Advertisment

ଅଧ ରାତିରେ ପ୍ରସୂତିଙ୍କୁ ରାସ୍ତାରେ ଓହ୍ଲାଇଦେଲା ୧୦୮ ଆମ୍ୱୁଲାନ୍ସ

ଆମ୍ୱୁଲାନ୍ସ ଘରେ ପହଞ୍ଚିବା ପରେ ପ୍ରସୂତି ଗାଡ଼ିରେ ବସିଲେ। ତା’ପରେ ମେଡ଼ିକାଲ୍‌ ଅଭିମୁଖେ ଯାଉଥିଲା ଆମ୍ୱୁଲାନ୍ସ। ପ୍ରାୟ ଦେଢ଼ କିମି ରାସ୍ତା ଗଲା ପରେ ଡ୍ରାମା ଆରମ୍ଭ କଲା ଡ୍ରାଇଭର। ଭଡ଼ା ବାବଦକୁ ୪୦୦ ଟଙ୍କା ମାଗିଥିଲା। ହେଲେ ଆଶା ଦିଦି ଟଙ୍କା ନଦେବା ପାଇଁ କହିଥିଲେ।

author-image
Manoranjan Sial
108 Ambulance

108 Ambulance

ରାତି ସାଢ଼େ ୧୧ଟାରେ ପ୍ରସୂତିଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଲା ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ରିପୋର୍ଟ ତଲବ କରିଛନ୍ତି ସିଡିଏମ୍‌ଓ।

Advertisment

ଗତ ୩୧ ତାରିଖ ରାତିରେ ବାରିପଦା ସଦର ବ୍ଲକ୍‌ ଗୁଞ୍ଜୁସାହି ଗାଁର ମୋତିରାମ ଟୁଡୁଙ୍କ ପତ୍ନୀ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକ ଏନେଇ ଆଶାଙ୍କୁ ଖବର ଦେଇଥିଲେ। ଖବର ପାଇ ଆଶା ଦିଦି ଭାରତୀ ମାରାଣ୍ଡି ସଙ୍ଗେ ସଙ୍ଗେ ପ୍ରସୂତିଙ୍କ ଘରେ ପହଞ୍ଚିଥିଲେ। ପ୍ରାଥମିକ ଯାଞ୍ଚ ପରେ ମେଡ଼ିକାଲ୍‌ ନେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରସୂତିଙ୍କୁ ପଣ୍ଡିତ ରଘୁନାଥ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ କଲ ପାଇ ଗାଁରେ ଆମ୍ୱୁଲାନ୍ସ ନମ୍ୱର (OD-11Q-7331) ପହଞ୍ଚିଥିଲା।

ଆମ୍ୱୁଲାନ୍ସ ଘରେ ପହଞ୍ଚିବା ପରେ ପ୍ରସୂତି ଗାଡ଼ିରେ ବସିଲେ। ତା’ପରେ ମେଡ଼ିକାଲ୍‌ ଅଭିମୁଖେ ଯାଉଥିଲା ଆମ୍ୱୁଲାନ୍ସ। ପ୍ରାୟ ଦେଢ଼ କିମି ରାସ୍ତା ଗଲା ପରେ ଡ୍ରାମା ଆରମ୍ଭ କଲା ଡ୍ରାଇଭର। ଭଡ଼ା ବାବଦକୁ ୪୦୦ ଟଙ୍କା ମାଗିଥିଲା। ହେଲେ ଆଶା ଦିଦି ଟଙ୍କା ନଦେବା ପାଇଁ କହିଥିଲେ। ଯାହାକୁ ନେଇ ଆମ୍ୱୁଲାନ୍ସ ଡ୍ରାଇଭର ଓ ଆଶା ଦିଦିଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଜମ୍ଭିରାଡିହ ନିକଟରେ ଆମ୍ୱୁଲାନ୍ସରୁ ପ୍ରସୂତିଙ୍କୁ ଓହ୍ଲାଇ ଦେଇ ପଳାଇ ଯାଇଥିଲା ଡ୍ରାଇଭର।

Advertisment

ଶେଷରେ କିଛି ଉପାୟ ନପାଇ ଏକ ଅଟୋରେ ପ୍ରସୂତିଙ୍କୁ ଧରି ମେଡ଼ିକାଲ୍‌ରେ ପହଞ୍ଚିଥିଲେ ଆଶା ଦିଦି। ଚିକିତ୍ସା ପରେ ସେ ସନ୍ତାନ ପ୍ରସବ କରିଛନ୍ତି। ଏବେ ମାଆ ଓ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଆଶା ଦିଦି ଏନେଇ ସିଡିଏମ୍‌ଓଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ଏନ୍‌ଆର୍‌ଏଚ୍‌ଏମ୍‌ଙ୍କ ଜବାବ ତଲବ କରିଛନ୍ତି ସିଡିଏମ୍‌ଓ।

ରିପୋର୍ଟ-ବାରିପଦାରୁ ମାନିକଲାଲ୍‌ ପାଣି

Baripada 108 Ambulance