Advertisment

ଅଫିସରମାନେ ଶୁଣୁନାହାନ୍ତି, କୋର୍ଟରେ ଲଜ୍ଜିତ ହେଉଛନ୍ତି ସରକାର: ସଚିବମାନଙ୍କୁ ଚିଠି ଲେଖିଲେ ଏଜି ଅଫିସ

“ଅଦାଲତ ଅବମାନନା ନୋଟିସ୍ ସତ୍ତ୍ୱେ ଅଫିସରମାନେ ଶୁଣୁନାହାନ୍ତି।

Loka Seva Bhavan

Loka Seva Bhavan

Advertisment

“ଅଦାଲତ ଅବମାନନା ନୋଟିସ୍ ସତ୍ତ୍ୱେ ଅଫିସରମାନେ ଶୁଣୁନାହାନ୍ତି। ଏପରିକି ଅଧିକାଂଶ ମାମଲାରେ ଅନୁପାଳନ ସତ୍ୟପାଠ ବି ଦାଖଲ ହେଉନିକି କେଉଁ କାରଣ ପାଇଁ ବିଳମ୍ବ ହେଉଛି ଅବା ଏହା ଦାଖଲ ହେଉନି ସେ ସମ୍ପର୍କରେ ଆଡେଭାକେଟ୍ ଜେନେରାଲଙ୍କ ଅଫିସକୁ ମଧ୍ୟ ବିଭାଗଗୁଡ଼ିକ ଅବଗତ କରୁନାହାନ୍ତି। କେତେକ ମାମଲାରେ ଦ୍ୱିତୀୟଥର ଅଦାଲତ ଅବମାନନା ନୋଟିସ ଉପରେ ବି ବିଭାଗଗୁଡ଼ିକ ନିରବ ରହୁଛନ୍ତି। ଯେଉଁଥିପାଇଁ କୋର୍ଟରେ ରାଜ୍ୟ ସରକାରଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି ଓ କୋର୍ଟ ଏକତରଫା ରାୟ ଦେଉଛନ୍ତି ଯାହାର ପ୍ରତିକୂଳ ପ୍ରଭାବ ପଡ଼ୁଛି।
ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ(ଏଜି)ଙ୍କ କାର୍ଯ୍ୟାଳୟ ଗତକାଲି ଏଭଳି କିଛି ଚିଠି ଲେଖି ବିଭାଗୀୟ ମୁଖ୍ୟମାନଙ୍କ କାର୍ଯ୍ୟଶୈଳୀକୁ ପଦାରେ ପକାଇଛନ୍ତି।

Advertisment

ବିଶେଷକରି ଅଦାଲତ ଅବମାନନା ନୋଟିସକୁ ଯେଉଁଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ଅଣଦେଖା କରୁଛନ୍ତି ତାହା ଉଲ୍ଲେଖ କରି ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକ ଗତକାଲି ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ମୁଖ୍ୟ ସଚିବଙ୍କୁ ମଧ୍ୟ ଏନେଇ ଅବଗତ କରାଇଛନ୍ତି।

ସେ କହିଛନ୍ତି ଯେ, ପ୍ରଥମଥର ଅଦାଲତ ଅବମାନନା ନୋଟିସ ଉପରେ ଜବାବ ରଖିବାକୁ କୋର୍ଟ ପୁଣିଥରେ ଅଧିକ ସମୟ ଦେଉଥିଲେ ମଧ୍ୟ ବିଭାଗଗୁଡ଼ିକ ନିର୍ଦ୍ଧାରିତ ଅବଧିରେ ଅନୁପାଳନ ରିପୋର୍ଟ ଦାଖଲ କରୁନାହାନ୍ତି କିମ୍ବା ଏନେଇ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅବଗତ କରାଉନାହାନ୍ତି। ଏପରିକି ଦ୍ୱିତୀୟଥର ଅଦାଲତ ଅବମାନନା ନୋଟିସ ଜାରି ହେବା ପରେ ବି ସମ୍ପୃକ୍ତ ବିଭାଗଗୁଡ଼ିକ ଦ୍ୱାରା ଅନୁପାଳନ ରିପୋର୍ଟ ଦାଖଲ ହେଉନି। ଯେଉଁଥିପାଇଁ କୋର୍ଟରେ ରାଜ୍ୟ ସରକାରଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।
ଅଦାଲତ ଅବମାନନା ମାମଲାରେ ଅନୁପାଳନ ରିପୋର୍ଟ ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ବିଭାଗୀୟ ମୁଖ୍ୟ, ସମ୍ପୃକ୍ତ ବିଭାଗର ଲ’ ଅଫିସର ଓ ନୋଡାଲ ଅଫିସରମାନେ ପ୍ରାଥମିକତା ଭିତ୍ତିରେ ଅନୁପାଳନ ରିପୋର୍ଟ ଯେପରି ଦାଖଲ କରିବେ ସେ ନେଇ ନିର୍ଦ୍ଦେଶ ଦେବା ପାଇଁ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ଉକ୍ତ ଅନୁପାଳନ ରିପୋର୍ଟକୁ ହାଇକୋର୍ଟଙ୍କୁ ପଠାଇବା ସହ ଆଡଭୋକେଟ୍ ଜେନେରାଲଙ୍କ ଅଫିସକୁ ମଧ୍ୟ ପଠାଇବାକୁ କହିଛନ୍ତି। ଅବଶ୍ୟ ଏହା ସତ୍ୟ ଯେ, ଅଦାଲତ ଅବମାନନା ନୋଟିସର ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ କୋର୍ଟ ଅଧିକ ସମୟ ଦେଉନାହାନ୍ତି ଓ ସମ୍ପୃକ୍ତ ନିର୍ଦ୍ଦେଶରେ ନିର୍ଦ୍ଧାରିତ ଅବଧି ଉଲ୍ଲେଖ ରହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରିଙ୍କ ଦ୍ୱାରା ଜାରି ହେଉଥିବା ନୋଟିସ୍ ଓ ଆଡଭୋକେଟ୍ ଜେନେରାଲ ଅଫିସଙ୍କ ଦ୍ୱାରା ଜାରି ହେଉଥିବା ଚିଠିର ତୁରନ୍ତ ଅନୁପାଳନ କରିବା ନିମନ୍ତେ ଉପଯୁକ୍ତ ବ୍ୟକ୍ତି(ଅଧିକାରୀ)ଙ୍କୁ ଅଭ୍ୟସ୍ତ କରିବା ଆବଶ୍ୟକ ନିର୍ଦ୍ଦେଶ ଦେବା ପାଇଁ ସେ ସମସ୍ତ ସଚିବଙ୍କୁ ପରାମର୍ଶ ଦେଇଛନ୍ତି।

Officer Loke Seva Bhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe