ଆଜି ଆଶ୍ୱିନ ମାସ କୃଷ୍ଣ ଷଷ୍ଠ ତିଥି। ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖଶୃଙ୍ଗାର କରିବେ।
ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ବନକ ଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ। ଯାହା ହେଲା କଳା, ଧଳା, ନାଲି ଓ ହଳଦିଆ। ଆଉ ସେଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା କଜ୍ଜ୍ୱଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ। ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ।
ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବା ବେଳେ ହରିତାଳ ଲାଲ ରଙ୍ଗ ପାଇଁ ଦରକାର। ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ। ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ। ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ। ଯେହେତୁ ବର୍ତ୍ତମାନ ସମୟରେ କସ୍ତୁରୀ ଅତି ଦୁର୍ଲଭ ହୋଇଛି ଓ ନେପାଳରୁ ଆଉ ଏହା ଆସୁନାହିଁ। ତେଣୁ ତାକୁ ବାଦ ଦେଇ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବାକି ସାମଗ୍ରୀରେ ବନକଲାଗି କରାଯାଇଥିବା ବୋଲି ସୂଚନା ରହିଛି।
ଏହା ଗୁପ୍ତ ନୀତି ହୋଇ ଥିବାରୁ ଅପରାହ୍ନ ୫ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।