରୁ କଂଗ୍ରେସ ଜିତିଲେ, କିଏ ମୁଖ୍ୟମନ୍ତ୍ରୀ ହେବେ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

    ଏସବୁ ଭିତରେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପୁଅ ଯତୀନ୍ଦ୍ରନାଥ ସିଦ୍ଦରମୈୟା। ରାଜ୍ୟରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ଓ ଏକାକୀ ନିଜ କ୍ଷମତା ବଳରେ ସରକାରକୁ ଫେରିବ। କର୍ଣ୍ଣାଟକାର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କ ବାପା ଅର୍ଥାତ ସନିୟର ସିଦ୍ଦରମୈୟା କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ଯତୀନ୍ଦ୍ରନାଥ କହିଛନ୍ତି।

    ସେ କହିଛନ୍ତି, “ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଆମେ ସବୁ ପ୍ରକାରର ଉଦ୍ୟମ କରିବୁ। କର୍ଣ୍ଣାଟକାର ସ୍ୱାର୍ଥ ପାଇଁ ମୋ ବାପା ମୁଖ୍ୟମନ୍ତ୍ରୀ ହେବା ଦରକାର। ମୋ ବାପା ବରୁଣାରୁ ବିପୁଳ ଜନ ସମର୍ଥନ ପାଇ ବିଜୟ ହେବେ। କଂଗ୍ରେସ ମଧ୍ୟ କର୍ଣ୍ଣାଟକାରେ ବହୁମତ ହାସଲ କରିବ। କଂଗ୍ରେସ ଏଥର ଏକାକୀ ରାଜ୍ୟରେ ସରକାର ଗଠନ କରିବ।

    ଜଣେ ପୁଅ ହିସାବରେ ମୁଁ ମୋ ବାପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି। କିନ୍ତୁ ଜଣେ କର୍ଣ୍ଣାଟକାବାସୀ ହିସାବରେ ଗତଥର ବାପା ଉତ୍ତମ ଶାସନ ଦେଇଥିଲେ। ଯଦି ସେ ଏଥର ମୁଖ୍ୟମନ୍ତ୍ରୀ ହେବେ, ତା’ହେଲେ ବିଜେପି ସରକାର କରିଥିବା ଦୁର୍ନୀତି ଓ ଭୁଲ କାମଗୁଡ଼ିକୁ ନିଶ୍ଚିତ ଭାବେ ସୁଧାରି ପାରିବେ। ରାଜ୍ୟବାସୀ ଓ ରାଜ୍ୟର ସ୍ୱାର୍ଥ ପାଇଁ ସେ ମୁଖ୍ୟମନ୍ତ୍ରୀ ହେବା ଉଚିତ।”

    କର୍ଣ୍ଣାଟକାର ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୧୧୫, ବିଜେପି ୭୯, ଜେଡିଏସ୍‌ ୨୫ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଲିଡ୍‌ କରୁଛନ୍ତି। ସିଦ୍ଦରମୈୟା ମଧ୍ୟ ବରୁଣା ଆସନରୁ ଯଥେଷ୍ଟ ଆଗରେ ରହିଛନ୍ତି।

  • May 13, 2023 10:21 IST

    ପଛରେ ଚାଲିଛନ୍ତି ବିଜେପିର ୮ ମନ୍ତ୍ରୀ

    କର୍ଣ୍ଣାଟକାରେ ଭୋଟ୍ ଗଣତିର ୨ ଘଣ୍ଟା ପୂରି ଯାଇଥିବା ବେଳେ କଂଗ୍ରେସ ୧୧୮ଟି ଆସନରେ ଆଗେଇ ଚାଲିଥିବା ବେଳେ ବିଜେପି ୭୭ଟିରେ ଆଗୁଆ ରହିଛି। ବିଜେପିର ୮ ଜଣ ମନ୍ତ୍ରୀ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପଛୁଆ ଚାଲିଛନ୍ତି। ଜେଡିଏସ୍ ୨୫ଟି ଆସନରେ ଆଗୁଆ ଚାଲିଛି

  • May 13, 2023 10:17 IST

    ଆସନ୍ତାକାଲି ବେଙ୍ଗାଲୁରୁ ଆସିବାକୁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ନିର୍ଦ୍ଦେଶ

    କର୍ଣ୍ଣାଟକାରେ ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ଆଗରେ ରହିଛି। ଏମିତିକି ଦଳ ସେଲିବ୍ରେସନ ଆରମ୍ଭ କରିଦେଲାଣି। ତେବେ ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ତା’ର ସମସ୍ତ ବିଧାୟକଙ୍କୁ ଆସନ୍ତାକାଲି ବେଙ୍ଗାଲୁରୁ ଆସିବାକୁ କହିଛି। କାଲି ମଧ୍ୟାହ୍ନ ୧୨ଟା ବେଳେ ଦଳ ପକ୍ଷରୁ ସେମାନଙ୍କୁ ନେଇ ଏକ ବୈଠକ ବସିବ।

  • May 13, 2023 10:09 IST

    କର୍ଣ୍ଣାଟକାରେ ମାଡ଼ି ଚାଲିଛି କଂଗ୍ରେସ, ବିଜେପି ବହୁ ପଛରେ

    ଦକ୍ଷିଣ ଭାରତର ଗଡ଼ କୁହାଯାଉଥିବା କର୍ଣ୍ଣାଟକାରେ କଂଗ୍ରେସର ଦମଦାର ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ ଦେଖିଲେ କ୍ଷମତାସୀନ ବିଜେପି ଠାରୁ କଂଗ୍ରେସ ବହୁ ଆଗରେ ରହିଛି। ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, କଂଗ୍ରେସ ୧୧୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୬, ଜେଡିଏସ୍‌ ୩୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ରହିଛନ୍ତି।

    କର୍ଣ୍ଣାଟକାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଯଦି ଆଉ କିଛି ଘଣ୍ଟା ଏପରି ଟ୍ରେଣ୍ଡ ଜାରି ରହିବ, ତା’ହେଲେ କଂଗ୍ରେସ ବେଶ ସହଜରେ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହେବ।

    ତଥାପି ବିଜେପି କଡ଼ା ଟକ୍କର ଦେଉଥିବାରୁ ରାଜ୍ୟରେ ଝୁଲା ବିଧାନସଭା ଗଠନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିପାରେ। ଏଥିପାଇଁ ବିଜେପି ଓ କଂଗ୍ରେସ ବାଧ୍ୟ ହୋଇ ଜେଡିଏସ୍‌ ସହ ବ୍ୟାକଡୋର ଆଲୋଚନା ମଧ୍ୟ ଆରମ୍ଭ କରିଛନ୍ତି।

    ବର୍ତ୍ତମାନ ଟ୍ରେଣ୍ଡ କଂଗ୍ରେସ ସପକ୍ଷରେ ରହିଥିବାରୁ ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ଉତ୍ସବ ମନାଇବା ମଧ୍ୟ ଆରମ୍ଭ କରିଛନ୍ତି। ହେଲେ ବିଜେପି ୧୨୦ ଆସନ ଜିତିବ ବୋଲି ଏବେ ବି ଦମ୍ଭୋକ୍ତି କରିବାରେ ଲାଗିଛି।

  • May 13, 2023 09:38 IST

    ‘ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଆମେ ସବୁ କିଛି କରିପାରିବୁ’

    କର୍ଣ୍ଣାଟକାରେ ଆଜି ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ନେତା ଯତୀନ୍ଦ୍ରନାଥ ସିଦ୍ଦରମୈୟା କହିଛନ୍ତି ତାଙ୍କ ଦଳ ନିଶ୍ଚିତ ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରିବ ଓ ସରକାର ଗଠନ କରିବ। କଂଗ୍ରେସ ଏକାକୀ ସରକାର ଗଠନ କରିବ ବୋଲି ସେ କହିଛନ୍ତି। ଏହା ସହିତ ତାଙ୍କ ବାପା ତଥା ଦଳର ବରିଷ୍ଠ ନେତା ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ସେ କହିଛନ୍ତି।

    ଯତୀନ୍ଦ୍ରନାଥ ସିଦ୍ଦରମୈୟା ଆହୁରି କହିଛନ୍ତି, ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଆମେ ସବୁ କିଛି କରିପାରିବୁ।

    ଭୋଟ ଗଣତି ଆରମ୍ଭ ହେବାର ପ୍ରାୟ ଦେଢ଼ ଘଣ୍ଟା ବିତିଥିବା ବେଳେ ୨୨୪ଟି ଆସନରୁ କଂଗ୍ରେସ ୧୧୮ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୯ ଓ ଜେଡିଏସ୍ ୨୩ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛନ୍ତି।

  • May 13, 2023 09:31 IST

    କର୍ଣ୍ଣାଟକା ଭୋଟ ଗଣତି: କଂଗ୍ରେସ ୧୦୬ଟି ଆସନରେ ଆଗୁଆ, ବିଜେପି ୮୩ରେ ଆଗୁଆ

    ମେ’ ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାୟ ଘଣ୍ଟେ ପରେ ଅର୍ଥାତ ସକାଳ ୯ଟା ବେଳକୁ କଂଗ୍ରେସ ୧୦୬ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି ୮୩ଟି ଆସନରେ ଆଗୁଆ ରହିଛି। ସେହିପରି ଜେଡିଏସ୍ ମାତ୍ର ୨୧ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛି।

    ସୂଚନାଯୋଗ୍ୟ, କର୍ଣ୍ଣାଟକା ବିଧାନସଭାରେ ୨୨୪ଟି ଆସନ ରହିଥିବା ବେଳେ ସରକାର ଗଠନ କରିବାକୁ ଯେକୌଣସି ଦଳକୁ ୧୧୩ଟି ଆସନରେ ବିଜୟୀ ହେବାକୁ ପଡ଼ିବ।

  • May 13, 2023 08:42 IST

    ମୋର ବିଶ୍ୱାସ ବିଜେପି ଜିତିବ: ବସବରାଜ ବୋମାଇ

    କର୍ଣ୍ଣାଟକାରେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବିଜେପି ଜିତିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ।

    ସେ କହିଛନ୍ତି, ଆଜି ଦିନଟି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ମୋର ବିଶ୍ୱାସ ବିଜେପି ଜିତିବ। ଆମେ ଲୋକଙ୍କ ପାଇ କାମ କରିଛୁ। ଆମେ ରାଜ୍ୟର ବିକାଶ ପାଇଁ କାମ କରିଛୁ। ମୁଁ କର୍ଣ୍ଣାଟକାର ଲୋକଙ୍କୁ ଧନ୍ୟବାଦ ଦେଉଛି।

    ଆଜି ଭୋଟ ଗଣତି ପୂର୍ବରୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଏକ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

    ଅନ୍ୟପକ୍ଷରେ ଅଧିକାଂଶ ଏକଜିଟ ପୋଲ ଅନୁସାରେ ରାଜ୍ୟରେ ଏଥର ଝୁଲା ବିଧାନସଭା ହୋଇପାରେ। ସେଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଜେଡିଏସ ସହିତ ଗୁପ୍ତ ଆଲୋଚନା ଆରମ୍ଭ ହୋଇଯାଇଥିବା କୁହାଯାଉଛି। ଅବଶ୍ୟ ଜେଡିଏସ୍ ନେତା ଏଚ୍‌ଡି କୁମାରସ୍ୱାମୀ ଏହାକୁ ଖଣ୍ଡନ କରିଛନ୍ତି।

  • May 13, 2023 08:18 IST

    ମୋର କିଛି ଦାବି ନାହିଁ: କୁମାରସ୍ୱାମୀ

    ମେ’ ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି। ତେବେ ଫଳାଫଳ ଆସିବା ପୂର୍ବରୁ ମେ’ ୧୦ ତାରିଖରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଅଧିକାଂଶ କର୍ଣ୍ଣାଟକାରେ ଝୁଲା ବିଧାନସଭାର ଆକଳନ କରିଥିଲେ। କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ଉଭା ହେବେ ବୋଲି ଆକଳନ କରାଯାଇଛି। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିବ ବୋଲି କୁହାଯାଉଛି। ଏମିତିକି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଜେଡିଏସ୍‌ ସହିତ ଗୁପ୍ତ ଆଲୋଚନା ଆରମ୍ଭ ହୋଇଯାଇଥିବା କୁହାଯାଉଛି।

    ଆଜି ଭୋଟ୍ ଗଣତି ପୂର୍ବରୁ ଜେଡିଏସ ନେତା ଏଚ୍‌ଡି କୁମାରସ୍ୱାମୀ କହିଥିଲେ, ଏକଜିଟ ପୋଲ କହୁଛି ଦୁଇ ଜାତୀୟ ଦଳ ଭଲ କରିବେ। ଏକଜିଟ ପୋଲ ଆମକୁ ୩୦ରୁ ୩୨ଟି ଆସନ ଦେଇଛି। ମୋର ଛୋଟ ଦଳ। ମୋର କିଛି ଦାବି ନାହିଁ। ମୁଁ ଆଶା କରୁଛି ଆଗକୁ ସବୁ ଭଲ ହେବ।

  • May 13, 2023 08:04 IST

    କର୍ଣ୍ଣାଟକା ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ଭୋଟ୍ ଗଣତି

    ମେ’ ୧୦ ତାରିଖରେ କର୍ଣ୍ଣାଟକାର ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ହେଉଛି ଗଣତି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଜଲ୍ଟ ବାହାରିବା ପୂର୍ବରୁ କଂଗ୍ରେସ ଓ ବିଜେପି ଉଭୟ ସରକାରକୁ ଫେରିବେ ବୋଲି ଦମ୍ଭୋକ୍ତି କରିଛନ୍ତି। କର୍ଣ୍ଣାଟକାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୧୩।

    ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ପ୍ରକାଶ କରାଯାଇଛି। ଅଧିକାଂଶ ସଂସ୍ଥା କର୍ଣ୍ଣାଟକାରେ ଝୁଲା ବିଧାନସଭାର ଆକଳନ କରିଥିବା ବେଳେ କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ଉଭା ହେବେ ବୋଲି ଆକଳନ କରିଛନ୍ତି। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିବ। କିନ୍ତୁ ବିଜେପି ଏକଜିଟ ପୋଲ ଆକଳନକୁ ଗ୍ରହଣ କରିନାହିଁ। ରାଜ୍ୟରେ ବିଜେପି ୧୨୦ଟି ଆସନ ଜିତିବ ବୋଲି ଦଳ ଦାବି କରିଛି। ତେବେ କଂଗ୍ରେସ ଓ ବିଜେପି ଉଭୟ ରେଜଲ୍ଟ ବାହାରିବା ପୂର୍ବରୁ ଜେଡିଏସ୍‌ ସହ ବ୍ୟାକଡୋର ଆଲୋଚନା ଆରମ୍ଭ କରିଛନ୍ତି।

    ୨୦୧୮ରେ ବିଜେପି ସର୍ବବୃହତ୍ତ ଦଳ ଭାବେ ୧୦୪ଟି ଆସନ ଜିତିଥିଲା। ଅବଶ୍ୟ ଦଳ ମ୍ୟାଜିକ ନମ୍ବର ଠାରୁ ୯ଟି ଆସନ କମ ପାଇଥିଲା। କଂଗ୍ରେସ ୭୮ଟି ଓ ଜେଡିଏସ୍‌ ୩୭ଟି ଆସନ ଦଖଲ କରିଥିଲେ। ଏହି ଦୁଳ ମେଣ୍ଟ କରି ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିଥିଲେ। ଜେଡିଏସର ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ସରକାର ମାତ୍ର ବର୍ଷକ ପାଇଁ କାମ କରିଥିଲା। କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ଦଳ ଛାଡ଼ିବାରୁ କୁମାରସ୍ୱାମୀ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିଥିଲା।

    ୨୦୧୮ ଭଳି ଯଦି ସ୍ଥିତି ଉପୁଜେ, ତା’ହେଲେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ସମ୍ଭାବନା ବହୁତ କମ। କାରଣ ଜେଡିଏସ ୧୨ରୁ ୩୩ଟି ଆସନ ଜିତିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି।

Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe