ଦଶମ ଶ୍ରେଣୀରେ ପଢ଼ୁଥିଲେ। ଆଉ ଦୁଇ ମାସ ପରେ ଦେଇଥାଆନ୍ତେ ମାଟ୍ରିକ୍ ପରୀକ୍ଷା। ତା’ପୂର୍ବରୁ ମାଆ ହୋଇଗଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ। ହେଲେ ଏ ସମ୍ପର୍କରେ ବାପା-ମାଆ ବା ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ କେହି ଜାଣିପାରିଲେ ନାହିଁ। ଶୁକ୍ରବାର ରାତିରେ ଘରେ ପିଲା ଜନ୍ମ ହେବା ପରେ ବାପା-ମାଆଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ଛୁଆର ବାପା କିଏ ଖୋଜିଥିଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲାରେ ଘଟିଛି।
ନାକଟିଦେଉଳ ଥାନା ଅଞ୍ଚଳରେ ଏକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ ସୀମା(ଛଦ୍ମନାମ)। ସେ ପ୍ରତିଦିନ ସ୍କୁଲ ଯାଉଥିଲେ। ମନ ଦେଇପାଠ ପଢ଼ୁଥିଲେ। ଭଲ ପାଠ ମଧ୍ୟ ପଢ଼ୁଥିଲେ। ଆଉ କିଛି ଦିନ ପରେ ଦେଇ ଥାଆନ୍ତେ ମାଟ୍ରିକ୍ ପରୀକ୍ଷା। ହେଲେ ତା’ପୂର୍ବରୁ ଖସଡ଼ା ରାସ୍ତାରେ ଖସି ପଡ଼ିଲେ ସୀମା। ଖସଡ଼ା ରାସ୍ତାରେ ପଡ଼ିବା ପରେ ବହି ବସ୍ତାନୀକୁ ସିନା ସଜାଡ଼ି ନେଇ ଆସିଲେ। ହେଲେ ଦେହରେ ଲାଗିଥିବା ଦାଗକୁ ଲିଭାଇ ପାରିଲେ ନାହିଁ।
ଗତ ଫଗୁଣରେ ନିଜ ଗାଁର ଜଣେ ଯୁବକଙ୍କ ପ୍ରେମ ଜାଲରେ ଫସି ଯାଇଥିଲେ ସୀମା। ଆଉ ସେଥିରୁ ବାହାରି ପାରିଲେ ନାହିଁ। ପ୍ରେମିକ ପ୍ରବର ବାହାନା କରି ସୀମାଙ୍କ ସହିତ ରଖିଥିଲା ଶାରୀରିକ ସମ୍ପର୍କ। ତା’ପରେ ସୀମାଙ୍କ ସ୍ୱଭାବ ବଦଳି ଯାଇଥିଲା। ଚୁଲବୁଲୀ ସୀମା ହୋଇଯାଇଥିଲେ ଗମ୍ଭୀର। ସ୍କୁଲରେ ପଢ଼ୁଥିଲେ, ଘର କାମ କରୁଥିଲେ, ବାପା-ମାଆଙ୍କ ସହ କଥା ହେଉଥିଲେ। ହେଲେ କେଉଁଠି ତାଙ୍କର ମନ ଲାଗୁନଥିଲା। କାରଣ ପେଟରେ ବଢ଼ୁଥିବା ଭବିଷ୍ୟତକୁ ଚିନ୍ତାରେ ଥିଲେ। ଏପରିକି ନିଜ ପେଟରେ ପଢ଼ୁଥିବା ସନ୍ତାନ ସମ୍ପର୍କରେ ସେ କାହାକୁ କହିପାରୁନଥିଲେ।
ଗର୍ଭବତୀ ଥିବାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ସୀମାଙ୍କ ଶରୀର ବଦଳୁଥିଲା। ହେଲେ ଜାଣିପାରୁନଥିଲେ ବାପା-ମାଆ। ସେଥିପାଇଁ ସବୁ ଜାଣି ନୀରବ ରହୁଥିଲେ ସୀମା। ଏହାରି ଭିତରେ ଗର୍ଭସ୍ଥ ଶିଶୁକୁ ୯ ମାସ ହୋଇଯାଇଥିଲା। ମାଆଙ୍କ କୋଳକୁ ଆସିବାକୁ ଚାହୁଁଥିଲା। ଶୁକ୍ରବାର ରାତିରେ ହଠାତ୍ ସୀମାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ପ୍ରଥମେ ପରିବାର ଲୋକେ କିଛି ଜାଣିପାରିନଥିଲେ। ଆଉ ଜାଣିଲା ବେଳକୁ ନିଜ ନାବାଳିକା ଝିଅ ଗର୍ଭରୁ କନ୍ୟା ସନ୍ତାନ ଜନ୍ମ ହୋଇସାରିଥିଲା। ଏହା ପରେ ଚିନ୍ତାରେ ପଡ଼ି ଯାଇଥିଲେ ପରିବାର ଲୋକ। ଛୁଆର ବାପା କିଏ?
ବାପା-ମାଆଙ୍କ ଏ ପ୍ରଶ୍ନରେ ଚୁପ୍ ରହିଥିଲେ ସୀମା। ଜବାବ ଦେବା ପାଇଁ ତାଙ୍କ ପାଖରେ ବୋଧହୁଏ ଶବ୍ଦ ନଥିଲା। ବହୁ ପଚରାଉଚରା ପରେ ଶୁଷ୍କ କଣ୍ଠରେ ନିଜ ପ୍ରେମିକଙ୍କ ନାଁ କହିଥିଲେ। ତେବେ ପ୍ରଶ୍ନ ଉଠୁଛି ଛୁଆ ରହିବ କେଉଁଠି? ସିଏ ଯାହା ହେଉନା କାହିଁ ଚାରି କାନ୍ଥ ଡେଇଁ କଥା ଘର ବାହାରକୁ ଯାଇଥିଲା। କଥା ଯାଇ ପହଞ୍ଚିଥିଲା ଉପଜିଲ୍ଲାପାଳଙ୍କ କାନରେ।।
ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡ଼ି ଓ ଆଶା କର୍ମୀ ନାବାଳିକା ମାଆ ଏବଂ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ନାକଟିଦେଉଳ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ୟପକ୍ଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନାକଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି।
ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।